Unknown

 

 

 

 

 

 

 

 

 

୪୮ତମ ସଂଖ୍ୟା-କୋଣାର୍କ-୧୯୮୨

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚୀପତ୍ର

ସଂସ୍କୃତ ସାହିତ୍ୟରେ ଖାରବେଳ

ଡ. ନବୀନକୁମାର ସାହୁ

୨.

‘‘ଉତ୍କଳ ଭାଷାର୍ଥାବିଧାନ’’ ଓ ଆମ୍‍ସ ସଟନ

ଡ. ଗୌରାଙ୍ଗଚରଣ ଦାସ

ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା

ଡ. ଗଙ୍ଗାଧର ବଳ

ଖାରବେଳ ଓ ଗାନ୍ଧର୍ବ ବେଦ

ଶ୍ରୀ ନୀଳମାଧବ ପାଣିଗ୍ରାହୀ

ଥିରୁକୁରଲ ଓ ସନ୍ଥ ଭାଲୁଏର

ଶ୍ରୀ ବଳରାମ ରାଉତ

ନୀଳକଣ୍ଠ କାବ୍ୟକୃତି-ଦାସନାଏକ

ଶ୍ରୀ ପ୍ରମୋଦକୁମାର ଦ୍ୱିବେଦୀ

ଏକାଡେମୀ ସମାଚାର

 

ସମ୍ପାଦକୀୟ

 

 

ସଂସ୍କୃତ ସାହିତ୍ୟରେ ଖାରବେଳ

ଡ: ନବୀନ କୁମାର ସାହୁ

 

ଯେଉଁ ଐତିହାସିକ ପୁରୁଷଗଣ ନିଜ ବ୍ୟକ୍ତିତ୍ୱ ଓ କାର୍ଯ୍ୟକଳାପ ଦ୍ୱାରା ସମାଜ ଓ ସଂସ୍କୃତିକୁ ପ୍ରଭାବିତ କରିଥାନ୍ତି ସେମାନଙ୍କର ମହନୀୟ ଚରିତ ଓ ଚରିତ୍ର କବି ଓ ସାହିତ୍ୟକଙ୍କର ଲେଖନୀରେ ବିଶେଷ ରୂପେ ଅଭିବ୍ୟକ୍ତ ହୋଇଥାଏ । ଇତିହାସର ପୃଷ୍ଠାରେ ସେମାନେ କେବଳ ତଥ୍ୟ ସମ୍ବଳିତ ବର୍ଣ୍ଣନାରେ ବାସ୍ତବ ରୂପରେ ପ୍ରକାଶ ପାଇଥିବା ବେଳେ ସାହିତ୍ୟକ୍ଷେତ୍ରରେ ସେମାନଙ୍କର କାବ୍ୟିକ ଭୂମିକା ମନୋରଞ୍ଜକ ରୂପେ ଚିତ୍ରିତ ହୋଇଥାଏ । ବହୁ ସମୟରେ ଯୁଗସ୍ରଷ୍ଟା ଶାସକ ଓ ମହାପୁରୁଷଙ୍କୁ ନେଇ କବି ଓ ସାହିତ୍ୟିକ ଆଦର୍ଶବାଦ ବା ଧର୍ମନୀତି ପରିପ୍ରଚାର କରିଥିବା ମଧ୍ୟ ଦେଖିବାକୁ ମିଳେ । ପ୍ରାଚୀନ ଭାରତର ଅନେକ ପ୍ରଖ୍ୟାତ ନରପତି ଯଥା ମହାପଦ୍ମନନ୍ଦ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ଖାରବେଳ ଓ କନିଷ୍କ ପରବର୍ତ୍ତୀକାଳର ସାହିତ୍ୟିକଙ୍କ ଦ୍ୱାରା ଗାଳ୍ପିକ ବା କାବ୍ୟିକ ଚରିତ୍ର ରୂପେ ଯେଉଁ ଭୂମିକା ଗ୍ରହଣ କରି ଅଛନ୍ତି ତାହା ଐତିହାସିକ ତଥ୍ୟ ଦ୍ୱାରା ଆଧାରିତ ହେଲେ ହେଁ କଳ୍ପନାର ସଂଯୋଜନାରେ ନୂତନ ସୃଷ୍ଟିର ବୈଚିତ୍ର ଗ୍ରହଣ କରିଅଛି । ବୌଦ୍ଧ ଲେଖକଗଣ ସମ୍ରାଟ ଅଶୋକଙ୍କର ଚରିତ୍ର ଓ କାର୍ଯ୍ୟକଳାପ ନାନା ଭାବରେ ଅଭିରଞ୍ଜିତ କରି ତାହାକୁ ଧର୍ମ ପରିପ୍ରଚାର ଓ ଅଭିବୃଦ୍ଧିର ମାଧ୍ୟମ ରୂପେ ବିନିଯୋଗ କରିଅଛନ୍ତି । ପାଲି ଭାଷାରେ ଯେଉଁ ବିଶାଳ ଅବଦାନ ସାହିତ୍ୟ ରଚିତ ହୋଇଅଛି ତାହା ଅଶୋକଙ୍କର ଗାଳ୍ପିକ ଚରିତ୍ରକୁ ଅବଲମ୍ବନ କରି ଧର୍ମାଦେଶର ବାର୍ତ୍ତା ପ୍ରଚାର କରିବାରେ ମୁଖରିତ ହୋଇ ଉଠିଛି । ମାତ୍ର ଜୈନଧର୍ମର କବି ଓ ସାହିତ୍ୟିକ ବୌଦ୍ଧଙ୍କ ଭଳି ପ୍ରଚାରଧର୍ମୀ ସାହିତ୍ୟ ରଚନା କରିବା ପାଇଁ ପ୍ରଚେଷ୍ଟା କରିଥିବା ଜଣାପଡ଼େ ନାହିଁ । ସମ୍ରାଟ ଅଶୋକଙ୍କୁ ନେଇ ବୌଦ୍ଧ ଲେଖକଗଣ ଯେପରି ଧାର୍ମିକ ଓ ପ୍ରୟୋଜନତ୍ମାକ ସାହିତ୍ୟ ସୃଷ୍ଟି କରିଅଛନ୍ତି ଚନ୍ଦ୍ରଗୁପ୍ତ ବା ଖାରବେଳଙ୍କୁ କେନ୍ଦ୍ର କରି ଜୈନ—ସାହିତ୍ୟରେ ସେହି ପ୍ରକାର ପରିକଳ୍ପନା ଓ ପ୍ରଯୋଜନା ପରିଦୃଷ୍ଟ ହୁଏ ନାହିଁ । ହାତୀଗୁମ୍ଫା ଅଭିଲେଖର ବର୍ଣ୍ଣାଢ଼୍ୟ ଘଟଣାବଳୀ ଭାରତୀୟ ସାହିତ୍ୟରେ ଆଲୋଡ଼ନ ସୃଷ୍ଟି କରି ନ ଥିବା ଯୋଗୁଁ ଏବଂ ଜୈନ ଲେଖକଗଣ ଖାରବେଳଙ୍କୁ ନାୟକ ରୂପେ ଗ୍ରହଣ କରି ଆଦର୍ଶବାଦ ସାହିତ୍ୟ ଗଠନ କରି ନ ଥିବା ହେତୁ ଅଧ୍ୟାପକ ବେଣୀମାଧବ ବଡ଼ୁଆ ଖାରବେଳଙ୍କ କାର୍ଯ୍ୟକଳାପକୁ ନ୍ୟୁନାତ୍ମକ ଦୃଷ୍ଟିରେ ସମାଲୋଚନା କରିଅଛନ୍ତି । ବଡ଼ୁଆଙ୍କ ମତରେ ଖାରବେଳ ଅଶୋକଙ୍କର ଅହିଂସା ନୀତିର ପ୍ରତିକୂଳ ହୋଇ ସାମ୍ରାଜ୍ୟବାଦୀ ରୂପେ ଯୁଦ୍ଧର ବିଭୀଷିକା ସୃଷ୍ଟି କରିଥିବା ଯୋଗୁଁ ପରବର୍ତ୍ତୀକାଳର ସାହିତ୍ୟରେ ଏପରି କି ଜୈନପନ୍ଥୀ କବି ଓ ସାହିତ୍ୟିକଙ୍କର ଲେଖାରେ ମଧ୍ୟ ସ୍ଥାନ ଲାଭ କରିପାରି ନାହାନ୍ତି । * ଅଧ୍ୟାପକ ବେଣୀମାଧବ ବଡ଼ୁଆଙ୍କ ଏହି ଅଭିମତ ଓ ସମାଲୋଚନା ମୂଳରେ ଅପ୍ରାସଙ୍ଗିକ ବିଚାରବୋଧ ଓ ଅବାସ୍ତବ ଯୁକ୍ତି ହିଁ ପ୍ରକାଶ ପାଏ । ସେ ଖାରବେଳଙ୍କ ବିବିଧ ଉନ୍ନୟନାତ୍ମକ ଓ ଧାର୍ମିକ କ୍ରିୟାକଳାପ, କଳାସୃଷ୍ଟି ନିମନ୍ତେ ଉଦାର ପୃଷ୍ଠପୋଷକତା ଏବଂ ଚେତନଶୀଳ ରାଜନୀତି କୁଶଳତା ଆଦି ଗୁଣାବଳୀ ପ୍ରତି ଦୃଷ୍ଟିପାତ ନ କରି ଏବଂ ତାଙ୍କ ଯୁଦ୍ଧ ବିଗ୍ରହର ପୃଷ୍ଠଭୂମିରେ ଥିବା ନୀତି ଓ ଆଦର୍ଶମାନ ବିଚାରକୁ ନ ନେଇ ଯେଉଁ ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀରେ ତାଙ୍କ ମୂଲ୍ୟାଙ୍କନ କରି ଅଛନ୍ତି ତାହା କେବଳ ଅବାସ୍ତବ ନୁହେଁ ଅସ୍ପୃହୁଣୀୟ ମଧ୍ୟ । ଖାରବେଳ ଉତ୍ତରାପଥଠାରୁ ଦ୍ରାମିଳ ଦେଶ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଭୂଭାଗ ଜୟ କରିଥିଲେ ହେଁ କୌଣସି ପରାଜିତ ରାଜ୍ୟର ଅଂଶବିଶେଷ ସୁଦ୍ଧା କଳିଙ୍ଗର ଅନ୍ତର୍ଭୁକ୍ତ କରି ନ ଥିଲେ । ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ବିଶେଷ ଅନୁତପ୍ତ ହୋଇ ଅଶ୍ରୁମୋଚନ କରିଥିଲେ ମଧ୍ୟ ବିଜିତ କଳିଙ୍ଗରାଜ୍ୟକୁ ମଗଧ ସାମ୍ରାଜ୍ୟର ଅଙ୍ଗୀଭୂତ କରି ଯେଉଁ ସାମ୍ରାଜ୍ୟବାଦ ନୀତି କାର୍ଯ୍ୟକାରୀ କରିଥିଲେ ତାହା ଇତିହାସରେ ବିସ୍ମୃତ ନୁହେଁ । ଅଶୋକ କଳିଙ୍ଗ ବିଜୟକୁ ନିଜ ଅଭିଲେଖରେ ‘ଶରାଶକ ବିଜୟ’ (ଶାୟକ ବିଜୟ) * ବୋଲି ଆଖ୍ୟା ପ୍ରଦାନ କରିଥିଲେ ହେଁ ତାହା ଭାରତୀୟ ନୀତିଶାସ୍ତ୍ର ମତରେ ହେଉଛି ‘ଆସୁର ବିଜୟ’ । ଖାରବେଳ ସେହି ସାମ୍ରାଜ୍ୟବାଦ ନୀତି ପ୍ରତ୍ୟାଖ୍ୟାନ କରି ଜଣେ ଧର୍ମବିଜୟୀ ନରପତିଙ୍କ ଭୂମିକା ଗ୍ରହଣ କରିଥିଲେ । ଭାରତଭୂମିରୁ ଯବନମାନଙ୍କୁ ବିତାଡ଼ିତ କରିବା, ଜୈନଧର୍ମର ସୁରକ୍ଷା କରି ଜୈନ ସଂସ୍କୃତିର ବିକାଶ ସାଧନ କରିବା ଏବଂ କଳିଙ୍ଗରାଜ୍ୟର ଗୌରବ ବୃଦ୍ଧି ସଙ୍ଗେ ତାହାର ନୌ—ପରମ୍ପରା ଓ ସମୃଦ୍ଧିର ଉଦ୍ଧାର କରିବା ଥିଲା ଖାରବେଳଙ୍କ ସାମରିକ କ୍ରିୟାକଳାପର ଲକ୍ଷ୍ୟ । ତାହାକୁ ସାମ୍ରାଜ୍ୟବାଦ ବୋଲି ଚିତ୍ର କରିବା ସେହି ହିଂସାତ୍ମକ ନୀତି ଯୋଗୁଁ ସାହିତ୍ୟ ଜଗତରେ ଖାରବେଳ ପ୍ରତ୍ୟାଖ୍ୟାତ ହୋଇଅଛନ୍ତି ବୋଲି ଯୁକ୍ତି ପରିବେଷଣ କରିବା ଅତି ବିସ୍ମୟକର ଏବଂ ଦୁର୍ଭାଗ୍ୟଜନକ । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଯେ ବହୁ ଜୈନଗ୍ରନ୍ଥ ଏ ପର୍ଯ୍ୟନ୍ତ ଅପ୍ରକାଶିତ ହୋଇ ପାଣ୍ଡୁଲିପି ଆକାରରେ ପଡ଼ି ରହିଛି ଏବଂ ଗବେଷକମାନଙ୍କର ଦୃଷ୍ଟିଗୋଚର ହୋଇ ପାରି ନାହିଁ । ଅସଂଖ୍ୟ ଗ୍ରନ୍ଥ ଅଯତ୍ନ ଓ ଅବହେଳା ଯୋଗୁଁ ମଧ୍ୟ ଧ୍ୱଂସପ୍ରାପ୍ତ ହୋଇଅଛି । ତେଣୁ ଜୈନସାହିତ୍ୟ ଉପରେ ଉପଯୁକ୍ତ ଅନୁଧ୍ୟାନ ହୋଇପାରି ନଥିବା ଯୋଗୁଁ ଆମର ସୀମିତଜ୍ଞାନ ଦ୍ୱାରା ଏ ପ୍ରସଙ୍ଗରେ ନିଷ୍ପତ୍ତିମୂଳକ ଅଭିମତ ପ୍ରଦାନ କରିବା ଯଥାର୍ଥ ହେବ ନାହିଁ ।

 

*

B. M. Barua, ‘‘Old Brahmi Inscriptions in Udayagiri and Khandagiri Caves,’’ Page 286.

 

 

*

Rock Edict XIII

 

ପରବର୍ତ୍ତୀକାଳର ସଂସ୍କୃତ ସାହିତ୍ୟରେ ଖାରବେଳଙ୍କ ପ୍ରସଙ୍ଗରେ ଇତିହାସର ପରିସୀମା ମଧ୍ୟରେ ନାନାବିଧ କାବ୍ୟିକ ଓ କାଳ୍ପନିକ ଉପସ୍ଥାପନା ପରିଲିକ୍ଷିତ ହୁଏ । ଏଠାରେ ସେଗୁଡ଼ିକର ଯଥାଯଥ ସମୀକ୍ଷା ପ୍ରଦାନ କରାଯାଉଅଛି । ଉଦୟଗିରି ଓ ଖଣ୍ଡଗିରିରେ ଥିବା ଗୁମ୍ଫାମାନ ଯୁଗ ଯୁଗ ଧରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସାଧକ ଓ ସନ୍ନ୍ୟାସୀମାନଙ୍କର ବାସସ୍ଥଳୀ ରୂପେ ପରିଚିତ ଥିଲା; ମାତ୍ର ହାଥୀ ଗୁମ୍ଫାର ଅଭିଲେଖ ଏବଂ ଅନ୍ୟାନ୍ୟ ଗୁମ୍ଫା ଗୁଡ଼ିକର ଥିବା କ୍ଷୁଦ୍ର ଲେଖାବଳୀ ବହୁକାଳ ଧରି ଅଜ୍ଞାତ ରହିଥିଲା । ୧୮୨୦ ସାଲରେ ସର୍ବ ପ୍ରଥମେ ଷ୍ଟାର୍ଲ ସାହେବ (A.Stiriling) ହାଥୀଗୁମ୍ଫା ଅଭିଲେଖ ଆବିଷ୍କାର କରି ତାହା ସମ୍ପର୍କରେ ‘ଏସିଆଟିକ୍‌ ରିସାର୍ଚ୍ଚସ’ ପତ୍ରିକାରେ ବହୁ ମୂଲ୍ୟବାନ ତଥ୍ୟ ପ୍ରକାଶ କରିଥିଲେ * ମାତ୍ର ଅଭିଲେଖର ପାଠୋଦ୍ଧାର କରିବା ତାଙ୍କ ପକ୍ଷରେ ସମ୍ଭବପର ହୋଇ ନ ଥିଲା । ୧୮୩୭ ସାଲରେ କିଟୋ ସାହେବ (M.Kittoe) ଉକ୍ତ ଅଭିଲେଖର ଅବିକଳ ପ୍ରତିଛବି ଉଦ୍ଧାର କରିଥିଲେ ଏବଂ ତାହା ଜେମ୍‌ସ ପ୍ରିନ୍‌ସେପ୍‌ (Jemes Prinsep) ସର୍ବପ୍ରଥମେ ପାଠ କରିବାର ସକ୍ଷମ ହୋଇଥିଲେ । ପ୍ରିନ୍‌ସେପ୍‌ଙ୍କର ପାଠ କିଟୋଙ୍କର ପ୍ରତିଛବି ସହିତ ସେହିବର୍ଷ ‘ବେଙ୍ଗଲ ଏସିଆଟିକ ସୋସାଇଟି’ ପତ୍ରିକାରେ ପ୍ରକାଶିତ ହେବା ପରେ ପ୍ରାଚୀନ ଭାରତର ଇତିହାସର ଏକ ନୂତନ ଅଧ୍ୟାୟ ଉଦ୍‌ଘାଟିତ ହେଲା ଏବଂ କଳିଙ୍ଗର ପ୍ରାଚୀନ କୀର୍ତ୍ତିକଳାପ ପ୍ରତି ଭାରତୀୟ ଗବେଷକଗଣ ବିଶେଷ ରୂପେ ଆକୃଷ୍ଟ ହୋଇଥିଲେ । * ମାତ୍ର ପ୍ରିନ୍‌ସେପ୍‌ ଖାରବେଳଙ୍କ ନାମ ଅଭିଲେଖରୁ ପାଠ କରିଥିଲେ ମଧ୍ୟ ସେ ଯେ ହେଉଛନ୍ତି କଳିଙ୍ଗର ରାଜା ଏବଂ ଉକ୍ତ ଅଭିଲେଖଟିରେ ଯେ ତାଙ୍କରି କାର୍ଯ୍ୟକଳାପ ବର୍ଣ୍ଣିତ ହୋଇଅଛି ସେକଥା ସେ ଆଦୌ ଜାଣିପାରି ନ ଥିଲେ । ଏପରିକି ତାଙ୍କ ପରେ ଆଲେକ୍‌ଜାଣ୍ଡର କନିଂହୋମ ଓ ରାଜେନ୍ଦ୍ରଲାଲ ମିତ୍ରପ୍ରମୁଖ ପ୍ରଖ୍ୟାତ ଲିପିବିଦ୍‍ ପଣ୍ଡିତ ହାଥୀ ଗୁମ୍ଫା ଅଭିଲେଖ ଉପରେ ନୂତନ ଆଲୋକାପାତ କରିଥିଲେ ମଧ୍ୟ ଖାରବେଳ ନାମଧେୟ କଳିଙ୍ଗ ନରପତିଙ୍କୁ ଚିହ୍ନିବାରେ ସକ୍ଷମ ହୋଇ ନଥିଲେ । ପ୍ରିନ୍‌ସେପ୍‌ଙ୍କ ଠାରୁ ଆରମ୍ଭ କରି ରାଜେନ୍ଦ୍ର ଲାଲଙ୍କ ପର୍ଯ୍ୟନ୍ତ ସମସ୍ତ ପଣ୍ଡିତ ପ୍ରକାଶ କରିଥିଲେ ଯେ ହାଥୀଗୁମ୍ଫା ଅଭିଲେଖରେ ଐର ନାମଧେୟ କଳିଙ୍ଗର ରାଜାଙ୍କ କୀର୍ତ୍ତିକଳାପ ପରିଘୋଷିତ ହୋଇଅଛି । ତେଣୁ ସେ କାଳର ଯେଉଁ କବି ଓ ଚରିତକାର ହାଥୀଗୁମ୍ଫା ଅଭିଲେଖର ବିଷୟବସ୍ତୁ ଅବଲମ୍ବନ କରି ସାହିତ୍ୟ ସୃଷ୍ଟିକଲେ ସେମାନେ ସମସ୍ତେ ଖାରବେଳ ପରିବର୍ତ୍ତେ ଐର ରାଜାଙ୍କୁ ହିଁ ପ୍ରଧାନ ନାୟକ ଭାବରେ ଗ୍ରହଣ କରି ନେଇଥିଲେ । ସୁତରାଂ ଊନବିଂଶ ଶତାବ୍ଦୀର ସଂସ୍କୃତ ଗ୍ରନ୍ଥମାନଙ୍କରେ ଐର ରାଜାଙ୍କ ସମ୍ପର୍କରେ ଯେଉଁ କାବ୍ୟିକ ବର୍ଣ୍ଣନା ମିଳେ ତାହା ଖାରବେଳଙ୍କ ବିବରଣ ବୋଲି ବିବେଚନା କରାଯାଇ ପାରେ ।

 

*

Asiatic Researches, Vol, XV, PP. 313 ff

See also A. Stirling, ''An Account, Geographical, Statistical and Historical of Orissa Proper or Cuttack,'' P. 100

 

 

*

Journal of Asiatic Society of Bengal, Vol. VI (1837) PP. 1072-91 କିଟୋଙ୍କ ଦ୍ୱାରା ପ୍ରସ୍ତୁତ ପ୍ରତିଚ୍ଛବି ନିମନ୍ତେ ସେହି ସଂଖ୍ୟାର ୧୦୯୦ ପୃ ଦ୍ରଷ୍ଟବ୍ୟ ।

 

କଲିକତାସ୍ଥିତ ଇଣ୍ଡିୟେନ୍‌ ମ୍ୟୁୟଜିୟମ୍‌ରେ ସଂରକ୍ଷିତ ସଂସ୍କୃତ ଭାଷା ଏବଂ ଓଡ଼ିଆ ଲିପିରେ ଲିଖିତ ‘ବ୍ରହ୍ମାଣ୍ଡ ପୁରାଣ’ ଗ୍ରନ୍ଥରେ ଉତ୍କଳର ଐରରାଜାଙ୍କ ପ୍ରସଙ୍ଗରେ କେତେକ କୌତୁହଳାତ୍ମକ ବର୍ଣ୍ଣନା ଲିପିବଦ୍ଧ ହୋଇଥିବା ଦେଖିବାକୁ ମିଳେ । ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଉକ୍ତ ଗ୍ରନ୍ଥର ସମୟ ଚତୁର୍ଦ୍ଦଶ ଶତାବ୍ଦୀରେ ନିରୂପଣ କରିଅଛନ୍ତି ଏବଂ ପଣ୍ଡିତ ବିଦ୍ୟାବିନୋଦଙ୍କ ମତରେ ତାହା ନିଶ୍ଚିତ ଭାବରେ ଶୋଡ଼ଷ ଶତାବ୍ଦୀରେ ରଚିତ *। ମାତ୍ର ପ୍ରିନ୍‌ସେପ୍‌ ସାହେବ ହାଥୀଗୁମ୍ଫା ଅଭିଲେଖ ପାଠ କରିବାଯାଏ ଐର ନାମଧେୟ ରାଜାଙ୍କର ଅସ୍ତିତ୍ୱ ଯେ ସଂପୂର୍ଣ୍ଣ ଅଜ୍ଞାତ ଥିଲା ତାହା ନିଃସନ୍ଦେହରେ କୁହାଯାଇପାରେ । ତେଣୁ ଉକ୍ତ ରାଜପୁରୁଷଙ୍କ ସମ୍ପର୍କରେ ବ୍ରହ୍ମାଣ୍ଡ ପୁରାଣରେ ଯେଉଁ ଉଲ୍ଲେଖ ମିଳେ ତାହା ୧୮୩୭ ସାଲର ପରବର୍ତ୍ତୀ । ସେହି ଗ୍ରନ୍ଥର ଐର ରାଜାଙ୍କ ପ୍ରସଙ୍ଗରେ ଥିବା ବର୍ଣ୍ଣନା ନିମ୍ନରେ ଉଦ୍ଧୃତ କରାଗଲା ।

 

ଅହିରୋ ନାମ ରାଜା ଭୂ (ଭୂ) ତ୍‌

 

ଚୋତ୍କଳେ ବିଦ୍ୟତେ ପୁରା ।

ଅହିଂସା ଧର୍ମ ମାଶ୍ରିତ୍ୟ

 

ବୁଦ୍ଧ ଧର୍ମପରାୟଣଃ ।।

ନନ୍ଦରାଜ ସୁବିଖ୍ୟାତଃ

 

ମଗଧେ ବିଦ୍ୟତେ ତଦା ।

ସାକାର (ରୋ) ପାସକୋନନ୍ଦଃ

 

ବେଦ ଧର୍ମପରାୟଣଃ ।।

ନନ୍ଦସ୍ୟ ସହିତୋ ଯୁଦ୍ଧେ

 

ଐର ଜିତବାନ୍‌ ଭବେତ୍‌।

ଐରେ ଜୟମାପ୍ନୋତି

 

ମହାହୃଷ୍ଟେନ ମାନସଃ ।।

ସ୍ୱଧର୍ମ ଚୋତ୍କଳେ ଖାତିଃ

 

ବେଦଧର୍ମ ବିନାଶକଃ

ଅଶୋକସ୍ୟ ମହାମିତ୍ତ୍ରଃ (ତ୍ରଃ)

 

ଐରଃ ଉତ୍କଳେଶ୍ୱରଃ ।।

ଏକ ପ୍ରସ୍ତର ଖଣ୍ଡେ ତୁ

 

ପୁରାଣଃ ପର୍ବତୋତ୍ତମଃ ।

ଖଣ୍ଡଗିରୀତି ନାମାସନ୍

 

ପବିତ୍ର ଚୋତ୍କଳେ ଭୁବି ।।

ନିବାସ କରଣାର୍ଥାୟ

 

ଦୈବବାଣୀତୁ ପ୍ରାପ୍ତବାନ୍‌।

‘‘ଅସ୍ମିନ୍‌ନିବସତୁ ରାଜନ୍‌

 

ଯାବତ୍ତିଷ୍ଠତି ମେଦିନୀ ।

ତାବତ୍‌କାଳସୁ ପର୍ଯ୍ୟନ୍ତଃ

 

ତବକୀର୍ତ୍ତି ବିରଜତେ ’’ ।।

ଦୈବାଣୀ ଶ୍ରୁତେ ଐରଃ

 

ହର୍ଷ ନିର୍ଭର ମାନସଃ ।

କୋସଳା ନଗରଂ ତ୍ୱକ୍ତ୍ୱା

 

ଖଣ୍ଡଶୈଳ ସମୀପତୁ ।।

 

*

ଏହି ପଣ୍ଡିତ ଦ୍ୱୟଙ୍କ ଅଭିମତ ନିମନ୍ତେ Journal of Bihar Orissa Research Society Vol.III, PP. 482 ff. ଦ୍ରଷ୍ଟବ୍ୟ ।

 

କାଶୀପ୍ରସାଦ ଜୟସ୍ୱାଲ,* ଷ୍ଟେନକୋନାଓ* (Sten konow), ବେଣୀମାଧବ ବଡ଼ୁଆ* ପ୍ରମୁଖ ବହୁ ପଣ୍ଡିତ ବ୍ରହ୍ମାଣ୍ଡପୁରାଣର ଏହି ବର୍ଣ୍ଣନା ଦ୍ୱାରା ପ୍ରଭାବିତ ହୋଇଥିବା ଦେଖାଯାଏ । ଉପରୋକ୍ତ ଉଦ୍ଧୃତରୁ ପ୍ରକାଶପାଏ ଯେ ଉତ୍କଳ ଦେଶରେ ପୂର୍ବେ ଐର ନାମଧେୟ ଜଣେ ବୌଦ୍ଧ ନରପତି ଥିଲେ ଏବଂ ସେ ବୈଦିକଧର୍ମର ସମର୍ଥକ ମଗଧର ନନ୍ଦରାଜାଙ୍କୁ ଯୁଦ୍ଧରେ ପରାଭୂତ କରିଥିଲେ । ସେ ଥିଲେ ନିଜେ ବୈଦିକଧର୍ମର ସମର୍ଥକ ମଗଧର ନନ୍ଦରାଜାଙ୍କୁ ଯୁଦ୍ଧରେ ପରାଭୂତ କରିଥିଲେ । ସେ ଥିଲେ ନିଜେ ବୈଦିକଧର୍ମର ବିରୋଧୀ ଏବଂ ଅଶୋକଙ୍କର ପରମମିତ୍ର-। ସେ ଦୈବବାଣୀ ଶୁଣିପାରି କୋଶଳ ନଗରରୁ ଖଣ୍ଡଗିରି ନିକଟରେ ଥିବା ଏକ ପ୍ରସ୍ତର ନାମକ ସ୍ଥାନକୁ ନିଜ ରାଜଧାନୀ ଉଠାଇ ଆଣିଥିଲେ ।

 

*

Journal of Bihar Orissa Research Society Vol.III, PP.482 ff.

*

Acta Orientalia,

*

Old Brahmi Inscriptions etc. PP, 183 ff

 

ଉପରୋକ୍ତ ବିବରଣୀରେ ନନ୍ଦରାଜ, ଅଶୋକ ଆଦି କେତେକ ଐତିହାସିକ ନାମର ଉଲ୍ଲେଖ ଥିଲେ ମଧ୍ୟ ବିଷୟବସ୍ତୁରେ ବାସ୍ତବ ତଥ୍ୟ ଅପେକ୍ଷା କଳ୍ପନାରେ ଭୂମିକା ବିଶେଷ ରୂପେ ଲକ୍ଷ୍ୟ କରାଯାଏ । ମଗଧର ନନ୍ଦରାଜା ଉତ୍କଳର ଐର ନରପତିଙ୍କ ଦ୍ୱାରା ପରାଜିତ ହେବା, ଐର ଜଣେ ବେଦ-ବିରୋଧୀ ରାଜା ରୂପେ ଅଶୋକଙ୍କର ପ୍ରିୟମିତ୍ର ହେବା ଏବଂ କୋଶଳ ନଗରରୁ ଏକ ପ୍ରସ୍ତରକୁ ତାଙ୍କର ରାଜଧାନୀ ଉଠାଇ ଆଣିବା ଆଦି ବିବରଣ ଐତିହାସିକ ତଥ୍ୟ ଦ୍ୱାରା ଆଦୌ ସମର୍ଥିତ ନୁହେଁ ।

 

ଭୁବନେଶ୍ୱରସ୍ଥ ଓଡ଼ିଶା ଷ୍ଟେଟ୍‌ମ୍ୟୁଜିୟମ୍‌ରେ ସଂସ୍କୃତ ଭାଷା ଏବଂ ଓଡ଼ିଆଲିପିରେ ଲିଖିତ ‘ଖଣ୍ଡାଚଳ ମାହାତ୍ମ୍ୟ’ ନାମକ ଏକ ତାଳପତ୍ର ଗ୍ରନ୍ଥ ସଂରକ୍ଷିତ ହୋଇଅଛି *। ତାହା ଏକାମ୍ର (ଭୁବନେଶ୍ୱର) ନିବାସୀ ମହାମହୋପଧ୍ୟାୟ ବାମଦେବ ରଥଶର୍ମାଙ୍କ ଦ୍ୱାରା ବିରଚିତ ଏବଂ ତହିଁରେ ଖଣ୍ଡଗିରି ଓ ଧଉଳୀଗିରିର ଗୌରବ ସମ୍ପର୍କରେ ଐତିହାସିକ ବର୍ଣ୍ଣନା ପ୍ରଦତ୍ତ ହୋଇଅଛି । ପଣ୍ଡିତ ବାମଦେବ ରଥଙ୍କ ଜୈନଧର୍ମ ପ୍ରତି ଆସକ୍ତି ଥିବା ଉକ୍ତ ଗ୍ରନ୍ଥରୁ ଜଣାପଡ଼େ । ସେ ଥିଲେ ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ୱନାଥଙ୍କର ଭକ୍ତ ଏବଂ ଗ୍ରନ୍ଥଟିର ପ୍ରାରମ୍ଭରେ ସେ ତାଙ୍କୁ ନିଜର ଇଷ୍ଟଦେବ ରୂପେ ପ୍ରଣିପାତ କରି ଲେଖିଛନ୍ତି–

 

ଶ୍ରୀଷ୍ଟଦେବୋଜୟତିତରାଂ

ପରେଶନାଥଂ ପ୍ରଣିପାତ୍ୟ ମୂର୍ଦ୍ଧ୍ନା ।

ଯାଚେଽହମେକଂ ବରମେତଦେବ ।

ଅବିଚ୍ୟୂତି ସ୍ତଚ୍ଚରଣାରବିନ୍ଦେ ।

ଭକ୍ତିର୍ମତି ର୍ମେଽପି ସଦାସ୍ତୁନସମ୍ୟକ୍‌।।

 

ପଣ୍ଡିତ ବାମଦେବ ରଥଙ୍କୁ ମଧ୍ୟ ଖାରବେଳଙ୍କ ନାମ ଅଜ୍ଞାତ ଥିଲା; ମାତ୍ର ପ୍ରାଚୀନ ଭାରତର ଇତିହାସରେ ତାଙ୍କର ଯଥେଷ୍ଟ ଜ୍ଞାନ ଥିବା ଜଣାପଡ଼େ । ‘ଖଣ୍ଡାଚଳମାହାତ୍ମ୍ୟ’ରେ ସେ ଐତିହାସିକ ତଥ୍ୟାବଳୀର ଯେଉଁ ମନୋଜ୍ଞ ବର୍ଣ୍ଣନା ଦେଇ ଅଛନ୍ତି ତାହା କଳ୍ପନାଶ୍ରିତ ନ ହୋଇ ମଧ୍ୟ ଚିତ୍ତାକର୍ଷକ ହୋଇ ପାରିଛି । କାବ୍ୟଟି ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ଗ୍ରୀକ୍‌ସମ୍ରାଟ ସେଲିଉକ୍‌ସ୍‌ଙ୍କ ସଂଘର୍ଷ ଠାରୁ ଆରମ୍ଭ । ସେଲିଉକସ୍‌ଙ୍କ ପରାଜୟ ପରେ ତାଙ୍କର ଦୁହିତା ସହିତ ଚନ୍ଦ୍ରଗୁପ୍ତଙ୍କର ବିବାହ ଓ ତାହା ଫଳରେ ବିନ୍ଦୁସାରଙ୍କ ଜନ୍ମ; ବିନ୍ଦୁସାରଙ୍କର ଜଣେ ବ୍ରାହ୍ମଣ କନ୍ୟା ସହିତ ବିବାହ ଏବଂ ଅଶୋକ ନାମଧ୍ୟେୟ ଏକ ଅସୁନ୍ଦର ପୁତ୍ରପ୍ରାପ୍ତି; ଅଶୋକଙ୍କର ବୈମାତୃକ ପୁତ୍ର ସୁସୀମଙ୍କ ସହ ପ୍ରତିଦ୍ୱନ୍ଦିତା ଓ କଳହ, ତକ୍ଷଶିଳାରେ ବିଦ୍ରୋହ ଏବଂ ତାହା ଦମନ କରିବା ନିମନ୍ତେ ସୁସୀମଙ୍କ ଚକ୍ରାନ୍ତରେ ପିତା ବିନ୍ଦୁସାରଙ୍କ ଦ୍ୱାରା ଅଶୋକ ତକ୍ଷଶୀଳାକୁ ପ୍ରେରିତ ଏବଂ ବିଦ୍ରୋହ ଦମନ; ବିନ୍ଦୁସାରଙ୍କ ମୃତ୍ୟୁପରେ ଭ୍ରାତୃବିବାଦରେ ସୁସୀମଙ୍କ ପରାଜୟ ଓ ଅଶୋକଙ୍କ ସିଂହାସନପ୍ରାପ୍ତି; ଅଶୋକ ବୃକ୍ଷର ଶାଖ ଭାଙ୍ଗିଥିବା ଅପରାଧରେ କେତେକ ନାରୀଙ୍କର ଜୀବନ୍ତ ଦହନ; କଳିଙ୍ଗ ଯୁଦ୍ଧ ଏବଂ ତାହାର ବିଭୀଷିକା ଫଳରେ ଅନୁତପ୍ତ ଅଶୋକଙ୍କର ଆଚାର୍ଯ୍ୟ ଉପଗୁପ୍ତଙ୍କ ଠାରୁ ବୌଦ୍ଧଧର୍ମ ଦୀକ୍ଷା ଗ୍ରହଣ; ତକ୍ଷଶୀଳାରେ ପୁଣି ବିଦ୍ରୋହ ଏବଂ ତାହା ଦମନ କରିବା ନିମନ୍ତେ ରାଜକୁମାର କୁନାଳଙ୍କର ଅଭିଯାନ; କୁନାଳଙ୍କ କୃତିତ୍ୱରେ ବିମାତା ରାଣୀ ତିଷ୍ୟ ରକ୍ଷିତାଙ୍କ ଅସୂୟା ଏବଂ ରାଜକୁମାରଙ୍କ ଚକ୍ଷୁ ଦୁଇଟିର ଉତ୍‌ପାଟନ ପାଇଁ ଅଶୋକଙ୍କ ମୂଦ୍ରାଙ୍କିତ ପତ୍ର ଗୁପ୍ତରେ ପ୍ରେରଣ; କୁଞ୍ଜର କର୍ଣ୍ଣଦ୍ୱାରା କୁନାଳଙ୍କର ଚକ୍ଷୁ ଉତ୍‌ପାଟନ, ଅନ୍ଧ କୁନାଳଙ୍କ ପାଟଳୀପୁତ୍ର ଆଗମନ ଏବଂ ତାଙ୍କର ବଂଶୀସ୍ୱନରେ ଅଶୋକଙ୍କର ଆକର୍ଷଣ; ପିତାପୁତ୍ରଙ୍କ ଭେଟ ଏବଂ ପୁତ୍ର ବୀତଶୋକ ଓ ଉପଗୁପ୍ତଙ୍କ ଅନୁରୋଧରେ ରାଣୀ ତିଷ୍ୟ ରକ୍ଷିତାଙ୍କୁ ଅଶୋକଙ୍କର କ୍ଷମାପ୍ରଦାନ; ପରିଶେଷରେ ଦୟାନଦୀ କୂଳସ୍ଥ ଧବଳଗିରି ଗାତ୍ରରେ ଅଶୋକଙ୍କର ଚତୁର୍ଦ୍ଦଶ ଅନୁଶାସନ ଉତ୍କୀର୍ଣ୍ଣ କରାଯିବା ଆଦି ଘଟଣାବଳୀ ବିଶଦ ଭାବରେ ଏହି ଗ୍ରନ୍ଥରେ ବର୍ଣ୍ଣିତ ହୋଇଅଛି ।

 

*

P. 347

 

ଗ୍ରନ୍ଥାକାର ପଣ୍ଡିତ ବାମଦେବ ରଥଙ୍କୁ ମତରେ ସମ୍ରାଟ ଅଶୋକ ଖଣ୍ଡଗିରି ଓ ଉଦୟଗିରି ଠାରେ ବୌଦ୍ଧ ଆଚାର୍ଯ୍ୟଗଣଙ୍କ ନିମନ୍ତେ ବହୁ ଗୁମ୍ଫା ଖନନ କରାଇ ଥିଲେ ଏବଂ ପର୍ବତ ଗାତ୍ରରେ ଜଳାଶୟମାନ ମଧ୍ୟ ଖୋଳାଇଥିଲେ । ଖଣ୍ଡଗିରି ଠାରେ ଲଳିତାନାମ୍ନୀ ଜୈନ ଭିକ୍ଷୁଣୀଙ୍କ ଦ୍ୱାରା ଲଳିତାକୁଣ୍ଡ ଏବଂ ଉକ୍ତ ପାହାଡ଼ରେ ବହୁବର୍ଷ ଧରି ତପସ୍ୟା କରିଥିବା ଭିକ୍ଷୁଣୀ ବିଶାଖାଙ୍କ ଦ୍ୱାରା ଗୁପ୍ତଗଙ୍ଗା ଖନନ କରାଯାଇଥିଲା । ଖେଚରୀନାମ୍ନୀ ଭିକ୍ଷୁଣୀ ମଧ୍ୟ ସେଠାରେ ଅନ୍ୟ ଏକ ଜଳାଶୟ ଖୋଳାଇଥିଲେ, ଯାହା ଖେଚରୀକୁଣ୍ଡ ନାମରେ ବିଦିତ ଥିଲା ।

 

ଅଶୋକଙ୍କ କାର୍ଯ୍ୟକଳାପର ବର୍ଣ୍ଣନା ଏତିକିରେ ପରିସମାପ୍ତ ହୋଇ ତାହାପରେ ଐରରାଜାଙ୍କ ପ୍ରସଙ୍ଗର ଅବତାରଣା କରାଯାଇଅଛି । କବି ଐରରାଜାଙ୍କୁ ଅଶୋକଙ୍କର ପଞ୍ଚମ ବଂଶଧର ରୂପେ ବର୍ଣ୍ଣନା କରି ତାହାଙ୍କୁ ଜୈନଧର୍ମର ପ୍ରଧାନ ପୃଷ୍ଠପୋଷକ ରୂପେ ବର୍ଣ୍ଣନା କରି ତାହାଙ୍କୁ ଜୈନଧର୍ମର ପ୍ରଧାନ ପୃଷ୍ଠପୋଷକ ରୂପେ ବ୍ୟକ୍ତ କରିଅଛନ୍ତି । ଐରଙ୍କର ମହନୀୟ ଚିତ୍ରଣ କବିଙ୍କ ଭାଷାରେ ନିମ୍ନରେ ପ୍ରଦତ୍ତ ହେଲା ।

 

ଧରାୟାଃ ସୂନୁଃ ରାଜାଽସୌ

 

ଐରାଖ୍ୟଃ ପୂତ ମାନସଃ ।

ଅଶୋକାତ୍‌ ପଶ୍ଚିମେ ବଂଶେ

 

ପଞ୍ଚମେ ସମଜାୟତ ।।

ନାନା ଜ୍ଞାନ ନିଧିଃ ଧୀରୋ

 

ବୀରୋ ସର୍ବାର୍ଥ ପାରଗଃ ।

ଜୀନ ଧର୍ମ ମୁପାଶ୍ରିତ୍ୟ

 

ସମଗ୍ରଂ ଜୀବନଂ ମହତ୍‌।।

ପରୋପକାର କୃତୟେ

 

ତତ୍ୟାଜ ହ୍ୟନିଶଂ ମୁଦା ।

ଅଶୋକେନା କୃତଂ କର୍ମ

 

ପୂର୍ତ୍ତଂ ଶେଷଂ ଚକାରହ ।।

ସୋଽପି କର୍ମ କୃତ୍ୟଂ ଶ୍ରେଷ୍ଠଂ

 

ଖଣ୍ଡାଦ୍ରି ଶିରସି ଶୁଭମ୍‌।

ଦିବ୍ୟଂ (ପ୍ରା) ସାଦା ନେକଂ ଚ

 

କୃତବାନ୍‌ ପୂତ ଚେତସା ।।

ତସ୍ୟୋପରେ ପରେ ଶଂଚ

 

ଦେବୋପାସ୍ୟଂ ବ୍ୟବେଶୟତ୍‌।

ଭେଦ ଜ୍ଞାନ ବିରହିତଂ

 

ପାବନଂ ମୋକ୍ଷଦଂ ଜୀନମ୍‌।।

ଶାନ୍ତାକାରାଂ କରଂ

 

ଦିବ୍ୟଂ ତେଜଃ ପରିବୃତଃ ।

ସୁଖଦଂ ସର୍ବ ଜନ୍ତୁନାଂ

 

ଭ୍ରୁ (ଭୃ) ଚାଶକ୍ତି ନାଶନମ୍‌।।

ଉଦାୟାଚଳ ପାଦେଚ

 

ମଠଃ ସଂସ୍ଥା ପିତୋଽଭବତ୍ ।

ତୈନୈରେଣ ଜୀନାଚାର୍ଯ୍ୟ

 

ସକଳ ସ୍ଥିତି ହେତବେ ।।

ଯଦାଜ୍ଞା ସକଳାଃ ଶୈଳେ

 

ନାମ୍ନି ଧବଳ ସଂଜ୍ଞକେ ।

ଖୋଦିତା ବିନ୍ଦୁ ସାରସ୍ୟ

 

ନୃପତେଃ ସୂନୁନା ସ୍ୱୟମ୍‌।

ପ୍ରାୟୋ ଦୃଶ୍ୟନ୍ତେ ତାଃ ସର୍ବାଃ

 

ଉଦୟାଚଳ ଗାତ୍ରତଃ ।।

ହସ୍ତ୍ୟାକୃତି-ସୋପି

 

ଗୁଂଫା ଖ୍ୟେ ତୁ ମନୋରମେ ।

ରାଜନ୍ଦ୍ରେ ବହୁ ବର୍ଣ୍ଣାନ୍ତଂ

 

ପୂତ ଭାବମୟଂ ମହତ୍‌।।

ବ୍ୟାଘ୍ର ରୂପାକୃତିଂ ତତ୍ର

 

କ୍ୱଚିତ୍‌ଗାଭୀ ମୁଖା କୃତିମ୍‌।

ବସତିଂ ଖୋଦୟା ମାସ

 

ଐରା ଖ୍ୟୋ ନୃପତି ସ୍ତଦା ।।

 

ଖଣ୍ଡାଚଳ ମାହାତ୍ମ୍ୟ ହେଉଛି ପଣ୍ଡିତ ବାମଦେବ ରଥଙ୍କର ଅନବଦ୍ୟ କୃତି । ତାଙ୍କର କବିତ୍ୱ ତଥା ଐତିହାସିକ ଜ୍ଞାନର ସମ୍ମିଶ୍ରଣରେ ଗ୍ରନ୍ଥଟିର ଉପାଦେୟତା ଓ ମହନୀୟତା ବୃଦ୍ଧିଲାଭ କରିଅଛି । ପଣ୍ଡିତ ରଥ ହେଉଛନ୍ତି ପ୍ରଥମ ଓଡ଼ିଆ ଲେଖକ-ଯେ ହାଥୀ-ଗୁଂଫା ଅଭିଲେଖର ବୈଶିଷ୍ଟ୍ୟ ବୁଝିପାରିଥିଲେ । ଉକ୍ତ ଅଭିଲେଖକୁ ସେ ‘ପୂତ ଭାବମୟଂ ମହତ୍‌’ ବୋଲି ବର୍ଣ୍ଣନା କରି ନିଜର ଐତିହାସିକ ଚେତନାର ପରିଚୟ ପ୍ରଦାନ କରିଅଛନ୍ତି ।

 

ଖାରବେଳ ନାମ ବହୁକାଳଯାଏ ପଣ୍ଡିତ, ଗବେଷକ ତଥା ଜନସାଧାରଣଙ୍କ ପକ୍ଷରେ ଅଜ୍ଞାତ ହୋଇ ରହିଥିଲା । ୧୮୮୫ ସାଲରେ ପ୍ରାଚ୍ୟବିତ୍‌ମାନଙ୍କର ଆନ୍ତର୍ଜାତିକ ସମ୍ମିଳନୀରେ ପଣ୍ଡିତ ଭଗବାନ ଲାଲ ଇନ୍ଦ୍ରଜୀ ସର୍ବପ୍ରଥମେ ପ୍ରକାଶ କଲେ ଯେ ହାଥୀଗୁଂଫା ଅଭିଲେଖରେ ଯେଉଁ ରାଜାଙ୍କର କାର୍ଯକଳାପ କୀର୍ତ୍ତିତ ହୋଇଅଛି ସେ ହେଉଛନ୍ତି ଖାରବେଳ । * ତାହା ପରେ ଖାରବେଳ ନାମ ସର୍ବତ୍ର ସୁପରିଚିତ ହେଲା ଏବଂ ବିଂଶ ଶତାବ୍ଦୀ ପ୍ରାରମ୍ଭ କାଳରେ ଗବେଷକ, କବି ଓ ଲେଖକ ଖାରବେଳ ଚରିତ ତଥା ଉପାଖ୍ୟାନ ରଚନା କରି ତାଙ୍କ ପ୍ରସଙ୍ଗରେ ନାନା ତଥ୍ୟ ପରିବେଷଣ କରିଥିଲେ । ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ରେ ଏକାଦଶ ଖଣ୍ଡ ବିଶିଷ୍ଟ ଯେଉଁ ସଂସ୍କୃତ ବ୍ରହ୍ମାଣ୍ଡ ପୁରାଣ ଗ୍ରନ୍ଥ ସଂରକ୍ଷିତ ହୋଇଅଛି ତାହାର ଦ୍ୱିତୀୟଖଣ୍ଡର ଶେଷ ଦୁଇ ଅଧ୍ୟାୟରେ ଖାରବେଳଙ୍କ ଜନ୍ମ, ବାଲ୍ୟବସ୍ଥା ଓ ଯୌବରାଜ୍ୟ ପ୍ରସଙ୍ଗରେ କୌତୂହଳପ୍ରଦ ବର୍ଣ୍ଣନା ସନ୍ନିବେଶିତ ହୋଇଅଛି । * ସେହି ଗ୍ରନ୍ଥରେ ଐରରାଜାଙ୍କୁ ପିତାମହ ଏବଂ ଜୈନଧର୍ମର ପୃଷ୍ଠପୋଷକ ରୂପେ ବର୍ଣ୍ଣନା କରାଯାଇଅଛି । ଖାରବେଳଙ୍କ ପିତା ଥିଲେ କଳିଙ୍ଗରାଜ ଚୈତ୍ର; ତାଙ୍କର ରାଣୀ କମଳା ଖରରେ (ଖରେଣ) ଏବଂ ବେଳରେ (ଶୁଭ ବେଳାରେ) ଯେଉଁ ସନ୍ତାନ ଜନ୍ମ କରିଥିଲେ ତାହାର ନାମ ଖାରବେଳ । ନିଜେ ମହର୍ଷି ନାରଦ ସେହି ଶିଶୁପୁତ୍ର ପାଇଁ ଇନ୍ଦ୍ର ପ୍ରଦାନ କରିଥିବା ବହୁ ମୂଲ୍ୟର ଉପହାର ଘେନି କଳିଙ୍ଗକୁ ଆଗମନ କରିଥିଲେ ଏବଂ ଶିଶୁର କର୍ଣ୍ଣହାରରେ ମହାମନ୍ତ୍ର ପାଠକରି ତାହାକୁ ମେଘବାହନ ନାମରେ ନାମିତ କରିଥିଲେ ।

 

*

Actes du sixicme Congress International Orientalists, pt, III, PP.152-77

*

P/31

 

ଖାରବେଳ ଚୈତ୍ର ଶୁକ୍ଳଚନ୍ଦ୍ର ପରି ବଢ଼ିଥିଲେ ଏବଂ ବାଲ୍ୟାବସ୍ଥାରେ ବହୁ ଶାସ୍ତ୍ର ଓ ପୁରାଣ ଅଧ୍ୟୟନ କରିଥିଲେ । ତାଙ୍କର ବାଲ୍ୟଶିକ୍ଷା ନିମ୍ନୋକ୍ତ ମତେ ବର୍ଣ୍ଣିତ ହୋଇଅଛି ।

 

‘‘ବେଦ ବେଦାନ୍ତ ସାହିତ୍ୟଂ

 

ଯୋଗ ସିଦ୍ଧାନ୍ତ ମେ ବ ଚ ।

ବ୍ୟାକରଣଂ ଛନ୍ଦ କଳ୍ପଂ

 

ଆବୃତ୍ତିଂ ନିତ୍ୟଂ କାରୟେତ୍‌।।

ଧର୍ମଶାସ୍ତ୍ର ପୁରାଣାନି

 

ଶ୍ରୀମଦ୍‌ ଭାଗବତାଦିକଂ ।

ରାଜଧର୍ମ ସଂହିତାଦିନ୍‌

 

ଆୟତ୍ତଂ ଚୈବ କାରୟେତ୍‌।।

ରାମାୟଣଂ ଭାରତଂ ଚ

 

ଶ୍ରୀକୃଷ୍ଣ ଚରିତାମୃତମ୍ ।

ପାନେ ମୁଗ୍‌ଧ ଖାରବେଳ

 

ବେଦବେଦାନ୍ ପ୍ରଶଂସିତାଃ ।।’’

 

ଖାରବେଳ ଯୁବରାଜ ରୂପେ କଳିଙ୍ଗରାଜ୍ୟର ଶାସନଭାର ଗ୍ରହଣ କଲାପରେ ଓଡ୍ର ଏବଂ ଉତ୍କଳ ଜୟକରି ତ୍ରିକଳିଙ୍ଗାଧିପତି ହେବାପାଇଁ ବ୍ରାହ୍ମଣମାନଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିଲେ-। ତାଙ୍କର ଚତୁରଙ୍ଗ ସେନାବାହିନୀ ଚାରିଲକ୍ଷ ରଥାରୋହୀ, ପାଞ୍ଚଲକ୍ଷ ଗଜାରୋହୀ, ଚାରିଲକ୍ଷ ଅଶ୍ୱାରୋହୀ ଏବଂ ଚାରିଲକ୍ଷ ପଦାତିକଙ୍କୁ ନେଇ ସଙ୍ଗଠିତ ହୋଇଥିଲା ।

 

ଚତୁରଙ୍ଗ ବଳାଢ଼ୈଶ୍ଚ

 

ସେନାଧିପଂ ସୁବିସ୍ତୃତମ୍ ।

ବେଦଲକ୍ଷ ରଥୀଂ ଦିବ୍ୟଂ

 

ସାମନ୍ତଂ ବାହିନୀପତିମ୍ ।।

ବାଣଲକ୍ଷ କରୀଞ୍ଚୈବ

 

ମହେନ୍ଦ୍ରଗିରି ସଦୃଶମ୍ ।

ଦିକ୍‌ଲକ୍ଷ ଘୋଟକଂଦିବ୍ୟଂ

 

ଧାବଦ୍ଧରିଣ ସଦୃଶମ୍ ।।

ଭିର୍ଲୋଡ୍ରଂ କୋହ୍ନ ମହ୍ଲାରଂ

 

କେରଳଂ ମଲ୍ଲ ଦ୍ରାବିଡ଼ମ୍ ।

ଆକାଶାଭଂ ହୃଷ୍ଟପୃଷ୍ଟଂ

 

ଅନାର୍ଯ୍ୟ ଶବରାଦିକମ୍ ।।

ଆର୍ଯ୍ୟାନାର୍ଯ୍ୟ ସଙ୍ଗତେନ

 

ଦିଗଲକ୍ଷା ପଦାତିକା ।

ସର୍ବେ ସୁଶିକ୍ଷିତାଃ ନିତ୍ୟେ

 

ନ ପୃଷ୍ଠଦର୍ଶନଂ କଦା ।।

 

ଖାରବେଳଙ୍କର କଳିଙ୍ଗରାଜ୍ୟ ଦକ୍ଷିଣରେ କୃଷ୍ଣା ନଦୀଠାରୁ ଉତ୍ତରରେ ଋଷିକୁଲ୍ୟା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଋଷିକୁଲ୍ୟାର ଉତ୍ତରପାର୍ଶ୍ୱରେ ଥିଲା ଓଡ୍ରଦେଶ ଏବଂ ସେଠାରେ ଐରବଂଶୀ (ଖାରବେଳଙ୍କ ନିଜବଂଶୀୟ) ରାଜା ଅରଭିଲ୍ଲ ରାଜପଣ କରୁଥିଲେ । ଓଡ୍ରଦେଶର ଉତ୍ତରରେ ଅବସ୍ଥିତ ଥିଲା ଉତ୍କଳ ଏବଂ ତାହାର ରାଜଧାନୀ ଯଜ୍ଞନଗର । ଖାରବେଳ ପ୍ରଥମେ ନିଜ ସୈନ୍ୟବାହିନୀ ମହେନ୍ଦ୍ର ପର୍ବତଠାରେ ଏକତ୍ରିତ କରି ସେହିଠାରୁ ମାଘ ଶୁକ୍ଳପଞ୍ଚମୀ ତିଥିରେ ଓଡ଼୍ରଦେଶ ବିରୁଦ୍ଧରେ ଯୁଦ୍ଧ ଅଭିଯାନ କରିଥିଲେ । ଋଷିକୁଲ୍ୟା ପାରହେବା ପରେ କୋଟ (ଖଲିକୋଟ ?) ରାଜା ଭୟଭୀତ ହୋଇ ଆତ୍ମସମର୍ପଣ କଲେ ଏବଂ ତାହା ପରେ ଖାରବେଳ ବିନା ବାଧାରେ ଖଣ୍ଡାଚଳ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ । ଶେଷରେ ସେନାପତି ସିଦ୍ଧମଲ୍ଲ ସ୍ୱଳ୍ପଯୁଦ୍ଧରେ ଅରଭିଲ୍ଲଙ୍କୁ ପରାଜିତ କରି ତାଙ୍କୁ ବନ୍ଦୀ ଅବସ୍ଥାରେ ଖାରବେଳଙ୍କ ସମ୍ମୁଖକୁ ଆଣିଥିଲେ-। ଖାରବେଳ ସ୍ୱହସ୍ତରେ ଅରଭିଲ୍ଲଙ୍କୁ ବନ୍ଧନ ମୁକ୍ତକରି ତାଙ୍କୁ ଯଥୋପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଥିଲେ ।

 

ବୃଦ୍ଧ ଅରଭିଲ୍ଲ ସ୍ୱବଂଶୀୟ ବାଳକ ଖାରବେଳଙ୍କୁ ଆଶୀର୍ବାଦ କରି ତାଙ୍କର ବହୁ ପ୍ରଶଂସା କରିଥିଲେ । ପରେ ଖାରବେଳ ତାଙ୍କୁ ବିଂଶ ଯୋଜନ ପରିମିତ ରାଜ୍ୟ ଏବଂ ବାରଣୀଦୁର୍ଗ (ବରୁଣେଇ ?) ପ୍ରଦାନ କରି ତାଙ୍କୁ ନିଜର ମନ୍ତ୍ରୀ ରୂପେ ଗ୍ରହଣ କରିଥିଲେ । ଏହିସବୁ ବର୍ଣ୍ଣନା କବିଙ୍କ ଭାଷାରେ ନିମ୍ନରେ ଉଦ୍ଧୃତ କରାଗଲା ।

 

‘‘କୃଷ୍ଣାତୀରଂ ସମାରଭ୍ୟ

 

ଋଷିକୁଲ୍ୟାନ୍ତଃବାସିନଃ ।

ସାମନ୍ତ୍ୟଦ୍ୟାଃ ମହୀପାଳାଃ

 

ଖାରବେଳ ନିମନ୍ତ୍ରଣେ ।।

ସ୍ୱ ସ୍ୱ କାର୍ଯ୍ୟ ସମଂ ଜ୍ଞାତ୍ୱା

 

ମହେନ୍ଦ୍ର ସମୁପସ୍ଥିତା ।

ମାଲ୍ୟବନ୍ତେ ଯଥା ରାମ

 

ଲଙ୍କା- ବିଜୟ ହେତୁନା ।।

 

 

ମାଘଶୁକ୍ଳସ୍ୟ ପଞ୍ଚମ୍ୟାଂ

 

ଶୁଭଲଗ୍ନେ ଶୁଭକ୍ଷଣେ ।

ମାହେନ୍ଦ୍ର ସମୟେ ଖାର

 

ଚୋତ୍ତରାୟ ମୁଖେ ଶୁଭେ ।।

ଉଡ୍ରୋତ୍କଳ ମୁଖେ ଚୈବ

 

ଯାତ୍ରାଂକୁର୍ଯ୍ୟାତ୍ ପ୍ରଯତ୍ନତଃ ।

ଶବର କୋହ୍ଲ ମହ୍ଲାର

 

ସୁଶୃଙ୍ଖଳେ ସଧୀର ।।

ସର୍ବାଗ୍ରେ ଗମନଂ କୃତ୍ୱା

 

ବୀରଦର୍ପେ ମହୋତ୍ସୁକେ ।

ଗ୍ରାମେ ଗ୍ରାମେ ନାରିଣଶ୍ଚ

 

ମୁଖବାଦ୍ୟେ ମହାସୁଖେ ।।

କୃତ୍ୱା ବନ୍ଦାପନାଂ ସର୍ବେ

 

ପୁଷ୍ପମାଲ୍ୟଂ ପ୍ରଦାପୟେତ୍ ।

ବୀରବାଦ୍ୟେ ମହାଘୋଷେ

 

ଧରଣୀ ଚ ବିକମ୍ପିତା ।।

ଋଷିକୁଲ୍ୟା ସମୀପେ ଚ

 

କିୟଦ୍‌ଦିନେ ଉପସ୍ଥିତାଃ ।

ତତ୍ରସ୍ଥ କୋଟ ଭୂପାଳଃ

 

ଦୃଷ୍ଟ୍ୱା ଏବଂ ଭୟାବହଂ ।

ଖାରବେଳଂ ନମସ୍କୃତ୍ୟ

 

ସଭୟେ ମାର୍ଗ ଦାପୟେତ୍ ।।

ଅବାଧେ ଦ୍ୱିତୀୟ ଦ୍ୱାରଂ

 

ପାରୟିତ୍ୱା ସ୍ୱବିକ୍ରମେ ।

ଖଣ୍ଡାଚଳେ ମହୋତ୍ସାହେ

 

ସ ସୈନ୍ୟ ସମୁପସ୍ଥିତଃ ।।

ଏବଂଦୃଷ୍ଟ୍ୱା ଅର ଐର

 

ଚାୟୁତାର୍ଦ୍ଧ ବଳୈଃ ସହ ।

ସ୍ୱନଗ୍ର ରକ୍ଷଣାର୍ଥାୟ

 

ଯୁଦ୍ଧୋଦ୍ୟମଞ୍ଚ କାରୟେତ୍ ।।

କ୍ଷୀଣସୈନ୍ୟ ସ୍ୱଳ୍ପଯୁଦ୍ଧେ

 

ବନ୍ଧନଂ ଚୈବ ପ୍ରାପ୍ନୁୟାତ୍ ।

ସେନାଧିପଃ ସିଦ୍ଧ ମଲ୍ଲଃ

 

ଅରଭିଲ୍ଲଂ ଜୟଂ କୃତଃ ।।

ନିର୍ବନ୍ଧେ ବନ୍ଧନଂ କୃତ୍ୱା

 

ଖାରାଗ୍ରେ ତଂ ପ୍ରଦାପୟେତ୍ ।

ଦୟାଶୀଳଃ ଖାରବେଳଃ

 

ସ୍ୱବଂଶ ମଣ୍ଡଳେଶ୍ୱରମ୍ ।

ବନ୍ଧନଂ ମୋଚନଂକୃତ୍ୱା

 

ସ୍ୱକରେ ଚୈବ ତତ୍‌କ୍ଷଣାତ୍ ।।

ସଗୌରବେ ସ୍ୱସମୀପେ

 

ସବିଷ୍ଟଞ୍ଚେବ କାରୟେତ୍ ।

ସସ୍ନେହ ବଚନୈ ଶ୍ଚୈବ

 

ଅଭୟଞ୍ଚ ପ୍ରଦାପୟେତ୍ ।।’’

ଅରଭିଲ୍ଲୋବାଚ :-

‘‘ନବ ପାରିଦଣ୍ଡ ରୂପେଣ

 

ଭୋ କୁଳଶ୍ରେଷ୍ଠ ବାଳକ ।

ରକ୍ଷାଂକୁରୁ ପ୍ରଯତ୍ନେନ

 

ବ୍ୟବସ୍ଥାନେ ଯଥାବିଧୌ ।।

ତ୍ରିକଳିଙ୍ଗ ରାଜଛତ୍ରଂ

 

ତ୍ୱମୁପଯୁକ୍ତ ଭୋ ସୁତ ।

ପୂର୍ବାଚାର୍ଯ୍ୟ ଗୌରବାଣି

 

ଉଦ୍ଧାରଂ କୁରୁ ସତ୍ୱରମ୍ ।।

ଦୀର୍ଘାୟୁର୍ଭବ ଭୋ ବାଳ

 

ସସାଗରାଂ ବସୁନ୍ଧରାଂ

ଦିବି ସୁରପତି ତୁଲ୍ୟଂ

 

ଚୈକଛତ୍ରଂ କୁରୁସୁତ ।।

ଖାରବେଳ ଉବାଚ :-

ସଂପ୍ରିତ ମେ ତଦ୍ ବାକ୍ୟେ

 

କୁତ୍ରସ୍ଥାନେ ଚ ନିତ୍ୟଶଃ ।

ନିବାସାର୍ଥେ ଉତ୍ସୁକଂ ଭୋ

 

 

ବଦ ସତ୍ୟଂ ମମାଗ୍ରତଃ ।।

ଅଧୁନାବାରିଣୀ ଦୁର୍ଗ

 

ନୃପଦିନଂ ଚ ସଂସ୍ଥିତଃ ।

ବିଂଶଯୋଜନ ପ୍ରମାଣାନି

 

ରାଜ୍ୟଂ ମାଂ ଭୋ ପ୍ରଦାପୟ ।।

ଅସ୍ତୁବାକ୍ୟେ ଖାରବେଳ

 

ସୁ ସମ୍ମତିଂ ପ୍ରଦାପୟେତ୍ ।

ସ୍ୱର୍ଣ୍ଣପଟ୍ଟେ ତଧ୍‌ବିଧାନଂ

 

ବିଲିଖେତ୍ ଖାରଭୂପତିଃ ।

ପୂର୍ବ ପ୍ରଥାନୁସାରେଣ

 

ମନ୍ତ୍ରୀପଦଂ ପ୍ରଦାପୟେତ୍ ।

ଅଇର ପ୍ରାର୍ଥିତ ଦୁର୍ଗ

 

ଖାରବେଳ ଅକୁଣ୍ଠିତେ ।

ଅଗ୍ରେଦଦ୍ୟାତ୍ ସ୍ୱର୍ଣ୍ଣପଟ୍ଟେ

 

ସୀମା ନିର୍ଦ୍ଦେଶ ପୂର୍ବକଂ ।।

ଶିଶୁପାଳ ଦୃଢ଼ଦୁର୍ଗଂ

 

ଗନ୍ଧବତୀ ତଟେ ଶୁଭେ ।

ପରିଖା ବେଷ୍ଟିତଂ ନିତ୍ୟଂ

 

ଧ୍ୱଜାକୀର୍ତ୍ତି ପ୍ରଶଂସିତମ୍ ।।

ଅଶୋକାକ୍ରମଣେ ସୋଽପି

 

ଧ୍ୱସ୍ତ ବିଧ୍ୱଂସ ହେତୁନା ।

ଖଣ୍ଡାଚଳେ ମହାନଗ୍ରେ

 

ଶୈଳାଙ୍ଗେ ଐର ଭୂପତିଃ ।।

ସଂସ୍ଥିତ ସଗଣେ ଭୂପଃ

 

ଅରଭିଲ୍ଲ ମହୋତ୍କଳେ ।

ବହୁବ୍ୟୟେଚ ପଞ୍ଚାବ୍ଦେ

 

ଅରଭିଲ୍ଲ ପ୍ରଯତ୍ନତଃ ।

ପୂର୍ବବତ୍ତନ୍ ମହାଦୁର୍ଗ

 

ଦୁର୍ଭେଦ୍ୟଂଜାୟତେ ତଦା ।।’’

 

ଓଡ୍ରରାଜ୍ୟ ଜୟ କରିବା ପରେ ଖାରବେଳ ବିନ୍ଦୁତୀର୍ଥରେ ସ୍ନାନ କରି ବଟୁକ ବ୍ରାହ୍ମଣମାନଙ୍କ ସାହାଯ୍ୟରେ ଲିଙ୍ଗରାଜଙ୍କୁ ପୂଜା କରିଥିଲେ । ସେ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ଥିବା ଅରଣ୍ୟ କାଟିବା ପାଇଁ ଆଦେଶ ପ୍ରଦାନ କରିଥିଲେ । ତାହା ପରେ ସେ ଶିଶୁପାଳଗଡ଼ ଏବଂ ତୋଷଳୀ ନଗରରେ ପ୍ରବେଶ କରି ଜନସାଧାରଣଙ୍କ ଦ୍ୱାରା ଅଭ୍ୟର୍ଥିତ ହୋଇଥିଲେ ।

 

ଓଡ୍ର ବିଜୟ ପରେ ଉତ୍କଳ ବିନା ଯୁଦ୍ଧରେ ଖାରବେଳଙ୍କର ପଦାନତ ହୋଇଥିଲା । ସେ ଚତୁରଙ୍ଗ ବଳ ଘେନି ଯଜ୍ଞ ନଗରରେ ପ୍ରବେଶ କଲାବେଳେ ଭଞ୍ଜ, ନନ୍ଦ ଓ କରବଂଶୀ ରାଜାମାନେ ସେଠାରେ ସମବେତ ହୋଇ ତାଙ୍କୁ ଅଭ୍ୟର୍ଥନା ଜଣାଇଥିଲେ । ସେମାନେ ସମସ୍ତେ ଖାରବେଳଙ୍କର ଶରୀର ଲାବଣ୍ୟ ତଥା ବ୍ୟକ୍ତିତ୍ୱ ପ୍ରତି ବିଶେଷ ଆକୃଷ୍ଟ ହୋଇଥିଲେ । ଖାରବେଳ ବିରଜା ଦେବୀଙ୍କ ବିଗ୍ରହ ମନ୍ଦିରରେ ପ୍ରତିଷ୍ଠିତ କରି ତତ୍‌ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ସାଫ୍ କରାଇ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ରତ୍ନସିଂହାସନରେ ଅଧିଷ୍ଠିତ ଜଗନ୍ନାଥଙ୍କୁ ଅର୍ଚ୍ଚନା କରି ଦୟିତାପତିମାନଙ୍କୁ ବହୁ ଧନରତ୍ନ ପ୍ରଦାନ କରିଥିଲେ ଏବଂ ଜଗନ୍ନାଥଙ୍କର ଜୀର୍ଣ୍ଣ ମନ୍ଦିରର ସଂସ୍କାର ନିମନ୍ତେ ତଥା ତାହାର ଚତୁଃପାର୍ଶ୍ୱରେ ଥିବା ଅରଣ୍ୟ ଉଚ୍ଛେଦ କରିବା ପାଇଁ ଆଦେଶ ପ୍ରଦାନ କରିଥିଲେ ।

 

ଏହିସବୁ ଗୌରବମୟ କାର୍ଯ୍ୟକଳାପ ସମ୍ପାଦନ କରିବା ପରେ ଖାରବେଳ ତୋଷାଳୀ ନଗରରୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସେହିଠାରେ ତାଙ୍କର ଅଭିଷେକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଗ୍ରନ୍ଥଟିର ଯେଉଁ ଶେଷ ଦୁଇଟି ପତ୍ରରେ ଖାରବେଳଙ୍କ ଅଭିଷେକ ଉତ୍ସବର ବର୍ଣ୍ଣନା ଲିପିବଦ୍ଧ ହୋଇଛି ତାହା ବିଶେଷ ଭାବରେ କୀଟଦଷ୍ଟ ହେବା ହେତୁ ଠିକ ରୂପେ ପାଠ କରିବା ସମ୍ଭବ ହେଉ ନାହିଁ । ତେବେ ପୁରୀ ଗଜପତି ରାଜାଙ୍କ ଅଭିଷେକ ଉତ୍ସବ ଅନୁସାରେ ଯେ ସେହି ବର୍ଣ୍ଣନା ପ୍ରଦାନ କରାଯାଇଛି, ତାହା ସହଜରେ ଜଣାପଡ଼େ ।

 

ବ୍ରହ୍ମାଣ୍ଡ ପୁରାଣ ବର୍ଣ୍ଣିତ ଖାରବେଳୋପାଖ୍ୟାନରେ ବିଶେଷ ଐତିହାସିକ ତଥ୍ୟ ନାହିଁ । ସେଠାରେ କବି କଳ୍ପନାର ଆଶ୍ରୟ ନେଇ କାବ୍ୟିକ ସୌନ୍ଦର୍ଯ୍ୟ ଓ ବୈଚିତ୍ର୍ୟ ପ୍ରକାଶନ ପାଇଁ ଉଦ୍ୟମ କରି ଅଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଯେ ହାତୀଗୁମ୍ଫା ଅଭିଲେଖରେ ଖାରବେଳଙ୍କ ଯୌବରାଜ୍ୟ ସମୟର କ୍ରିୟାକଳାପ ସମ୍ବନ୍ଧରେ ଆଦୌ କିଛି ବର୍ଣ୍ଣନା ଲିପିବଦ୍ଧ ହୋଇ ନାହିଁ । ସେ ଯୁବରାଜ ରୂପେ ଯେ ନଅ ବର୍ଷ ଶାସନ କରିଥିଲେ ସେତିକି ମାତ୍ର ସେଠାରେ ଉଲ୍ଲିଖିତ ହୋଇଛି । ହାଥୀଗୁମ୍ଫା ଅଭିଲେଖ ଛାଡ଼ି ଯାଇଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ବ୍ରହ୍ମାଣ୍ଡ ପୁରାଣ ଯେଉଁ ଉଦ୍ୟମ କରିଅଛି ତାହା ନିଶ୍ଚିତ ଭାବରେ ପ୍ରଶଂସନୀୟ । ତହିଁରେ ଐତିହାସିକ ତଥ୍ୟର ବିଚ୍ୟୁତି ଘଟିଥିଲେ ହେଁ ଐତିହାସିକ ଦୃଷ୍ଟିଭଙ୍ଗୀ ନିହିତ ଅଛି ଏବଂ କାବ୍ୟଦୃଷ୍ଟିରୁ ତାହା ଯେ ଏକ ନୁତନ ପ୍ରକଳ୍ପ ଓ ସାହସିକ ପଦକ୍ଷେପ ତାହା ଅସ୍ୱୀକାର କରାଯାଇ ପାରିବ ନାହିଁ ।

 

***

 

Unknown

‘‘ଉତ୍କଳ ଭାଷାର୍ଥାଭିଧାନ’’ ଓ ଆମସ୍ ସଟନ

ଗୌରାଙ୍ଗଚରଣ ଦାଶ

 

ଉତ୍ତରପୂର୍ବ-ଭାରତୀୟ ପ୍ରାକୃତଭାଷା (ନବ୍ୟଭାରତୀୟ ଆର୍ଯ୍ୟଭାଷା ଖ୍ରୀଷ୍ଟୀୟ ୧୦୦୦-)ରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ‘ଗୀତାଭିଧାନ’ ପ୍ରଥମ ଅଭିଧାନ ହୋଇଥିଲେ ସୁଦ୍ଧା ଦକ୍ଷିଣଭାରତୀୟ ତଥା ଗୁଜୁରାଟୀ ଭାଷାରେ ଖ୍ରୀଷ୍ଟୀୟ ୯ମ ଶତାବ୍ଦୀରୁ ଆରମ୍ଭ କରି ଖ୍ରୀଷ୍ଟୀୟ ୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ବହୁସଂଖ୍ୟକ ଗୀତାଭିଧାନ (Verse Dictionary) ସଙ୍କଳିତ ହୋଇଥିବାର ଜଣାଯାଏ । ଏ ସମୟ ମଧ୍ୟରେ କର୍ଣ୍ଣାଟକୀ ଭାଷାରେ ପ୍ରାୟ ଦଶଗୋଟି, ତାମିଲ ଭାଷାରେ ପ୍ରାୟ ପନ୍ଦରଗୋଟି, ତେଲୁଗୁ ଓ ଗୁଜରାଟୀ ଭାଷାରେ ମଧ୍ୟ ବହୁସଂଖ୍ୟକ ଅଭିଧାନ ବିଭିନ୍ନ ପଣ୍ଡିତମାନଙ୍କ ଦ୍ୱାରା ସଂକଳିତ ହୋଇଥିଲା । ()

 

ବିଭିନ୍ନ ଭାରତୀୟ ଭାଷାଗୁଡ଼ିକରେ ପାଶ୍ଚାତ୍ୟ ରୀତିରେ ସଂକଳିତ ହୋଇଥିବା ଅଭିଧାନଗୁଡ଼ିକର ଇତିହାସ ଏତେ ପୁରୁଣା ନୁହେଁ । ଇଂରେଜମାନଙ୍କ ଭାରତ ଆଗମନ ପରେ ଆପଣାର ଶାସନ ଓ ବ୍ୟବସାୟର ସୁବିଧା ପାଇଁ ବିଭିନ୍ନ ଭାଷାଗୁଡ଼ିକୁ ଜାଣିବାର ଆବଶ୍ୟକତା ସେମାନଙ୍କୁ ଆପଣାଦେଶର ସଂକଳନ ରୀତିରେ ଭାରତୀୟ ଅଭିଧାନ ସଂକଳନ କରିବାର ପ୍ରେରଣା ଦେଇଥିଲା । ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଆଧୁନିକ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଜେ. ଫରଗୁସନଙ୍କ A Dictionary of the Hindustani Language, English-Hindustani and Hindustani- English ଗ୍ରନ୍ଥଟିକୁ ପାଶ୍ଚାତ୍ୟରୀତିରେ ସଂକଳିତ ପ୍ରଥମ ଗ୍ରନ୍ଥ (୧୭୭୩) ଭାବରେ ଗ୍ରହଣ କରିଛନ୍ତି । (୨) ମାତ୍ର ରୋମାନ୍‌ଲିପିରେ ଲିଖିତ ଓ ମାନୋଏଲ ଦା ଆସମ୍‌ପିଆନ୍ (Manoel da Assumpean) ନାମକ ଜନୈକ ପର୍ତ୍ତୁଗୀଜ ପଣ୍ଡିତଙ୍କ ଦ୍ୱାରା ସଂକଳିତ ଓ ୧୭୪୩ ସାଲରେ ଲିସ୍‌ବନରୁ ପ୍ରକାଶିତ ‘‘ବଙ୍ଗଳା ପର୍ତ୍ତୁଗୀଜ’’ ଅଭିଧାନଟି ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ପ୍ରଥମ ଅଭିଧାନ ବୋଲି କାମିନୀକୁମାର ରାୟଙ୍କ ଆଲୋଚନାରୁ ଜଣାଯାଏ । (୩) ଆସମ୍‌ପିଆନ୍‌ଙ୍କ ପରେ ପରେ ଇଂରେଜମାନେ ବଙ୍ଗଳା ଭାଷାର ଅଭିଧାନ ସଂକଳନ ପାଇଁ ଉଦ୍ୟମ କଲେ । ଅପ୍‌ଜେନଙ୍କ (Upjohn) ଇଂରାଜୀ- ବଙ୍ଗଳା ଭୋକାବୁଲାରୀ (Ingraji Bengali Vocabulary) ହେନେରୀ ପିଟସ୍ ଫୋଷ୍ଟରଙ୍କ (Henery Pitts Froster) English & Bengali Dictionary ଏବଂ Bengali English dictionary ଗ୍ରନ୍ଥଗୁଡ଼ିକ ଯଥାକ୍ରମେ ୧୭୯୩, ୧୭୯୯, ୧୮୦୭ ସାଲରେ ପ୍ରକାଶ ପାଇଥିଲା । ଫେବ୍ରିକସ୍ (Febricius) ହିଁ ପ୍ରଥମ ତାମିଲ ଇଂରାଜୀ ଅଭିଧାନର (୧୭୯୯) ସଂକଳକ । ଅଷ୍ଟାଦଶ ଶତାବ୍ଦୀର ଉପର୍ଯ୍ୟୁକ୍ତ ତିନିଗୋଟି ଅଭିଧାନ ବ୍ୟତିତ ଅନ୍ୟ କୌଣସି ଅଭିଧାନ ସଂକଳିତ ହୋଇଥିବାର ଜଣାଯାଏ ନାହିଁ । ଉନବିଂଶ ଶତାବ୍ଦୀରେ ପ୍ରାୟ ପ୍ରତ୍ୟେକ ଆଧୁନିକ ଭାରତୀୟ ଭାଷାଗୁଡ଼ିକରେ ଇଂରେଜମାନଙ୍କ ଦ୍ୱାରା ଅଭିଧାନ ସଂକଳନ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । କନ୍ନଡ଼ ଭାଷାରେ ରେଭେରେଣ୍ଡ ଫ୍ଲାଜାଇଗ୍ଲାର (Rev. Fzieglar)ଙ୍କ An English Canarese School Dictionary ଏବଂ ଓଡ଼ିଆ ଭାଷାରେ ଆମସ୍ ସଟନ୍ (Amos Satton)ଙ୍କର English Oriya Dictionary ଯଥାକ୍ରମେ ୧୮୨୬ ଓ ୧୮୪୧ ସାଲରେ ପ୍ରକାଶ ପାଇଥିଲା । ପାଦ୍ରୀ ରେଭେରେଣ୍ଡ ଆମ୍‌ସ ସଟନ ପ୍ରଥମେ ଆପଣା ଭାଷାର ଶବ୍ଦ ସଂକଳନ ପ୍ରଣାଳୀ ଅନୁସରଣରେ ଓଡ଼ିଆ ଭାଷାର ଶବ୍ଦଗୁଡ଼ିକୁ ଯଥାସାଧ୍ୟ ସଂକଳିତ କରି ଅଭିଧାନ ପ୍ରକାଶ କରିବାର ବାସନା ପୋଷଣ କରିଥିଲେ । ସଟନଙ୍କ ପୂର୍ବରୁ ଅବଶ୍ୟ ମିସନାରୀମାନଙ୍କ ଉଦ୍ୟମରେ ଓଡ଼ିଆ ଭାଷା ଚର୍ଚ୍ଚା କରିବାର ଏକ ସଧାରଣ ପୃଷ୍ଠଭୁମି ପ୍ରସ୍ତୁତ ହୋଇ ସାରିଥିଲା । ୧୮୧୧ ଖ୍ରୀଷ୍ଠାବ୍ଦରେ ବାଇବେଲ (Old Testament)ର ଓଡ଼ିଆ ଅନୁବାଦ ପରେ ପରେ ‘‘ଓଡ଼ିଆ ଭାଷା ଚର୍ଚ୍ଚାର ଦ୍ୱିତୀୟ ଗୁରୁତ୍ୱପୁର୍ଣ୍ଣ ଉଦ୍ୟମ ହେଉଛି ମୋହନ ପ୍ରସାଦ ଠାକୁର (Mohan Prasad Takoor)ଙ୍କ A Vocabulary Oriya English for use of students ଏହା ଶ୍ରୀରାମପୁର ମିସନ୍ ପ୍ରେସରେ ମୁଦ୍ରିତ ହୋଇ ୧୮୧୧ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା । ମୋହନ ପ୍ରସାଦ ଠାକୁର ୧୮୦୭ ରୁ ୧୮୧୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଫୋର୍ଟ ଉଇଲିୟମ୍ କଲେଜର ସହକାରୀ ଲାଇବ୍ରେରୀଆନ ଥିଲେ ଓ ତାଙ୍କ ପୁସ୍ତକଟି ଏହି କଲେଜ ଦ୍ୱାରା ପ୍ରକାଶିତ ହୋଇଥିଲା ।

 

୧.

Lexicography in India- Centrary institute of Indian Languages. Manasa Gangotri, Mysore 6.

1980 ର Page 29, 60, 70, 79 ଦ୍ରଷ୍ଟବ୍ୟ ।

 

 

୨.

Barring the trditional ‘Kosha’ tradition A Dictionary of the Hindustani Language, English Hindustani & Hinustani-English By J. Ferguson in Roman Characters (London-1773) is the first dictionary among the modern Indian Languages- Lexicography in India- page 248.

 

 

୩.

In Bengali work an Language Dictionary was first stated by some European scholars. (Vocabularies Em Idiome Bengalla Portugese missionary is the first bi-langual dictionary in Bengali & Portugese. It was blished in Roman Sewpt in 1793 in Lisbon. Next are may mention the name of (Ingraji o Bengal Vocabulary complied by Upjohn (?) to teach the native English & to assist beginners in learning the Bengali language, it came out in 1793 from the Cauronicle Press Calcutta. It is probably the first dictionary in which Bengali characters were first used in printing Bengali words.

-Ibid-      

 

ଏହା ପ୍ରକୃତପକ୍ଷେ ବିଷୟାନୁକ୍ରମେ ସଂଗୃହୀତ ଓଡ଼ିଆ ଶବ୍ଦ ଓ ତା’ର ଇଂରାଜୀ ପ୍ରତିଶବ୍ଦ ଗୁଡ଼ିକର ଏକ ତାଲିକା ଓ ଅଭିଧାନ ପର୍ଯ୍ୟାୟଭୁକ୍ତ ନୁହେଁ । ତେଣୁ ତାଙ୍କ ଦ୍ୱାରା ସଂଗୃହୀତ ଓଡ଼ିଆ ଶବ୍ଦଗୁଡ଼ିକ ଲିପିବଦ୍ଧ ହେବା ବେଳେ କେତେକ ଭ୍ରମ ସ୍ୱଭାବିକ କାରଣରୁ ରହି ଯାଇଥିଲା ।’’ (୪) ମାତ୍ର The Early Publications of the Serampore missionaries ପୁସ୍ତକରେ ୩୧୫ ପୃଷ୍ଠାରେ ପେଗ୍‌ସ ସାହେବଙ୍କ ଉକ୍ତିକୁ ଗ୍ରହଣ କରି ଅଧ୍ୟାପକ ଡ: ନଟବର ସାମନ୍ତରାୟ ଉଲ୍ଲେଖ କରିଛନ୍ତି । ‘‘୧୮୨୨ ସାଲ ପୂର୍ବରୁ ଓଡ଼ିଆ ଭାଷାରେ ମିଶନାରୀମାନଙ୍କ ଦ୍ୱାରା ଯେଉଁ ପୁସ୍ତକ ଛପା ଯାଇଥିଲା ସେ ବିଷୟରେ ପେଗ୍‌ସ ସାହେବ ଲେଖିଛନ୍ତି । ଯଥା- ମୋହନ ଠାକୁରଙ୍କ କୃତି ଓଡ଼ିଆ ଇଂରାଜୀ ଅଭିଧାନ (୧୮୧୧)’’ ଏବଂ ‘‘୧୮୨୨ ସାଲ ପୁର୍ବରୁ ଓଡ଼ିଶାରେ ଆଧୁନିକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇ ନ ଥିବାରୁ ଗୋଟିଏ ଅଭିଧାନ ଓ ଗୋଟିଏ ନିମ୍ନସ୍ତରର ପାଠ୍ୟପୁସ୍ତକ ବ୍ୟତିତ ଅନ୍ୟ କିଛି ପାଠ୍ୟ ପୁସ୍ତକ ପ୍ରକାଶର ଆବଶ୍ୟକତା ଅନୁଭୂତ ହୋଇ ନ ଥିଲା । ପ୍ରକାଶିତ ସମସ୍ତ ପୁସ୍ତକର ନେତୃତ୍ୱ ନେଇଥିଲା ବ୍ୟାପଟିଷ୍ଟ ମିଶନାରୀ ସୋସାଇଟି ଓ ଏ ସମସ୍ତ କଲିକତା କିମ୍ବା ଶ୍ରୀରାମପୁରରେ ଛପା ହୋଇଥିଲା । (୫) ଓଡ଼ିଆ ଶବ୍ଦ ସଂଗ୍ରହର ଏହା ଏକ ପ୍ରାଥମିକ ଉଦ୍ୟମ ହୋଇପାରେ । ମାତ୍ର ଏହାକୁ ଅଭିଧାନ ବୋଲି କହିବାର ବିଶେଷ କାରଣ ନାହିଁ । ଡଃ. ନଟବର ସାମନ୍ତରାୟ ମଧ୍ୟ ଏ ସମ୍ପର୍କରେ ୧୯୭୦ ସାଲ ଝଙ୍କାର ପତ୍ରିକାର ଜାନୁଆରୀ ସଂଖ୍ୟାରେ ପ୍ରଥମ ଯୁଗର ଓଡ଼ିଆ ପାଠ୍ୟପୁସ୍ତକ ଆଲୋଚନାରେ ବିଶଦ ଭାବେ ଆଲୋଚନା କରିଛନ୍ତି । ପୁନଶ୍ଚ ଲଣ୍ଡନସ୍ଥ Indian officeର ଲାଇବ୍ରେରୀରେ ଅପ୍ରକାଶିତ ଅବସ୍ଥାରେ ସଂରକ୍ଷିତ ଗଦାଧର ତର୍କବାଗୀଶଙ୍କ ବ୍ୟାକରଣ ଗ୍ରନ୍ଥ ସମ୍ପର୍କରେ ଆପଣାର ମନ୍ତବ୍ୟ ଦେବାକୁ ଯାଇଁ ‘‘ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା’’ ଆଲୋଚନାରେ ଡଃ ଗଗନେନ୍ଦ୍ର ନାଥ ଦାସ ଉଲ୍ଲେଖ କରିଛନ୍ତି, ‘‘ଫୋର୍ଟ ଉଇଲିଅମ କଲେଜରେ ସବ୍‌ଅଡ଼ିନେଟ୍ ମୁନ୍‌ସି (Sub ordinate munisi) ଭାବରେ ୧୮୦୫ ଖ୍ରୀଷ୍ଟାବ୍ଦରେ ଯୋଗଦେଇ ୧୮୩୦ ଖ୍ରୀଷ୍ଟାବ୍ଦରେ ଅବସର ଗ୍ରହଣ କରିଥିବା ଗଦାଧରତର୍କବାଗୀଶ କୌଣସି ଏକ ‘‘ରଲୈଲ, ସାହେବଙ୍କ ଆଜ୍ଞାରେ ସେ ନାଗାକ୍ଷୀ ମୈତ୍ରଫସଲୀ ସାଲ (ବା ୧୨୮୧ ସାଲ)ରେ (ଫସଲୀ ସାଲକୁ ସେ ଭ୍ରମ କ୍ରମେ ଶକାବ୍ଦ ବୋଲି ଉଲ୍ଲେଖ କରିଥିଲେ) ଅର୍ଥାତ୍ ୧୮୨୧/୨୨ ଖ୍ରୀଷ୍ଟାବ୍ଦରେ ଏକ ଓଡ଼ିଆ ବ୍ୟାକରଣ ପ୍ରସ୍ତୁତ କରିଥିଲେ ଓ ବଙ୍ଗଳା-ସଂସ୍କୃତ-ଓଡ଼ିଆ ପ୍ରାକୃତ ଭାଷାର ଏକ ଶବ୍ଦ ତାଲିକା ପ୍ରସ୍ତୁତିରେ ସହଯୋଗ କରିଥିଲେ । (୬)

 

୪.

ଓଡ଼ିଆ ଭାଷାଚର୍ଚ୍ଚାର ପରମ୍ପରା- ଡାକ୍ତର ଗଗନେନ୍ଦ୍ର ନାଥ ଦାସ,

ଏଷଣା- ୧ମ ୧୯୮୦ ପୃ ୫

ଓଡ଼ିଆ ଗବେଷଣା ପରିଷଦ, ସାରସତ୍ୱ ନିଳୟ, ଛତ୍ରବଜାର, କଟକ

 

 

ଓଡ଼ିଆ ସାହିତ୍ୟର ଇତିହାସ- ୧୮୦୩-୧୯୨୦ ଡଃ ନଟବର ସାମନ୍ତରାୟ- ୧୯୬୪

ଲାବଣ୍ୟଭବନ, ଭୁବନେଶ୍ୱର- ୨

 

 

(ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା)- ପୃ ୫

 

ଆଲୋଚକ ଉକ୍ତ ପାଣ୍ଡୁଲିପିକୁ ‘‘ସ୍ୱୟଂ ସମ୍ପୂର୍ଣ୍ଣ ଓଡ଼ିଆ ବ୍ୟାକରଣର ସମ୍ମାନ ଦିଆଯିବା ଉଚିତ୍ ।’’ (୭) ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ଆଲୋଚ୍ୟ କାଳରେ ଭାଷା ସଂକଳନର ଆରମ୍ଭ ପର୍ବ ଆରମ୍ଭ ହୋଇଯାଇଥିଲା କହିଲେ ଚଳେ । ଉକ୍ତ ଆରମ୍ଭ ପର୍ବର ଏକ ପ୍ରାଥମିକ ପୂର୍ଣ୍ଣାଙ୍ଗ ରୂପ ସଟନ ସାହେବ ଆପଣାର ଅଭିଧାନ ପୁସ୍ତକରେ ଉପସ୍ଥାପନ କରିଛନ୍ତି ।

 

ଜଣେ ଅଣଓଡ଼ିଆ ଓଡ଼ିଆଭାଷାର ଏକ ଅଭିଧାନ ସଂକଳନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ଓ ପଦକ୍ଷେପ ନେବା ସାଧାରଣ ବିଷୟ ନୁହେଁ । ତେବେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆମ୍‌ସ ସଟନଙ୍କ ଆଗ୍ରହ ବହୁପୁର୍ବରୁ ଲକ୍ଷ୍ୟ କରାଯାଇଥିଲା । ଅଭିଧାନ ପ୍ରକାଶ ପାଇବାର ୧୦ ବର୍ଷ ଆଗରୁ ୧୮୩୧ ସାଲରେ ସେ ଓଡ଼ିଆ ବ୍ୟାକରଣ ପୁସ୍ତକ ରଚନା କରିଥିଲେ । ପଦାର୍ଥ ବିଦ୍ୟାସାର (୧୮୩୨) ଓ ଇତିହାସ ପୁସ୍ତକ (୧୮୩୯) ସନଟ ସାହେବଙ୍କ ପାଠ୍ୟପୁସ୍ତକ ଉପଯୋଗୀ ଅନ୍ୟ ଦୁଇଟି ଉଲ୍ଲେଖନୀୟ ପୁସ୍ତକ । ବ୍ୟାକରଣ ପୁସ୍ତକର ମୁଖବନ୍ଧରେ ସେ ଲେଖିଛନ୍ତି, ‘‘ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା । ଏକ ଅନଗ୍ରସର ଓ ଅମାର୍ଜିତ ରାଜ୍ୟରେ ଏହାର ସ୍ୱାତନ୍ତ୍ର୍ୟ ସହଜରେ ବାରି ହେଇପଡ଼େ । ବଙ୍ଗଳାଭାଷା ସୃଷ୍ଟିର ସମକାଳରେ ହିଁ ଏ ଭାଷାର ସୃଷ୍ଟି । ସଂସ୍କୃତ ହିଁ ଏ ଭାଷାଗୁଡ଼ିକର ମୂଳଉତ୍ସ । ଉଭୟ ଭାଷାର ସାଧାରଣ ଶବ୍ଦଗୁଡ଼ିକ ସମ୍ପର୍କରେ ଦୃଷ୍ଟି ଦେଲେ ଯାହା ଜଣାଯାଏ, ବଙ୍ଗଳା ଅଭିଧାନର ପ୍ରାୟ ତିନିଚତୁର୍ଥାଂଶ ଶବ୍ଦ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ସହିତ ସମାନ । (୮) ସଟନ ସାହେବଙ୍କର ଓଡ଼ିଆଭାଷା ପ୍ରତି ଅନୁରକ୍ତି ଥିଲା । ମାତ୍ର ତା’ ସହିତ ଅଣଓଡ଼ିଆ, ମୁଖ୍ୟତଃ ଆପଣା ଦେଶର ଲୋକମାନଙ୍କର ଓଡ଼ିଆ ଭାଷାଶିକ୍ଷାର ଚରମ ଆବଶ୍ୟକତା ମଧ୍ୟ ତାଙ୍କୁ ବ୍ୟାକରଣ ରଚନା କରିବା ପାଇଁ ପ୍ରେରଣା ଯୋଗାଇଥିଲେ । ଇଂରେଜ ଜାତି ଏକ ବଣିକ ଜାତି । ଏ ଦେଶର ଜନତାକୁ ଶାସନ କରିବା ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାଣୀକୁ ସହଜ ଓ ସରଳ ଭାବରେ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରି ସେମାନଙ୍କୁ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟ ସେମାନଙ୍କୁ ସାଧାରଣ ଜନତାର ଭାଷା ଶିକ୍ଷା କରିବା ପାଇଁ ବାଧ୍ୟ କରିଥିଲା । ବ୍ୟାକରଣର ମୁଖବନ୍ଧରେ ମଧ୍ୟ ଏ ସଂପର୍କରେ ଉଲ୍ଲେଖ କରାଯାଇଛି, ‘‘The religious celebraty of the province must render the acquisition of the language, a desideration to all who delight in inquiries respecting the history and mythology of the Hindoos । (୯) ଅର୍ଥାତ୍ ଏ ଜାତିର ପରଂପରା ଓ ପୁରାଣ ବିଷୟରେ ଆଗ୍ରହୀ ଜନତାକୁ ସଚେତନ କରିବା ମଧ୍ୟ ତାଙ୍କର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଡ଼ଃ ନଟବର ସାମନ୍ତରାୟ ଏ ସମ୍ପର୍କରେ ୧୮୩୨ ଖ୍ରୀଷ୍ଟାବ୍ଦର ଏକ ମିସନାରୀ ରିପୋର୍ଟ ଅନୁସରଣରେ ଭିନ୍ନ ମତ ଦେଇଛନ୍ତି । ଇଷ୍ଟଇଣ୍ଡିଆ କମ୍ପାନୀର ଅନୁରୋଧ ଓ ଆର୍ଥିକ ସାହାଯ୍ୟରେ ହିଁ ସେ ଓଡ଼ିଆ ବ୍ୟାକରଣ ରଚନା କରିଥିଲେ । (୧୦)

 

୭.

ତତ୍ରୈବ- ପୃ ୮

 

 

୮.

‘‘The Oriya language was distnict and origional one & formerly contained within itself all that was necessary to its existences as a separate language in arude uncultivated state. It has, however, in process of time in common with Bengali drawn so largly from the sanscrut that a Bengali dictionary with give the meaning of three fourths of the words in common use.

ଓଡ଼ିଆ ବ୍ୟାକରଣ ମୁଖବନ୍ଧ- ୧୮୩୧ ।

 

 

୯.

Ibid. v

 

 

୧୦.

An Oreah Grammar compiled by the request of Govt. and of which the honourable Company subscribed for 100 at five rupees each, by Satton-ଝଙ୍କାର ନଭେମ୍ବର ୧୯୭୧ ।

ପ୍ରଥମ ଯୁଗର ଆଧୁନିକ ଓଡ଼ିଆ ପାଠ୍ୟ ପୁସ୍ତକ ବ୍ୟାକରଣ ବିଭାଗ ।

 

ସଟନଙ୍କ ଅଭିଧାନର ପ୍ରଥମ ଖଣ୍ଡର ପ୍ରଥମାଂଶରେ ଓଡ଼ିଆ ବ୍ୟାକରଣ ସଂପର୍କରେ ସଂକ୍ଷିପ୍ତ ସୂଚନା ଦିଆଯାଇଛି । ଉକ୍ତ ‘ବ୍ୟାକରଣ’ ଅଂଶଟି ଉଭୟ ଇଂରାଜୀ ଓ ଓଡ଼ିଆଭାଷାରେ ଉଲ୍ଲେଖ କରାଯାଇଛି । ଓଡ଼ିଆ ଜାଣି ନ ଥିବା ଏବଂ ଇଂରାଜୀ ଭାଷା ଜାଣିଥିବା ଲୋକମାନଙ୍କର ସୁବିଧା ପାଇଁ ଓଡ଼ିଆ ସ୍ୱର, ବର୍ଣ୍ଣ ଏବଂ ଉଚ୍ଚାରଣ ପ୍ରକ୍ରିୟାକୁ ଇଂରାଜୀଭାଷାରେ ପ୍ରକାଶ କରାଯାଇଛି; ସ୍ୱର ଓ ବ୍ୟଞ୍ଜନବର୍ଣ୍ଣ ନିର୍ଣ୍ଣୟ କ୍ଷେତ୍ରରେ ଅବଶ୍ୟ କେତେକ ତ୍ରୁଟି ରହିଛି । ମାତ୍ର ଏସବୁ ସତ୍ତ୍ୱେ ଇଂରାଜୀ ଓ ଓଡ଼ିଆଲିପିରେ ଯେଉଁପରି ଭାବରେ ଓଡ଼ିଆ ବ୍ୟାକରଣର ବିଭିନ୍ନ ବିଭାବ, ସନ୍ଧି, ଯୁକ୍ତାକ୍ଷର କରଣୀ ଓଡ଼ିଆ ଶବ୍ଦ, ବିଶେଷ୍ୟ, ବିଶେଷଣ, କ୍ରିୟା, ଲିଙ୍ଗ, ବଚନ, କାରକ ଆଦିର ଆଲୋଚନା କରାଯାଇଛି, ତାହା ପ୍ରକୃତରେ ଅଭିନନ୍ଦନୀୟ । ସଟନଙ୍କ ଗ୍ରାମାର ସଂପର୍କୀୟ ଆଲୋଚନା ଏଠାରେ ଅପ୍ରାସଙ୍ଗିକ ହୋଇପାରେ । ମାତ୍ର ଏକଥା ସ୍ପଷ୍ଟ କରି ଦିଆଯାଇ ପାରେ ଯେ, ଯେକୌଣସି ଭାଷାର ଏକ ଶବ୍ଦ ସଂକଳନ କରିବା ପୂର୍ବରୁ ସଂକଳନ ସେ ଭାଷାର ବ୍ୟାକରଣ ସଂପର୍କରେ ସମ୍ପୂର୍ଣ୍ଣ ରୂପେ ସଚେତନ ରହିବା ଆବଶ୍ୟକ । ସଟନଙ୍କର ଅବଶ୍ୟ ଓଡ଼ିଆ ବ୍ୟାକରଣରେ ଗଭୀର ପ୍ରବେଶ ଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା ତାଙ୍କର ଏ ସଚେତନତା ଅଭିଧାନରେ ଲକ୍ଷ୍ୟ କରାଯାଏନା । ଅଭିଧାନରେ କୌଣସି ଶବ୍ଦର ଆଲୋଚନା କରାଯାଇ ନାହିଁ ।

 

ସଟନଙ୍କ ଅଭିଧାନଟି ତିନୋଟି ଖଣ୍ଡ (Volume) ରେ ପ୍ରକାଶ ପାଇଥିଲା । ୧୮୪୧ ସାଲରେ ଓଡ଼ିଶା ମିସନ ପ୍ରେସ କଟକଙ୍କ ଦ୍ୱାରା ମୁଦ୍ରିତ ପୁସ୍ତକର ପ୍ରଥମ ପୃଷ୍ଠାରେ ‘‘Oriya Dictionary in the Volumes " Voll, Embracing an introductory Grammar, An English and Oriya Dictionary and a list of official terms, ବୋଲି ଉଲ୍ଲେଖ କରାଯାଇଛି । ଅଭିଧାନର ଦ୍ୱିତୀୟ ଖଣ୍ଡଟି ପାଶ୍ଚାତ୍ୟ ରୀତିରେ ସଂକଳିତ ପ୍ରଥମ ଓଡ଼ିଆ ଅଭିଧାନ ଭାବରେ ଗ୍ରହଣ କରାଯାଏ । ଉକ୍ତି ଅଭିଧାନଟି ସଂକଳନ କରିବା ପାଇଁ ସେ ଶ୍ରୀଯୁକ୍ତ ଭୁବନାନନ୍ଦ ନ୍ୟାୟାଳଙ୍କାରଙ୍କ ସାହାଯ୍ୟ ନେଇଥିଲେ । ୧୮୪୩ ସାଲରେ ଓଡ଼ିଶା ମିସନ ପ୍ରେସଙ୍କ ଦ୍ୱାରା ମୁଦ୍ରିତ ହୋଇ ପ୍ରକାଶ ପାଇଥିବା ପୁସ୍ତକର ପ୍ରଥମ ପୃଷ୍ଠାରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଏହା ଉଲ୍ଲେଖ କରାଯାଇଛି ।

 

‘‘Oriya Dictionary with Oriya Synonyms, vol. II compiled by Rev. Amos Sutton and Bhobanananda Niaya Alankar.’’

 

‘‘ଉତ୍କଳ ଭାଷାର୍ଥଭିଧାନ ଅର୍ଥାତ୍ ଶବ୍ଦ ଜ୍ଞାନର ନିମନ୍ତେ ‘କ୍ଷ’ କାରାନ୍ତ ଧାରାନୁସାରେ ତଦ୍ଦେଶୀୟ କଥା ସମୂହ ଶ୍ରୀଯୁକ୍ତ ସଟନ ସାହେବ ଓ ଶ୍ରୀଯୁକ୍ତ ଭୁବନାନନ୍ଦ ନ୍ୟାୟଳଙ୍କାର କର୍ତ୍ତୃକ ସଂଗୃହୀତ ।’’

 

ଅଭିଧାନର ମୁଖବନ୍ଧ ଇଂରାଜୀଭାଷାରେ ଲେଖାଯାଇଛି । ଶବ୍ଦସଂଗ୍ରହ, ଅର୍ଥଲିଖନ ଓ ସଂଗୃହୀତ ଶବ୍ଦଗୁଡ଼ିକର ବର୍ଣ୍ଣାନୁକ୍ରମିକ ସଜ୍ଜୀକରଣ ଓ ସଂକଳନର ଉଦ୍ଦେଶ୍ୟ ସମ୍ପର୍କରେ ସେ ନାନାକଥା ଉଲ୍ଲେଖ କରିଛନ୍ତି । ଓଡ଼ିଆଭାଷାର ଏକ ଅଭିଧାନ ସଂକଳନର ଉଦ୍ଦେଶ୍ୟ, ପୂର୍ବର ଓଡ଼ିଆ ବ୍ୟାକରଣ ଲିଖନର ଉଦ୍ଦେଶ୍ୟ ସହିତ ସମାନ । ତେଣୁ ଓଡ଼ିଆଭାଷାର ଏକ ନିରୁତା ଅଭିଧାନ ସଂକଳନ କରିବା ପୁର୍ବରୁ ସେ ଇଂରାଜୀ ଓଡ଼ିଆ ଅଭିଧାନଟି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ହିଁ ସଂକଳନ କରିଥିଲେ । ଶାସନ ତଥା ଧର୍ମପ୍ରଚାରର ସୁବିଧା ଦୃଷ୍ଟିରୁ ୟୁରୋପୀୟମାନଙ୍କ ପାଇଁ ଓଡ଼ିଆଭାଷାଶିକ୍ଷାର ଆବଶ୍ୟକତା ପୂରଣ କରିବା ଦିଗରେ ସେ ଚେଷ୍ଟିତ ହୋଇଥିଲେ । (୧୧) ପୁନଶ୍ଚ (୧୮୩୫) ସାଲରେ ପ୍ରକାଶ ପାଇଥିବା ମେକେଲ ସାହେବଙ୍କ ଶିକ୍ଷାନୀତି ମଧ୍ୟ ସଟନ ସାହେବଙ୍କୁ ଅଭିଧାନ ସଂକଳନ କରିବା ପାଇଁ ପ୍ରେରଣା ଯୋଗାଇ ଥିଲା !

 

‘‘ଇଂରାଜୀ ଅଭିରୁଚି ଓ ଅଭିମତରେ ସମ୍ପୂର୍ଣ୍ଣ ଦୀକ୍ଷିତ ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀ ଆଧୁନିକ ଶିକ୍ଷାଦ୍ୱାରା ଗଢ଼ିଉଠିବ ଓ ଏହି ଶ୍ରେଣୀ ହିଁ ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନରୁ ଜ୍ଞାନ ଆହରଣ କରି ମାତୃଭାଷାକୁ ଉନ୍ନତ କରିବା ସଙ୍ଗେ ସଙ୍ଗେ ତାକୁ ଜନସାଧାରଣଙ୍କ ମଧ୍ୟରେ ପାଶ୍ଚାତ୍ୟ ଜ୍ଞାନ ବିତରଣର ପ୍ରଧାନ ଅସ୍ତ୍ର ରୂପେ ବ୍ୟବହାର କରିବ, ଏହାହିଁ ଥିଲା ମେକେଲଙ୍କ ଶିକ୍ଷାନୀତିର ପରମ ନିର୍ଯ୍ୟାସ’’ । (୧୨)

 

୧୧.

The Oriya Dictionary, with Oriya synonyms and definitions though perhaps less needed at first by Europeans, is in the author’s Estimations indispensible to an improvement of the language and will soon yeild its fruit for the benefit of the Europeans as well as native students (preface 1)

 

 

୧୨.

ଓଡ଼ିଆ ସାହିତ୍ୟର ଇତିହାସ- ୧୮୦୩-୧୯୨୦

ନଟବର ସାମନ୍ତରାୟ ପୃ ୯୯

(Selections from Educational Records W. H. Sharp Part 1 page 101 ଓ 133 ରୁ ଗୃହୀତ )

 

ସଟନ ସାହେବ ଜଣେ ବିଦେଶୀ ଥିଲେ ବି ସେ ସମୟର ଓଡ଼ିଶାର ଭାଷା ସମସ୍ୟାକୁ ସେ ସମୟର ଓଡ଼ିଶାର ଭାଷା ସମସ୍ୟାକୁ ସେ ଉପଲବ୍‌ଧ କରିଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକମାନଙ୍କର କଥିତ ଭାଷା ଅନ୍ୟ ପ୍ରାଦେଶିକ ଭାଷାଗୁଡ଼ିକ ଦ୍ୱାରା ଅଳ୍ପବହୁତେ ପ୍ରବାବିତ ଥିଲା । ପ୍ରକାଶ ଥାଉକି ଓଡ଼ିଆଭାଷା ଓଡ଼ିଶାର ସରକାରୀ ଭାଷା ଭାବରେ ୧୮୯୫ ସାଲରେ ସ୍ୱୀକୃତି ଲାଭକଲା ଏବଂ ସେତେବେଳକୁ ଓଡ଼ିଶାର ଭୌଗୋଳିକ ସୀମା ଯଥେଷ୍ଟ ସଙ୍କୁଚିତ ଥିଲା । ବିରାଟ ଉପାନ୍ତ ଅଞ୍ଚଳ ଓ ଗଡ଼ାଜାତର ଆଧୁନିକ ଶିକ୍ଷାବିସ୍ତାର ପାଇଁ କୌଣସି ଯୋଜନା ଅନୁସୃତ ହୋଇ ନ ଥିଲା । ଯେଉଁ ଶିକ୍ଷା ଓ ପାଠ୍ୟପୁସ୍ତକକୁ ଅବଲମ୍ବନ କରି ଗୋଟିଏ ଶିକ୍ଷିତଗୋଷ୍ଠୀ ଆଧୁନିକ ସାହିତ୍ୟ ସୃଷ୍ଟି କରିଥିଲା ସେହି ଶିକ୍ଷା ଯଥାର୍ଥତଃ କମ୍ପାନୀ ଅଧିକୃତ ଓଡ଼ିଶା (ପୁରୀ, କଟକ ଓ ବାଲେଶ୍ୱର) ଭିତରେ କେବଳ ପରୀକ୍ଷିତ ହୋଇଥିଲା । (୧୩) (ସମସାୟିକ ଓଡ଼ିଶାର ଭୌଗୋଳିକ ଓ ଭାଷା ସମସ୍ୟା ସମ୍ପର୍କରେ ବିଶେଷ ବିବରଣୀ ପାଇଁ ନଟବର ସାମନ୍ତରାୟଙ୍କ ଓଡ଼ିଶାର ଭୌଗୋଳିକ ଓ ଭାଷା ସମସ୍ୟା ସମ୍ପର୍କରେ ବିଶେଷ ବିବରଣୀ ପାଇଁ ନଟବର ସାମନ୍ତରାୟଙ୍କ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଥମ ପରିଚ୍ଛେଦ ବିଶେଷଭାବେ ଦ୍ରଷ୍ଟବ୍ୟ) ତେଣୁ ଓଡ଼ିଶା ସୀମା ସଂଲଗ୍ନ ଅନ୍ୟ ପ୍ରାଦେଶିକ ଭାଷାଗୁଡ଼ିକ ଯେ, କେବଳ ବିଭିନ୍ନ ଉପାନ୍ତ ଅଞ୍ଚଳରେ ସୀମିତ ଥିଲା ତା ନୁହେଁ, ଭାଷାର ସ୍ୱାଭାବିକ ପ୍ରଭାବ ପ୍ରସାର ଧର୍ମଦୃଷ୍ଟିରୁ ବିଚାର କଲେ ହିନ୍ଦୀ, ବଙ୍ଗଳା, ତେଲଗୁ, ତାମିଲ, ଫରାସୀ ଓ ଇଂରାଜୀ ଆଦି ଭାଷାଗୁଡ଼ିକ ମଧ୍ୟ ଓଡ଼ିଶା ବୋଲି କୁହାଯାଉଥିବା ଏକ ସୀମିତ ଅଞ୍ଚଳର ଭାଷାକୁ ଅଳ୍ପବହୁତେ ପ୍ରଭାବିତ କରିଥିଲା । ପୁନଶ୍ଚ ମୁଦ୍ରାଯନ୍ତ୍ରର ପ୍ରଚଳନ ନ ଥିବାରୁ ଏବଂ ତାଳପତ୍ର ଲେଖନୀ ସାହାଯ୍ୟରେ ଲିଖନ କାର୍ଯ୍ୟ ସମ୍ପନ୍ନ ହେଉଥିବାରୁ ଅକ୍ଷର ଓ ଶବ୍ଦ ଲିଖନରେ ମଧ୍ୟ ସାମ୍ୟ (uniformity) ନ ଥିଲା । ତାଳପତ୍ର ପୋଥିଗୁଡ଼ିକୁ ଅନୁଧ୍ୟାନ କଲେ କରଣୀ ଅକ୍ଷରର ପ୍ରାଧାନ୍ୟ ସ୍ପଷ୍ଟତଃ ଲକ୍ଷ୍ୟ କରାଯାଇ ପାରେ । ସଟନଙ୍କ ସମୟକୁ ଅବଶ୍ୟ ମୁଦ୍ରାଯନ୍ତ୍ରରେ ଓଡ଼ିଆଲିପିର ପ୍ରଚଳନ କାର୍ଯ୍ୟ ମିସ୍‌ନାରୀମାନଙ୍କ ଦ୍ୱାରା ସମ୍ପନ୍ନ ହୋଇ ସରିଥିଲା । ସେମାନଙ୍କ ଉଦ୍ୟମରେ ପ୍ରଥମେ କାଠ ପରେ ପଥରରେ ଓଡ଼ିଆଲିପି ତିଆରି କରାଯାଇଥିଲା । ଓଡ଼ିଶାର ପ୍ରଥମ ପ୍ରିଣ୍ଟିଂପ୍ରେସ, କଟକର ମିସନ ପ୍ରେସରେ ସଟନ୍ ସାହେବଙ୍କ ଅଭିଧାନ ମୁଦ୍ରିତ ହୋଇଥିଲା । ଓଡ଼ିଶାର ହ୍ରସ୍ୱ ‘ଇ’ କାର (ି) ଦୀର୍ଘ ଈ (ୀ) କାର ହ୍ରସ୍ୱ ଉ (ୁ) କାର ଓ ଦୀର୍ଘଊକାର (ୂ) ଗୁଡ଼ିକ ବାରମ୍ବାର ଭାଙ୍ଗି ଯାଉଥିବାରୁ ତାଙ୍କୁ ବହୁ ଅସୁବିଧାର ମୁହାଁମୁହିଁ ହେବାକୁ ପଡ଼ିଥିଲା । ଅଭିଧାନର ଅନେକ ସ୍ଥଳରେ ଏ ତ୍ରୁଟି ପରିଲକ୍ଷିତ ହୋଇଥାଏ । ନିଜେ ସଂକଳନ ମଧ୍ୟ ଅଭିଧାନର ପ୍ରଥମଭାଗରେ ମୁଦ୍ରଣଜନିତ ଅସୁବିଧାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି (୧) ତେଣୁ ଓଡ଼ିଆଭାଷାର ଉଚ୍ଚାରଣ, ମୁଦ୍ରଣ, ବିଭିନ୍ନ ବର୍ଗର ଲୋକମାନଙ୍କ ଦ୍ୱାରା କଥିତ ଆଞ୍ଚଳିକ (colloqual) ଶବ୍ଦସଂଗ୍ରହ ସହିତ ସେଗୁଡ଼ିକର ଅର୍ଥପ୍ରକାଶ ଆଦି ନାନା ସମସ୍ୟାର ସେ ସମ୍ମୁଖୀନ ହୋଇଥିଲେ; ଅବଶ୍ୟ ସଂସ୍କୃତ, ତତ୍‌ଭବ, ତତ୍‌ସମ ଆଞ୍ଚଳିକ ଶବ୍ଦଗୁଡ଼ିକର ସଂଗ୍ରହ ଓ ଶବ୍ଦ ସଜ୍ଜୀକରଣର ସମସ୍ତ ସ୍ୱାଧୀନତା ସେ ଭୁବନାନନ୍ଦ ନ୍ୟାୟାଳଙ୍କାରଙ୍କ ଉପରେ ନ୍ୟସ୍ତ କରିଥିଲେ । ସେହି ଦୃଷ୍ଟିରୁ ପ୍ରଥମ ଓଡ଼ିଆ ଅଭିଧାନ ଆମସ୍‍ ସଟନ ଓ ଭୁବନାନନ୍ଦ ନ୍ୟାୟାଳଙ୍କାର ଯୁଗ୍ମ ଉଦ୍ୟମର ଫଳ ବୋଲି କୁହାଯାଇପାରେ ।

 

ଶବ୍ଦ ସଂଗ୍ରହ ପାଇଁ ସଟନ ପୂର୍ବରୁ ସଂକଳିତ ରେଭେରେଣ୍ଡ ଡବ୍ଳିଉ ମୋରଟନ (Rev. W Morton) ଓ ଡ଼ଃ କେରୀ (Rev. careey) ଏବଂ ମିଷ୍ଟର ମେନଡ଼ିଜଙ୍କ ବଙ୍ଗଳା (Mr. Mendies) ଅଭିଧାନର ସାହାଯ୍ୟ ନେଇଥିଲେ । ବିଭିନ୍ନ ସରକାରୀ ଅଫିସ ଗୁଡ଼ିକରେ ପ୍ରଚଳିତ ହିନ୍ଦୁସ୍ଥାନୀ ଶବ୍ଦଗୁଡ଼ିକୁ ମଧ୍ୟ ସେ ସଂଗ୍ରହ କରିଥିଲେ । ଶବ୍ଦଗୁଡ଼ିକ ସଂଗୃହୀତ ହୋଇ ସାରିଲା ପରେ ପାଣ୍ଡୁଲିପିଟି ଶ୍ରୀ ରାଜେଶ୍ୱର ତର୍କାଳଙ୍କାର ଏବଂ ବିଭିନ୍ନ ପଣ୍ଡିତମାନଙ୍କ ଦ୍ୱାରା ପରୀକ୍ଷିତ ହୋଇଥିଲା-

 

ଅଭିଧାନର ମୁଖବନ୍ଧରେ ଶବ୍ଦସଂକଳନ ସମ୍ପର୍କୀୟ ନାନା ସମ୍ଭାବ୍ୟ ଅଭାବବୋଧ ଓ ଆପଣାର ଜ୍ଞାନଦାରିଦ୍ର୍ୟର ସ୍ୱୀକାରୋକ୍ତି ସଟନ ସାହେବଙ୍କ ଗୁଣୀ ଜନୋଚିତ-ବିନୟୀଭାବର ସୂଚନା ଦିଏ । ସେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି; ‘‘ପ୍ରଥମ ସଂକଳନରେ କିଛି ଅଭାବ ଲକ୍ଷ୍ୟ କରିବା ସ୍ୱାଭାବିକ । ଶବ୍ଦଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ଆଲୋଚନା ହେଲେ ମନରେ ଉଦ୍ରେକ ହୋଇଯିବ । ସଂକଳକ, ଭବିଷ୍ୟତରେ ଅନେକ କିଛି ଅଧିକ ହେବାର ବାଟ ଖୋଲି ଦେଇଛନ୍ତି । ଅନ୍ୟ ଭାଷାରେ ଏକଥା ମଧ୍ୟ କୁହାଯାଇପାରେ ଯେ, ଶବ୍ଦ ବିସ୍‌ତୃତି ଭିତରୁ ସେ ଯେଉଁ ବାଟଟି ଦେଖେଇ ଯାଇଛନ୍ତି, ଓଡ଼ିଶାର ବୁଦ୍ଧିଜୀବୀମାନେ ଯଦି ଆନ୍ତରିକତ।ର ସହିତ କାର୍ଯ୍ୟରେ ଆଗେଇ ଯିବେ ଭବିଷ୍ୟତରେ ତାହା ଆହୁରି ବିସ୍‌ତୃତ ଓ ସୁସଜ୍ଜିତ ହେ।ଇ ପାରିବ । (୧୫) ନିଜେ ପଣ୍ଡିତ ଭୁବନାନନ୍ଦ ମଧ୍ୟ ମୁଖବନ୍ଧର ଶେଷ ଭାଗରେ ସଟନସାହେବଙ୍କ ଉକ୍ତିର ସମଭାବାପନ୍ନ ଏକ ସଂସ୍କୃତ ଶ୍ଲୋକ ରଚନା କରିଛନ୍ତି । (୧୬)

 

୧୩.

ଓଡ଼ିଆ ସାହିତ୍ୟର ଇତିହାସ-ନଟବର ସାମନ୍ତରାୟ ପୃ-୭

 

 

୧୪.

Oriya Dictionary in three Volume-

Volume-Vol-I –preface -III

 

 

୧୫.

In a first attempt at a compilation of this character such defects must be expected and in the progressive cultivation of the language they will doubtless become more apparent, it is stopped, however, that they will prove neither more numerous nor greater than the candidates are prepared expect. It will be enough for the writer it should be found that he has laid the basis for future improvement, or in other words that he traced a through this wilderness of words which are may widen and level and adorn till there remains not impediment to the intellect on Orissa .

-Preface

 

 

୧୬.

ଜ୍ଞାତ୍ୱୌକଲ୍ୟା ନକୃତି କୃତିଭିଃ ଓପ୍ରାଚ୍ୟମାନାର୍ଥଶବ୍ଦ ।

ନାଜ୍ଞାପ୍ତଃ ଶ୍ରୀପାଦରିସଟନ ଖ୍ୟାତିମତ୍ସାହେବେନ ।

ତେନ ଶ୍ରୀଭୁମ୍ୟରଭୁବାନନ୍ଦ ଧୀରଃ ପ୍ରଯତ୍ନତ୍ୱା

ଜ୍ରିଜ୍ଞାସନା ମୁପକୃତିକୃତେ ଶବ୍ଦକୋଷଂ କରୋତି ।

ଗ୍ରନ୍ଥେ ପ୍ରସ୍ଫନିତଂ ଯଦିତ୍ର କବୟଃ ଶୁଦ୍ଧଂ ନ ବର୍ଣ୍ଣାଦିକଂ

ପ୍ରାୟେଣାତ୍ମଧିୟାତ ଖିଳବିନିହତଂ ତତ୍‌କ୍ରୋଡ଼ ପତ୍ରେମୟା

ଯଗସଶଂତଽମନ୍ତ୍ର କୋବିଦଗଣୈଃ ଶୋଧ୍ୟଂ କୃପାସଂଯୁତୈ

ଯସ୍ମିବ୍ଦ ମ୍ଭ୍ରମତେ ରଥାଣଂ ସଦୃଶଂ ଚିତ୍ତଂ ମୁନୀନା ମପି ।

 

Cuttack, Dec.31-1-1842, Preface- Ibid

 

ସଟନଙ୍କ ଓଡ଼ିଆ ଅଭିଧାନରେ ଅନେକ ସ୍ଥଳରେ ବଙ୍ଗଳା ଉଚ୍ଚାରଣର ପ୍ରଭାବ ଲକ୍ଷ୍ୟ କରାଯାଏ । ଏପରିକି ଅଭିଧାନର ପ୍ରଥମ ପୃଷ୍ଠାରେ ଓଡ଼ିଆ ଶବ୍ଦ ସ୍ଥାନରେ ‘ଓଡ଼ିୟା’ ଉଲ୍ଲେଖ ରହିଛି-। ବଙ୍ଗଳାଭାଷାର ପ୍ରଭାବ ହେଲେ ବି, ଅନେକ ଦିନ ପର୍ଯ୍ୟନ୍ତ ‘ଆ’ ସ୍ଥାନରେ ‘ୟା’ ପ୍ରୟୋଗ କରାଯାଉଥିଲା । ବଙ୍ଗଳାଭାଷାରେ ମଧ୍ୟ ସଟନଙ୍କ ଯଥେଷ୍ଟ ପ୍ରବେଶ ଥିଲା । ସେ ସମୟରେ ଯେଉଁ ଓଡ଼ିଆ ପୁସ୍ତକ ପାଦ୍ରୀମାନଙ୍କ ଦ୍ୱାରା ଲେଖାଯାଉ ଥିଲା ବଙ୍ଗଳାଭାଷାର ମାଧ୍ୟମ ଦେଇ ହିଁ ସେଗୁଡ଼ିକ ଓଡ଼ିଆଭାଷାରେ ଅନୂଦିତ ହେଉଥିଲା କହିଲେ ଚଳେ । ଓଡ଼ିଆ ଓ ବଙ୍ଗଳା ଭାଷା ମଧ୍ୟରେ ଥିବା କେତେକ ବିଶିଷ୍ଟ ସାଦୃଶ୍ୟ ଓ ବୈସାଦୃଶ୍ୟକୁ ସେ ଚତୁରତାର ସହିତ ଅନୁଶୀଳନ କରଥିଲେ । ସଂସ୍କୃତିଭାଷା ଏ ଦୁଇ ଭାଷାର ଜନନୀ (origin) ବୋଲି ସେ ଆପଣର ବ୍ୟାକରଣ ଓ ଅଭିଧାନଗ୍ରନ୍ଥର ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି । (୧୭) ମାତ୍ର ଓଡ଼ିଆ ଓ ବଙ୍ଗଳାଭାଷାର ଅନେକ ସ୍ଥଳରେ ଉଚ୍ଚାରଣ ଓ ଅର୍ଥଗତ ସାଦୃଶ୍ୟ ସତ୍ତ୍ୱେ ବି ଓଡ଼ିଆଭାଷାର ଏକ ନିର୍ମଳ ଶବ୍ଦକୋଷ ସଂକଳନ କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲା ପରି ମନେହୁଏ । ଅଭିଧାନ ପ୍ରଥମ ଖଣ୍ଡରେ ଉଲ୍ଲେଖ ରହିଛି ।

 

As the proudest Oriya objects not the words derived from the source, their employment would gradually tend to innnchcloses approximation between Bengali and Oriya then new exist. This consideration has influenced the writer in all his biblical translation and original composition and he thinks the principles should be contended to all writings in the Oriya language.(୧୮)

 

ପୁନଶ୍ଚ ଓଡ଼ିଆ ଓ ବଙ୍ଗଳାଭାଷାର କେତେକ ସାଧାରଣ ଉଚ୍ଚାରଣଗତ ପାର୍ଥକ୍ୟ ସଂପର୍କରେ ସେ ଯଥେଷ୍ଟ ସଚେତନ ଥିଲେ । ସେ ଲେଖିଛନ୍ତି-The most obvious distinction is that while the Benglees effect adental pronounciation the Oriya are enclined to a lingual. ନ. is very frequently changed for ଣ, ଢ for ଡ଼, ଳ as for ଲ as for ଆପଣ, କେଡ଼େ, ବେଳ etc.

 

The Bengali Vowels ri, ri', li' became Oriya ru, ru' and innumeberless cases where the inherent Vowel is Bengli is suppressed it is fully ennuciciated in Oriya. । (୧୯)

 

୧୭.

Preface Vol.I 1841

 

 

୧୮.

Ibid

 

 

୧୯.

ଡାକ୍ତର ସଟନ ଓଡ଼ିଶାକୁ ଆସିବା ପରେ କେରୀଙ୍କ ଓଡ଼ିଆ ଅନୁବାଦକୁ ସଂଶୋଧନ କଲେ । ଏହା ଓଡ଼ିଆ ବାଇବେଲର ପ୍ରଥମ ସଂଶୋଧନ କାର୍ଯ୍ୟ । କଟକରେ ସଂଶୋଧନ କଲେ । ଏହା ଓଡ଼ିଆ ବାଇବେଲର ପ୍ରଥମ ସଂଶୋଧନ କାର୍ଯ୍ୟ । କଟକରେ ବାଇବେଲ ସଂଶୋଧନ କରି ଶ୍ରୀରାମପୁର ଛାପାଖାନାକୁ ପଠେଇବାକୁ ପଡ଼ୁଥିବାର ନାନା ଅସୁବିଧା ପୁଣି କାର୍ଯ୍ୟରେ ବିଳମ୍ବ ଘଟୁଥିବାରୁ ସଟନ୍‌ସାହେବ ହୋମ କଂମ୍ପାନୀକୁ ଲେଖି ଓଡ଼ିଶାରେ ମିସନ୍ ପ୍ରେସ୍ ସ୍ଥାପନ କରାଇଲେ ।

 

ପ୍ରକାଶ ଥାଉକି ରେଭେରେଣ୍ଡ କେରୀଙ୍କ ଉଦ୍ୟମରେ ଓଡ଼ିଆଭାଷାରେ ମୁଦ୍ରିତ ପ୍ରଥମ ବାଇବେଲକୁ ଆସମ୍ ସଟନ ହିଁ ସଂଶୋଧନ କରିଥିଲେ ଏବଂ ତାଙ୍କର ଉଦ୍ୟମରେ ହିଁ ଓଡ଼ିଶାରେ ‘ମିସନ ପ୍ରେସ’ କଟକରେ ୧୮୩୮ ସାଲରେ ସ୍ଥାପିତ ହେଇଥିଲା କେବଳ ସେତିକି ନୁହେଁ ସଂସ୍କୃତର ‘ବତ୍ରିଶ ସିଂହାସନ’ ୧୮୫୦ ‘ଗୀତଗୋବିନ୍ଦ’ ୧୮୪୦ ‘ଅମରକୋଷ’ ୧୮୪୫ ପୁସ୍ତକଗୁଡ଼ିକ ମଧ୍ୟ ସେ ଅନୁବାଦ କରିଥିବାର ଜଣାଯାଏ, ଓଡ଼ିଆଭାଷା ପ୍ରତି ତାଙ୍କର ଯଥେଷ୍ଟ ଅନୁରକ୍ତି ଥିଲା ଏବଂ ଓଡ଼ିଆବ୍ୟାକରଣ ଓ ଅଭିଧାନ ଏହି ଅନୁରକ୍ତିର ପ୍ରତ୍ୟକ୍ଷ ଫଳ ।

 

ମୁଖତଃ ଇଂରାଜୀ ଅଭିଧାନର ଅନୁସରଣରେ ‘ଓଡ଼ିଆ ଅଭିଧାନ’ର ଶବ୍ଦଗୁଡ଼ିକ ବର୍ଣ୍ଣନାନୁକ୍ରମରେ ସଜ୍ଜିତ ହୋଇଥିଲେ ସୁଦ୍ଧା, ଶବ୍ଦଗୁଡ଼ିକର ପଦପ୍ରକରଣ ଏବଂ ସେଗୁଡ଼ିକର ଉତ୍ପତ୍ତିତତ୍ତ୍ୱ ସମ୍ପର୍କରେ ଆଦୌ କିଛି ଉଲ୍ଲେଖ କରାଯାଇ ନାହିଁ । ପଣ୍ଡିତ ଭୁବନାନନ୍ଦ ତାଙ୍କୁ ଅଭିଧାନ ସଂକଳନ କ୍ଷେତ୍ରରେ ସାହାଯ୍ୟ କରୁଥିଲେ ଏବଂ ସଂକଳନ ନିଜେ ଜଣେ ବୈୟାକରଣିକ ଥିବା ସତ୍ତ୍ୱେ ଅଭିଧାନର ଏହି ଗୁରୁତ୍ୱପୂର୍ଣ୍ଣ ଦିଗଟିକୁ ସେ କେଉଁ କାରଣରୁ ନିଘା ଦେଇ ନାହାଁନ୍ତି ତାହା ଜଣାପଡ଼େ ନା । ପୁଣି ଅନେକ ଶବ୍ଦ ଓ ସେଗୁଡ଼ିକର ଅର୍ଥ ଯେଉଁପରି ହସ୍ୟୋଦ୍ଦୀପକ ସେହିପରି ବୈଚିତ୍ର୍ୟମଣ୍ଡିତ । ଏହି ବୈଚିତ୍ର୍ୟ ଆଞ୍ଚଳିକ ବା କଲୋକାଲ (colloqual) ଶବ୍ଦଗୁଡ଼ିକ କ୍ଷେତ୍ରରେ ବିଶେଷ ଭାବରେ ଲକ୍ଷ୍ୟ କରାଯାଏ । ଏହା ବୋଧହେବା ମଧ୍ୟ ନିହାତି ସ୍ୱାଭାବିକ । କାରଣ ଲିଖିତ ଭାଷା ବିଭିନ୍ନ କାରଣରୁ ଲୋକମୁଖରେ ନାନା ବାଗରେ ପରିବର୍ତ୍ତିତ ହୁଏ ଏବଂ ଏ ପରିବର୍ତ୍ତନ ଭାଷାର ଏକ ସ୍ୱାଭାବିକ ଲକ୍ଷଣ । ସେ ସମୟରେ ଜନସାଧାରଣଙ୍କ ମଧ୍ୟରେ କଥିତ ଶବ୍ଦ ଏବଂ ସେଗୁଡ଼ିକର ଅର୍ଥ ହିଁ ଅଭିଧାନରେ ସ୍ଥାନ ପାଇଥିବ । ଏହି ପରିବର୍ତ୍ତିତ ରୀତିକୁ ବିଚାର କରିବାକୁ ଗଲେ, ବିଭିନ୍ନ ସମୟରେ ସଂକଳିତ ଅଭିଧାନଗୁଡ଼ିକରୁ ଶବ୍ଦଗୁଡ଼ିକର ସମସାମୟିକ କଥିତଭଙ୍ଗୀ ସମ୍ପର୍କରେ ନାନା ଜଣା ପଡ଼ିଥାଏ । ତେବେ ସଟନ୍‌ଙ୍କ ଅଭିଧାନରେ ସଂକଳିତ ଶବ୍ଦଗୁଡ଼ିକ ମଧ୍ୟରୁ ଶତକଡ଼ା ଅଶୀଭାଗ ତଦ୍ଭବ ଓ ତତ୍‌ସମ ଶବ୍ଦକୁ ବାଦ୍‍ ଦେଇ କେତେଗୁଡ଼ିଏ ଦେଶଜ ଶବ୍ଦଗୁଡ଼ିକର ଉଦାହରଣ ଆଧାରରେ ଓଡ଼ିଆଭାଷାର ପ୍ରଥମ ଅଭିଧାନର ବୈଚିତ୍ର ଲକ୍ଷ୍ୟ କରାଯାଇ ପାରେ ।

 

ଅକରାକରା-କଫକତୁରୀ

 

ତଡ଼ବଡ଼-ଜଡ଼ବଡ଼, ଝଟତି, ଶୀଘ୍ର

ଅଗବଧୂ- ଗଣିକାରିକା

 

ତଲୁଆରୀ-ତଲୁଆର

ଆଞ୍ଚ-ଉତ୍ତାପ ଦୋଷ, ଅପରାଧ, କ୍ଳେଶ

 

ଦଲଦଲ-ଢଲ୍‌ଢଲ୍

ଆଇଁଷାଣିଆଁ-ଆଇଁଷଗନ୍ଧ, ଆଇଂଷ୍ୟା

 

ଦଳନ-କୋଠ, ବାରଣ୍ଡା

ଓଧ-ଅଧୁଅ, ଜଣିବିରାଡ଼ି

 

ଧାରଣ-ଧରାଟ

କଚାଳ-ଚିଟାବିବାଦ, କଳହ

 

ନିଶାଣି-ଚିହ୍ନ, ଦାଗ, ଶୁଣ

କଚା-ଧୌତ, ଧୂଆ, କାଚିୟା

 

ନେଞ୍ଜରା-ଅଝାଟୁଆ, ଅଲାବିଲା

କଚ- ବାଳ, କେଶ

 

ପଚପଚିୟା-ନଦନଦିଆ

କଲମରୋଶ-ଦାଢ଼ୁଆଛୁରୀ

 

ପଘା-ଗୋରୁବନ୍ଧା ଦୌଡ଼ି

କଲମଦାନ-କଲମ ରଖିବା ପାତ୍ର

 

ଫଟୀ-ସେଣ୍ଟି, ସେଂଟି

କୁଆଖୋଇ-ଝଗଡ଼ା ଝାଂଣ୍ଟି, ମରାମରି,

କାମୁଡ଼ା କାମୁଡ଼ି

 

ଭଟ୍ଟ-ଯୋଦ୍ଧା

ଖେଁତ ଖେଁତ୍‌ - ନାକରେ କାନ୍ଦିବାର

 

ମସୁଧା-ବିଚାର, ପରାମର୍ଶ, ମୁସାବିଦା

ଖେଚଡ଼-ଖଚର, ଖେଁଚଡ଼ା

 

ରଙ୍ଗଶାଲା-ନାଚଘର

ଚଲି-କ୍ରୋଧ କି ରାଗ କି କୋଷ କରି

 

ରଙ୍ଗିୟା-ନକୁଲିୟା, ରଙ୍ଗଚଙ୍ଗିୟା, ଲାଲୁଆ

ଚମଦଲା-ଚର୍ମରୋଗ

 

ରିଝାନ- ରିଝାଇବାର, ହର୍ଷ କି ଆନନ୍ଦିତ କରିବାର

ଛଇଲା-ଛବିଲା, ନାଗର, ରସିକ

 

ଋଁଆ-ଋମ, ଲୋମ

ଛଉ-ଛେଲି

 

ଲକ୍‌ ଲକ୍‌-ନକ୍‌ନକ୍‌, ଦୋହଲିବାର, ଅନ୍ନାଦି

ପାକବିଶେଷ

ଛେଲି-ଛାଗଲ, ଅଜା

 

ବଗଡ଼-ବେଧପିଲା, ଖେଚଡ଼

ଟଳ ଟଳ-ଟଳା ଟଳି; ଟହଲ,

ଟିକି-ଟିକି ଟେକା

 

ବିଆ-ବିୟା, ଯୋନି, ଭଗ

ଟେଳଟେଳା-ଡୋଳା ଡୋଳା

 

ବିଆଇବାର-ବ୍ୟାୟିବାର, ଉପୁଜାଇବାର,

ଜନ୍ମ କି ଉପକାର କରିବାର

ଟୁଇଁବାର-ବଥ ଆଦି କ୍ଷତ କରିବାର

 

(ବିଆଜ-ବିଆଣ, ବିଆଣୀ, ବିଆଣିଆ ଆଦି

ଶବ୍ଦଗୁଡ଼ିକର ଅର୍ଥ ଦର୍ଶାଯାଇଛି ।)

ଢାଉ-ପେୟ

 

ହକିକତ-ବୃତ୍ତାନ୍ତ

ଡାକ-ଢିକା

 

ହିସ୍କା-ହିଂସା, ଅଂଶ, ଭାଗବଣ୍ଟା

ଢୋକା-ପିଅ, ଗିଳ, ଯେ ପାଣି ଆଦି

ୟେକା ଥରକେ ଗିଳଯାୟେ

 

ସେଣ୍ଟି-ଯୋନି ମଧ୍ୟସ୍ଥ ନାମଖ୍ୟାତ

ଢୋଳାଇ-ବୁହାଇବାର

 

ଶେଫ-ଲିଙ୍ଗ ।

ତଗାଦା-ତେଣ୍ଟା

 

 

 

*

ଜେନେରାଲ ବାପ୍‌ଟିଷ୍ଟ ମିସେନାରୀ ସୋସାଇଟିର ‘ଓଡ଼ିଶା ମିଶନ’ ନାମାନୁସାରେ ଏହି ପ୍ରେସର ନାମ ଓଡ଼ିଶା ମିଶନ ପ୍ରେସ ରଖାଗଲା । ୧୮୩୭ ସାଲରେ ଲେସୀ ସାହେବ ଇଂଲଣ୍ଡରୁ ଫେରିଲାବେଳେ ଗୋଟିଏ ଛାପାକଳ ସାଙ୍ଗରେ ଘେନି ଆସିଲେ । ସେ ସମୟରେ ଏହି କାର୍ଯ୍ୟ ଏତେ ଆଶ୍ଚର୍ଯ୍ୟଜନକବୋଧ ହୋଇଥିଲା ଯେ, ଅନେକ ବିଶିଷ୍ଟ ଲୋକ ଏହାକୁ ଦେଖିବାକୁ ଛାପାଖାନାକୁ ଆସୁଥିଲେ ।

ପୃ ୧୭୩/୭୭

 

 

ଓଡ଼ିଶାରେ ମିସନାରୀମାନଙ୍କ କାର୍ଯ୍ୟକଳାପ –ପ୍ରଫୁଲ ପାତ୍ର, କଟକ ମିଶନ ପ୍ରେସ ।

ଓଡ଼ିଆ ସାହିତ୍ୟର ଇତିହାସ-ଡଃ ନଟବର ସାମନ୍ତରାୟ –ପୃ୧୦୧

 

ଅ- ଯଥା: ଯେଉଁ ଶବ୍ଦ ପୂର୍ବରେ ୟେହାରା ସଂଯୋଗ ଥାୟେ ତାହାର ଅର୍ଥ ଅନ୍ୟଥ ଅର୍ଥାତ ଓଲଟା ହୋୟେ । ଯଥା ଅର୍ଥାତ କର୍ତ୍ତବ୍ୟ ନୋହେ । ଯେବେ ସ୍ୱର ଅଗ୍ରରେ ଥାୟେ ତେବେ ଅନ କିମ୍ବା ଅଣ ହୁଅଇ । ଅନନ୍ତ ଅନୌକ୍ୟ ଇତ୍ୟାଦି ।

 

କ.

ଓଡ଼ିଶାଭାଷାରେ ଉଚ୍ଚାରିତ ଅ, ଆ ଓ ଏ ଓ ସ୍ୱରକୁ ୟ, ୟା, ୟେ ଭାବରେ ଉଲ୍ଲେଖ କରାଯାଇଛି । ଅବଶ୍ୟ ସାରଳାଙ୍କ ମହାଭାରତ ଓ ମାଦଳାପାଞ୍ଜି ଆଦି ଗ୍ରନ୍ଥଗୁଡ଼ିକରେ ଭାଷାର ଏ ଜାତୀୟ ପ୍ରଯୋଗ ରହିଛି । ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ କାବ୍ୟରେ ଆ’ ବର୍ଣ୍ଣ ୟା’ ଭାବରେ ବ୍ୟବହୃତ ହୋଇଛି । ସଟନଙ୍କ ଅଭିଧାନରେ ଓଡ଼ିୟା, ଥାୟେ, ହୋୟେ, ପଚପଚୟା, ନନ୍ଦନଦୀୟା, ଦିୟା, ବ୍ୟାୟିବାର, କାଇୟା, ଶୟେ ଇତ୍ୟାଦି ଶବ୍ଦଗୁଡ଼ିକ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ।

 

 

ଖ.

‘ରୁ’ କୁ ‘ଋ’ ଭାବରେ ଉଲ୍ଲେଖ କରାଯାଇଛି ।

ଗୋଋ, ସାଋ, ଋମ, ଋଆଁ; ତଋଆରୀ, ହୁଋଡ଼ା ଇତ୍ୟାଦି ।

 

 

ଗ.

‘ଳ’ ସ୍ଥାନରେ ‘ଲ’ ର ବହୁଳ ପ୍ରୟୋଗ । ଚମଦଲା, ଚାଟଶାଳୀ, ଛଇଲା; ଛେଲୀ, ରଙ୍ଗଶାଲା, ଛାଗଲ, ଚୋଲାଇ ଇତ୍ୟାଦି

 

 

ଘ.

କେତେକ ସ୍ଥଳରେ ଚନ୍ଦ୍ରବିନ୍ଦୁ (ଁ) ଅନୁସାର (ଂ) ପ୍ରୟୋଗ ରହିଛି । ଯେଉଁ, ଟୁଇଂବାର, ଆଇଂଷ, ଆଁଇଁଷାଣିଆ, ଆଂଚ, ଆଂଘୁଁ, ଆରଠାଋଂ ଆଇଁଷ୍ୟା ଇତ୍ୟାଦି ।

 

 

 

ଅନେକ ଶବ୍ଦର ଅର୍ଥ ସ୍ପଷ୍ଟ ହୁଏନି, ଏତଦ୍ ବ୍ୟତୀତ କେତେକ ଶବ୍ଦର ଭୁଲ ଅର୍ଥ ମଧ୍ୟ ଉଲ୍ଲେଖ କରାଯାଇଛି ଯଥା:

 

ଅନ୍ଧୁଣୀ-କାଣୀ

କାଣୀ-ଅନ୍ଧୁଣୀ

ଉପତ୍ୟକା- ପାହାଡ଼ତଳ ଇତ୍ୟାଦି ।

 

ଏତଦ୍‌ବ୍ୟତୀତ ଅନେକ ହିନ୍ଦୀ (ରିଝାନ, ହିସ୍ନା) ବଙ୍ଗଳା, ଫାର୍ଶୀ, ଉର୍ଦ୍ଦୁ (କକିକତ) ଦ୍ରାବିଡ଼ ଶବ୍ଦ ମଧ୍ୟ ଅଭିଧାନରେ ସ୍ଥାନ ପାଇଛି । ମାତ୍ର ଶବ୍ଦଗୁଡ଼ିକ ସମ୍ପର୍କରେ କିଛି ନିର୍ଦ୍ଦେଶ ଦିଆଯାଇ ନାହିଁ-। ପୁନଶ୍ଚ କେତେକ ଶବ୍ଦର ଆଞ୍ଚଳିକ ପ୍ରୟୋଗ ଏପରି ଭାବରେ କରାଯାଇଛି ଯେ ସେଗୁଡ଼ିକ ଅର୍ଥ ସହଜରେ ବୁଝା ପଡ଼େନା । ଓଡ଼ିଆ ବଙ୍ଗଳା ଭାଷାର କେତେକ ଆଖିଦୃଶିଆ ପାର୍ଥକ୍ୟ ସମ୍ପର୍କରେ ନିଜେ ସଂକଳନ ଅଭିଧାନର ପ୍ରଥମ ଖଣ୍ଡରେ ଉଲ୍ଲେଖ କରିଥିଲେ ସୁଦ୍ଧା ଓଡ଼ିଆରେ ‘ଳ’ ବର୍ଣ୍ଣରେ ଉଚ୍ଚାରିତ ହେଉଥିବା ଅନେକ ଶବ୍ଦଗୁଡ଼ିକରେ ‘ଲ’ର ପ୍ରୟୋଗ ଲକ୍ଷ୍ୟ କରାଯାଏ । ‘ଆ’ ସ୍ଥାନରେ ‘ୟା’ ର ଉଲ୍ଲେଖ ମଧ୍ୟ ବଙ୍ଗଳାଭାଷାର ଉଚ୍ଚାରଣର ପ୍ରଭାବର ଫଳ । ପୁନଶ୍ଚ ‘ରୁ’ ସ୍ଥାନରେ ‘ଋ’ ର ବହୁଳ ପ୍ରୟୋଗ ରହିଛି । ପ୍ରାଚୀନ ତାଳପତ୍ର ପୋଥିଗୁଡ଼ିକରେ ଲିଖନର ସୁବିଧା ଦୃଷ୍ଟିରୁ ଏପରି କରାଯାଉଥିଲା । ସଂକଳକ କେଉଁଥିପାଇଁ ଏପରି କରିଛନ୍ତି ଠିକ୍ ଭାବରେ ବୁଝା ପଡ଼େନା । ସମ୍ଭବତଃ ଧ୍ୱନିତତ୍ତ୍ୱ ବିଚାରଣାରେ ସେ ଏପରି କରିଛନ୍ତି । ଓଡ଼ିଆରେ ‘ଋ’ ରୁ ପରି ଉଚ୍ଚାରିତ ହେଉଥିଲା ପରି ହ୍ରସ୍ୱ ଇ, ଦୀର୍ଘ ଈ, ହ୍ରସ୍ୱ ଉ ଓ ଦୀର୍ଘ ଊ ରେ ଉଚ୍ଚାରଣରେ ସମାନ ସମସ୍ୟା ରହିଛି-। ଅବଶ୍ୟ ମୁଦ୍ରଣ ସମୟରେ ି, ୀ, ୂ ଆଦି ସଂକେତିକ ଚିହ୍ନଗୁଡ଼ିକ ବାରମ୍ବାର ଭାଙ୍ଗି ଯାଉଥିବାରୁ ସଂକଳକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି-। ମାତ୍ର ଶବ୍ଦଗୁଡ଼ିକର ଅର୍ଥ ବିଭ୍ରାଟ ହେବା ଦୃଷ୍ଟିରୁ ଧ୍ୱନିସାମ୍ୟ ଥିଲେ ବି ି, ୀ, ୁ, ୁ ଆଦି ଉଚ୍ଚାରଣର ସାଂକେତିକ ଚିହ୍ନଗୁଡ଼ିକର ଯାଦୃଚ୍ଛା ପ୍ରୟୋଗ କରିବାକୁ ସାହସ କରିନାହାନ୍ତି । ଓଡ଼ିଆଭାଷାରେ ଏପରି ଲିଖନ ଏକ ଅସମ୍ଭବ ବ୍ୟାପାର । ଧ୍ୱନିତତ୍ତ୍ୱ ଓ ଅର୍ଥତତ୍ତ୍ୱ ଦୃଷ୍ଟିରୁ ଗୁରୁ ବିପଦର ଆଶଙ୍କା ନ ଥିବାରୁ ସଂକଳକ ‘ରୁ’ କୁ ‘ଋ’ ଭାବରେ ଉଲ୍ଲେଖ କରିଥିବା ସମ୍ଭବ । ଦେଶଜ ଶବ୍ଦଗୁଡ଼ିକୁ ଉଲ୍ଲେଖ କରିବାରେ ସଂକଳକ ଲୋକମାନଙ୍କ କଥନ ଶୈଳୀ ଉପରେ ସମ୍ଭବତଃ ଅଧିକ ଗୁରୁତ୍ୱ ଦେଇଥିଲେ । ତେଣୁ ମହଣ ସ୍ଥାନରେ ମଅଣ, ଭଟ୍ଟ ସ୍ଥାନରେ ଭଟ, ପଚପଚିଆ-ପଚପଇୟା, ଆଇଁଷିଆ-ଆଇଂଷ୍ୟା, କରେଇ-କହ୍ରେଇ, ରଙ୍ଗିଆ-ରଙ୍ଗିୟା ଆଦି ପ୍ରୟୋଗ କରିଛନ୍ତି । ଏବେ ମଧ୍ୟ ଉଚାରଣ ଦୃଷ୍ଟିରୁ କେବଳ ସାଧାରଣ ଜନତା ହୁହେଁ, ବିଭିନ୍ନ ଅଞ୍ଚଳର ଶିକ୍ଷିତ ଲୋକମାନେ ନାନା ବାଗରେ ଧ୍ୱନିତତ୍ତ୍ୱର ନିୟମ ନ ମାନି ଶବ୍ଦ ଉଚ୍ଚାରଣ କରୁଥିବାର ଲକ୍ଷ୍ୟ କରାଯାଇଥାଏ । ତେଣୁ ସଟନଙ୍କ ଏ କେତେକ ବ୍ୟତ୍ରିକ୍ରମ ଦୋଷବହ ନୁହେଁ ବରଂ ନିହାତି ସ୍ୱାଭାବିକ । (୨୧)

 

୨୧.

In all cultivated languages, great diversity in the spelling of words prevails this is emphatically the case with Oriya, many words which are so variously written that one man usually finds great difficulty in reading the writing of another. It is manifest, therefore, that a primary step in the cultivation of the language must be an attempt to settle the anthography vol. II preface.

 

ବର୍ଣ୍ଣାନୁକ୍ରମିକ ଶବ୍ଦ ସଂଯୋଜନାରେ ମଧ୍ୟ ଅଭିଧାନରେ କେତେକ ବୈଶିଷ୍ଟ୍ୟ ଲକ୍ଷ୍ୟ କରାଯାଏ । ସେ ଆପଣାର ବ୍ୟାକରଣ ପୁସ୍ତକରେ ୧୬ଟି ସ୍ୱର ବର୍ଣ୍ଣର ନିର୍ଦ୍ଦେଶ କରିଛନ୍ତି । ଋ, ୡ, ଅଂ, ଅଃ ଏହାର ଅନ୍ତର୍ଗତ । ମାତ୍ର ଏସବୁ ବର୍ଣ୍ଣ ଆଦ୍ୟ ଶବ୍ଦଗୁଡ଼ିକ ଅଭିଧାନରେ ସ୍ଥାନ ପାଇନି । ଯେଉଁ କେତେକ ସ୍ୱର ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସ୍ଥାନ ପାଇଛି ସେଗୁଡ଼ିକ ମଧ୍ୟରୁ କେତେକର ଶବ୍ଦ ସଂଖ୍ୟା ଯଥେଷ୍ଟ କମ୍ । ‘ଇ’ ଏବଂ ‘ଈ’ ରେ ୧୨, ଉ, ଊ ରେ ୧୭, ଋ ରେ ୧୬, ଐରେ ୧୦ ଏବଂ ଔ ରେ ମାତ୍ର ୧୧ଟି ଶବ୍ଦ ସ୍ଥାନ ପାଇଛି । ଉଲ୍ଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ ପ୍ରାୟ ସମସ୍ତ ଶବ୍ଦ ସଂସ୍କୃତ । ଙ, ଞ୍ଜ, ଣ ଆଦି ଅନୁନାସିକ ବ୍ୟଂଜନବର୍ଣ୍ଣାଦ୍ୟ ଶବ୍ଦ । ଓଡ଼ିଆଭାଷାର ଅଭିଧାନରେ ଉକ୍ତ ବର୍ଣ୍ଣ ଗୁଡ଼ିକ ସମ୍ପର୍କରେ ଆଦୌ କିଛି ସୂଚନା ଦିଆଯାଇନି ।

 

‘ଲ’ ବର୍ଣ୍ଣ ପରେ ଅବର୍ଗ୍ୟ ‘ବ’ ବର୍ଣ୍ଣାଦ୍ୟ ଶବ୍ଦ ସ୍ଥାନ ପାଇନି । ସଂସ୍କୃତ ଓ ହିନ୍ଦୀ ଭାଷାରେ ଅବର୍ଗ୍ୟ ‘ବ’ ର ସ୍ୱତନ୍ତ୍ର ଉଚ୍ଚାରଣ ଓ ଲିଖନ ରହିଛି । ଓଡ଼ିଆଭାଷାରେ ଅବର୍ଗ୍ୟ ‘ବ’ ଆଦ୍ୟରେ ଥିବା କୌଣସି ଶବ୍ଦ ନ ଥିବାରୁ ସନଟ ଅବର୍ଗ୍ୟ ‘ବ’କୁ ଅଭିଧାନରେ ସ୍ୱତନ୍ତ୍ର ଭାବରେ ସ୍ଥାନ ଦେଇ ନାହାନ୍ତି-। ଅବଶ୍ୟ ଯୁକ୍ତ ବର୍ଣ୍ଣରେ ଅବର୍ଗ୍ୟ ‘ବ’ ର ଉଚ୍ଚାରଣରେ ଗୁରୁତ୍ୱ ଅନୁଭୂତ ହୋଇଥାଏ । ‘ଯ’ ବର୍ଣ୍ଣ ପରେ ର, ଲ ଏବଂ ସ, ହ ପରେ କ୍ଷ ଯୁକ୍ତ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସ୍ଥାନ ପାଇଛି । ଓଡ଼ିଆ ‘ଚଉତିଶା’ ଗୁଡ଼ିକରେ ‘କ୍ଷ’ ବର୍ଣ୍ଣକୁ କବିମାନେ ବର୍ଣ୍ଣମାଳାର ଶେଷବର୍ଣ୍ଣ ଭାବରେ ଗ୍ରହଣ କରୁଥିବାର ସଟନ ଆପଣା ଅଭିଧାନରେ ପ୍ରୋକ୍ତ ଧାରାକୁ ଅନୁସରଣ କରିଥିବା ସ୍ୱାଭାବିକ । ପରବର୍ତ୍ତୀ କାଳରେ ଅବଶ୍ୟ ଅଭିଧାନର ସଂକଳକମାନେ ‘କ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକର ଶେଷରେ ‘କ୍ଷ’ (କ୍‌+ଷ) ଆଦ୍ୟ ଶବ୍ଦଗୁଡ଼ିକ ସଂଯୋଜନ କରିଛନ୍ତି ।

 

ଅଭିଧାନର ପରିଶିଷ୍ଟରେ ସଂଖ୍ୟାଗୁଡ଼ିକ ଅକ୍ଷର ଏବଂ ଅଙ୍କରେ ଏବଂ ଅଙ୍କରେ ଲିଖିତ ହୋଇଛି । ଏକ ଠାରୁ ଏକଶହ ଏବଂ ଶହେ ଠାରୁ ଏକ ହଜାର, ଏକଲକ୍ଷ କ୍ରମରେ ମହା-ଅକ୍ଷୌହିଣୀ ପର୍ଯ୍ୟନ୍ତ ସଂଖ୍ୟାବାଚକ ଶବ୍ଦ ଏବଂ ଅକ୍ଷରରେ ମଧ୍ୟ ସେଗୁଡ଼ିକର ଉଲ୍ଲେଖ ରହିଛି । ଅଭିଧାନର ମୁଦ୍ରଣ ପରେ ପରେ ଯେଉଁ ଶବ୍ଦଗୁଡ଼ିକୁ ସେ ସଂଗ୍ରହ କରିଛନ୍ତି ଅଭିଧାନର ଶେଷଭାଗରେ ‘ନବତନ ଶବ୍ଦ ଛାଡ଼ପତ୍ର’ (୨୯୮ ପୃ) ଶିରୋନାମାରେ ସେଗୁଡ଼ିକୁ ମଧ୍ୟ ଅକ୍ଷରାନୁକ୍ରମରେ ପ୍ରକାଶ କରିଛନ୍ତି । ପୁନଶ୍ଚ ୨୯୯ ପୃଷ୍ଠାରେ ‘ଶବ୍ଦ ଧାରାର ଅଶୁଦ୍ଧ ଶୋଧନ ପତ୍ର’ ଶିରୋନାମାରେ ମଧ୍ୟ କେତେକ ଶବ୍ଦ ସ୍ଥାନ ପାଇଛି ।

 

ଅଶୁଦ୍ଧ

ଶୁଦ୍ଧ

ଅପକିର୍ତ୍ତି

ଅତ୍ପକୀର୍ତ୍ତି

କେଁ ଫୁଲ

କୈଁ ଫୁଲ

ଚୂର୍ବର

ଚୂର୍ବୂର

ତୃଶା

ତୃଷା ଇତ୍ୟାଦି ।

 

ଅଭିଧାନର ଶେଷ ପୃଷ୍ଠାରେ ସଂକଳକ ଆପଣାର ଗୁଣିଜନ ସୁଲଭ ଦୀନତା ପ୍ରକାଶ କରିବାକୁ ଯାଇଁ ‘‘ନବତନ ଶବ୍ଦର ଛାଡ଼ପତ୍ର’’ ଏବଂ ପ୍ରତିଶବ୍ଦର ଅଶୁଦ୍ଧ ସଂଶୋଧନ ପତ୍ରରେ ଶବ୍ଦ ମାନଙ୍କର ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ପ୍ରତି ଶବ୍ଦର ଆଉ କୌଣସି ଅକ୍ଷର ଯେବେ ଅଶୁଦ୍ଧ ଥାୟେ, ତେବେ ସୁଜନମାନେ ଅନୁଗ୍ରହ କରି ଶବ୍ଦର ଧାରାନୁକ୍ରମେ ତାହା ଶୁଦ୍ଧ କରିବେ । (୩୦୦) ବୋଲି ଉଲ୍ଲେଖ କରିଛନ୍ତି ।

 

ଜଣେ ଅଣଓଡ଼ିଆ ବ୍ୟକ୍ତି ଓଡ଼ିଆ ପଣ୍ଡିତଙ୍କ ସହାୟତାରେ ଭାଷାର ଏକ ଅଭିଦାନ ପ୍ରସ୍‌ତୁତ କରିବା ପାଇଁ ପଦକ୍ଷେପ ନେଇଥିଲେ ସେଥିପାଇଁ ସାହିତ୍ୟ ଓ ଭାଷାର ଇତିହାସରେ ସେ ଚିରସ୍ମରଣୀୟ ହୋଇ ରହିବେ । ଯେକୌଣସି କାର୍ଯ୍ୟର ପ୍ରାଥମିକ ଉଦ୍ୟମରେ କେତେକ ତ୍ରୁଟି ରହିବାହିଁ ସ୍ୱାଭାବିକ ।

 

ଏବର ଓଡ଼ିଆଭାଷାର କଥିତ ଓ ଲିଖିତ ରୂପର ମାନଦଣ୍ଡରେ ବିଚାର ନ କରି ପ୍ରାୟ ଦୀର୍ଘ ଏକଶହ ଚାଳିଶି ବର୍ଷ ତଳେ ଓଡ଼ିଆଭାଷାର ସ୍ୱରୂପ ସଂପର୍କରେ ସଚେତନ ହୋଇ ସଟନଙ୍କ ଅଭିଧାନର ଟିକିନିଖି ଭାଷା-ତାତ୍ତ୍ୱିକ ଅଧ୍ୟୟନ କଲେ ଅଭିଧାନର ମାନ ଓ ସ୍ୱରୂପ ସମ୍ପର୍କରେ ନାନା ତଥ୍ୟ ଉଦ୍‌ଘାଟିତ ହୋଇପାରିବ ।

 

କେବଳ ସେତିକି ନୁହେଁ, ସେ ସମୟର ଲିଖିତ ଓ କଥିତ ଓଡ଼ିଆ ଆଞ୍ଚଳିକ ତତ୍‌ସମ, ତଦ୍‌ଭବ ଓ ବିଦେଶୀଭାଷା ସମ୍ପର୍କରେ ନାନା ତଥ୍ୟ ଜାଣିବା ସହଜ ଓ ସମ୍ଭବ ହୋଇ ପାରିବ ! ଏତଦ୍‌ବ୍ୟତୀତ ଶବ୍ଦ ସଂଗ୍ରହ ଓ ଶବ୍ଦଗୁଡ଼ିକର ଅର୍ଥ ନିର୍ଦ୍ଦେଶ କ୍ଷେତ୍ରରେ ପଣ୍ଡିତ ଭୁବନାନନ୍ଦଙ୍କ ଅବଦାନକୁ ଅସ୍ୱୀକାର କରାଯାଇ ନପାରେ । (୨୨) ସମ୍ଭବତଃ ସଟନ ସାହେବଙ୍କ ସଂକଳିତ ଅଭିଧାନର ସେ ଥିଲେ ଚାବିକାଠି ସଦୃଶ ।

 

୨୨.

In the preparation of the volume, the writer's man has been to furnish his pandit with a list of words to be defined. Similar to that which forms the basis of the Anglo-Oriya dictionary, leaving him supply the definition is: in his own style and insert any additional words that he might recollect.

 

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ପଞ୍ଚାୟତ କଲେଜ, ବରଗଡ଼

ସମ୍ବଲପୁର

***

 

ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତ ରଚନାର ପରମ୍ପରା

(ବୈଦିକ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ)

ଡକ୍ଟର ଶ୍ରୀ ଗଙ୍ଗାଧର ବଳ

 

ଗୋପାଳକୃଷ୍ଣ ଚଉତିଶା, କୋଇଲି, ବୋଲି, ବଚନିକା, ଚିଟାଉ, ଅଷ୍ଟକ, ଚତୁଷ୍ପଦୀ, ଛାନ୍ଦ ଓ ବିରୁଦ ପ୍ରଭୃତି ନାନା ସାହିତ୍ୟ ରୂପରେ ଅଭିବ୍ୟକ୍ତିରେ ନିଜର ଶ୍ରମ ଓ ଶକ୍ତିର ବିନିଯୋଗ କରିଥିଲେ ମଧ୍ୟ ରାଧାକୃଷ୍ଣ ମଧୁର ପ୍ରେମଲୀଳା, ବାତ୍ସଲ୍ୟଭାବ, ଉକ୍ତି ଓ ଗ୍ରାମ୍ୟରସ ସମ୍ପର୍କିତ ସଙ୍ଗୀତ ବା ଚଉପଦୀ ଗୁଡ଼ିକରେ ତାଙ୍କର ପ୍ରତିଭାର ଅମଳିନ ସ୍ୱାକ୍ଷର ରହିଛି । ଭାବ ତଥା ରସାନୁରୂପ ନାନାବିଧ ରାଗରାଗିଣୀ ଓ ତାଳର ନିର୍ଦ୍ଦେଶରୁ କବିଙ୍କର ନାନାବିଧି କାବ୍ୟ ଓ ଶାସ୍ତ୍ରଜ୍ଞାନ ସହିତ ସଙ୍ଗୀତ ଶାସ୍ତ୍ରରେ କବିସୂର୍ଯ୍ୟ ବଳଦେବଙ୍କ ପରି ଯେ ଅସାଧାରଣ ପ୍ରବେଶ ଥିଲା ଏଥିରେ ଦ୍ୱି ମତ ନାହିଁ । ଭାରତରେ ବିଖ୍ୟାତ କବି, ଗୀତିକାର ଓ ସଙ୍ଗୀତଜ୍ଞଙ୍କ ପଛରେ ସାହିତ୍ୟ ଓ ସଙ୍ଗୀତଶାସ୍ତ୍ରର ତଥା ସୃଷ୍ଟିର ଯେଉଁ ଉଜ୍ଜସ୍ୱଳ ପରମ୍ପରା ରହିଛି, କବି ଗୋପାଳକୃଷ୍ଣ ସେହି ପରମ୍ପରାର ଅନ୍ୟତମ ଯୋଗ୍ୟ ଦାୟାଦ କହିଲେ ଅତ୍ୟୁକ୍ତି ହେବ ନାହିଁ । କବିଙ୍କର ସୃଷ୍ଟିର ସ୍ୱାଦ ଓ ଯଥାର୍ଥ ମୂଲ୍ୟାୟନ ନିମିତ୍ତ ତା’ର ପୃଷ୍ଟଭୂମି ରୂପେ ଭାରତୀୟ ସଙ୍ଗୀତ ଶାସ୍ତ୍ର ଓ ସଙ୍ଗୀତ (ପଦ, ଗୀତ, ଗାନ) ରଚନାର ପରମ୍ପରା ସମ୍ପର୍କରେ ସୂଚନା ଦେବା ପ୍ରୟୋଜନ ମନେହୁଏ ।

 

: ପଞ୍ଚମ ବେଦ :

ଭାରତୀୟ ସଂଙ୍ଗୀତ ବେଦ-ସମ୍ଭୁତ ଓ ବେଦ ପରି ଅପୌରୁଷେୟ । ଏହାକୁ ପଞ୍ଚମବେଦ ବୋଲି କୁହାଯାଏ । ଶାର୍ଙ୍ଗଦେବଙ୍କର ‘ସଙ୍ଗୀତ ରତ୍ନକର’ର ଟୀକାକାର କଲ୍ଲିନାଥ (୧୪ଶତକ) କହିଛନ୍ତି--

 

‘‘ସାମବେଦାଦିତଂ ଗୀତଂ ସଂଜଗ୍ରାହ ପିତା ମହଃ’’

 

ଅର୍ଥାତ ପିତାମହ ବ୍ରହ୍ମା ୠକ୍‌, ସାମ, ଯଦୁଃ ଓ ଅଥର୍ବ ଏହି ଚାରିବେଦରୁ ସାଙ୍ଗୀତିକ ଉପାଦାନ ସଂଗ୍ରହ କରି ପଞ୍ଚମବେଦ ରୂପକ ସଙ୍ଗୀତର (ମାର୍ଗ ଓ ଦେଶୀ ) ପ୍ରଚାର କଲେ (୧) ।

 

ଶ୍ରୀ ହରେକୃଷ୍ଣ ମୁଖୋପାଧ୍ୟୟ, କବି ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ, ୪ର୍ଥ ସଂ , ୧୩୭୨ ସାଲ, ମୁଖବନ୍ଧ, ପୃ--୬୬-୬୭

 

ଭାରତୀୟ ସଙ୍ଗୀତର ଦୁଇଟି ରୂପ, ଯଥା-ମାର୍ଗ ଓ ଦେଶୀ । ଏହା ପୂର୍ବରୁ ଗାନ୍ଧର୍ବ ସଙ୍ଗୀତର ପ୍ରଚଳନ ଭାରତରେ ଥିଲା । ଆଚାର୍ଯ୍ୟ ଭରତ ଓ ମତଙ୍ଗ ପ୍ରଭୃତି ୠଷି ମାର୍ଗ ଓ ଦେଶୀ ସଙ୍ଗୀତର ଅନୁଶୀଳନ କରି ତା’ର ପ୍ରଚାର କରିଥିଲେ । ଆଚାର୍ଯ୍ୟ ମତଙ୍ଗ ତାଙ୍କର ସଙ୍ଗୀତଶାସ୍ତ୍ର ସମ୍ପର୍କୀୟ ଗ୍ରନ୍ଥ ‘ବୃହଦ୍ଦେଶୀ’ ରେ କହିଛନ୍ତି-

 

ଆଳାପାଦି ସନ୍ନିବଦ୍ଧୋ ଯଃ ସ ମାର୍ଗ ପ୍ରକୀର୍ତ୍ତିତଃ ।

ଆଳାପାଦି ବିହୀନସ୍ତୁ ସ ଚ ଦେଶୀ ପ୍ରକୀର୍ତ୍ତିତ ।।

 

ଅର୍ଥାତ୍‌ ଆଳାପାଦି ବିଧି ସମ୍ମତ ଓ ବିଭିନ୍ନ ଧାତୁ ବା ପଦ ସମନ୍ନ୍ୱିତ ସଂଗୀତର ନାମ ମାର୍ଗ-ସଂଗୀତ । ଯେଉଁ ସଂଗୀତରେ ଏ ସବୁ ଆଳାପାଦିର ନିୟମ ନାହିଁ, ଯାହା ସ୍ୱଚ୍ଛନ୍ଦରେ ଆନନ୍ଦରେ ସର୍ବସାଧାରଣଙ୍କ ଦ୍ୱାରା ଗାନ କରାଯାଏ, ତାହା ଦେଶୀ ସଂଗୀତ ।

 

: ସାମ :

‘ସାମବେଦ’ ଭାରତୀୟ ସଂଗୀତର ଆଦି ଉତ୍ସ । ଗୀତରୂପ ବେଦମନ୍ତ୍ରକୁ ‘ସାମ’ କୁହାଯାଏ-। ଜୈମିନି ୠଷି ‘ସାମ’ର ଲକ୍ଷଣ ସମ୍ପର୍କରେ କହିଛନ୍ତି-‘‘ଗୀତେଷୁ ସାମଖ୍ୟା’’, ଅର୍ଥାତ୍ ଗୀୟମାନ ମନ୍ତ୍ରର ନାମ ‘ସାମ’ । ପୁଣି ଜୈମିନୀୟ ‘ମୀମାଂସା ସୂତ୍ର’ରେ ରହିଛି ଯେ ପାଦବନ୍ଧ ଓ ଅର୍ଥଯୁକ୍ତ ଛନ୍ଦୋବଦ୍ଧ ମନ୍ତ୍ରଗୁଡ଼ିକ ହେଉଛନ୍ତି ‘ରୁକ୍’, ଗୀତରୂପେ ରଚିତ ମନ୍ତ୍ରଗୁଡ଼ିକ ‘ସାମ’ ଏବଂ ଛନ୍ଦଃ ଓ ଗୀତ ବର୍ଜିତ ଗଦ୍ୟ ମନ୍ତ୍ରଗୁଡ଼ିକ ଯଜୁଃ (୨) ।

 

୨.

ପାଦବନ୍ଧେନାର୍ଥେନ ଚୋପେତାଃ ବୃତ୍ତବଦ୍ଧା ମନ୍ତ୍ରାଃ ଋଚଃ । ଗୀତିରୂପାଃ ମନ୍ତ୍ରାଃ ସାମାନି । ବୃତ୍ତଗୀତ ବର୍ଜିତ ତ୍ୱେନ ପ୍ରଶ୍ଳିଷ୍ଠ ପଠିତାଃ ମନ୍ତ୍ରାଃ ଯଜୁଂଷି ।

 

ସାମବେଦ (ସାୟଣଭାଷ୍ୟାନୁସାରେ ଅନୂଦିତ), ଅନୁ : ସ୍ୱାମୀ ଜଗଦୀଶ୍ୱରାନନ୍ଦ, ରାମକୃଷ୍ଣ ଧର୍ମଚକ୍ର, ବେଲଡ଼, ୧୩୬୬ ସାଲ, ଅବତରଣିକା, ପୃ.୧୯

 

ସାମବେଦରେ ସହସ୍ରପ୍ରକାର ଗୀତର ଉପାୟ ନିର୍ଦ୍ଦିଷ୍ଟ ହୋଇଛି । ଯଜ୍ଞରେ ‘ସାମ’ ମନ୍ତ୍ର ଦ୍ୱାରା ବେଦସ୍ତୁତି କରିବାକୁ ହୁଏ; ‘ସାମ’ ମନ୍ତ୍ର ୠକ୍ ମନ୍ତ୍ରର ସଂସ୍କାରକ । ସାମଗାନବିଧି ଓ ଭିନ୍ନ ଭିନ୍ନ ନାମ ଓ ଛନ୍ଦ ପ୍ରଭୃତିର ଆଲୋଚନା ସାୟଣାଚାର୍ଯ୍ୟକୃତ ସାମ ଭାଷ୍ୟର ଅନୁକ୍ରମଣିକାରେ ମିଳେ । ‘ଛନ୍ଦୋଗ୍ୟ’ ଓ ‘କେନ’ ଏହି ଦୁଇଟି ସାମବେଦର ପ୍ରଦାନ ଉପନିଷଦ ।

ସାମବେଦର ମନ୍ତ୍ରଗୁଡ଼ିକ ପ୍ରଧାନତଃ ଗାୟତ୍ରୀ, ତ୍ରିଷ୍ଟୁପ୍ ଓ ଜଗତୀ ଛନ୍ଦରେ ରଚିତ । ତିନି ମାତ୍ରାରେ ଉଚ୍ଚାରିତ ପ୍ଳୁତ ସ୍ୱର ଏଥିରେ ବାରମ୍ବାର ଦେଖାଯାଏ ।

ବେଦରେ ବୀଣା ପ୍ରଭୃତି ନାନାପ୍ରକାର ବାଦ୍ୟଯନ୍ତ୍ରର ଉଲ୍ଲେଖ ରହିଛି । ସେ ସବୁ ଯନ୍ତ୍ର ସାହାଯ୍ୟରେ ୠଷିମାନେ ବେଦମନ୍ତ୍ର ଗାନ କରୁଥିଲେ । ‘ସଙ୍ଗୀତ ରତ୍ନାକର’ର ଟୀକାକାର କଲ୍ଲିନାଥ ବୈଦିକ ଅଶ୍ୱମେଧଯଜ୍ଞରେ ବୀଣାବାଦକ ଓ ଗାୟକ ବ୍ରାହ୍ମଣ କଥା ଉଲ୍ଲେଖ କରିଛନ୍ତି । ସଂହିତା ଓ ପୁରାଣ ପ୍ରଭୃତିରେ ସାମ ସଙ୍ଗୀତର ପ୍ରତିଶବ୍ଦ ରୂପେ ଗାଥା, ଗାନ, ଉଦ୍‌ଗାନ,ସ୍ତୋମ ପ୍ରଭୃତି ଶବ୍ଦର ଉଲ୍ଲେଖ ରହିଛି ।

ବୈଦିକ ଯୁଗରେ ‘ସାମ’ ଗାୟକମାନେ ସମ୍ପ୍ରଦାୟ ଭେଦରେ କେହି କେହି ଚାରିସ୍ୱର, କେହି ପାଞ୍ଚସ୍ୱର, କେହି ଛ’ ବା କେହି କେହି ସପ୍ତସ୍ୱରର ବ୍ୟବହାର କରୁଥିଲେ । ସେ ସମୟରେ ସପ୍ତସ୍ୱରର ନାମ ଥିଲା : କ୍ରଷ୍ଟ, ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ମନ୍ତ୍ର ଓ ଅତିସ୍ୱାର୍ଯ୍ୟ । ସାୟଣାଚାର୍ଯ୍ୟ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ- ଏ ପ୍ରକାର ନାମକରଣ କରିଛନ୍ତି । ସାୟଣଙ୍କର ବହୁ ପୂର୍ବବର୍ତ୍ତୀ ନାରଦ ତାଙ୍କର ‘ଶିକ୍ଷା’ ଗ୍ରନ୍ଥରେ (ପରବର୍ତ୍ତୀ କାଳରେ ‘ଶିକ୍ଷା ସଂଗ୍ରହ’ ନାମରେ ପରିଚିତ ) ଷଡ଼ଜାଦି ସପ୍ତସ୍ୱରର କ୍ରମ ନିର୍ଦ୍ଦିଷ୍ଟ କରିଯାଇଛନ୍ତି, ଯଥା-

‘‘ଷଡ଼ଜଶ୍ଚ ୠଷଭଶ୍ଚ ଗାନ୍ଧାରୋ ମଧ୍ୟମ ସ୍ତଥା ।

ପଞ୍ଚମୋ ଧୈବତ ଶ୍ଚୈବ ନୀଷାଦଃ ସପ୍ତମ ସ୍ୱରଃ ।’’

ଭରତମୁନି ନାରଦ ପ୍ରଣୀତ ସଙ୍ଗୀତ ଶାସ୍ତ୍ରର ସଂଗ୍ରାହକ ।

ସଙ୍ଗୀତ ମକରନ୍ଦ :

ଭାରତୀୟ ସଙ୍ଗୀତର ତଥ୍ୟ ଓ ତତ୍ତ୍ୱ ବିଷୟରେ ଅନ୍ୟ ଏକ ପ୍ରମାଣିକ ଗ୍ରନ୍ଥର ନାମ ‘ସଙ୍ଗୀତ ମକରନ୍ଦ’ । ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଏହା ସଂକଳିତ ହୋଇଥିଲା । ଏ ଗ୍ରନ୍ଥର ପ୍ରଣେତା ହେଉଛନ୍ତି ନାରଦ ନାମଧାରୀ ଜଣେ ଅର୍ବାଚୀନ ଆଚାର୍ଯ୍ୟ । ତା’ ପରେ ପରେ ପ୍ରାୟ ହଜାରେ ବର୍ଷ ବ୍ୟବଧାନରେ ବହୁ ଆଚାର୍ଯ୍ୟ ଓ ଟୀକା-ଭାଷ୍ୟ-ପ୍ରଣେତା ଭାରତୀୟ ସଙ୍ଗୀତ ସମ୍ପର୍କରେ ଗଭୀର ଆଲୋଚନା କରି ଯାଇଛନ୍ତି । ସେମାନେ ସଙ୍ଗୀତର ଯେଉଁ-ପ୍ରତିରୂପ ଗଠନ କରିଯାଇ ଥିଲେ ଦ୍ୱାଦଶ ଶତକରେ ବିଶ୍ୱବିଖ୍ୟାତ କବି ଜୟଦେବଙ୍କର ‘ଶ୍ରୀ ଗୀତଗୋବିନ୍ଦ’ରେ ତା’ର ଉଜ୍ଜ୍ୱଳ ଆଲେଖ୍ୟ ରହିଛି (୩) ।

 

୩.

ଏକାଦଶ ଶତାବ୍ଦୀରେ ମଧ୍ୟରେ କ୍ଷେମେନ୍ଦ୍ର ତାଙ୍କର ‘ଦଶବତାର ଚରିତ’ରେ ପ୍ରାକୃତ (ଅପଭ୍ରଂଶ)ଛନ୍ଦରେ ରଚିତ ଦୁଇଟି ଉଲ୍ଲେଖ କରିଛନ୍ତି ।

 

ଡକ୍ଟର ସୁକୁମାର ସେନ, History of Brajabuli Literature, lst Edn,C.U, 1931, p.484.

 

 

ଜୟଦେବ ଓ ଗୀତଗୋବିନ୍ଦ :

ଜୟଦେବ ନିଜର ‘ଗୀତଗୋବିନ୍ଦ’କୁ ‘ପ୍ରବନ୍ଧ ସଙ୍ଗୀତ’ ବୋଲି କହିଛନ୍ତି । ପ୍ରବନ୍ଧ ଗୀତ ‘ନିବଦ୍ଧ’ (୪) ଗୀତର ଅନ୍ତର୍ଭୁକ୍ତ । ନିଷଦ୍ଧର ଅର୍ଥ ଧାତୁବଦ୍ଧଗାନ । ନିବଦ୍ଧଗୀତ ତିନି ପ୍ରକାର, ଯଥା-ଶୁଦ୍ଧ, ସାଲଗ (ଛାୟାଲଗ) ଓ ସଂକୀର୍ଣ୍ଣ ଅଥବା ପ୍ରବନ୍ଧ, ବସ୍ତୁ ଓ ରୂପକ । ‘ପ୍ରବନ୍ଧ’ ଗାନ (୫) ‘ଶୁଦ୍ଧ ଗୀତ‘ର (୬) ଅନ୍ତର୍ଭୁକ୍ତ ।

 

୪.

ସଙ୍ଗୀତ ଦୁଇପ୍ରକାର : ନିବଦ୍ଧ ଓ ଅନିବଦ୍ଧ

 

ନିବଦ୍ଧ :-

ବଦ୍ଧଂ ଧାତୁଭିରଙ୍ଗୈଶ୍ଚ ନିବଦ୍ଧ ମଭିଧୀୟତେ

ଶୁଦ୍ଧଂ ଛାୟାଲଗଂ କ୍ଷୁଦ୍ରମିତି ତଚ୍ଚ ତ୍ରିଧାମତମ୍ ।

(ସଙ୍ଗୀତ ନାରାୟଣ)

Image

୫.

ପ୍ରବନ୍ଧ :-

ନିବିଦ୍ଧଃ ଷଡ଼୍‌ଭିରଙ୍ଗୈଶ୍ଚ ଚତୁର୍ଭିଧାତୁଭିଶ୍ଚ ଯଃ ।

ସ୍ୱରୋଘଃ ସ ପ୍ରବନ୍ଧସ୍ୟାତ୍‌ ଇତ୍ୟୁକ୍ତଂ ତକ୍ରକାନିତୁ ।।

ଷଡ଼ଙ୍ଗାନୀତି ଚେତ୍‌ବ୍ରୂମଃ ସ୍ୱରଶ୍ଚ ବିରୁଦଂ ପଦମ୍ ।

ତେନକ ପାଟ ତାଳୌ ଚେତ୍ୟେତାନଙ୍ଗାନି ଷଟ୍ ପୁନଃ ।।

(ଚତୁର୍ଦ୍ଦଣ୍ଡୀ ପ୍ରକାଶିକା)

 

 

୬.

ଶୁଦ୍ଧ :-

ଅଳାପୈର୍ଧାତୁଭିଶ୍ଚାଙ୍ଗୈ ସଂଯୁକ୍ତଂ ଶୁଦ୍ଧ ମୁଚ୍ୟତେ

(ସଙ୍ଗୀତ ନାରାୟଣ)

 

ଶୁଦ୍ଧ ବା ପ୍ରବନ୍ଧଗୀତର ଚାରିଧାତୁ ଓ ଛଅ ଅଙ୍ଗ । ଧାତୁର (୭) ଅର୍ଥ ହେଉଛି ଅବୟବ ବା ନାଦାତ୍ମକ ସ୍ୱର । ଧାତୁଗୁଡ଼ିକର ନାମ ହେଉଛି : ଉଦ୍‌ଗ୍ରାହକ, ମେଳାପକ, ଧ୍ରୁବ ଓ ଆଭୋଗ । ଧ୍ରୁବ ଓ ଆଭୋଗ ମଧ୍ୟରେ କେହି କେହି ‘ଅନ୍ତରା’ ନାମକ ଗୋଟିଏ ଧାତୁର ନାମୋଲ୍ଲେଖ କରି ପଞ୍ଚ ଧାତୁ କଥା କହନ୍ତି । ଛଅଟି ଅଙ୍ଗର ନାମ : ସ୍ୱର ବିରୁଦ, ପଦ, ତେନ (ତେନକ), ପାଠ (ପାଟ) ତାଳ । ସା, ରି, ଗ, ମ ଇତ୍ୟାଦି ଆଳାପ ହେଉଛି ସ୍ୱର । ପ୍ରଶଂସା ବା ଗୁଣବାଚକ ଗୀତ ହେଉଛି ବିରୁଦ । ଅର୍ଥ ପ୍ରକାଶ କରୁଥିବା କଥାକୁ ପଦ କୁହାଯାଏ । ସଙ୍ଗୀତରେ ବ୍ୟବହୁତ ବାଦ୍ୟର ବୋଲ ହେଉଛି ପାଠ । ପରିମିତ ସମୟରେ ଯତି ବା ବିରାମକୁ ତାଳ (କାଳ ବିଭାଗ) କୁହାଯାଏ ।

 

୭.

ଧାତୁ :-

ଧାତୁର୍ନାମ ପ୍ରବନ୍ଧ୍ୟାବୟବଃ ସ ଚତୁର୍ବିଧଃ

ଉଦ୍‌ଗ୍ରାହଃ ପ୍ରଥମସ୍ତତ୍ର ତତୋ ମେଳାପକ

ଧ୍ରୁବୌ ଆଭୋଗଶ୍ଚ......

(ଚତୁର୍ଦ୍ଦଣ୍ଡୀ ପ୍ରକାଶିକା)

ଉଦ୍‌ଗ୍ରାହ-ପ୍ରବନ୍ଧର ଆଦିଭାଗ

ମେଳାପକ-ଉଦ୍‌ଗ୍ରାହ ଓ ଧ୍ରୁବର ମଧ୍ୟବର୍ତ୍ତୀ ଭାଗ

ଧ୍ରୁବ-ତୃତୀୟ ଭାଗ

ଆଭୋଗ-ଅନ୍ତିମ ଭାଗ

 

ଶ୍ରୀ ନୀଳମାଧବ ପାଣିଗ୍ରାହୀଙ୍କ ପ୍ରବନ୍ଧ ‘ଦୀନକୃଷ୍ଣଙ୍କ ଛାୟାଲାଗେ ପ୍ରୀତି’ର ପ୍ରକୃତ ଅର୍ଥ ପ୍ରବନ୍ଧରୁ (ଝଙ୍କାର, ୯ମ ବର୍ଷ, ୯ମ ସଂଖ୍ୟା) ଶ୍ଳୋକଗୁଡ଼ିକ ଉଦ୍ଧୃତ ।

 

 

୮.

ଚତୁର୍ଦ୍ଦଣ୍ଡୀକାରଙ୍କ ମତରେ ଉଦ୍‌ଗ୍ରାହ ଓ ଧ୍ରୁବ ହେଉଛି ପ୍ରବନ୍ଧର ଦୁଇଟି ଅପରିହାର୍ଯ୍ୟ ଧାତୁ । ବିନାସ୍ୱର ଓ ତାଳରେ ପ୍ରବନ୍ଧ ରଚନା ହୋଇପାରେ ନାହିଁ ।

 

 

୯.

ଶ୍ରୀ ହରେକୃଷ୍ଣ ମୁଖୋପାଧ୍ୟାୟ, କବି ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ, ଭୂମିକା, ପୃ.୭୬-୮୮

 

ଶୁଦ୍ଧ ପ୍ରବନ୍ଧଗୀତ ପାଞ୍ଚ ଜାତିରେ (ସଙ୍ଗୀତ ରତ୍ନାକର ମତରେ) ବିଭକ୍ତ, ଯଥା-ମେଦିନୀ, ନନ୍ଦିନୀ, ଦୀପନୀ, ପାବନୀ (ଭାବନୀ) ଓ ତାରାବଳୀ । ସ୍ୱର, ବିରୁଦ ଓ ପଦ ଆଦି ଛଅ ଅଙ୍ଗଯୁକ୍ତ ଗାନ ହେଉଛି ମେଦିନୀ; ସ୍ୱର, ପଦ, ତେନ, ପାଠ ଓ ତାଳ ଏହି ପଞ୍ଚାଙ୍ଗଯୁକ୍ତ ଗାନ ନନ୍ଦିନୀ; (ସ୍ୱର, ପଦ, ତେନ, ତାଳ୍‌ଯୁକ୍ତ ଗାନ ଦୀପନୀ; ସ୍ୱର, ପଦ ଓ ତାଳଯୁକ୍ତ ଗାନ ପାବନୀ ଏବଂ ପଦ ଓ ତାଳଯୁକ୍ତ ଗାନକୁ ତାରାବଳୀ କୁହାଯାଏ (୮) ସଙ୍ଗୀତଜ୍ଞମାନଙ୍କ ମତରେ ଗୀତଗୋବିନ୍ଦର ଗାନ ପଞ୍ଚଧାତୁ ଓ ଛଅ ଅଙ୍ଗଯୁକ୍ତ ‘ମେଦିନୀ’ ଜାତିର ଅନ୍ତର୍ଭୁକ୍ତ (୯) ।

 

କିନ୍ତୁ ଗୀତଗୋବିନ୍ଦର ଗୀତଗୁଡ଼ିକର ଛନ୍ଦ ପ୍ରାକୃତ ଅଳଙ୍କାର ସାହିତ୍ୟର ଅନୁଗାମୀ, ସଂସ୍କୃତର ନୁହେଁ; ଏପରି କି ଗୀତଗୋବିନ୍ଦର ଭାଷା ଅବିମିଶ୍ର ସଂସ୍କୃତ ନୁହେଁ, ଏଥିରେ ଅନେକ ପ୍ରାକୃତ ଶବ୍ଦ ସ୍ଥାନ ପାଇଛି (୧୦) ।

 

୧୦.

ଶ୍ରୀ ଦୀନେଶଚନ୍ଦ୍ର ସେନ୍ ଓଗେର ସଂପାଦିତ ‘ବୈଷ୍ଣବ ପଦାବଳୀ’ (ଚୟନ), ୧ମ ସଂସ୍କାରଣର ଭୂମିକା, ପୃ. ଟ ୩

 

ଗୀତଗୋବିନ୍ଦରେ ଅଶୀଟି ଶ୍ଳୋକ ଓ ଚବିଶିଟି ଗୀତ ଅଛି । ୭୭ଟି ଶ୍ଳୋକ ବିଭିନ୍ନ ବୃତ୍ତ ଛନ୍ଦରେ, ଗୋଟିଏ ଶ୍ଳୋକ ଜାତି ଛନ୍ଦରେ ଏବଂ ଅବଶିଷ୍ଟ ଦୁଇଟି ଶ୍ଳୋକ ଓ ଚବିଶିଟି ଗୀତ ଅପଭ୍ରଂଶ ଛନ୍ଦରେ ରଚିତ ହୋଇଛି । କେତୋଟି ବୃତ୍ତଛନ୍ଦ ଉପରେ ଅପଭ୍ରଂଶ ଉନ୍ଦ ପଦ୍ଧତିର ପ୍ରଭାବ ପଡ଼ିଛି । ଦୃଷ୍ଟାନ୍ତ ସ୍ୱରୁପ ଶାର୍ଦ୍ଦୂଳ ବିକ୍ରୀଡ଼ିତ ଛନ୍ଦରେ ରଚିତ ଗୀ:ଗୋ:ର ନିମ୍ନୋକ୍ତ ଶ୍ଳୋକ ଦ୍ରଷ୍ଟବ୍ୟ-

 

‘‘ବେଦାନୁଦ୍ଧରତେ । ଜଗନ୍ତି ବହନ୍ତେ । ଭୁଗୋଳ ମୁଦ୍‌ବିଭ୍ରତେ,

ଦୈତ୍ୟଂ ଦାରୟତେ । ବଳିଂ ଛଳୟତେ । କ୍ଷତ କ୍ଷୟଂ କୁର୍ବତେ ।’’

 

ଶ୍ଳୋକଟିରେ ମଧ୍ୟାନୁପ୍ରାସ ଓ ଯତି ସାହାଯ୍ୟରେ ଗୋଟିଏ ଗୋଟିଏ ପଙ୍‌କ୍ତିକୁ ତିନି ଭାଗରେ ଭାଗ କରାଯାଇ ଶାର୍ଦ୍ଦୂଳ ବିକ୍ରୀଡ଼ିତ ଛନ୍ଦରେ ଏକ ପ୍ରକାର ତରଙ୍ଗ ବୈଚିତ୍ର୍ୟ ସୃଷ୍ଟି କରାଯାଇଛି । ଏଥିରେ ଯେଉଁ ମିତ୍ରାକ୍ଷରତା ଓ ଯତିପ୍ରାଧାନ୍ୟ ପରିଲକ୍ଷିତ ହେଉଛି, ତାହା ଅପଭ୍ରଂଶ ଛନ୍ଦ ଓ ପ୍ରାଦେଶିକ ଭାଷା ଛନ୍ଦର ବୈଶିଷ୍ଟ୍ୟ ।

ଗୀ: ଗୋ: ର ଶ୍ଳୋକଗୁଡ଼ିକ ଛାଡ଼ି ଦେଲେ ଚବିଶିଟି ଗୀତ ଅପଭ୍ରଂଶ ମାତ୍ରା ଛନ୍ଦରେ ରଚିତ । ଏ ଗୁଡ଼ିକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇ ପାରେ । ପ୍ରଥମ ଶ୍ରେଣୀର ଛନ୍ଦଗୁଡ଼ିକ ଜାତି ଛନ୍ଦ ବା ମିତ୍ରାକ୍ଷର ଆଦର୍ଶରେ ରଚିତ ହୋଇଛି । ଚବିଶିଟି ଗୀତ ମଧ୍ୟରୁ ଊଣେଇଶିଟି ଗୀତ ଏ ପ୍ରକାର ଛନ୍ଦରେ ରଚିତ । ଏ ପ୍ରକାର ଛନ୍ଦରେ ଗୋଟିଏ ଗୋଟିଏ ପଙ୍‌କ୍ତି (ଚରଣ) ଚାରି ମାତ୍ରାରେ ‘ଗଣ’ ଦ୍ୱାରା ବିଭକ୍ତ । ଅପଭ୍ରଶଂ ରଚନା ଯୁଗରେ ଉଚ୍ଚାରଣରେ ‘ସ୍ୱରାଘାତ’ ପ୍ରାଧାନ୍ୟ ଲାଭ କରିବାରୁ କବିତା ଆବୃତ୍ତି ସମୟରେ ଏକ ପ୍ରକାର ଝୁଙ୍କ ଦେଖାଦେଇ ପଦ୍ୟର ପଙ୍‌କ୍ତିକୁ କେତୋଟି କ୍ଷୁଦ୍ର କ୍ଷୁଦ୍ର ଅଂଶରେ ବିଭକ୍ତ କରିଥିଲା । ମିତ୍ରାକ୍ଷର ପ୍ରବର୍ତ୍ତିତ ହେବା ଫଳରେ ପଙ୍‌କ୍ତିର ଅଂଶଗୁଡ଼ିକ ଆହୁରି ସ୍ପଷ୍ଟ ହୋଇ ଉଠିଲା । ଗୋଟିଏ ପ୍ରକାର ଜାତି ଛନ୍ଦରେ ଏହି ଝୁଙ୍କ, ଯତି ଓ ଚାରି ମାତ୍ରର ‘ଗଣ’ ବିଶେଷ ପ୍ରଧାନ୍ୟ ଲାଭ କରିଥିଲା । ସଂସ୍କୃତ ଛନ୍ଦ ଶାସ୍ତ୍ରରେ ଏହି ଛନ୍ଦ ଗୋଷ୍ଠୀର ନାମ ‘ମାତ୍ରାସମକ ଛନ୍ଦ’ । ଗୀ: ଗୋ: ର ଏହି ପ୍ରଥମ ଶ୍ରେଣୀର ଅନ୍ତର୍ଭୁକ୍ତ ଗୀତ ଗୁଡ଼ିକ ‘ମାତ୍ରାସମକ ଛନ୍ଦ’ ଆଦର୍ଶରେ ରଚିତ ଏବଂ ଗୋଟିଏ ପ୍ରକାର ମାତ୍ରାସମକ ଛନ୍ଦର ନାମ ‘ପାଦାକୁଳକ’ ।

ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଛନ୍ଦଗୁଡ଼ିକ ଯଥାକ୍ରମେ ‘ପାଞ୍ଚମାତ୍ରା’ର (୧୧) ଓ ‘ସାତମାତ୍ରା’ର ଗଣଦ୍ୱାରା ଗଠିତ । ଚତୁର୍ଥ ଶ୍ରେଣୀର ଅପଭ୍ରଂଶ ଛନ୍ଦଗୁଡ଼ିକ ବିଭିନ୍ନ ମାତ୍ରାଦୈର୍ଘ୍ୟର ଗଣଦ୍ୱାରା ଗଠିତ ହୋଇଥିବାରୁ ଏଗୁଡ଼ିକୁ ‘ମିଶ୍ରଛନ୍ଦ’ କୁହାଯାଏ । ଗୀ:ଗୋ:ର ଦୁଇଟି ଗୀତରେ ଏହି ଛନ୍ଦର ପ୍ରୟୋଗ ଦେଖାଯାଏ । ଏଥିମଧ୍ୟରୁ ଚତୁଷ୍ପାଦ ଛନ୍ଦ ପ୍ରୟୋଗରେ କବିଙ୍କର ଅପୂର୍ବ କୁଶଳତା ପରିଲକ୍ଷିତ ହୁଏ । ଏଥିରେ କ-ଖ-କ-ଖ ଏହି ଭାବରେ ମିତ୍ରାକ୍ଷରର ବିନ୍ୟାସ ହୋଇଛି (୧୨); ଏହାକୁ ଅକ୍ଷରଛନ୍ଦ ମଧ୍ୟ କୁହାଯାଇ ପାରେ । ପ୍ରାକୃତ ଓ ଅପଭ୍ରଂଶ ଛନ୍ଦରେ ଏ ପ୍ରକାର ଯତି-ବିଭକ୍ତ କ୍ଷୁଦ୍ର କ୍ଷୁଦ୍ର ଗଣ ବା ପର୍ବର ସୂତ୍ରପାତ୍ର ହୋଇଥିଲା ।

୧୧.

ବଦସି ଯଦି । କିଞ୍ଚିଦପି । ଦନ୍ତରୁଚି । କୌମୁଦୀ । ହରତି ଦର । ତିମିରମତି । ଘୋରମ୍‌।

 

 

୧୨.

ଦହତି । ଶିଶିର । ମୟୂଖେ । [୩+୩+୫=୧୧ ମାତ୍ରା]

ମରଣ । ମନୁଜ । ରୋତି । [୩+୩+୩=୯ ମାତ୍ରା]

ପତତି । ମଦନ । ବିଶି-। ଖେ । [୩+୫+୨=୧୦ ମାତ୍ରା]

ବିଲପତି । ବିକଳତି । ରୋଽତି । [୪+୪+୫=୧୩ ମାତ୍ରା]

ଗୀ.ଗୋ. ୫। ୧୦ ୩

 

ଏହିପରି ଭାବରେ ଆଲୋଚନା କଲେ ଜଣାଯିବ ଯେ ଜୟଦେବ ସଂସ୍କୃତଛନ୍ଦ ଓ ସଙ୍ଗୀତଶାସ୍ତ୍ରର ଶିକ୍ଷାଦ୍ୱାରା ଯେପରି ପ୍ରଭାବିତ ହୋଇଥିଲେ, କାଳୋପଯୋଗୀ ଅପଭ୍ରଂଶ ଯୁଗରେ ରୁଚିକୁ ମଧ୍ୟ ଗ୍ରହଣ କରି ସଂସ୍କୃତ ସଙ୍ଗୀତଶାସ୍ତ୍ର, ଛନ୍ଦ ଏବଂ ପ୍ରାକୃତ ଓ ଅପଭ୍ରଂଶ ସଙ୍ଗୀତ ପରମ୍ପରା ଓ ଛନ୍ଦର ଚମତ୍କାର ସମନ୍ୱୟ ସମ୍ପାଦନ କରି ଗୀତ ରଚନାରେ ଅନାଗତ ନବଯୁଗ ପ୍ରତି ବହୁ ସମ୍ଭାବନାର ଦ୍ୱାର ଉନ୍ମୁତ କରିଥିଲେ । ସେଥିପାଇଁ ତାଙ୍କର ରଚନାରେ ପ୍ରାଚୀନକାବ୍ୟର ପ୍ରଭାବ ଓ ଅପଭ୍ରଂଶୋତ୍ତର ପ୍ରାଦେଶିକ ସାହିତ୍ୟର ସଙ୍କେତ ଦେଖିବାକୁ ମିଳେ (୧୩) । ଗୀତି ଓ କାବ୍ୟରଚନାରେ ଓଡ଼ିଶା, ବଙ୍ଗ, ମିଥିଳା ଓ ମହାରାଷ୍ଟ୍ରର ବିଭିନ୍ନ ଯୁଗର କବିମାନେ ଜୟଦେବଙ୍କର ଗୀ: ଗୋ: ର ଛନ୍ଦ, ରାଗ ଓ କାନ୍ତକୋମଳ ପଦବିନ୍ୟାସ ଦ୍ୱାରା କି ଗଭୀରଭାବରେ ପ୍ରଭାବିତ, ସେମାନଙ୍କର ରଚନା ତା‘ର ଜ୍ୱଳନ୍ତ ସାକ୍ଷ୍ୟ ବହନ କରେ ।

 

୧୩.

ଶ୍ରୀ ଶ୍ରୀ ଗୀତଗୋବିନ୍ଦ ଛନ୍ଦ, ଅଧ୍ୟାପକ ସୁଧୀଭୁଷଣ ଭଟ୍ଟାଚାର୍ଯ୍ୟ

 

ଜୟଦେବଙ୍କ ଆବିର୍ଭାବ କାଳ ଦ୍ୱାଦଶ ଶତାବ୍ଦୀ ବେଳକୁ ଓଡ଼ିଆଭାଷା ଓ ସାହିତ୍ୟର କିଞ୍ଚିତ୍‌ ବିକାଶ ପରିଲକ୍ଷିତ ହେଲାଣି । ଏକାଦଶ ଶତାବ୍ଦୀ ପୂର୍ବରୁ ରଚିତ ‘ଚର୍ଯ୍ୟାଗୀତ’ରେ ବ୍ୟବହୃତ ରାଗଗୁଡ଼ିକ, ଯଥା : କାମୋଦୀ, ଗୁଜ୍ଜରୀ, ଦେଶାକ୍ଷ, ଭୈରବୀ, ପଟ୍ଟମଞ୍ଜରୀ ଇତ୍ୟାଦି ପରବର୍ତ୍ତୀ କାଳରେ ଓଡ଼ିଆ କାବ୍ୟ କବିତା ରଚନାରେ ବ୍ୟବହୃତ ହୋଇଛି ।

ଆୟୁର୍ବେଦ, ସ୍ମୃତି, ଦର୍ଶନ, ତନ୍ତ୍ର, ଜ୍ୟୋତିଷ ଓ ଅଳଙ୍କାର ସହିତ ଛନ୍ଦ, ରାଗରାଗିଣୀ ଓ ଅଭିନୟ କଳା ସମ୍ପର୍କିତ ଉଚ୍ଚାଙ୍ଗ ସଂସ୍କୃତ ରଚନାର ପରମ୍ପରା (ତତ୍ତ୍ୱ, କାବ୍ୟକବିତା, ଗୀତିମୂଳକ) ଓଡ଼ିଶାର ଦୀର୍ଘକାଳରୁ ଗଡ଼ିଆସୁଛି । ଏଥିରୁ ଓଡ଼ିଶାରେ ସଙ୍ଗୀତ ଚର୍ଚ୍ଚା ଓ ଶାସ୍ତ୍ରଜ୍ଞାନର ଗଭୀରତା ସମ୍ପର୍କରେ ଅନୁମାନ କରାଯାଇ ପାରେ । ଗୀତଗୋବିନ୍ଦ ହେଉଛି ତା’ର ଦୀପ୍ତ ଦୃଷ୍ଟାନ୍ତ । ଜୟଦେବଙ୍କ ପରବର୍ତ୍ତୀ ଓଡ଼ିଆ କାବ୍ୟକବିତା, ସଙ୍ଗୀତ ଓ ଚଉପଦୀମାନଙ୍କରେ ଗୀ:ଗୋ:ର ଶୃଙ୍ଗାର ରସ, ବର୍ଣ୍ଣନା, କଳ୍ପନା, ପଦ-ବିନ୍ୟାସର ପ୍ରଭାବ ସ୍ପଷ୍ଟ ଅନୂଭୂତ ହେବା ସଙ୍ଗେ ସଙ୍ଗେ ସେଥିରେ ଥିବା ରାଗରାଗିଣୀର ପ୍ରଭାବ ପ୍ରଭୂତ ଭାବରେ ଅନୁଭୂତ ହୁଏ । ଗୀ:ଗୋ:ରେ ଥିବା ରାମକେରୀ, ଗୁର୍ଜରୀ, ବସନ୍ତ, ମାଳବ, ବିଭାସ ଓ ବରାଡ଼ି ରାଗମାନ ଗୀତ-ଗୌରବୋଜ୍ଜ୍ୱଳ ଛାନ୍ଦ ସାହିତ୍ୟରେ ବହୁଳ ଭାବରେ ବ୍ୟବହୃତ ହୋଇଛି । ଓଡ଼ିଆ କାବ୍ୟକବିତା ଓ ସଙ୍ଗୀତରେ ସଂସ୍କୃତଛନ୍ଦ ଅପେକ୍ଷା ପ୍ରାକୃତ ଓ ଅନଭ୍ରଂଶ ରାଗରାଗିଣୀର ପ୍ରଭାବ ଅଧିକ ପରିଦୃଷ୍ଟ ହୁଏ ।

ଓଡ଼ିଆ କାବ୍ୟକବିତା, ସଙ୍ଗୀତ ଓ ଚୌପଦୀର ଛନ୍ଦ ଓ ରାଗରାଗିଣୀ ବିଚାର ଅବସରରେ ପିଙ୍ଗଳ ଛନ୍ଦଃସୂତ୍ର, ପ୍ରାକୃତ ସର୍ବସ୍ୱ (ଓଡ଼ିଶାର କବି ମାର୍କଣ୍ଡ ଦାସ), ସଙ୍ଗୀତରତ୍ନାକର (ଶାର୍ଙ୍ଗ ଦେବ) ଛନ୍ଦୋମଞ୍ଜରୀ (ଗଙ୍ଗାଦାସ), ବୃତ୍ତରତ୍ନାକର, ସଙ୍ଗୀତ ପାରିଜାତ (ଅହୋବଳ, ଖ୍ରୀ:୧୬୬୫, ମତାନ୍ତରେ ୧୬୫୮ ରୁ ୧୭୦୭), ସଙ୍ଗୀତ ମକରନ୍ଦ, ରାଗତତ୍ତ୍ୱବିବୋଧ (ଶ୍ରୀନିବାସ ପଣ୍ଡିତ), ସଙ୍ଗୀତ ସଂହିତା ପ୍ରଭୃତି ଭାରତ ବିଖ୍ୟାତ ଛନ୍ଦ ଓ ସଙ୍ଗୀତଶାସ୍ତ୍ର ପ୍ରଧାନ ଗନ୍ଥଗୁଡ଼ିକ ସମୀକ୍ଷକର ଦୃଷ୍ଟି ଆକର୍ଷଣ କରେ । ଓଡ଼ିଶାର କବି, ସଙ୍ଗୀତଜ୍ଞ ଏବଂ ଛନ୍ଦ ତଥା ସଙ୍ଗୀତଶାସ୍ତ୍ର ପ୍ରଣେତାମାନେ ପୂର୍ବୋକ୍ତ ଗ୍ରନ୍ଥଗୁଡ଼ିକ ଦ୍ୱାରା ଯେ ବିଶେଷ ପ୍ରଭାବିତ ଏଥିରେ ସନ୍ଦେହ ନାହିଁ (୧୪) । ଏତଦ୍‌ବ୍ୟତୀତ ଓଡ଼ିଶାର କୃଷ୍ଣଦାସ ବଡ଼ଜେନା ମହାପାତ୍ରଙ୍କର ‘ଗୀତା ପ୍ରକାଶ’ (ଖ୍ରୀ:୧୫୬୫ ପୂର୍ବରୁ ସଂସ୍କୃତରେ ରଚିତ), ହଳଧର ମିଶ୍ରଙ୍କର ‘ସଙ୍ଗୀତ କଳ୍ପଲତା’ (୧୭ଶ ଶତାବ୍ଦୀ), ଦାମୋଦର ମିଶ୍ରଙ୍କର ‘ରାଗଦର୍ପଣ’, ପୁରୁଷୋତ୍ତମ ମିଶ୍ରଙ୍କର ‘ସଙ୍ଗୀତ ନାରାୟଣ’ (୧୮ଶ ଶତକର ମଧ୍ୟଭାଗ), ପାରଳାରାଜା ଜଗନ୍ନାଥ ନାରାୟଣଦେବଙ୍କର ‘ସଙ୍ଗୀତ ରତ୍ନାକର’, ‘ସଙ୍ଗୀତ କୌମୁଦୀ’; ହରିନାୟକଙ୍କର ‘ସଙ୍ଗୀତ ରତ୍ନମାଳା’; ‘ଚତୁର୍ଦ୍ଦଣ୍ଡୀ ପ୍ରକାଶିକା, (୧୭ଶ ଶତାବ୍ଦୀ), ପଟିଆ ରାଜାଙ୍କର ‘ରସରତ୍ନାକର ଚନ୍ଦ୍ରିକା’; କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କର ‘ଲକ୍ଷଣଚନ୍ଦ୍ରୋଦୟ’; କବିଭୂଷଣ ଗୋପୀନାଥ ପାତ୍ରଙ୍କର ‘କବି ଚିନ୍ତାମଣି’ (୧୫); ସୁରଙ୍ଗୀରାଜା ଚନ୍ଦ୍ରଚୂଡ଼ାମଣୀ ହରିଚନ୍ଦନଙ୍କର ‘ସଙ୍ଗୀତ ସର୍ବସ୍ୱ’; ତିଗିରିଆର ରାଜା ଯଦୁନାଥ ରାୟସିଂହଙ୍କର ‘ଅଭିନୟ ପପର୍ଣ’; ମହେଶ୍ୱର ମହାପାତ୍ରଙ୍କର ‘ଅଭିନୟ ଚନ୍ଦ୍ରିକା’; ରଘୁନାଥ ରଥଙ୍କର ‘ନାଟ୍ୟମନୋରମା’ (ଖ୍ରୀ: ୧୬୯୭); ନାରାୟଣ ମିଶ୍ରଙ୍କର ‘ସଙ୍ଗୀତ ସାରଣୀ’; ପ୍ରଭୃତ ଓଡ଼ିଶାରେ ସଙ୍ଗୀତ ନାଟ୍ୟଶାସ୍ତ୍ରଲୋଚନା ଅନୁରାଗର ପ୍ରକୃତ ସାକ୍ଷ୍ୟ ବହନ କରନ୍ତି (୧୬) । ତା’ଛଡ଼ା ଛାନ୍ଦ, ଚଉତିଶା ଓ ଚଉପଦୀ କବିମାନେ ସେମାନଙ୍କର ରଚନାରେ ଯେପରି ବିବିଧ ସଙ୍ଗୀତର (ପ୍ରବନ୍ଧ) ନାମ, ରାଗ, ବୃତ୍ତ, ବାଣୀ ଓ ତାଳ ଆଦିର ଏବଂ ବାଦ୍ୟଯନ୍ତ୍ରର ନାମ ଉଲ୍ଲେଖ କରିଛନ୍ତି, ତାହା ତାଙ୍କ ସଙ୍ଗୀତ ଶାସ୍ତ୍ରଜ୍ଞାନର ପରିଚୟ ଦିଏ । ରାସ ନୃତ୍ୟ ଓ ଅନ୍ୟ ନୃତ୍ୟ ବର୍ଣ୍ଣନା ପ୍ରସଙ୍ଗରେ ଅଭିମନ୍ୟୁଙ୍କ ‘ପ୍ରେମଚିନ୍ତାମଣି’ (ଅପ୍ରକାଶିତ, ତାଙ୍କ ଗୁରୁ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ‘ପ୍ରେମତରଙ୍ଗିଣୀ’ ଏବଂ ଦୀନକୃଷ୍ଣଙ୍କର ‘ଜଗମୋହନ ଛାନ୍ଦ’ ଓ ‘ରସକଲ୍ଲୋଳ’ରୁ ଦୃଷ୍ଟାନ୍ତମାନ ଦିଆଯାଇ ପାରେ, ଯଥା-

୧.

ଅନିର୍ବନ୍ଧ ନିର୍ବିନ୍ଧ ଯେ ଦୁଇମତ ।

ଗୀତ ଗାନକରେ ସଖୀ ଯଥୋଚିତ ।

ମାତୁ ଧାତୁ ଅଙ୍ଗ ଆଳାପ ମତରେ ।

ସୁଚିତ୍ର ବନ୍ଧ ବିଧାନ ଯେ ପ୍ରକାରେ ।

ଢାଳ ହୁଏ ପୁଣ କାଳକ୍ରିୟା ମାନ ।

ଗୁରୁଲଘ୍ନ ପ୍ଳୁତ ବୃତ୍ତ ଯେ ବିରାମ ।

ଆଦି ଯତି ମଠ ନିଃସାର ଝମ୍ପକ ।

ପୁଣି ତିଅଡ଼ା ଜାଣ ଆଉ ରୂପକ ।

ଏକତାଳୀ ପ୍ରାନ୍ତେ ସୂଚେ ଏ ପ୍ରଜ୍ଜ୍ୱଳି ।

ମଶ୍ରୁ ଲକ୍ଷଣା ଧ୍ରୁବଲକ୍ଷଣା ଭାଳି ।

(ପ୍ରେମ ତରଙ୍ଗିଣୀ, ସ.କ.ସୃ.ବ୍ରହ୍ମା, ୨୯୮-୧୨)

 

 

୨.

‘ଛ’ ରାଗ ଛତିଶି ରାଗିଣୀରେ ଗାନ ସ୍ଫୁରେ,

ସପ୍ତସ୍ୱର ଆଳାପ ତ ବହୁତ ପ୍ରକାରେ ।

ଏକାଦଶ ବିକର୍ତ୍ତୀ ଯେ ଦ୍ୱାବିଂଶ ପ୍ରକାର,

ତାନମାନ ଧରିବାର ପଞ୍ଚାଶ ପ୍ରକାର ।

ଏକୋଇଶ ମୂଚ୍ଛାଲୀ ପଞ୍ଚଦଶ ଘେନ,

ଅଭିମନ୍ୟୁ ମାଗୁଅଛି ଶ୍ରୀରାଧା ଚରଣ ।

(ପ୍ରେମଚିନ୍ତାମଣି, ଅଭିମନ୍ୟୁ ସା.ସିଂ.,୬୪/୩୬-୩୮)

 

୧୬.

ଏତଦ୍‌ବ୍ୟତୀତ ଏ ସମ୍ପର୍କରେ ସଙ୍ଗୀତଜ୍ଞ ରଘୁନାଥ ପୃଷ୍ଟିଙ୍କର ‘ରାଗଚିତ୍ର’ (କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ସଂପାଦିତ), ସଦାନନ୍ଦ କବିସୂର୍ଯ୍ୟବ୍ରହ୍ମାଙ୍କର ‘ସଙ୍ଗୀତ ସଦାନନ୍ଦ’, ‘ସଙ୍ଗୀତ ମୁକ୍ତାବଳୀ’; ରାଗ, ତାଳ ଓ ସଂଗ୍ରହ ସଂପର୍କିତ ବହୁ ଗ୍ରନ୍ଥ ସ୍ମରଣକୁ ଆସେ ।

ଅଧ୍ୟାପକ ଶ୍ରୀ ବ୍ରହ୍କାନନ୍ଦ ଦାସ, ସୃଷ୍ଟି ଓ କୃଷ୍ଟି (୧ମ ଭାଗ), ପୃ ୨୩-୨୪

 

୩.

କଉଁ ନାଦ କଉଁ ଶ୍ରୁତି ସ୍ୱର,

କଉଁ ମୂର୍ଚ୍ଛନା ତାନ ନିକର ।

କଉଁ ଜାତି ଗ୍ରାମ ରାଗ ରାଗି,

କୃଷ୍ଣ ଆଜ୍ଞାକୁ ନାହାନ୍ତି ଜଗି ।

କଉଁ ତାଳ ଗ୍ରହ ଲୟ ମାନ

କାଳମାତ୍ର ହୋଇଅଛି ଶୂନ୍ୟ ।

(ରସକଲ୍ଲୋଳ, ୧୭ । ୩୦ -୩୧)

୪.

ବିବିଧ ପ୍ରକାରେ ସଙ୍ଗୀତ,

ମାର୍ଗ ଦେଶୀ ମିଶି ହେଉଥାଇ ବହୁତ ।

(ଜଗମୋହନ ଛାନ୍ଦ, ୨।୩୭)

 

 

୫.

କେତେବେଳେ ପ୍ରବନ୍ଧ ଗାବନ୍ତି,

କେତେବେଳେ ଛାୟାଲାଗେ ପ୍ରୀତି ।

କେତେବେଳେ ଚିତ୍ରପଦ ଆଦି,

 

କେତେ କହିବ ତାହା ସମ୍ପାଦି ।

(ରସକଲ୍ଲୋଳ, ୧୮।୨୮-୨୯)

 

ଦୀନକୃଷ୍ଣ ରସକଲ୍ଲୋଳରେ ବୀଣା, ମର୍ଦ୍ଦଳ, ରବା, ତାଳ, ଉପାଙ୍ଗ, ବଂଶୀ, ସ୍ୱରମଣ୍ତଳ, ତାଳମର୍ଦ୍ଦଳ (ଛା. ୧୭।୨-୩); ଘଣ୍ଟା, ମର୍ଦ୍ଦଳ, ଏକସରି ଦୋସରି କାହାଳୀ (୬।୫); ତନ, ଆନକ, ସୁଷୀର, ଘନ ଆଦି ଚତୁର୍ବିଧ ବାଦ୍ୟଯନ୍ତ୍ର ଏବଂ ଯଦୁମଣି ମହାପାତ୍ର ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ର ତୃତୀୟ ଓ ଅଷ୍ଟମଛାନ୍ଦରେ (୧୭) ବିଭିନ୍ନ ରାଗ ଓ ତାଳର ଉଲ୍ଲେଖ କରିଛନ୍ତି । ଏଗୁଡ଼ିକ ଓଡ଼ିଆ ଛାନ୍ଦ କବିମାନଙ୍କର ସଙ୍ଗୀତ ଶାସ୍ତ୍ରରେ ବ୍ୟୁତ୍ପତ୍ତିର ପ୍ରମାଣ ।

 

୧୭.

(କ)

ମର୍ଦ୍ଦଳ ବିଦ୍ୟା ବିନୋଦିନୀ ଭୀଷ୍ମକ ନନ୍ଦିନୀଙ୍କି ଚାହିଁ ଉଚ୍ଚରେ ।

ଆଡ଼ରେ ଏକତାଳୀ ପରି ଘଟିବ ସଙ୍ଗୀତ ନାରାୟଣ କରେ ।

କହିଲା । ବାଣୀ ରାଗୀ ରାଗେ ତହିଁକି ।

ମୁନିବର ବାଣୀ ଦେଶକ୍ଷା ବୃଥା ତୁ ପ୍ରଥା କଥା କହୁ କାହିଁକି ।

 

ଇଙ୍ଗିତ ରଚନେ ଭଙ୍ଗୀ ଯେ ବଚନେ ରାଗେ ରାଗିଣୀକୁ ଭାଷିଲା ।

ଯତି ସରିମାନେ ଗୁମାନ ଯାହାର ଯତି ସରିମାନେ ଭାଷିଲା ।

ଧନାଶ୍ରୀ । କରି ଧରିଅଛୁ ଆୟୁଧ ।

ଶତେ ତାଳ ଯେ ପାଣିରେ ପକାଇବ ତା ସଙ୍ଗେ ବିରଚୁ ବିରୋଧ ।

(ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ୮।୧୪-୧୫)

 

 

 

 

(ଖ)

ଶଙ୍କର ପରଜରେ ପଡ଼ି ରହିଲେ ଯୋଗ ଆଶାବରୀ ଗଉରୀ ।

ଲଳିତ ବସନ୍ତ ଭୈରବ ଦେବାରୁ ବହିବ କୋଳାହଳ ପୁରୀ ।

ମାଳବରେ ଯେ । ହୋଇବ ଶଙ୍କାରାଭରଣ ।

ବିଷ ଆହାରୀ ହୋଇବୁ ନ ଭେଟିଲେ ମୋହନ ମଙ୍ଗଳ କଲ୍ୟାଣ ।

(ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ୩ । ୨୫-୨୭)

 

ଓଡ଼ିଶାର ସଙ୍ଗୀତ ଓ ଛାନ୍ଦ-ସାହିତ୍ୟର ସ୍ୱରୂପ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ସଙ୍ଗୀତ ଗବେଷକ ନୀଳମାଧବ ପାଣିଗ୍ରାହୀ କହନ୍ତି- ‘‘ଆମର ସଙ୍ଗୀତ ସହିତ ଆମ କାବ୍ୟ ସାହିତ୍ୟର ଏକ ପ୍ରକୃତିଗତ ସମ୍ପର୍କ ରହିଛି । ସାହିତ୍ୟ ସୃଷ୍ଟି ମୂଳରୁ ପ୍ରତ୍ୟେକ କାବ୍ୟର ପ୍ରତ୍ୟେକ ସର୍ଗରେ ତଥା ଛାନ୍ଦ, ଚଉତିଶା, ଜଣାଣ ଆଦିରେ ସଙ୍ଗୀତ କଳାର ଉପଯୋଗ ହୋଇଛି । ସଙ୍ଗୀତଶାସ୍ତ୍ରର ନାନାପ୍ରକାର ପ୍ରବନ୍ଧ ଓ ଗୀତ (musical compositions) ଆଦର୍ଶରେ ସେଗୁଡ଼ିକ ରଚିତ ହୋଇ ରାଗ, ବାଣୀ ଓ ବୃତ୍ତ ଆଦିରେ ନିବଦ୍ଧ ହୋଇଅଛି । ଆମର ସାହିତ୍ୟ ହିଁ ଆମର ସଙ୍ଗୀତ ହୋଇଯାଇଛି (୧୮) ।’’

 

୧୮.

ଓଡ଼ିଆ ଭାଷାର ଉଲ୍ଲେଖଯୋଗ୍ୟ ସଙ୍ଗୀତଶାସ୍ତ୍ର ରଚନାର ଅଭାବ ଲକ୍ଷ୍ୟ କରି ଶ୍ରୀ ପାଣିଗ୍ରାହୀ କହନ୍ତି ଯେ, ‘‘ଓଡ଼ିଆ ସଙ୍ଗୀତ ଶିଳ୍ପୀର ସଙ୍ଗୀତ ସଂକ୍ରାନ୍ତ ଜ୍ଞାନ କମ । ତା’ର ଗାୟନବାଦନ ଠିକ୍‌ଶାସ୍ତ୍ରସମ୍ମତ ନୁହେଁ । ରାଗ, ତାଳ, ଛନ୍ଦଆଦିର ଶାସ୍ତ୍ରୀୟ ଜ୍ଞାନ ତା’ର ନ ଥାଏ । ହେଲେ ହେଁ ଆମ ସାହିତ୍ୟରେ ଏ ଗୁଡ଼ିକର ପ୍ରଚୁର ସମାବେଶ । ତେଣୁ ଆମ ସାହିତ୍ୟ ସଙ୍ଗୀତଶାସ୍ତ୍ରର ଅଭାବ କେତେକ ପରିମାଣରେ ମେଣ୍ଟାଇଥାଏ । ଛାନ୍ଦ, ଚମ୍ପୂ ଚଉତିଶା ଆଦିରେ ରାଗତାଳର ଏପରି ପ୍ରୟୋଗ ହୋଇଚି ଯେ ସେ ଗୁଡ଼ିକର ଶାୟନରୁ ଶାସ୍ତ୍ରୀୟ (Classical) ସଙ୍ଗୀତର ଆଭାସ ମିଳେ । ଦୃଷ୍ଟାନ୍ତ ସ୍ୱରୂପ‘ କାମୋଦୀ’ରେ ଆମେ ୩+୪ ବା ୩+୨+୨ ବିନ୍ୟାସ ବିଶିଷ୍ଟ ସପ୍ତମାତ୍ରିକ ଛନ୍ଦର ଝଙ୍କାର ପାଉଁ; ସେହିପରି ‘କାଳୀ’ ଓ ‘ପାହାଡ଼ିଆ କେଦାର’ରେ ୨ +୩ ବା ୩+୨ ଅର୍ଥାତ୍‌ ପଞ୍ଚମାତ୍ରିକ ଛନ୍ଦର ଦୋଳନ ଅନୁଭବ କରୁଁ । ତ୍ରିମାତ୍ରିକ ଓ ଚତୁର୍ମାତ୍ରିକ ଛନ୍ଦ ଅତି ସରଳ ଓ ସାଧାରଣ । ଏ ସବୁ ଛନ୍ଦ ସହିତ କର୍ଣ୍ଣାଟକୀ ସଙ୍ଗୀତର ଆଦିତାଳ ତିସ୍ରଜାତି ତ୍ରିପୁଟା, ତ୍ରିସ୍ରଜାତି ରୂପକ, ଚତୁରସ୍ରଜାତି ଓ ତିସ୍ରଜାତି ଏକତାଳ ତଥା ହିନ୍ଦୁସ୍ଥାନୀ ତେଓରା, ଝାମ୍ପ ଦାଦରା, କହରଦା ଆଦି ତାଳର ନିବିଡ଼ ସମ୍ପର୍କ; ତେଣୁ ଓଡ଼ିଆ ସଙ୍ଗୀତ ଶିଳ୍ପୀ ଶାସ୍ତ୍ରୀୟ ସଙ୍ଗୀତ ଚର୍ଚ୍ଚା ନ କରି ସୁଦ୍ଧା ଶାସ୍ତ୍ରୀୟ ତାଳର ଶିକ୍ଷାପାଏ ସାହିତ୍ୟରୁ (ଗଜପତି ଜଗନ୍ନାଥ ନାରାୟଣ ଦେବଙ୍କର ଏକ ସଂଗ୍ରହ ଗ୍ରନ୍ଥ ସହାୟତାରେ) ।’’

 

ନୀଳମାଧବ ପାଣିଗ୍ରାହୀ, ଦୀନକୃଷ୍ଣଙ୍କ ଛାୟାଲାଗେ ପ୍ରୀତିର ପ୍ରକୃତ ଅର୍ଥ, ଝଙ୍କାର, ନବମ ବର୍ଷ, ୯ମ ସଂଖ୍ୟା, ପୃ ୮୫୬-୮୫୭

 

ଗୀତ ଗୋବିନ୍ଦର ଗୀତଗୁଡ଼ିକର ଛନ୍ଦ ଓ ରାଗ ମୁଖ୍ୟତଃ ପ୍ରାକୃତ ଅଳଙ୍କାର ସାହିତ୍ୟ ଓ ଛନ୍ଦର ଅନୁଗାମୀ ପରି ଓଡ଼ିଆ ଛାନ୍ଦ-ସାହିତ୍ୟ ଓ ଗୀତାର ରାଗରାଗିଣୀ ମୁଖ୍ୟତଃ ପ୍ରାକୃତ ଛନ୍ଦର ଅନୁସରଣ କରିଛି । ପୁଣି ଓଡ଼ିଆ ଛାନ୍ଦ- ସାହିତ୍ୟରେ ପଦ୍ୟଛନ୍ଦ ଓ ସଙ୍ଗୀତ ଛନ୍ଦର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ । ଆଲୋଚନା ପ୍ରସଙ୍ଗରେ ଏଠାରେ ଓଡ଼ିଆ ଛନ୍ଦ, ରାଗରାଗିଣୀ, ବୃତ୍ତ ଓ ବାଣୀ ସମ୍ପର୍କରେ କେତୋଟି ସୂଚନା ଦେବା ପ୍ରୟୋଜନ ମନେହୁଏ ।

 

ଓଡ଼ିଆ ଛନ୍ଦ, ରାଗରାଣି, ବୃତ୍ତ ଓ ବାଣୀ:

ସଂସ୍କୃତ ସାହିତ୍ୟରେ ‘ଛନ୍ଦ’ ଶବ୍ଦ ଅତି ପ୍ରାଚୀନକାଳରୁ ବ୍ୟବହୃତ ହୋଇ ଆସିଛି । ଛନ୍ଦବିନା ବୈଦିକ ସୂକ୍ତ ଓ ସଂସ୍କୃତ ଶ୍ଳୋକ ଶୁଦ୍ଧ ଭାବରେ ଆବୃତ୍ତି କରିହେବ ନାହିଁ । ସେଥିପାଇଁ ବେଦର ଛଅଟି ଅଙ୍ଗ ମଧ୍ୟରୁ ‘ଛନ୍ଦ’ ହେଉଛି ପଞ୍ଚମ ଅଙ୍ଗ । ଏହା ହେଉଛି । ବେଦର ପାଦ (୧୯) । ପିଙ୍ଗଳ ଛନ୍ଦଃସୂତ୍ର ଅନୁଯାୟୀ ଛନ୍ଦ ଦୁଇଭାଗରେ ବିଭକ୍ତ, ଯଥା-ବୈଦିକ ଓ ଲୌକିକ । ସଂସ୍କୃତ ଛନ୍ଦଗୁଡ଼ିକ ଲୌକିକ ବିଭାଗର ଅନ୍ତର୍ଭୁକ୍ତ । ଏ ଗୁଡ଼ିକ ପ୍ରତ୍ୟକ୍ଷଭାବରେ ବୈଦିକ ଛନ୍ଦରୁ ସୃଷ୍ଟି ନୁହନ୍ତି-। ବୈଦିକ ଛନ୍ଦଗୁଡ଼ିକର ଅନୁକରଣରେ କାଳକ୍ରମେ ଯୋଗ ବିଯୋଗ ଦ୍ୱାରା ସଂସ୍କୃତଛନ୍ଦ (ଲୌକିକ ଛନ୍ଦ) ଗୁଡ଼ିକର ସୃଷ୍ଟିହେବା ଅନୁମାନ କରାଯାଏ । ପ୍ରାଚୀନ ଓଡ଼ିଆ କବିମାନେ ଓଡ଼ିଆଭାଷାର ଉଚ୍ଚାରଣ ବୈଶିଷ୍ଟ୍ୟପ୍ରତି ଦୃଷ୍ଟିଦେଇ ନୂତନ ଛନ୍ଦ ସୃଷ୍ଟି କରିଥାଇ ପାରନ୍ତି । ତେବେ ଓଡ଼ିଆ ଛନ୍ଦଗୁଡ଼ିକ ସଂସ୍କୃତ ବୃତ୍ତ (ପଦ୍ୟଛନ୍ଦ) ଓ ସଙ୍ଗୀତ ଶାସ୍ତ୍ରର ରାଗରାଗିଣୀ, ପ୍ରାକୃତଛନ୍ଦ ଏବଂ ଲୋକଗୀତି (ଢ଼ଗଢ଼ମାଳି) ଓ ପ୍ରତିବେଶୀ ଭାଷାଭାଷୀମାନଙ୍କର ଗୀତିଦ୍ୱାରା ସୃଷ୍ଟି ହୋଇଥିବା ଅନୁମିତ ହୁଏ ।

 

୧୯

‘ଛନ୍ଦ ପାଦୌ ତୁ ବେଦସ୍ୟ’

ପାଣିନି

 

‘ପ୍ରବନ୍ଧାବଳୀ’ର ଲେଖକ ଶ୍ୟାମସୁନ୍ଦର ରାଜଗୁରୁ ଓ ପଣ୍ତିତ ଗୋପୀନାଥ ନନ୍ଦ ପ୍ରାକୃତ ଜରିଆରେ ଓଡ଼ିଆ ରାଗରାଗିଣୀର ଉତ୍ପତ୍ତି ସମ୍ପର୍କରେ ମତ ପ୍ରକାଶ କରିଛନ୍ତି । ପଣ୍ତିତ ନୀଳକଣ୍ଠ ଦାସ, ଡଃ ଆର୍ତ୍ତବଲ୍ଲଭ ମହାନ୍ତି ଓ ପଣ୍ତିତ ବିନାୟକ ମିଶ୍ରଙ୍କର ଓଡ଼ିଆଛନ୍ଦ ସମ୍ପର୍କିତ ଆଲୋଚନା ଦିଗ୍‌-ନିର୍ଦ୍ଦେଶମୂଳକ ହେଲେ ମଧ୍ୟ ବ୍ୟାପକ ନୁହେଁ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (ସଙ୍ଗୀତରେ ସ୍ୱର, ସଙ୍ଗୀତ ପରିଚୟ), ଶ୍ୟାମସୁନ୍ଦର ଧୀର (ଉତ୍କଳ ସଙ୍ଗୀତ ପଦ୍ଧତି) ଓ ଧୀରେନ୍ଦ୍ର ନାଥ ପଟ୍ଟନାୟକ ଉତ୍କଳୀୟ ସଙ୍ଗୀତ ପଦ୍ଧତି ଓ ରାଗରାଗିଣୀ ସମ୍ପର୍କରେ ଆଲୋଚନା କାରିଛନ୍ତି । ସାମ୍ପ୍ରତିକ କାଳରେ ଅଧ୍ୟାପକ ଗୌରୀକୁମାର ବ୍ରହ୍ମା, ଅଧ୍ୟାପକ ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ) ଓଡ଼ିଆ କାବ୍ୟକବିତାର ଛନ୍ଦ ସମ୍ପର୍କରେ ଦୁଇଟି ପୁସ୍ତକ ପ୍ରକାଶ କରିଛନ୍ତି; କିନ୍ତୁ ଓଡ଼ିଆ ଛନ୍ଦ ଓ ରାଗରାଗିଣୀ ସମ୍ପର୍କରେ ଗବେଷଣା ଓ ତୁଳନାତ୍ମକ ଆଲୋଚନା ପାଇଁ ଆନୁଷଙ୍ଗିକ ଉପାଦାନର ଅଭାବ ଏମାନେ ଉପଲବ୍‌ଧ କରି ସୀମିତ ପରିସରରେ ଯତ୍‌କିଞ୍ଚିତ୍‌ ଆଲୋଚନା କରିଛନ୍ତି । ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଓଡ଼ିଆଛନ୍ଦ ଓ ରାଗରାଗିଣୀର ଉତ୍ପତ୍ତି ସମ୍ପର୍କୀୟ ବିଚାରର ଦୁରୂହତା ଉପଲବ୍‌ଧି କରି କହିଛନ୍ତି—‘‘ଦୁଃଖର କଥା, ଛାନ୍ଦ ଓ ଗୀତର ରାଗରାଗିଣୀ ବିଷୟରେ ତଥା ଗୀତି-ରୀତିର ନିର୍ଣ୍ଣୟ ବିଷୟରେ ଯଥାଯଥ ଅନୁଶୀଳନ, ଆଲୋଚନା ଏ ପର୍ଯ୍ୟନ୍ତ ଆମର ଏହି ଉତ୍କଳଖଣ୍ତରେ ହୋଇ ନ ଥିବାରୁ ଲୋକେ ନିଜ ଇଚ୍ଛାନୁସାରେ ମନମଉଜି ଗାନ କରି ବିଷମ ବିଭ୍ରାଟ ଉପସ୍ଥାପିତ କରାଉଛନ୍ତି । ଏ ବିଷୟରେ ପ୍ରକୃତ ଓ ପ୍ରକୃଷ୍ଟ ଆଲୋଚନା କରିବାକୁ ହେଲେ ବୈଦିକ ସୂକ୍ତ, ବୌଦ୍ଧ ଓ ଜୈନ ସ୍ତୋତ୍ର ଗୀତି, ସଂସ୍କୃତ ଓ ପ୍ରାକୃତ କାବ୍ୟକବିତା, ପୃଥ୍ୱୀରାଜ ରାସୋ, ମରହଟ୍ଟୀ ନାମଦାସ ପ୍ରଭୃତି ପ୍ରାଚୀନ କବିଙ୍କର କୃତି; ଚଣ୍ତୀଦାସ, ବିଦ୍ୟାପତି, ଶୂରଦାସ, ମୀରାବାଈ, କବୀର ପ୍ରଭୃତିଙ୍କ ହିନ୍ଦୀ କବିତା; ପ୍ରାଚୀନ ଉତ୍କଳ କାବ୍ୟକବିତା ଓ ଗୀତି ପ୍ରଭୃତି, ବୈଦିକ ଶିକ୍ଷା, ପିଙ୍ଗଳ ଛନ୍ଦସୂତ୍ର, ପ୍ରାକୃତ ପିଙ୍ଗଳ, ଅନ୍ୟାନ୍ୟ ଛାନ୍ଦଗ୍ରନ୍ଥ ତଥା ସଂସ୍କୃତ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ସଙ୍ଗୀତ ଶାସ୍ତ୍ର ସହିତ ଶ୍ରମ ଓ ଅଭିନିବେଶ ସହ ଆଲୋଚନା କଲେ ତଥ୍ୟ ସମ୍ଭବତଃ ନିର୍ଣ୍ଣୀତ ହେବ (୨୦) ।’’ ଓଡ଼ିଆ ଛନ୍ଦ ଓ ରାଗରାଗିଣୀର ନିର୍ଣ୍ଣୟ ପାଇଁ ଡଃ ମହାନ୍ତିଙ୍କ ଏ ଉକ୍ତି ଏକାନ୍ତ ଯୁକ୍ତିଯୁକ୍ତ । ଛନ୍ଦ ଓ ରାଗରାଗିଣୀର ଯଥାର୍ଥ ବିଚାର ପାଇଁ ସେ ଓଡ଼ିଶା ଓ ଓଡ଼ିଶା ବାହାରର (ଦକ୍ଷିଣଭାରତ ଓ ଉତ୍ତର ଭାରତର ସଙ୍ଗୀତଶାସ୍ତ୍ର, ହିନ୍ଦୀ ଓ ମରାଠୀ ଗୀତି, ପ୍ରକୃତ ଛନ୍ଦ, ରାଗ ଓ କାବ୍ୟକବିତା) ଉପାଦାନର ତୁଳନାତ୍ମକ ବିଚାରପାଇଁ ସୂଚନା ଦେଇଛନ୍ତି ।

 

ଡକ୍ଟର ମହାନ୍ତିଙ୍କ ମତରେ ଛନ୍ଦ୍ର ଶବ୍ଦରୁ ଛାନ୍ଦ ଶବ୍ଦ ନିଷ୍ପନ୍ନ । ଅଧ୍ୟାପକ ବ୍ରହ୍ମା କହନ୍ତି- ‘‘ଛନ୍ଦ ଶବ୍ଦଟି ‘ଚ ଦି ଆହ୍ଲାଦନେ’ ଧାତୁର ନିଷ୍ପନ୍ନ । ସାଧାରଣରେ ଗଦ୍ୟଠାରୁ ଭିନ୍ନ ଭାବରେ ଯାହା ରଚିତ ହୁଏ, ଆବୃତ୍ତି କାଳରେ ମଧୁର ସ୍ୱର ସଂଯୋଗ ହେତୁ ଯାହା ମନରେ ଆହ୍ଲାଦନ ସୃଷ୍ଟିକରେ, ତାହାହିଁ ଛନ୍ଦ । ଏହି ଛନ୍ଦ ଶବ୍ଦରୁ କ୍ରମେ ଓଡ଼ିଆରେ ‘ଛାନ୍ଦ’ ଶବ୍ଦ ଉତ୍ପନ୍ନ ହୋଇଛି (୨୧) ।

 

ଚାରିପାଦରେ ରଚିତ ଶ୍ଳୋକର ନାମ ପଦ୍ୟ । ‘ବୃତ୍ତ’ ଓ ‘ଜାତି’ ଭେଦରେ ପଦ୍ୟ ଦୁଇଭାଗରେ ବିଭକ୍ତ । ନିର୍ଦ୍ଦିଷ୍ଟ ସଂଖ୍ୟକ ଅକ୍ଷର ପ୍ରତ୍ୟେକ ପାଦରେ ସନ୍ନିବିଷ୍ଟ ହେଲେ ତାହାକୁ ‘ବୃତ୍ତଛନ୍ଦ’ କୁହାଯାଏ: କିନ୍ତୁ ବିଭିନ୍ନ ପାଦରେ ଅକ୍ଷର ସଂଖ୍ୟାର ସମତା ଉପରେ ଗୁରୁତ୍ୱ ଦିଆ ନ ଯାଇ ବର୍ଣ୍ଣମାନଙ୍କର ମାତ୍ରା ସଂଖ୍ୟାର ସମତା ଉପରେ ଦୃଷ୍ଟି ଦିଆଗଲେ ‘ଜାତି ଛନ୍ଦ’ ହୁଏ (୨୨) । ସମବୃତ୍ତ, ଅର୍ଦ୍ଧ ସମବୃତ୍ତ ଓ ବିଷମବୃତ୍ତ ନାମରେ ବୃତ୍ତଛନ୍ଦ ତିନିଭାଗରେ ବିଭକ୍ତ । ଯେଉଁଠି ଚାରିପାଦର ଅକ୍ଷର ସଂଖ୍ୟା ସମାନ ତାହା ସମବୃତ୍ତ । ଯେଉଁଠି ପ୍ରଥମ ଓ ତୃତୀୟ, ଦ୍ୱିତୀୟ ଓ ଚତୁର୍ଥପାଦର ଅକ୍ଷର ସଂଖ୍ୟା ସମାନ ତାହା ଅର୍ଦ୍ଧସମବୃତ୍ତ । ପାଦମାନଙ୍କରେ ଅକ୍ଷର ସଂଖ୍ୟା ସମାନ ନ ହେଲେ ବିଷମବୃତ୍ତ ହୁଏ ।

 

୨୦.

ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ସମ୍ପା : ଲାବଣ୍ୟବତୀ (ପ୍ରଥମଭାଗ), ଉତ୍କଳ ବିଶ୍ୱବିଦ୍ୟାଳୟ, ମୁଖବନ୍ଧ, ପୃ. ୧୫୧

 

 

୨୧.

ଅଧ୍ୟାପକ ଗୌରୀକୁମାର ବ୍ରହ୍ମା, ଓଡ଼ିଆ କବିତାର ଛନ୍ଦ (ପ୍ରଥମ ଭାଗ), ୧ମ ସଂ, ୧୯୬୭, କଟକ ଷ୍ଟୁଡ଼େଣ୍ଟ୍‌ସ ଷ୍ଟୋର, ପୃ. ୧୧-୧୨

 

 

୨୨.

ପଦ୍ୟଂ ଚତୁଷ୍ପଦୀ ତ ଚ୍ଚ ବୃତ୍ତଂ ଜାତିରିତି ଦ୍ୱିଧା

ବୃତ୍ତଂ ଅକ୍ଷର ସଂଖ୍ୟାତଂ ଜାତିର୍ମାତ୍ରା ଦୃତାଭବେତ୍‌।

(ଗଙ୍ଗାଦାସ, ଛନ୍ଦୋମଞ୍ଜରୀ)

 

ଓଡ଼ିଆ ଛାନ୍ଦ ଓ ସଙ୍ଗୀତରେ ଛନ୍ଦ ବଦଳରେ ରାଗ, ବୃତ୍ତ ଓ ଗାନରୀତିକୁ ‘ବାଣୀ’ ନାମରେ ଉଲ୍ଲେଖ କରାଯାଇଥାଏ । ଛନ୍ଦ ଓ ରାଗ ଏକ ବିଷୟ ନୁହେଁ । ରାଗ ହେଉଛି ଭାବାତ୍ମକ ଓ ବ୍ୟାପକ, କିନ୍ତୁ ତାଳ ବିଷୟକ ତଥା ସଂକୀର୍ଣ୍ଣ । ରାଗକୁ ଭିନ୍ନ ଭିନ୍ନ ଛନ୍ଦ ବା ତାଳରେ ଗାନ କରାଯାଇପାରେ । ରାଗକୁ ଅକ୍ଷର ଦ୍ୱାରା ନିୟମିତ କରିବା ଏକପ୍ରକାର ପାଗଳାମି (୨୩) । ସ୍ୱର ରଚନା ରସ ସୃଷ୍ଟି କରି ଚିତ୍ତକୁ ରଞ୍ଜିତ କଲେ ‘ରାଗ’ ରୂପରେ ପରିଚିତ ହୁଏ । ପୁଣି ରାଗଜନକ ଧ୍ୱନିକୁ ସ୍ୱର କୁହାଯାଏ (ରାଗ ଜନକୋ ଧ୍ୱନିଃ ସ୍ୱରଃ) । ଶ୍ରୋତାମାନଙ୍କର ଚିତ୍ତକୁ ସ୍ୱତଃରଞ୍ଜିତ କରେ ବୋଲି ତା’ର ନାମ ସ୍ୱର (ସ୍ୱତୋ ରଞ୍ଜୟତେ ଶ୍ରୋତୃ ଚିତ୍ତଂ ସ ସ୍ୱର ଉଚ୍ୟତେ) । ଏହି ସ୍ୱର ହେଉଛି ସଙ୍ଗୀତର ପ୍ରାଣ । ଶାର୍ଙ୍ଗଦେବ କହନ୍ତି ‘ସପ୍ତକର ପ୍ରତ୍ୟେକ ସ୍ୱର ଏକ ଏକ ସ୍ୱତନ୍ତ୍ର ରସ ପ୍ରକାଶ କରିଥା’ନ୍ତି । ସ୍ୱର ଗୁଡ଼ିକର ପୁଣି ବର୍ଣ୍ଣ (ରଙ୍ଗ) ଓ କାଳ ସହିତ ନିବିଡ଼ ସମ୍ପର୍କ ରହିଛି । ବିଭିନ୍ନ ସ୍ୱର ସମନୟରେ ବିଭିନ୍ନ ରସ ପ୍ରକାଶକ ରାଗରାଗିଣୀ ଗଠିତ ହୋଇଛି’ (୨୪) ।

ପ୍ରଧାନତଃ ଛଅଗୋଟି ରାଗର ଉଲ୍ଲେଖ ରହିଛି, ଯଥା- ହିନ୍ଦୋଳ, ଦୀପକ, ମେଘ ଭୈରବ, ଶ୍ରୀ ଓ ମାଲକସ୍‌ । ବିଭିନ୍ନ ରାଗ ବିଭିନ୍ନ ଋତୁରେ ଗୀତ ହେବାର ନିୟମ ରହିଛି, ଯଥା- ହିନ୍ଦୋଳ ରାଗ ବସନ୍ତ ଋତୁ, ଦୀପକ ଗ୍ରୀଷ୍ମ ଋତୁ, ମେଘ ବର୍ଷା ଋତୁ, ଭୈରବ ଶରତ୍‌ଋତୁ, ଶ୍ରୀ ହେମନ୍ତ ଋତୁ ଓ ମାଲକସ୍‌ ଶିରିର ଋତୁ । ପ୍ରତ୍ୟେକ ରାଗର ରାଗିଣୀ, ଆଠଟି ଉପରାଗ ଓ ଆଠଟି ଉପରାଗିଣୀ ଅଛି । ରାଗ, ରାଗିଣୀର ନାମକରଣ ସମ୍ପର୍କରେ ଶାସ୍ତ୍ରକାରଙ୍କ ମଧ୍ୟରେ ମତର ସମତା ଦେଖାଯାଏ, କିନ୍ତୁ ଉପରାଗ ଓ ଉପରାଗିଣୀ ଗୁଡ଼ିକର ନାମକରଣ ସମ୍ପର୍କରେ ମତାନୈକ୍ୟ ଲକ୍ଷିତ ହୁଏ; ସେଥିପାଇଁ ଏ କ୍ଷେତ୍ରରେ ବିଭିନ୍ନ ଦେଶରେ ପ୍ରଚଳିତ ପରମ୍ପରା ଗ୍ରହଣ କରିବାକୁ ହେବ (୨୫)

୨୪.

ଲାବଣ୍ୟବତୀ, ମୁଖବନ୍ଧ, ପୃ. ୧୪୭

 

 

୨୫.

କାଳୀଚରଣ ପଟ୍ଟନାୟକ, ସଙ୍ଗୀତରେ ସ୍ୱର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପ୍ରକାଶନୀ

 

 

୨୬.

ଲାବଣ୍ୟବତୀ, ମୁଖବନ୍ଧ, ପୃ. ୧୪୮/୧୪୯

 

ଓଡ଼ିଆ କବିମାନେ ସଂସ୍କୃତରେ ରଚିତ ସଙ୍ଗୀତ ଶାସ୍ତ୍ରରୁ ରାଗରାଗିଣୀର ନାମ ଗ୍ରହଣ କରି ସେମାନଙ୍କ ରଚନାର ରାଗଗୁଡ଼ିକର ନାମକରଣ କରିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ : ଶ୍ରୀ ରାଗର ରାଗିଣୀ ହେଉଛ ବସନ୍ତ, ଉପରାଗ ମାଳବ, ଦୀପକ ରାଗର ରାଗିଣୀ କାମୋଦୀ, ଉପରାଗିଣୀ ମଙ୍ଗଳଗୁଜ୍ଜରୀ; ଭୈରବରାଗର ରାଗିଣୀ ଭୈରବୀ; ହିନ୍ଦୋଳରାଗର ରାଗିଣୀ ଦେଶାକ୍ଷ, ଉପରଗ ମଙ୍ଗଳ । ଏହି ରାଗିଣୀ, ଉପରାଗ ଓ ଉପରାଗିଣୀ ଗୁଡ଼ିକ, ଓଡ଼ିଆ ଛାନ୍ଦ ରଚନାରେ ଗୋଟିଏ ଛନ୍ଦ ବା ରାଗ ଅର୍ଥରେ ବ୍ୟବହୃତ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସଂସ୍କୃତ ସଙ୍ଗୀତଶାସ୍ତ୍ରର ରାଗ ଓ ଓଡ଼ିଆ ରଚନା ବିଶେଷତଃ ଛାନ୍ଦ-ସାହିତ୍ୟର ରାଗ ଏକ ନୁହେଁ । ବରଂ ସଂସ୍କୃତରେ ‘ବୃତ୍ତ’ ଶବ୍ଦ ଯେପରି ବ୍ୟାପକ ଅର୍ଥରେ ବ୍ୟବହୃତ, ସେହି ଅର୍ଥରେ ଓଡ଼ିଆ ସାହିତ୍ୟରେ ‘ରାଗ’ ଶବ୍ଦର ପ୍ରୟୋଗ ହୋଇଛି ବୋଲି ବୁଝିବାକୁ ହେବ । ତେଣୁ ଓଡ଼ିଆ ସାହିତ୍ୟର ରାଗ ସଂସ୍କୃତ ସାହିତ୍ୟର ବୃତ୍ତ ବା ଛନ୍ଦ ଏକାର୍ଥବାଚକ ।

 

ଏକ ଏକ ବୃତ୍ତର ନାନା ଭେଦ:

ସଂସ୍କୃତରେ ବୃତ୍ତ ଛନ୍ଦରେ ନିଦ୍ଦିଷ୍ଟ ସଂଖ୍ୟକ ଅକ୍ଷର ପ୍ରତ୍ୟେକ ପାଦରେ ରଖାଗଲେ ମଧ୍ୟ ଗୋଟିଏ ଗୋଟିଏ ବୃତ୍ତର ଅନେକ ପ୍ରକାର ଭେଦ ରହିଛି । ଗଣ-ନିୟମାନୁଯାୟୀ ଆବୃତ୍ତିକ୍ରମ ଦୃଷ୍ଟିରୁ ସେଗୁଡ଼ିକ ବହୁ ଭାଗରେ ବିଭକ୍ତ ଓ ସ୍ୱତନ୍ତ୍ର । ଓଡ଼ିଆ ରାଗ ବା ବୃତ୍ତରେ ଗଣନିୟମ ନ ଥିଲେ ମଧ୍ୟ ଗୋଟିଏ ବୃତ୍ତର ନାନା ପ୍ରକାର ଭେଦ ରହିଛି । ଦୃଷ୍ଟାନ୍ତ ସ୍ୱରୂପ ଓଡ଼ିଆ ଚତୁର୍ଦ୍ଦଶାକ୍ଷରୀ ଓ ଦ୍ୱାଦଶାକ୍ଷରୀ ପ୍ରଭୃତି ବୃତ୍ତ । ଚତୁର୍ଦ୍ଦଶାକ୍ଷରୀ ବୃତ୍ତ ଗୋଟିଏ ଭଙ୍ଗୀରେ ଗାନ କରାଯାଇ ପାରୁଥିଲେ ମଧ୍ୟ ବୈଚିତ୍ର୍ୟ, ଶ୍ରବଣସୌଖ୍ୟ ଓ ରସର ଉପଲବ୍‌ଧି ପାଇଁ ନାନା ଭଙ୍ଗୀରେ ଗାଇବା ନିମିତ୍ତ କବିମାନେ ନିର୍ଦ୍ଦେଶ ଦେଇଥାନ୍ତି । ଫଳରେ ପାଦର ଅକ୍ଷର ସଂଖ୍ୟା ସମାନ ହେଲେ ମଧ୍ୟ କେବଳ ଗାନ ଭଙ୍ଗୀର ଭିନ୍ନତା ହେତୁ ଭିନ୍ନଭିନ୍ନ ବୃତ୍ତ ବା ରାଗ ନାମର ଉଲ୍ଲେଖ ରହିଥାଏ; ଯଥା-ଚତୁର୍ଦ୍ଦଶାକ୍ଷରୀ ବୃତ୍ତର ଗୋଟିଏ ରାଗ ମଙ୍ଗଳ, ଅନ୍ୟ ଗୁଡ଼ିକ ହେଉଛନ୍ତି ନଳିନୀଗୌଡ଼ା, ଭୈରବ, ଆଶାବରୀ, ମାଳବ, କଳସା, ପଟହମଞ୍ଜରୀ, ମଙ୍ଗଳଗୁଜ୍ଜରୀ ଇତ୍ୟାଦି (ଲାବଣ୍ୟବତୀରେ ଦ୍ରଷ୍ଟବ୍ୟ)-। ସେହିପରି ଦ୍ୱାଦଶାକ୍ଷରୀ ବୃତ୍ତର ବିଭିନ୍ନ ଗାନଭଙ୍ଗୀ ସୂଚକ ରାଗ ରହିଛି, ଯଥା- ବିଭାସଗୁଜ୍ଜରୀ, କଳହଂସ କେଦାର, ଆଶାବରୀ, ଭୂପୋଳ ଓ କେଦାର କାମୋଦୀ ପ୍ରଭୃତି ।

 

ଚର୍ଯ୍ୟାଗୀତିଠାରୁ ଆରମ୍ଭ କରି ସାରଳା ମହାଭାରତ, ଦାଣ୍ତୀରାମାୟଣ, ଅଚ୍ୟୁତାନନ୍ଦଙ୍କ ହରିବଂଶ, ଚୈତନ୍ୟଦାସଙ୍କ ବିଷ୍ଣୁଗଭ ପୁରାଣ ଏବଂ ଅର୍ଜ୍ଜୁନଦାସଙ୍କ ରାମବିଭା ଓ ନରସିଂହ ସେଣଙ୍କ ପରିମଳା ପ୍ରଭୃତି ଛାନ୍ଦରଚନାମାନଙ୍କରେ ପଦର ପାଦଗୁଡ଼ିକର ଅକ୍ଷର ସମତା ପରିଲକ୍ଷିତ ହୁଏ ନାହିଁ । ପୁରାଣ-ସାହିତ୍ୟ ସଙ୍ଗେ ସଙ୍ଗେ କ୍ରମଶଃ ଓଡ଼ିଆ ଛାନ୍ଦ-ସାହିତ୍ୟର ବିକାଶ ଘଟେ ଏବଂ ନାନା ପ୍ରକାର ରାଗ ଓ ରାଗିଣୀର ସୃଷ୍ଟି ତଥା ପ୍ରୟୋଗ ହେତୁ ଓଡ଼ିଆ ପଦ୍ୟ-ସାହିତ୍ୟର ସାଙ୍ଗୀତିକ ମାଧୁର୍ଯ୍ୟ ବଢ଼ି ଉଠେ । ପଞ୍ଚସଖା ଯୁଗ ପରେ ପରେ ଯେପରି ଓଡ଼ିଆ ସାହିତ୍ୟରେ ପଦଗୁଡ଼ିକର ଅକ୍ଷର ସଂଖ୍ୟା ନିର୍ଦ୍ଦିଷ୍ଟ ହେଲା ଓ ରାଗରାଗିଣୀଗୁଡ଼ିକ ଶୃଙ୍ଖଳିତ ହେଲା, ପୂର୍ବରୁ ସେପରି ଦେଖାଯାଇ ନ ଥିଲା ।

 

ରାଗ, ବାଣୀ ଓ ବୃତ୍ତ:

ଉପେନ୍ଦ୍ର ଭଞ୍ଜ ପ୍ରଭୃତି ବିଭିନ୍ନ କବିମାନଙ୍କର କାବ୍ୟକବିତା ଓ ଚଉପଦୀମାନଙ୍କ ମୂଳରେ ରାଗ, ବାଣୀ ଓ ବୃତ୍ତର ନିର୍ଦ୍ଦେଶ ପରିଲକ୍ଷିତ ହୁଏ । ସ୍ଥାନେ ସ୍ଥାନେ ତାଳର ଉଲ୍ଲେଖ ମଧ୍ୟ ଥାଏ । ରାଗ ଯାହା, ବାଣୀ ଓ ବୃତ୍ତ ତାହା ନୁହେଁ, ଯଦିଓ କେତେକ କବି ଓ ପ୍ରକାଶକ ବାଣୀ ଓ ବୃତ୍ତକୁ ରାଗ ବୋଲି ମନେକରି ପାଠକମାନଙ୍କୁ ଦିଗ୍‌ଭ୍ରାନ୍ତ କରିଛନ୍ତି । ସଂସ୍କୃତ ସଙ୍ଗୀତଶାସ୍ତ୍ରରେ ବୃତ୍ତ ଓ ବାଣୀ ଯେଉଁ ଅର୍ଥରେ ବ୍ୟବହୃତ, ଓଡ଼ିଆରେ ସେ ଅର୍ଥରେ ବ୍ୟବହୃତ ନୁହନ୍ତି । ସଂସ୍କୃତ ଭାଷାରେ ଏକ ପ୍ରକାର ରାଗକୁ ‘ବୃତ୍ତ’ ଓ ତାଳ-ଲୟଯୁକ୍ତ ସଙ୍ଗୀତ ସ୍ୱରକୁ ‘ବାଣୀ’ କହନ୍ତି । କୌଣସି ଛାନ୍ଦ ବା ସଙ୍ଗୀତର ରାଗ ସ୍ପଷ୍ଟ ଭାବରେ ନିର୍ଦ୍ଦିଷ୍ଟ କରିବା ପାଇଁ କୌଣସି ଗୋଟିଏ ବିଖ୍ୟାତ ଲୋକପ୍ରିୟ ରଚନାରେ ବ୍ୟବହୃତ ଛନ୍ଦର (ରାଗ) ଉଲ୍ଲେଖ କରାଗଲେ ‘ବୃତ୍ତ’ ବା ‘ବାଣୀ’ ଶବ୍ଦ ପ୍ରୟୋଗ କରାଯାଏ; ଯଥା- ରାଗ ବରାଡ଼ି, ଆଷାଢ଼ ଶୁକ୍ଳବାଣୀରେ ଗାଇବ (ବିଦଗ୍‌ଧ ଚିନ୍ତାମଣି, ୩୯ ଛାନ୍ଦ); ରାଗ ବଙ୍ଗଳା ଶ୍ରୀ, ଉଦ୍ଧବ ଚଉତିଶା ବାଣୀରେ ଗାଇବ (ବି: ଚି: ୪୪ ଛାନ୍ଦ); ଗୋପୀଭାଷା ବୃତ୍ତେ ଗାଇବ; ଦିଶା ଚୋଖୀ, ସପନଚେତିଆ ବାଣୀ ଏକ ନୁହେଁ, ବାଣୀ ଏକ ଲୋକପ୍ରିୟ ଗାନଭଙ୍ଗୀର ସୂଚକ ମାତ୍ର । ଗୋଟିଏ ଗୋଟିଏ ରାଗ ନାନା ଭଙ୍ଗୀରେ ଗାନ କରାଯାଉ ଥିବାରୁ ତା’ର ନାନା ବାଣୀ ବା ବୃତ୍ତ ହୋଇପାରେ । ‘ବାଣୀ’ର ଗାଇବା ରୀତି ଜଣା ନ ଥିଲେ ଗାଇବା ସମୟରେ ବିଶେଷ ଅସୁବିଧା ହୁଏ । ରାଗ ସହିତ ତାଳର ଉଲ୍ଲେଖ ଥିଲେ ନିର୍ଦ୍ଦିଷ୍ଟ ରାଗର ଗାନ ସହଜ ହୋଇଥାଏ; କିନ୍ତୁ କେବଳ ରାଗର ଉଲ୍ଲେଖ ଥିଲେ ତାହା ଗାଇବା କଷ୍ଟକର ହୋଇପଡ଼େ । ରାଗର ବାଣୀର ଉଲ୍ଲେଖ ଥିଲେ ତା’ର ଗାନର ବିଶିଷ୍ଟରୀତି ଜଣାପଡ଼େ ଏବଂ ତା’ର ଅକ୍ଷର ବିନ୍ୟାସ ସମ୍ପର୍କରେ ଆମେ ନିଶ୍ଚିତ ହେଉଁ (୨୬) । ରାଗ ଅକ୍ଷର ବିନ୍ୟାସର ବିଭିନ୍ନତା ହେତୁ ନାନାରୂପ ଧାରଣ କରିପାରେ; କିନ୍ତୁ ଶୁଦ୍ଧ ରାଗ ଅକ୍ଷର ନିୟମରେ ନିୟନ୍ତ୍ରିତ ହେବା ଉଚିତ ନୁହେଁ ।

ଓଡ଼ିଶାର ଛାନ୍ଦ, ଚଉତିଶା ଓ ଚଉପଦୀର କବିମାନେ ଯେପରି ଥିଲେ ସଙ୍ଗୀତଜ୍ଞ, ସେହିପରି ଥିଲେ ରସଜ୍ଞ ଓ ସଂସ୍କୃତଜ୍ଞ । ସଙ୍ଗୀତକଳାରେ ଦକ୍ଷତା ଥିବାରୁ ସେମାନଙ୍କ ପକ୍ଷରେ ସ୍ୱରରେ ରସବୋଧ ସହଜ ଥିଲା । କବିତ୍ୱ ଓ ସଙ୍ଗୀତଜ୍ଞାନ ଉଭୟରେ ପ୍ରବୀଣ ଥିବାରୁ ଧାତୁ (ସ୍ୱର) ଓ ମାତୁର (ସାହିତ୍ୟ) (୨୭) ଅପୂର୍ବ ସମନ୍ୱୟରେ ସେମାନେ ଛାନ୍ଦ, ଚଉତିଶା ଓ ଚଉପଦୀ ରଚନା କରିଥିଲେ । ସେମାନେ ଛାନ୍ଦର ରାଗ ନିର୍ଦ୍ଦେଶ ପ୍ରସଙ୍ଗରେ ସ୍ୱୀୟ ସାଙ୍ଗୀତିକ ପ୍ରତିଭା ବଳରେ ଗୁଡ଼ିଏ ଶ୍ରଦ୍ଧାସମନ୍ୱିତ ନୂତନ ରାଗରାଗିଣୀ ସୃଷ୍ଟି କରି ଯାଇଛନ୍ତି; ଯେଉଁଥିରେ ଓଡ଼ିଶୀ ସ୍ୱତନ୍ତ୍ରତା ସ୍ପଷ୍ଟ ହୋଇ ଉଠିଛି । ସେଗୁଡ଼ିକୁ ବିଷମଛନ୍ଦ ବା ମିଶ୍ରରାଗ କୁହାଯାଇ ପାରେ, ଯଥା- କଲ୍ୟାଣ+ଆହାରୀ= କଲ୍ୟାଣ ଆହାରୀ, ମଙ୍ଗଳ +ଗୁଜ୍ଜରୀ= ମଙ୍ଗଳଗୁଜ୍ଜରୀ; ସେହିପରି ବସନ୍ତ ବରାଡ଼ି, କେଦାରଗୌଡ଼ା, ଚିନ୍ତା-ଦେଶାକ୍ଷ, ଶୋକକାମୋଦୀ ଓ ଚିନ୍ତାଭୈରବ ପ୍ରଭୃତି । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଭାଷାରେ କହିବାକୁ ଗଲେ, ‘‘ଆମର ଛାନ୍ଦ- ରଚୟିତାମାନେ ଥିଲେ ସଂସ୍କୃତ ଭାଷାପ୍ରବୀଣ । ଶ୍ଲୋକର ମାଧୁରୀ ଓ ଶ୍ଳୋକର ମୋହ ଏଡ଼ିଦେଇ ପାରି ନ ଥିଲେ ସେମାନେ । ଛାନ୍ଦ ଏବଂ ଭାଷା ଉଭୟଙ୍କୁ ସଂଗୀତ ବନ୍ଧନୀରେ ଶୃଙ୍ଖଳିତ କରିବାର ଅଭୁତପୂର୍ବ କଳ୍ପନା କରି ଆମର ସେହି ଜାତିସ୍ମର କୃତୀ ସନ୍ତାନଗଣ ପ୍ରସ୍ତୁତ କରିଯାଇଛନ୍ତି ଛାନ୍ଦ । ଘେନା ଯାଇଛି ସଂସ୍କୃତ ଛନ୍ଦର ଅକ୍ଷର ସଂଖ୍ୟା, ତହିଁରେ ମିଶା ଯାଇଛି ରସାନୁସାରୀ ସଙ୍ଗୀତର ସ୍ୱର । ତାହାକୁ ଶୃଙ୍ଖଳିତ କରିଛି ଲୟ, ତାଳ-ମାତ୍ରା (୨୮) ।’’ ରସିକ ଛାନ୍ଦ କବିଙ୍କର ଶ୍ରଦ୍ଧା ସମନ୍ୱିତ ରାଗଗୁଡ଼ିକୁ ଲକ୍ଷ୍ୟ କରି କହିଛନ୍ତି- ‘ଏ ଗୁଡ଼ିକ ଶାସ୍ତ୍ରୀୟ ରାଗର ନାମ ସହିତ ଭାବ ବା ରସର ଅଭୁତପୂର୍ବ ସଂଯୋଜନା (୨୯) ।’

୨୬.

ବାଣୀର ନିର୍ଦ୍ଦେଶ ଆମ ପ୍ରାଚୀନ ସାହିତ୍ୟର ବହୁ ଅଜ୍ଞାତ ରଚନାର ସନ୍ଧାନ ଦିଏ । ବିଭିନ୍ନ ରଚନାରେ ମିଳୁଥିବା କେତୋଟି ବାଣୀ- ଉଦ୍ଧବ ଚଉତିଶା ବାଣୀ, ହରି ଚଉତିଶା ବାଣୀ, କାଦମ୍ବିନୀ ଚଉତିଶା ବାଣୀ, ବାରମାସୀ ଚ.ବା., କଳାକାଇଁଚ ବାଣୀ ମୁନିବରବାଣୀ ।

ଶ୍ରୀ ଗୌରୀକୁମାର ବ୍ରହ୍ମା, ଓଡ଼ିଆ କବିତାର ଛନ୍ଦ, ପୃ. ୨୭।୨୮

 

 

୨୭.

‘ଧାତୁମାତୁ ସମାଯୁକ୍ତଂ ଗୀତମିତି’ - ଅର୍ଥାତ୍‌ ସ୍ୱର (ଧାତୁ) ଓ ଅକ୍ଷର ସଞ୍ଚୟ ବା ଶବ୍ଦ ବା ପଦ ସଂଯୋଗକୁ (ମାତୁ) ଗୀତ କହନ୍ତି । ସଙ୍ଗୀତରେ ‘ଧାତୁ’ ହେଉଛି ନାନ୍ଦାତ୍ମକ ସ୍ୱର ଏବଂ ‘ମାତୁ’ ହେଉଛି ସାହିତ୍ୟ । ଶବ୍ଦ ବା ପଦ ଗୀତ-କବିଙ୍କର ମନୋଭାବ ପ୍ରକାଶ କରେ ଏବଂ ସ୍ୱର ତା’ର ଚିତ୍ତରେ ଲୀଳାୟିତ ହୁଏ । ଗୀତରେ କବିତାର (ମାତୁ) ସ୍ଥାନ ରହିଛି, କିନ୍ତୁ କବିତା ମଧ୍ୟରେ ଗୀତର (ଧାତୁ) ସ୍ଥାନ ନାହିଁ ।

କାଳୀଚରଣ ପଟ୍ଟନାୟକ ସମ୍ପା: କବିସୂର୍ଯ୍ୟଗୀତାବଳୀ, ପ୍ରକାଶକ: ଜଗନ୍ନାଥ ରଥ, ୧୯୬୮

 

 

୨୮.

ଏଜନ

 

 

୨୯.

ଏଜନ

 

 

୩୦.

ଗୌ.କୁ.ବ୍ରହ୍ମା, ଓଡ଼ିଆ କବିତାର ଛନ୍ଦ

 

ମିଶ୍ରରାଗ ଗୁଡ଼ିକର ଗାନଭଙ୍ଗୀ ନିର୍ଣ୍ଣୟ ଅତୀବ କଷ୍ଟକର ବ୍ୟାପାର, କିନ୍ତୁ ଏ ଗୁଡ଼ିକ ଓଡ଼ିଆ ପଦ୍ୟ-ସାହିତ୍ୟକୁ ବିଶେଷ ସଙ୍ଗୀତମୁଖର କରିଛନ୍ତି । ଅଧ୍ୟାପକ ଶ୍ରୀବ୍ରହ୍ମାଙ୍କ ଭାଷାରେ କହିଲେ: ‘‘ରାଗରାଗିଣୀର ଆତ୍ମା ସାଧାରଣ କଣ୍ଠରେ ଫୁଟାଇବା ପାଇଁ ଏଗୁଡ଼ିକର ବିଶେଷ ଆବଶ୍ୟକତା ଥାଏ (୩୦) ।’’

 

ଓଡ଼ିଆଛାନ୍ଦ ଓ ଚଉପଦୀମାନଙ୍କରେ ବ୍ୟବହୃତ ରାଗରାଗିଣୀ ଯେ କେବଳ ସଙ୍ଗୀତଶାସ୍ତ୍ର ଭିତ୍ତିରେ ସୃଷ୍ଟ ତା’ ନୁହେଁ, ବିଭିନ୍ନ ଦେଶର ନାମାନୁସାରେ କେତେକ ରାଗରାଗିଣୀର ସୃଷ୍ଟି ହୋଇଛି, ଯଥା- ଗାନ୍ଧାର, ଗୁଜ୍ଜରୀ, ବଙ୍ଗଳାଶ୍ରୀ, କାମୋଦୀ, ଗୌଡ଼ୀ, କର୍ଣ୍ଣାଟୀ ପ୍ରଭୃତି । ମୁସଲମାନ ବାଦଶାହଙ୍କ ଦରବାରରେ ହିନ୍ଦୁ ସଙ୍ଗୀତର ଚର୍ଚ୍ଚା ଫଳରେ କେତୋଟି ନୂତନ ରାଗରାଗିଣୀର ମଧ୍ୟ ସଷ୍ଟି ହୋଇଛି । ତା’ ଛଡ଼ା ଚଉପଦୀ ଓ ଚମ୍ପୂର ରାଗରାଗିଣୀ ଉପରେ ଦକ୍ଷିଣୀ କର୍ଣ୍ଣାଟକ ସଙ୍ଗୀତ ପଦ୍ଧତିର ପ୍ରଭାବ କିଛି କମ୍‌ନୁହେଁ । ଓଡ଼ିଶାରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ ସମୟରେ ବହୁ ରାଗରାଗିଣୀର ସୃଷ୍ଟି ହୋଇଥିଲା । ଏ ରାଜାମାନେ ଦକ୍ଷିଣ ଦେଶରୁ (ବିଜୟନଗର) ଆସିଥିବାରୁ ଏବଂ ବିଦ୍ୟାନଗର ବା ବିଜୟନଗର ପୁରୀ, ବାରାଣସୀ ଓ ମିଥିଳାପରି ସଂସ୍କୃତସାହିତ୍ୟ ଓ ସଙ୍ଗୀତଚର୍ଚ୍ଚା ପାଇଁ ବିଶେଷ ପ୍ରସିଦ୍ଧ ଥିବାରୁ ଓଡ଼ିଆ ସଙ୍ଗୀତର ରାଗରାଗିଣୀ ଓ ସାହିତ୍ୟ ଉପରେ କର୍ଣ୍ଣାଟକ ସଙ୍ଗୀତ ପଦ୍ଧତି ଓ ଦକ୍ଷିଣୀ-ସଂସ୍କୃତିର ପ୍ରଭାବ ପଡ଼ିବା ଅତି ସ୍ୱାଭାବିକ । ଦୀର୍ଘକାଳ ଧରି ଆନ୍ଧ୍ର ଦେଶର ଅନ୍ତର୍ଭୁକ୍ତ ଥିବା ଗଞ୍ଜାମ ଅଞ୍ଚଳ, ବିଶେଷତଃ ଗଞ୍ଜାମର ପାରଳାଖେମୁଣ୍ତି ଉପରେ ତ୍ରୈଲଙ୍ଗୀୟ ସଙ୍ଗୀତ, ସଂସ୍କୃତି ଓ ଭାଷାର ପ୍ରଭାବ ସବୁଠାରୁ ବେଶୀ । ସେଥିପାଇଁ ଏ ଅଞ୍ଚଳର କବିଙ୍କ ରଚନାରେ ତେଲୁଗୁଭାଷା ଓ ସଙ୍ଗୀତଜ୍ଞଙ୍କ ରଚନାରେ ତ୍ରୈଲଙ୍ଗୀୟ ସଙ୍ଗୀତ ଧାରାର (କର୍ଣ୍ଣୋଟକ ସଙ୍ଗୀତ ପଦ୍ଧତି) ବିଶେଷ ପ୍ରଭାବ ପଡ଼ିଛି (୩୧) । ଗୋପାଳକୃଷ୍ଣ ବା ସେଥିରୁ ବାଦଯିବେ କିପରି ? ଗୋପାଳକୃଷ୍ଣ ଗ୍ରନ୍ଥାବଳୀର ସମ୍ପାଦକ ବାବାଜୀ ବୈଷ୍ଣବଚରଣ ଦାସ ତାଙ୍କ ମୁଖବନ୍ଧରେ କହିଛନ୍ତି, ‘‘କବିବରଙ୍କ ବଂଶଧର ଶ୍ରୀମାନ୍‌ ରାମକୃଷ୍ଣ ପଟ୍ଟନାୟକ ତାଙ୍କ ପ୍ରକାଶିତ ‘ଗୋପାଳକୃଷ୍ଣ ପଦ୍ୟାବଳୀ’ ଗ୍ରନ୍ଥରେ ଯେଉଁ ଯେଉଁ ରାଗ ଓ ତାଳ ସମୂହ ସନ୍ନିବେଶିତ କରିଛନ୍ତି, ସେଥି ମଧ୍ୟରୁ ଅଧିକାଂଶ ତେଲୁଗୁ ମିଶ୍ରିତ । ତାହା ସେହି ପାରଳାଖେମୁଣ୍ତି ଅଞ୍ଚଳରେ ପ୍ରଚଳିତ, ମାତ୍ର ସମଗ୍ର ଉତ୍କଳ ପ୍ରଦେଶରେ ନୁହେଁ (୩୨) । ଏପରିକି ସମ୍ପାଦକ ମହାଶୟ ଗୋ: କୃ: ପ: ର ସଙ୍ଗୀତଗୁଡ଼ିକର ତେଲୁଗୁ ମିଶ୍ରିତ ରାଗ ନାମ ପରିବର୍ତ୍ତନ କରି (୩୩) ତାଙ୍କର ରାସଲୀଳା ଅଭିନୟ ସମୟରେ ଅଭିନେତ ବାଳକମାନଙ୍କ ମୁଖରେ ଗାନ କରାଇଛନ୍ତି ଏବଂ ପରିବର୍ତ୍ତିତ ରାଗସହ ସଙ୍ଗୀତଗୁଡ଼ିକ ଗ୍ରନ୍ଥାବଳୀରେ ସନ୍ନବେଶିତ କରିଛନ୍ତି ।

 

୩୧.

(କ) ପାରଳା ରାଜା ଗଜପତି ଜଗନ୍ନାଥନାରାୟଣ ଦେବଙ୍କର ସଭାକବି ପୁରୁଷୋତ୍ତମ ମିଶ୍ରଙ୍କର ‘ସଙ୍ଗୀତ ନାରାୟଣ’ରେ ଉଲ୍ଲେଖ ଅଛି ଯେ ଦକ୍ଷିଣରୁ ବୀଣାବାଦନ ଶିଖିବାକୁ ହେବ ।

ନୀଳମାଧବ ପାଣିଗ୍ରାହୀ, ‘‘ଦୀନକୃଷ୍ଣଙ୍କ ଛାୟା ଲାଗେ ପ୍ରୀତିର ପ୍ରକୃତ ଅର୍ଥ’, ଝଙ୍କାର, ୯ମ ବର୍ଷ, ୯ମ ସଂଖ୍ୟା, ପୃ. ୫୭

(ଖ) ସଙ୍ଗୀତର ସ୍ୱର ଯୋଜନା ଦିଗରୁ ଦେଖିବାକୁ ଗଲେ ଆନ୍ଧ୍ର ସମ୍ପର୍କର ପ୍ରଭାବ କବିଙ୍କ ରଚିତ ଗୀତମାନଙ୍କର ସୃସ୍ପଷ୍ଟ । ତୈଳଙ୍ଗ ସଙ୍ଗୀତ-ରୁଚି କେତେକ ଶବ୍ଦର ପ୍ରୟୋଗରେ ଲକ୍ଷିତ ହୁଏ ।

କାଳୀଚରଣ ପଟ୍ଟନାୟକ, ସମ୍ପା: ଗୋପାଳକୃଷ୍ଣ ପଦ୍ୟାବଳୀ, ପ୍ରକା: ଓଡ଼ିଶା ଜଗନ୍ନାଥ କମ୍ପାନୀ, ୪ର୍ଥ ମୁଦ୍ରଣ, ୧୯୫୯, ଅଗ୍ରଲେଖା, ପୃ. ‘ଗ’ ।

(ଗ) Oriya music is essentially southern. Telugu songs are still regarded as among the sweetest in the Indian vernaculars. Orissa which was long subject to the Telugu influence naturally borrowed from Telengana its music. The ragas or major tunes are almost exclusively Telugu which adopted mostly Sanskrit names such as ଦେଶାକ୍ଷ, କାମୋଦୀ, ଭୈରବ, ମୁଖାରୀ, ମଙ୍ଗଳ, ଗୁର୍ଜରୀ, ଘଣ୍ଟାରବ, କୌଣିକ, ଧନାଶ୍ରୀ etc. The major tunes were often modified by local peculiarities.

M.M.Chakravarti, Notes on Language and Literature of Orissa, part III & IV, Oriya Songs and Religions poems, Incorporated in Proceeding of the Asiatic Society Bengal, Ed. By Honorary Secretaries, January to December, 1898, pp. 337-378.

୩୨.

ଗୋ.କୃ.ଗ୍ରଂ. ଓ ଗୋ. କୃ.ପ., ୧୯୫୯, ସମ୍ପା: ବାବାଜୀ ବୈଷ୍ଣବଚରଣ ଦାସ, ମୁଖବନ୍ଧ, ପୃ,୧୬

 

 

୩୩.

ତେଲୁଗୁ ‘ପାନ୍ତୁ ବରାଡ଼ୀ’ ସ୍ଥାନରେ ଦୀର୍ଘ ବରାଡ଼ୀ, ‘ମାଞ୍ଜି’ ସ୍ଥାନରେ ମଞ୍ଜୁକାମୋଦୀ, ‘‘ରୀତ ଗୌଡ଼ା’ ସ୍ଥଳେ ନଳିନୀ ଗୌଡ଼ା ଇତ୍ୟାଦି । ଗୋ. କୃ. ଗ୍ରହ., ପୃ. ୪/

 

 

୩୪

ଓଡ଼ିଆ କବିତା ଛନ୍ଦ, ପୃ. ୩୧

 

ଓଡ଼ିଶାର ଛାନ୍ଦ, ଚଉତିଶା ଓ ସଙ୍ଗୀତରେ ନିର୍ଦ୍ଦିଷ୍ଟ ରାଗରାଗିଣୀକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇ ପାରେ, ଯଥା-ଛାନ୍ଦ-ସାହିତ୍ୟ ବା ପଦ୍ୟରେ ବ୍ୟବହୃତ ରାଗ; ସଙ୍ଗୀତ, ଚଉପଦୀ, ବୋଲି ଓ ଚଉତିଶା ଆଦିରେ ବ୍ୟବହୃତ ରାଗରାଗିଣୀ । ଗୋଠିଏ ଗୋଟିଏ ରାଗ ଉଭୟ ସଙ୍ଗୀତ ଓ ଛାନ୍ଦ ରଚନାରେ ମଧ୍ୟ ଦେଖାଯାଏ, ଯଥା-ଶଙ୍କରାଭରଣ । ଯେଉଁ ରାଗଗୁଡ଼ିକ ବିଶେଷଭାବରେ ବ୍ୟବହୃତ ସେଗୁଡ଼ିକ ନାମ ହେଉଛି-କଳହଂସ କେଦାର, ବିଭାସ କେଦାର, ଚତ୍ର କେଳି, ଗୁଜ୍ଜରୀ, ଭୁପାଳ, ରାମକେରୀ, କାଳୀ, ଚିନ୍ତାଦେଶାକ୍ଷ, ରସକୋଇଲା, ବଙ୍ଗଳାଶ୍ରୀ, କାମୋଦୀ, ଚୋଖୀ, ଆଷାଢ଼ଶୁକ୍ଳ, ଶଙ୍କରାଭରଣ, ବସନ୍ତ, କନଡ଼ା, ପାହାଡ଼ିଆ କେଦାର, ଘଣ୍ଟାରବ, ଧନାଶ୍ରୀ, କଳସାବଣୀ, ପୋଈ ଇତ୍ୟାଦି ।

 

ଓଡ଼ିଆ ସାହିତ୍ୟରେ ସଙ୍ଗୀତଯୁଗ :

ଉପେନ୍ଦ୍ରଭଞ୍ଜଙ୍କ ପୂର୍ବରୁ ଓଡ଼ିଶାରେ ଚଉପଦୀ ବା ସଙ୍ଗୀତ ରଚନାର ପରମ୍ପରା ଗଡ଼ିଆସୁଥିଲେ ମଧ୍ୟ ତାଙ୍କଠାରୁ ରାଧାନାଥ ଯୁଗ ପର୍ଯ୍ୟନ୍ତ ସାହିତ୍ୟଯୁଗକୁ ସଙ୍ଗୀତଯୁଗ କୁହାଯାଏ । ନାନାବିଧ କାବ୍ୟ, ଛାନ୍ଦ ଓ ସଙ୍ଗୀତ ପ୍ରଣେତା ଦୀନକୃଷ୍ଣଙ୍କ (୧୭ଶ ଶତକର ମଧ୍ୟଭାଗ) ପୂର୍ବରୁ ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତର ଚର୍ଚ୍ଚା ଚାଲିଥିଲା ଏବଂ ସଙ୍ଗୀତଶାସ୍ତ୍ରର ଅନୁଶାସନ ଅନୁଯାୟୀ ଓଡ଼ିଶାରେ ରାଗର ନିର୍ଦ୍ଦେଶ ସହ ବହୁ ସଙ୍ଗୀତ ରଚିତ ହେଉଥିଲା । ରାୟରାମାନନ୍ଦ, ମାଧବୀଦାସୀ, କହ୍ନେଇ ଖୁଣ୍ଟିଆ, ରସିକାନନ୍ଦ, ଚମ୍ପତିରାୟ, ଚାନ୍ଦକବି ଓ କୃଷ୍ଣଦାସ ପ୍ରଭୃତି ବ୍ରଜବୁଲିରେ ମଧ୍ୟ ଗୀତ ରଚନା କରିଥିଲେ । ଷୋଡ଼ଶ ଶତାବ୍ଦୀରେ କବି କୃଷ୍ଣଦାସ ବଡ଼ଜେନା ମହାପାତ୍ର ‘ଗୀତପ୍ରକାଶ’ ନାମକ ଏକ ସଙ୍ଗୀତଶାସ୍ତ୍ରମୂଳକ ଗ୍ରନ୍ଥ ସଂସ୍କୃତରେ ରଚନା କରି ବାଦଶାହ ଆକବରଙ୍କ ଦରବାରରେ ସମ୍ମାନିତ ହୋଇଥିଲେ । ଏ ଗ୍ରନ୍ଥରେ କେତେକ ସଙ୍ଗୀତଜ୍ଞ ଓ ସଙ୍ଗୀତକାରଙ୍କର ନାମର ଉଲ୍ଲେଖ ଦେଖାଯାଏ ସାର୍ଙ୍ଗଦେବ, ଗଙ୍ଗାଧର ଗୁରୁ, ରାୟ ରାମାନନ୍ଦ, ଗନ୍ଧର୍ବରାୟ, ଜୟଦେବ ପ୍ରଭୃତି) । ଉପେନ୍ଦ୍ର ଭଞ୍ଜଙ୍କ ପୂର୍ବରୁ ଦୀନବନ୍ଧୁରାଜ ହରିଚନ୍ଦନ, ରଘୁନାଥ ରାଜ ହରିଚନ୍ଦନ, ବିଷ୍ଣୁଦାସ, ବନମାଳୀ ଦାସ ଓ ଧନଞ୍ଜୟ ଭଞ୍ଜ ପ୍ରଭୃତି ଚଉପଦୀ ବା ସଙ୍ଗୀତ ରଚନା କଲେ ମଧ୍ୟ ରୀତିକାବ୍ୟ ପରି ଉପେନ୍ଦ୍ରଙ୍କ ଉପରେ ଚଉପଦୀ ବା ସଙ୍ଗୀତ ସାହିତ୍ୟର ପିତୃତ୍ୱ ଅର୍ପଣ କରାଯିବା ସମୀଚୀନ । ଉପେନ୍ଦ୍ର ଉଭୟ ଛାନ୍ଦ ଓ ସଙ୍ଗୀତ ରଚନାରେ ନିଜର ଶ୍ରଦ୍ଧାସମନ୍ୱିତ ବହୁ ନୂତନ ରାଗରାଗିଣୀ ସୃଷ୍ଟିକରି ନିଜର ପ୍ରତିଭା ଓ ରସିକତାର ପରିଚୟ ଦେଇଛନ୍ତି । ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ବହୁ ଚଉପଦୀ ବା ସଙ୍ଗୀତକାରଙ୍କର ଆବିର୍ଭାବ ଘଟିଛି (୩୫) । ସେମାନଙ୍କ ମଧ୍ୟରେ ବନମାଳୀ, କବିସୂର୍ଯ୍ୟ, ବଳଦେବ ରଥ, ଗୋପାଳକୃଷ୍ଣ, ହରିବନ୍ଧୁ (ବେବର୍ତ୍ତା), ଗୌରହରି ପରିଚ୍ଛା, ଗୌରଚରଣ, ପଦ୍ମନାଭ ପରିଚ୍ଛା, କବି ନୀଳକଣ୍ଠ, ହରେକୃଷ୍ଣ ମହାପାତ୍ର, ହରେକୃଷ୍ଣ ବେବର୍ତ୍ତା, ରାମକୃଷ୍ଣ ଓ ଯଦୁମଣିଙ୍କ ନାମ ଉଲ୍ଲେଖଯୋଗ୍ୟ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଏକାଧାରରେ କବି, ବୈଷ୍ଣବ, ପ୍ରସିଦ୍ଧ ଗାୟକ ଓ ବାଦକ । ଏମାନଙ୍କର ସଙ୍ଗୀତ ମୁଖ୍ୟତଃ ରାଧାକୃଷ୍ଣଙ୍କର ପ୍ରେମଲୀଳା, ବାତ୍ସଲ୍ୟଭାବ ଏବଂ ଲୌକିକ ନାୟକନାୟିକାଙ୍କ ପ୍ରେମକୁ ଭିତ୍ତିକରି ରଚିତ ହୋଇଛି ।

 

୩୫.

i.

ଡଃ ଜାନକୀବଲ୍ଲଭ ମହାନ୍ତି, ଓଡ଼ିଆ ଗୀତିକାବ୍ୟ, ପୃ. ୭୭

 

ii.

ଅଧ୍ୟାପକ ବ୍ରହ୍ମାନନ୍ଦ ଦାସ, ସୃଷ୍ଟି ଓ କୃଷ୍ଟି, ପୃ. ୧୯।୨୦

 

ସଙ୍ଗୀତ ବା ଚଉପଦୀ ରଚନା ଓଡ଼ିଶାରେ ଗୀତିନାଟ୍ୟ, ଦକ୍ଷିଣୀନୃତ୍ୟ (ଗୋଟିପୁଅ ନତ୍ୟ), ଓଡ଼ିଶୀ ନୃତ୍ୟ ଓ ପାଲା ଅନୁଷ୍ଠାନର ଉତ୍ପତ୍ତି ଓ ସମୃଦ୍ଧିର ନିୟାମକ ହୋଇଛି କହିଲେ ଚଳେ । ଏହି ଅନୁଷ୍ଠାନଗୁଡ଼ିକ ଜରିଆରେ ଅଷ୍ଟାଦଶ ଓ ଊନବିଂଶ ଶତତରେ ଓଡ଼ିଶାରେ ସଙ୍ଗୀତଶାସ୍ତ୍ର ଓ ସଙ୍ଗୀତର ବିଶେଷ ଚର୍ଚ୍ଚା ହେବା ସଙ୍ଗେ ସଙ୍ଗେ ଉତ୍କଳରେ ସର୍ବତ୍ର ପ୍ରଚାରିତ ହୋଇ ପାରିଛି । ଗାୟକମାନେ ସ୍ୱର, ତାଳ, ଲୟ, ଭାବ, ରସ, ଅଳଙ୍କାର ଓ ଶିଳ୍ପ-ଚାତୁର୍ଯ୍ୟପୂର୍ଣ୍ଣ ଚଉପଦୀଗୁଡ଼ିକ ଲକ୍ଷଣାରୂପେ ଗାନ କରିଥାନ୍ତି ।

ଚଉପଦୀ ଓ ଚମ୍ପୂଗୀତ ଓଡ଼ିଶୀଗୀତ ନାମରେ କେବଳ ଓଡ଼ିଶା କାହିଁକି, ଭାରତରେ ଖ୍ୟାତି ଅର୍ଜନ କରିଛି ଏବଂ ଓଡ଼ିଶୀ ନୃତ୍ୟ ଜରିଆରେ ଓଡ଼ିଶୀ ଗୀତ ଭାରତ ତଥା ପୃଥିବୀର ବିଭିନ୍ନ ଦେଶରେ ବର୍ତ୍ତମାନ ପ୍ରଚାର ଓ ପ୍ରଶଂସା ଲାଭ କରିଛି । ଓଡ଼ିଶାର ଖ୍ୟାତନାମା ନାଟ୍ୟକାର ଓ ସଙ୍ଗୀତଶିଳ୍ପୀ କାଳୀଚରଣ ପଟ୍ଟନାୟକ, ଧୀରେନ୍ଦ୍ରନାଥ ପଟ୍ଟନାୟକ, ଲଳିତ କଳାପୀଠ (ଭୁବନେଶ୍ୱର), କଳାବିକାଶ କେନ୍ଦ୍ର (କଟକ), ଅନ୍ୟ ସଙ୍ଗୀତ ଓ ନୃତ୍ୟ ଶିକ୍ଷାକେନ୍ଦ୍ର ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ମହତ୍ତ୍ୱ ଲେଖା ତଥା ଅଭିନୟ ଜରିଆରେ ପ୍ରତିପାଦନ କରିଛନ୍ତି । ସଙ୍ଗୀତଶାସ୍ତ୍ରର ବିଧିବିଧାନ ଉପରେ ପ୍ରତିଷ୍ଠିତ ଓଡ଼ିଶୀ ସଙ୍ଗୀତ ଏକ ବିଶିଷ୍ଟ ପଦ୍ଧତିର ସଙ୍ଗୀତରୂପେ ସର୍ବଭାରତୀୟ ମର୍ଯ୍ୟାଦା ଲାଭ କରିଛି । ଏ ସଙ୍ଗୀତଗୁଡ଼ିକର ଏକଦିଗରେ ଯେପରି ରହିଛି ସ୍ୱର ମାଧୁର୍ଯ୍ୟ, ଅନ୍ୟ ଦିଗରେ ରହିଛି ସେପରି ଭାବର ଗୁମ୍ଫନ । ଏହାର ଭାବସମ୍ପଦ ଓ ଅନୁପ୍ରାସ-ମଞ୍ଜୁଳ ଶ୍ରବଣ ସୁଖକର ଭାଷା ଏହାକୁ ସାହିତ୍ୟିକ ମର୍ଯ୍ୟାଦା ଦାନ କରିଛି । ଭାରତର କର୍ଣ୍ଣାଟକ କିମ୍ବା ହିନ୍ଦୁସ୍ଥାନୀ ସଙ୍ଗୀତରେ ଏ ପ୍ରକାର ସାହିତ୍ୟିକ ମର୍ଯ୍ୟାଦା କ୍ୱଚିତ୍‌ପରିଲକ୍ଷିତ ହୁଏ ।

ପୂର୍ବରୁ କଥିତ ହୋଇଛି ଯେ ଦକ୍ଷିଣଭାରତ ସହିତ ଓଡ଼ିଶାର ଦୀର୍ଘକାଳବ୍ୟାପୀ ସମ୍ପର୍କ ହେତୁ ଓଡ଼ିଶାର ଦକ୍ଷିଣାଞ୍ଚଳର କବି ଗୋପଳକୃଷ୍ଣ, ପଦ୍ମନାଭ ପରିଚ୍ଛା, ଗୌରହରି, ହରିବନ୍ଧୁ ପ୍ରଭୃତି ଦକ୍ଷିଣଭାରତୀୟ ସଙ୍ଗୀତ ପଦ୍ଧତି ବା କର୍ଣ୍ଣାଟକ ସଙ୍ଗୀତ ଦ୍ୱାରା (ରାଗରାଗିଣୀ ଓ ତାଳ ସହ) ପ୍ରଭାବିତ ହେବା ସ୍ୱାଭାବିକ; କିନ୍ତୁ ଓଡ଼ିଶାର ସଙ୍ଗୀତ ପରମ୍ପରା ଉତ୍ତରଭାରତୀୟ ସଙ୍ଗୀତ ପଦ୍ଧତି ସହ ପୂରା ସମ୍ପର୍କଶୂନ୍ୟ ନୁହେଁ ।

ନାନା କାରଣରୁ ଊନବିଂଶ ଶତକର ଶେଷ ଭାଗରେ ଚଉପଦୀ ବା ଓଡ଼ିଶୀ ପ୍ରତି ଓଡ଼ିଶାର ଶିକ୍ଷିତ ସମ୍ପ୍ରଦାୟର ଅନୁରାଗ ଊଣା ପଡ଼ିଯାଇଥିଲା । ପୂର୍ବ ପରମ୍ପରା ହେତୁ ଗଞ୍ଜାମ ଅଞ୍ଚଳ ଓ ପୁରୀ ଆଖଡ଼ା ଘରମାନଙ୍କରେ ଏହାର ଚର୍ଚ୍ଚା ସମାଜର ନିମ୍ନସ୍ତରର ଲୋକଙ୍କ ମଧ୍ୟରେ (୩୬) ଆବଦ୍ଧ ହୋଇଯାଇଥିଲା । ଅନ୍ୟ ଅଞ୍ଚଳ ଅପେକ୍ଷା ଗଞ୍ଜାମ ଅଞ୍ଚଳରେ ସଙ୍ଗୀତଚର୍ଚ୍ଚା ଉନ୍ନତ ଧରଣର ଥିଲା (୩୭) । ଦକ୍ଷିଣାଞ୍ଚଳର ଗାୟିକାମାନେ ସୁରଟ ଓ ବେହାଗ ରାଗିଣୀର ଗୀତମାନ ଗାଇବାରେ କୃତିତ୍ୱ ଅର୍ଜନ କରିଥିଲେ । ପୂର୍ବୋକ୍ତ ଆଲୋଚନାରୁ ଜଣାଯାଏ ଯେ ଗଞ୍ଜାମ ଓ ପୁରୀ ଅଞ୍ଚଳ ଚଉପଦୀ ବା ଉଚ୍ଚାଙ୍ଗ ଓଡ଼ିଶୀ ସଙ୍ଗୀତ ଚର୍ଚ୍ଚାଲାଗି ଦୀର୍ଘକାଳାବଧି ଖ୍ୟାତି ଅର୍ଜନ କରି ଆସିଛି । ନାନା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଅଞ୍ଚଳର ଗାୟକମାନେ ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ଗାନ ପଦ୍ଧତିକୁ ରକ୍ଷା କରି ଆସିଛନ୍ତି । ଧ୍ରୁପଦ ସଙ୍ଗୀତ ଧର୍ମସାଧନାର ଅନ୍ତର୍ଭୁକ୍ତ ହୋଇଥିବାରୁ ପରମ୍ପରାକ୍ରମେ ଓଡ଼ିଶୀ ସଙ୍ଗୀତରେ ’ଧ୍ରୁପଦ’ର ପ୍ରଭାବ ପରିଲକ୍ଷିତ ହୋଇ ଆସୁଛି (୩୮) ।

୩୬.

ବିଂଶ ଶତକରେ ଅବସ୍ଥା ସମ୍ପୂର୍ଣ୍ଣ ବଦଳିଯାଇଛି । ଏହା ବର୍ତ୍ତମାନ ଶିକ୍ଷିତ ସମ୍ଭ୍ରାନ୍ତ ଗୋଷ୍ଠୀର ମର୍ଯ୍ୟାଦା ଲାଭ କରିଛି । - (ଲେଖକ)

 

 

୩୭.

ଡଃ କାହ୍ନୁଚରଣ ମିଶ୍ର, ଆଲୋଚନାମାଳା, ‘ପାରଳା ଖେମିଣ୍ତିରେ ସଙ୍ଗୀତ ଚର୍ଚ୍ଚା’ ପ୍ରବନ୍ଧ, ପୃ- ୧୪୪-୧୬୭

 

 

୩୮.

ଡଃ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ), ଓଡ଼ିଆ ଗୀତିକାବ୍ୟ, ପ୍ରଜା; ଗ୍ରନ୍ଥମନ୍ଦିର, ୧ମ ମୁଦ୍ରାଣ ୧୯୬୬, ପୃ ୮୦। ୮୧

 

ପୂର୍ବୋକ୍ତ ଆଲୋଚନାରୁ ଜଣାଯାଏ କିପରି ଗୋପାଳକୃଷ୍ଣଙ୍କ ସାଧନା ଓ ସୃଷ୍ଟି ପଛରେ ରହିଛି ଭାରତୀୟ ତଥା ଉତ୍କଳୀୟ ଛନ୍ଦ ଓ ସଙ୍ଗୀତଶାସ୍ତ୍ରର ଏକ ବ୍ରଜବୁଲି ରଚନା ସହିତ ଦେଶୀୟଛନ୍ଦ, କାବ୍ୟ ଓ ସଙ୍ଗୀତ ପରମ୍ପରା ପଣ୍ତିତ ଗୋପାଳକୃଷ୍ଣଙ୍କ ସୃଷ୍ଟିରେ ନାନା ଛନ୍ଦ, ରାଗରାଗିଣୀ, ବାଣୀ ଓ ତାଳର ଉଲ୍ଲେଖ ପରିଦୃଷ୍ଣ ହୁଏ, ଯଥା- ମାଳବଗୌଡ଼ା, ତାଳ ଏକତାଳୀ; ଅଷାଢ଼ଶୁକ୍ଳ, ଶୃଙ୍ଖଳା ବା ବିରୁଦଛନ୍ଦ, ମଙ୍ଗଳଗୁଜ୍ଜରୀ (ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି ଦିଶା); ଚକ୍ରକେଦାର, ତାଳଝୁଲା, ଚିନ୍ତାଭୈରବ; କୁସୁମ କେଦାର, ପୋଇବାଣୀ; ଲଳିତକେଦାର; ଚିନ୍ତାକେଦାର, ବୁଧେ ଶୁଣିମା ହେ ବାଣୀ; ମୁଖାବରୀ, ତାଳ ମିଶ୍ରତାଳୀ; ଆନନ୍ଦଭୈରବୀ, ତାଳ ଆଦି ବା ସରିମାନ୍‌; ତୋଡ଼ି ପରଜ; କୀରବାଣୀ; ଖମାଚ୍‌, ଆଦିତାଳ; ଶଙ୍କରାଭରଣ, ଆଠତାଳୀ; କାଫି, ସୌରାଷ୍ଟ, ତାଳ ଏକତାଳୀ; କୌଶିକ, ପହପଟ; କଲ୍ୟାଣୀ, ତାଳ ଝୁମ୍ପା; କଳସାବଣୀ, ତାଳ ତ୍ରିପୁଟା, ମାଲକୋଷ ଭୈରବୀ, ତାଳ ଝୁମ୍ପା, ଜୌନପୁରତୋଡ଼ି, ଯତିତାଳ; ଖରହରପ୍ରିୟା, ମିଶ୍ରତାଳ, ନାଦ ନାମକ୍ରିୟା, ଏକତାଳି; ସାବେରୀ, ଆଠତାଳୀ; କର୍ଣ୍ଣାଟୀ, ତାଳ ସରିମାନ୍‌; ପଟହମଞ୍ଜରୀ, ଏକତାଳୀ; ଖମ୍ବାଜ, ତାଳ ଆଦି; ନାଟକୁରଙ୍ଗୀ, ଆଠତାଳୀ; ଗୁଣ୍ତକିରୀ, ତାଳ ରୂପକ; ସୁରଠ; ଆରବୀ, ତାଳରୂପକ; ମହ୍ଲାର, ତାଳ ତ୍ରିପୁଟା; ଦ୍ରାବିଡ଼ୀ, ଆଠତାଳୀ ଇତ୍ୟାଦି । ରାମକୃଷ୍ଣ ପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ଗୋପାଳକୃଷ୍ଣ ପଦ୍ୟାବଳୀରେ ସନ୍ନିବେଶିତ ରାଗ ଓ ତାଳ ଅଧିକାଂଶ ତେଲୁଗୁ ମିଶ୍ରିତ ବୋଲି ପୂର୍ବରୁ ସୂଚିତ ହୋଇଛି ।

 

ପାରଳାଖିମୁଣ୍ତି ଅଞ୍ଚଳର ଗୀତକବିଙ୍କ ରଚନାରେ ତ୍ରୈଲଙ୍ଗୀୟ ପ୍ରଭାବର ପ୍ରତ୍ୟକ୍ଷ ଦୃଷ୍ଟାନ୍ତ ଦେବାପାଇଁ ଗୋପାଳକୃଷ୍ଣଙ୍କର ସମସାମୟିକ ତଥା ବୟୋଜ୍ୟେଷ୍ଠ ଚାରିଜଣ ଜଣାଶୁଣା କବିଙ୍କର ପରିଚୟ ଏବଂ ସେମାନଙ୍କର ସଙ୍ଗୀତଚର୍ଚ୍ଚା ଓ ଗୀତ ରଚନା ସମ୍ପର୍କରେ ପଦେଅଧେ ସୂଚନା ଦେବାର ଲୋଭ ସମ୍ବରଣ କରିପାରୁ ନାହିଁ । ସେମାନେ ହେଲେ କବିଚନ୍ଦ୍ର ରଘୁନାଥ ପରିଚ୍ଛା, ହରିବନ୍ଧୁ ବେବର୍ତ୍ତା, ଗୌରହରି ପରିଚ୍ଛା ଓ ପଦ୍ମନାଭ ପରିଚ୍ଛା ।

 

କବିଚନ୍ଦ୍ର ରଘୁନାଥ ପରିଚ୍ଛା ଥିଲେ କର୍ଣ୍ଣାଟକ ସଙ୍ଗୀତର ଅନ୍ୟତମ ସ୍ରଷ୍ଟା ଏବଂ ଦକ୍ଷିଣଭାରତରେ ଲୋକପ୍ରିୟ ଓଡ଼ିଆ କବି । ପାରଳାର ପଦ୍ମନାଭ ରଙ୍ଗାଳୟ ମାଧ୍ୟମରେ ପାରଳାର କବି ଓ କୋବିଦମାନଙ୍କ ରଚିତ ସଂଗୀତ ନାଟକ ଆକାରରେ ପ୍ରଚାରିତ ହେଉଥିଲା । ଲିପିତତ୍ତ୍ୱବିତ୍‌ଉକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ମତରେ କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ସଂଗୀତ ଅତୁଳନୀୟ । ଦକ୍ଷିଣଭାରତରେ ଅଦ୍ୟାପି ତାଙ୍କର ସଂଗୀତ କର୍ଣ୍ଣାଟକ ସଂଗୀତର ନିୟାମକ ରୂପେ ସ୍ୱୀକୃତି ଲାଭ କରିଛି (୩୯) । କବିଚନ୍ଦ୍ରଙ୍କର ରଚନା ଗୁଡ଼ିକ ହେଉଛି- ରାଧାମାଧବ ବିଳାସ, ରାଧାକୃଷ୍ଣ ଲୀଳା, ଶ୍ରୀ ରାମାୟଣ, ଗୋପୀନାଥବଲ୍ଲଭ ନାଟକ, ତାଳ ସର୍ବସାର ଓ ଲକ୍ଷ୍ମଣ ଚନ୍ଦ୍ରୋଦୟ । ଶେଷୋକ୍ତଗ୍ରନ୍ଥ ହେଉଛି ଏକ ମୂଲ୍ୟବାନ୍‌ ରଚନା । ଏଥିରେ ସେ ଗଣ, ବର୍ଣ୍ଣ, ଅନୁପ୍ରାସ ଓ ଯତି, ଗଦ୍ୟପଦ୍ୟ, ଛନ୍ଦ, ବୃତ୍ତ, ଦଣ୍ତକ, ନାଦ, ଶ୍ରୁତି ଓ ସ୍ୱର ନିରୂପଣ କରିଛନ୍ତି । ଗ୍ରାମ ନିରୂପଣରେ ସିନ୍ଧୁଡ଼ା, ମାଳବ, ମାଳଶ୍ରୀ ଓ ରାମକେରୀ ଇତ୍ୟାଦି ରାଗରାଗିଣୀର ଆଲୋଚନା ହୋଇଛି ।

 

୩୯.

ଉପାନ୍ତରେ କବି ସମ୍ମଳନୀ ପାରଳାଖିମୁଣ୍ତିରେ କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ୧୮୩ ତମ ଜୟନ୍ତୀ, ସମାଜ, ପୃ. ୭ ତା ୧।୪।୧୯୭୮

 

ହରିବନ୍ଦୁ ପଦ୍ୟାବଳୀର (୪୦) କର୍ତ୍ତା ହରିବନ୍ଧୁ ବେବର୍ତ୍ତାଙ୍କର ସଙ୍ଗୀତଶାସ୍ତ୍ରରେ ଗଭୀର ପ୍ରବେଶ ଥିଲା । ସେ ଦାକ୍ଷିଣାତ୍ୟର ଧାରବାଡ଼ା ମାଧବରାଓ ନାମକ ଜଣେ ପ୍ରବୀଣ ଆନ୍ଧ୍ର ସଙ୍ଗୀତଜ୍ଞଙ୍କଠାରୁ ସଙ୍ଗୀତ ଗାନ ଓ ଯନ୍ତ୍ରବାଦନ ଶିକ୍ଷା କରି ବିଶେଷ ଦକ୍ଷତା ଅର୍ଜ୍ଜନ କରିଥିଲେ । ସେ ଏକ ସମୟରେ ପଞ୍ଚଯନ୍ତ୍ର, ସପ୍ତଯନ୍ତ୍ର ବାଦନ କରିପାରୁ ଥିଲେ । ତାଙ୍କର କବିତ୍ୱ, ସଙ୍ଗୀତଗାନ ଓ ଯନ୍ତ୍ରବାଦନ କୁଶଳତା ହେତୁ ସେ ପାରଳା ରାଜଦରବାରରେ ଆଦୃତ ଓ ସମ୍ମାନିତ ହୋଇଥିଲେ । ତାଙ୍କର ପଦ୍ୟାବଳୀରେ ରାଧାକୃଷ୍ଣ ଲୀଳା ଓ ଚୈତନ୍ୟଲୀଳାକୁ କେନ୍ଦ୍ରକରି ଗୁଡ଼ିଏ ଚୌପଦୀ ପ୍ରକାଶିତ ହୋଇଛି । ଗୋପାଳକୃଷ୍ଣଙ୍କ ଦ୍ୱାରା ବ୍ୟବହୃତ ବହୁ ଚୌପଦୀର ରାଗରାଗିଣୀ ଏହାଙ୍କର ପଦ୍ୟାବଳୀରେ ପରିଦୃଷ୍ଟ ହୁଏ । ତା’ଛଡ଼ା କବି ଗୋପାଳକୃଷ୍ଣଙ୍କ ପରି ତେଲୁଗୁ ରାଗରାଗିଣୀ ଓ ତାଳର ଉଲ୍ଲେଖ ମଧ୍ୟ ବିଭିନ୍ନ ଚୌପଦୀର ଆରମ୍ଭରେ କରିଛନ୍ତି, ଯଥା- ‘‘ନାରାୟଣା ନୀପ ଦାମୁଲୁ ନାମ୍ମିତି ପ୍ରତି’’, ଆତା ବାବିରୀକୁ ଆମ୍ପେରୁମା ମାୟେ ପ୍ରତି; ମୋ ସମାୟାନେ ନା ବୁଦ୍ଧିକି ପ୍ରତି; ନିନ୍ମେ ନାମିନାନୁ ନିରାଜା ନାୟାନା ପ୍ରତି; ୟା ବାତେ ତାଲୁ ନାମ୍ମୀ ଇନାଡ଼ା ତାଲାକେ ପ୍ରତି ଇତ୍ୟାଦି ।

 

୪୦.

ହରିବନ୍ଧୁ ପଦ୍ୟାବଳୀ ଶ୍ୟାମସୁନ୍ଦର ବେବର୍ତ୍ତାଙ୍କ ଦ୍ୱାରା ସଂଶୋଧିତ ଏବଂ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦ୍ୱାରା ପ୍ରକାଶିତ । ପ୍ରକାଶ କାଳ- ୧୯୩୩ ।

 

ଅନ୍ୟମାନଙ୍କ ପରି ଅନ୍ୟ ବିଶିଷ୍ଟ ଗୀତିକାର ଗୌରହରି ପରିଚ୍ଛାଙ୍କ ରଚନା ତ୍ରୈଲଙ୍ଗୀୟ ପ୍ରଭାବରୁ ମୁକ୍ତ ନୁହେଁ । ତାଙ୍କ ରଚନାବଳୀ ଗୌରହରି ଗ୍ରନ୍ଥାବଳୀ ଶିରୋନାମାରେ ୧୯୨୬ରେ ପ୍ରକାଶିତ ହୋଇଛି (ଅପନ୍ନା ପଣ୍ତାଙ୍କ ଦ୍ୱାରା ସଂଶୋଧିତ ହୋଇ) । କବି ରାଧାକୃଷ୍ଣ ପ୍ରେମଲୀଳାକୁ କେନ୍ଦ୍ରକରି ଅନେକ ଚୌପଦୀ ରଚନା କରିବା ସଙ୍ଗେ ସଙ୍ଗେ ସଂସ୍କୃତି ଶ୍ରୀମଦ୍‌ଭାଗବତର ବସ୍ତ୍ରହରଣ ଓ ଗୀତଗୋବିନ୍ଦର ଅନୁବାଦ ବିଭିନ୍ନ ଚୌପଦୀ ବା ଗୀତରେ କରି ଯାଇଛନ୍ତି । ପୁଣି କେତେକ ଚୌପଦୀର ସ୍ୱରଲିପି ନିଜେ ପ୍ରସ୍ତୁତ କରିଛନ୍ତି । ଏଥିରୁ ସଙ୍ଗୀତଶାସ୍ତ୍ରରେ ତାଙ୍କର ଗଭୀର ପ୍ରବେଶର ପରିଚୟ ମିଳେ । ଗୋପାଳକୃଷ୍ଣ ଓ ହରିବନ୍ଧୁଙ୍କ ପରି କେତେକ ଚୌପଦୀର ଆରମ୍ଭରେ ତେଲୁଗୁ ରାଗ ଓ ବୃତ୍ତର ଉଲ୍ଲେଖ ରହିଛି, ଯଥା-ରାଗ ଏରକୁଲା କାମୋଦୀ, ଆଦିତାଳ; ତାରାଳି ପୋତାମୁ ସାମି ପ୍ରତି, ତାଳ ଝୁଲୁଆ; ବିନାବେ ପଲ୍ଲାବା ମୃଦୁ ଚାରାଣା ପ୍ରତି; ଏନ୍ତା ଦୁଣ୍ତା ଗୀଡ଼େ ପ୍ରତି; ରାମାନା ପୌଦାୟା ରାହା ପ୍ରତି; ରାଘୁନାନ୍ଦାନା ପିଲାଚିନା ପାଲୁକା ପ୍ରତି ଇତ୍ୟାଦି ।

 

କବିଙ୍କର ବଙ୍ଗଳା ଭାଷାରେ ପ୍ରବେଶ ଥିବାରୁ ସେ ଚୈତନ୍ୟଲୀଳା ସମ୍ପର୍କିତ ଦଣ୍ତାତ୍ମିକା, ନିଶାନ୍ତଲୀଳା, ପ୍ରାତଃକାଳସେବା, ପୂର୍ବାହ୍ନଲୀଳା, ଅପରାହ୍ନଲିଳା ପ୍ରଭୃତି ବଙ୍ଗଳା ଭାଷାରେ ବର୍ଣ୍ଣନା କରିଛନ୍ତି ଏବଂ ଚାରୋଟି ଭାଷାରେ ଗୋଟିଏ ଗୀତ (୪୧) ରଚନା କରିଛନ୍ତି । ଏକାଧିକ ଭାଷାରେ ରଚିତ ଗୀତକୁ ସଂସ୍କୃତ ଆଳଙ୍କାରିକ ପରମ୍ପରାରେ କୁହାଯାଏ କରମ୍ଭକ । ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମନାଭ ପରିଚ୍ଛା ରାଧାକୃଷ୍ଣ ପ୍ରେମ ବିଷୟକ ଅନେକ ସଙ୍ଗୀତ ରଚନା କରିଛନ୍ତି । ସେ ସର୍ବପ୍ରଥମେ ତେଲେଙ୍ଗା ସଂଗୀତ ଓଡ଼ିଶାକୁ ବିଶେଷତଃ ପାରଳାକୁ ଆଣିଥିଲେ । ତେଲୁଗୁ ସଂଗୀତର ‘କୃତ୍ତିପଲ୍ଲବୀ’ ରାଗ ଅବଲମ୍ବନରେ ସେ ଓଡ଼ିଆ ସଂଗୀତ ଲେଖିବାକୁ ଆରମ୍ଭ କରିଥିଲେ । ସେ ‘ଗୀତରତ୍ନାକର’ର କବି । ତାଙ୍କ ସଂଗୀତ ଓଡ଼ିଶାରେ ବିଶେଷ ଲୋକପ୍ରିୟ (୪୨) ।

 

୪୧.

ପ୍ରାଣନାଥକେ ହାରାଲ୍ୟାଂ କିସେର । ମାନେସରେ । ବୋଲି କି ଉପାଇ କରିଗୋ । କେ ଜାନିବେ ଏମନ୍‌ ରୀତି ଛାଡ଼୍ୟା ଆମାଇ ଯାବେ କତ । ଜଗଜ୍ଜନ ମନୋହୀ ମୂର୍ତ୍ତି ନବୀନ କିଶୋର । ମୁରଲୀ ଖୁରଲୀ ଶେଖର । ଆରଜନ୍ମେ ଥୋରି ବାତ କୈମୋସେ । ସ୍ତ୍ରୀ ଲୋଲୁଡ଼ୁ ରାତ୍ନାପା ମାଲାଲିଚ୍ଚେ ଦାନାଣ୍ଟେ ଓଦ୍ଦାଣ୍ତି ।

ଗୌରହରି ଗ୍ରନ୍ଥାବଳୀ, ୧ମ ସଂସ୍କାରଣ, ଚତୁର୍ଭାଷାଗୀତ, ପୃ ୯୭

 

 

୪୨.

ଡଃ କାହ୍ନୁଚରଣ ମିଶ୍ର, ଆଲୋଚନାମାଳା, ସଂଶୋଧିତ ସଂସ୍କରଣ, ୧୯୬୭, ଫ୍ରେଣ୍ତ୍‌ସ୍‌ ପବ୍ଲିଶର୍ସ, ପୃ. ୧୪୯-୧୪୯ ।

 

ଏଥିରୁ ପାରଳାଖିମୁଣ୍ତି ଓ ଗଞ୍ଜାମ ଅଞ୍ଚଳରେ ସଂଗୀତ ଓ ସଂଗୀତଶାସ୍ତ୍ର ଚର୍ଚ୍ଚା, ଗୀତକବିମାନଙ୍କର ସଂସ୍କୃତ ସହିତ ବିଭିନ୍ନ ଭାଷାରେ ପ୍ରବେଶ ଏବଂ ତ୍ରୈଲଙ୍ଗୀୟ ସଂଗୀତରୀତି ଓ ସଂଗୀତର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଜଣାଯାଏ । *

 

*ଲେଖକଙ୍କର ‘‘ଗୋପାଳକୃଷ୍ଣ ଓ ତାଙ୍କର ରଚନାବଳୀ : ଏକ ଅଧ୍ୟୟନ’’ ଶୀର୍ଷକ ଗବେଷଣାମୂଳକ ସନ୍ଦର୍ଭର ଦ୍ୱିତୀୟ ପରିଚ୍ଛେଦର ପୂର୍ବାର୍ଦ୍ଧ ।

 

ସଙ୍ଗୀତଶାସ୍ତ୍ର ବିଜ୍ଞାନସମ୍ମତଳ, ଅତି ଜଟିଳ ଓ ସାଧନାସାପେକ୍ଷ । ଓଡ଼ିଶାରେ ସଙ୍ଗୀତଜ୍ଞ ଓ ସଙ୍ଗୀତ ଶାସ୍ତ୍ରବିତ୍‌ମାନଙ୍କ ମଧ୍ୟରେ ମତାନୈକ୍ୟ ଓ ପାରସ୍ପରିକ ଅସହିଷ୍ଣୁତାରେ ମୁଁ ବିସ୍ମିତ । ସଙ୍ଗୀତଶାସ୍ତ୍ର ସମ୍ପର୍କରେ ମୋର ବିଶେଷଜ୍ଞ- ସୁଲଭ ଜ୍ଞାନ ନାହିଁ । ସାହିତ୍ୟର ଆଲୋଚନା ଦୃଷ୍ଟିରୁ ସଙ୍ଗୀତ ସମ୍ପର୍କରେ ସାଧାରଣ ଯେତୋଟି ବିଷୟ ଜାଣିବାର କଥା ସେହି ସୀମିତ ବସ୍ତୁକୁ ପୁଞ୍ଜିକରି ସଙ୍ଗୀତଶାସ୍ତ୍ରର ପରମ୍ପରା ସମ୍ପର୍କରେ ଆଲୋଚନା କରିଛି । କୌଣସି ସଙ୍ଗୀତଜ୍ଞ ମୋର ଆଲୋଚନାର ତ୍ରୁଟି ପ୍ରଦର୍ଶନ କରି ଜଣାଇଲେ ମୁଁ ସାଦରେ ତାହା ସ୍ୱାଗତ କରିବି । - ଲେଖକ

 

***

 

Unknown

ଖାରବେଳ ଓ ଗାନ୍ଧର୍ବବେଦ

ନୀଳମାଧବ ପାଣିଗ୍ରାହୀ

 

କାଳର ନାନାପ୍ରକାର କ୍ଷୟଙ୍କର ପ୍ରଭାବ ତଥା ମାନବର ନାନା ପ୍ରକାର ବର୍ବର ଆଘାତ ଓ ଅବହେଳାର ସମ୍ମୁଖୀନ ହୋଇ ସୁଦ୍ଧା ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରି ଓ ଖଣ୍ତଗିରିରେ ଖାରବେଳ କାଳୀନ ଅନେକ ପ୍ରସ୍ତର-ଖୋଦିତ ମୂର୍ତ୍ତି ଦୃଶ୍ୟ ଓ ଶିଳାଭିଲେଖ ଅଦ୍ୟାପି ବିଦ୍ୟମାନ । ସେହି କୀର୍ତ୍ତିମାଳା ଆମର ଏଇ କୀର୍ତ୍ତିକିରୀଟମଣ୍ତିତ ଓଡ଼ିଶା ଭୂଖଣ୍ତର ପ୍ରଚଣ୍ତ ପ୍ରତାପ ସ୍ୱାଭିମାନୀ ସମ୍ରାଟ୍‌ ଖାରବେଳଙ୍କର ମହିମା ତଥା ଆମ ଓଡ଼ିଆ ଜାତିର ସଭ୍ୟତା ଓ ସଂସ୍କୃତିର ଯେଉଁ, ନିର୍ବାକ ଯଶୋଗାନ କରୁଛି ତାହାର ସମ୍ପୂର୍ଣ୍ଣ ସନ୍ତୋଷପ୍ରଦ ବ୍ୟାଖ୍ୟା ଏଯାଏ ସମ୍ଭବପର ହୋଇନାହିଁ । ବିଶେଷତଃ, ଗାନ୍ଧର୍ବବେଦବୁଧ ସମ୍ରାଟ ଖାରବେଳ ଖୋଦାଇଥିବା ଗିରିଗୁହାମାନଙ୍କରେ ତତ୍କାଳୀନ ଯେଉଁ କେତେକ ସାଂଗୀତିକ ଉପାଦାନ ବା ଉପକରଣର ମହାମୂଲ୍ୟବାନ ଓ ପ୍ରାଚୀନତମ ନିଦର୍ଶନ ରହି ପାରିଚି ସେଗୁଡ଼ିକର ତାତ୍ପର୍ଯ୍ୟବୋଧ ଓ ଐତିହାସିକ ମୂଲ୍ୟାୟନ ପାଇଁ ଆଶାନୁରୂପ ଉଦ୍ୟମ କରା ହୋଇନାହିଁ । ସେ ଦିଗରେ ଯତ୍‌କିଞ୍ଚିତ ସାହାଯ୍ୟ କରିବା ଏ ଲେଖାର ଲକ୍ଷ୍ୟ । ତାହା ପ୍ରାଚୀନ ଭାରତୀୟ ସଙ୍ଗୀତ ସମ୍ପର୍କରେ ସମ୍ୟକ୍‌ ଜ୍ଞାନସାପେକ୍ଷ ହୋଇଥିବାରୁ ଉକ୍ତ ସଙ୍ଗୀତର କେତେକ ପ୍ରାସଙ୍ଗିକ ଆଲୋଚନା ମଧ୍ୟ ଏ ଲେଖାଟିରେ କରାହେଉଛି ।

 

ମାନବୀୟ ଭାବଭିବ୍ୟକ୍ତିର ମାଧ୍ୟମ ଭାବରେ ଭାଷା ଅପେକ୍ଷା ସଙ୍ଗୀତର କେତେକ ଉପାଦନ ପ୍ରାଚୀନତର ବୋଲି ଅନେକ ନୃତତ୍ତ୍ୱବିଦ୍‌ମନେ କରନ୍ତି । ଏଇ ଦୃଷ୍ଟିରୁ ସଙ୍ଗୀତକଳାର ଇତିହାସ ସୁପ୍ରାଚୀନ ହେଲେ ସୁଦ୍ଧା କୌଣସି ମାନବ ଜାତି (race) ବିଶେଷର ସଙ୍ଗୀତ ଠିକ୍‌ କେବେ କଳାସ୍ତରକୁ ଉପନୀତ ହୋଇଥିଲା ତାହା ନିର୍ଣ୍ଣୟ କରିବା ସମ୍ଭବପର ନୁହେ- କହିଲେ ହୁଏତ ଭୁଲ ହେବ ନାହିଁ । ତେବେ, ଭାରତୀୟ ଆର୍ଯ୍ୟମାନଙ୍କ ଇତିହାସରୁ ଜଣାପଡ଼େ ଯେ ‘ବେଦ’ ହେଉଚି ପୃଥିବୀର ପ୍ରାଚୀନତମ ସାହିତ୍ୟ ସୃଷ୍ଟି । ବେଦହିଁ ସମସ୍ତ ପରବର୍ତ୍ତୀ ଭାରତୀୟ ବିଦ୍ୟା ସମୂହର ମୂଳାଧାର ବୋଲି ବିଶ୍ୱାସ କରାଯାଏ । ଏହି ଦୃଷ୍ଟିରୁ ପ୍ରାଚୀନ ଭାରତୀୟ ସଙ୍ଗୀତ କହିଲେ ବୈଦିକ ସଙ୍ଗୀତ ହିଁ ସର୍ବପ୍ରଥମେ ସମସ୍ତଙ୍କର ମନେ ପଡ଼େ । ବୈଦିକଯୁଗରେ ସଙ୍ଗୀତ କହିଲେ ବୈଦିକ ସଙ୍ଗୀତ ହିଁ ସର୍ବପ୍ରଥମେ ସମସ୍ତଙ୍କର ମନେ ପଡ଼େ । ବୈଦିକଯୁଗରେ ସଙ୍ଗୀତ ଯେ ଭାରତୀୟ ଜନଜୀବନରେ ଗୋଟିଏ ବିଶିଷ୍ଟ ଓ ସମ୍ମାନିତ ସ୍ଥାନ ଅଧିକାର କରିଥିଲା ତାହାର ପ୍ରମାଣ ସ୍ୱରୂପ କେବଳ ଗୋଟିଏ କଥା କହିଲେ ହିଁ ଯଥେଷ୍ଟ ଯେ, ଚତୁର୍ବେଦ ମଧ୍ୟରୁ ଗୋଟିଏ ସଂପୂର୍ଣ୍ଣ ବେଦର ଅର୍ଥାତ୍‌ ସାମବେଦର ବିନିଯୋଗ କରା ହୋଇଥିଲା କେବଳ ସଙ୍ଗୀତ ପାଇଁ । ସାମବେଦର ୧୫୪୯ ଗୋଟି ପଦରୁ ମାତ୍ର ୭୫ ଗୋଟି ଛଡ଼ା ଅବଶିଷ୍ଟ ୧୪୭୪ ଟି ପଦ ଋଗ୍‌ବେଦରୁ ଗୃହୀତ-। ଏଇ ଦୃଷ୍ଟିରୁ ସାମବେଦକୁ ଗୋଟିଏ ସ୍ୱତନ୍ତ୍ର ବେଦ ରୂପେ ସ୍ୱୀକୃତି ଦେବାର ସେପରି କିଛି ବିଶେଷ କାରଣ ନାହିଁ । ମାତ୍ର ୠଗ୍‌ବେଦୀୟ ମନ୍ତ୍ର ବା ସ୍ତୋତ୍ର ଗୁଡ଼ିକସମେତ ଥିବା ଅନ୍ୟ ସମସ୍ତ ମନ୍ତ୍ର ବା ସ୍ତୋତ୍ର ସାଙ୍ଗୀତିକ ଚିହ୍ନମାନ ବହନ କରି ଅର୍ଥାତ୍‌ ସାଙ୍ଗୀତିକ ବୈଶିଷ୍ଟ୍ୟଯୁକ୍ତ ହୋଇ ମୂଳଭାଷାର ସାଙ୍ଗୀତିକ ରୂପାନ୍ତର ସହ ଯଜ୍ଞାନୁଷ୍ଠାନ ସମୟରେ ଗାନବିଶେଷଜ୍ଞ ଉଦ୍‌ଗତାମାନଙ୍କ ଦ୍ୱାରା ଗାନ କରାଯାଉ ଥିବାରୁ ଋକ୍‌-ଗୁଡ଼ିକ ‘ସାମ’ରେ ପରିଣତ ହେଉଥିଲା । ସେଗୁଡ଼ିକ ଏକତ୍ର ରଖାଯାଇ ସାମବେଦକୁ ଏକ ସ୍ୱତନ୍ତ୍ର ବେଦର ମର୍ଯ୍ୟାଦା ଦିଆ ଯାଇଥିଲା । ଚତୁର୍ବେଦ ମଧ୍ୟରେ ସାମବେଦର ସ୍ଥାନ ସମ୍ମାନ ଦୃଷ୍ଟିରୁ କେଉଁ ସ୍ତରରେ ଥିଲା ତାହା କଲନା କରିବା ଆଦୌ କଷ୍ଟକର ନୁହେ; କାରଣ, ଶ୍ରୀମଦ୍‌ ଭଗବଦ ଗୀତାରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି;

 

‘ବେଦାନାଂ ସାମବେଦୋଽସ୍ମି’ ।

 

କେବଳ ସାମବେଦରେ ନୁହେ, ବୈଦିକ ସାହିତ୍ୟର ଅନ୍ୟାନ୍ୟ ବିଭାଗ, ଯଥା; ବ୍ରାହ୍ମଣ, ଆରଣ୍ୟକ, ଶିକ୍ଷା ପ୍ରଭୃତିରେ ମଧ୍ୟ ସଙ୍ଗୀତାର ଭୁରି ଭୁରି ଉଲ୍ଲେଖ ଓ ଚର୍ଚ୍ଚା ଦେଖାଯାଏ । ତେଣୁ ବୈଦିକ ସଂଗୀତ ହିଁ ଆମ ଭାରତର ଯେ ପ୍ରାଚୀନତମ ଓ ସମ୍ଭବତଃ ସମୃଦ୍ଧିଶାଳୀ ସଂଗୀତ ଏଥିରେ ସନ୍ଦେହ ନାହିଁ ।

 

ମାତ୍ର ସମ୍ରାଟ୍‌ ଖାରବେଳ ବେଦବେଦାଙ୍ଗରେ ବୁଧତ୍ୱ ଅର୍ଜନ କରିଥିଲେ ସୁଦ୍ଧା ସେ ନିଜକୁ ‘ସାମବେଦବୁଧ’ ବୋଲି ତାଙ୍କ ହାତୀଗୁମ୍ଫା ଶିଳାଭିଲେଖରେ ପରିଚିତ କରାଇ ନାହାନ୍ତି; କରାଇଛନ୍ତି ‘‘ଗନ୍ଧର୍ବବେଦ ବୁଧ’ ବୋଲି । ଶିଳାଭିଲେଖର ସମ୍ପୂର୍ଣ୍ଣ ପଙ୍‌କ୍ତିଟି ହେଉଚି-

 

‘‘ତତିୟେ ପୁନ ବସେ ଗନ୍ଧବ ବେଦ ବୁଧୋ ଦପ ନତ ଗୀତ

ବାଦିତ ସଂଦସ ଉପବ ସମାଜ କାରାପ ନାହି ଚ କୀଡ଼ାପୟତି ନଗରିଂ ।।’’

 

ଏଥିରେ ବ୍ୟବହୃତ ‘ଗନ୍ଧର୍ବ ବେଦ’ ପଦଟି ‘ଗନ୍ଧର୍ବବେଦ’ ପଦର ଅପଭ୍ରଷ୍ଟ ରୂପ । ଏ ସମ୍ପର୍କରେ ପ୍ରଥମ ଅନୁସନ୍ଧେୟ ବିଷୟ ହେଉଚି- ଗନ୍ଧର୍ବ କିଏ; ଗାନ୍ଧର୍ବ ବେଦ କହିଲେ କଅଣ ବୁଝାଏ ଓ ଗାନ୍ଧର୍ବବେଦବୁଧ ବୋଲି ନିଜକୁ ପରିଚିତ କରାଇବାର ତାତ୍ପର୍ଯ୍ୟ କଅଣ ।

 

‘ଗନ୍ଧର୍ବ’ ଗୋଟିଏ ସୁପ୍ରାଚୀନ ଶବ୍ଦ, ଯାହାର ଉଲ୍ଲେଖ ଭାରତୀୟ ଋଗ୍‌ବେଦରେ ତଥା ପାର୍ଶିମାନଙ୍କ ଧର୍ମଗ୍ରନ୍ଥ ଜେନ୍ଦ୍‌ ଆଭେସ୍ତାରେ ଦେଖିବାକୁ ମିଳେ । ଋଗ୍‌ବେଦର କେତେକ ସ୍ଥଳରେ ‘ଅପ୍‌ସରସ’ ବା ଅପ୍‌ସରା ନାମୀ ସ୍ୱର୍ଗବାସିନୀ ନାରୀର ପ୍ରଣୟୀ, ସହଚର ବା ସ୍ୱାମୀ ରୂପେ ‘ଗନ୍ଧର୍ବ’ ନାମକ ସ୍ୱର୍ଗୀୟ ପୁରୁଷର ଉଲ୍ଲେଖ ଅଛି । ବୈଦିକ ସାହିତ୍ୟରେ ଗନ୍ଧର୍ବମାନେ ଉପଦେବତା ଭାବେ ସ୍ୱୀକୃତ । ପୁଣି ଉତ୍ତରକାଳୀନ ବୈଦିକ ସାହିତ୍ୟରେ ସେମାନେ ଦେବଗାୟକ ଭାବେ ପରିଚାୟିତ । ଗନ୍ଧର୍ବମାନେ ଗୀତ ବାଦ୍ୟରେ ଯେପରି ପଟୁ, ଅପ୍‌ସରାମାନେ ଗୀତନୃତ୍ୟରେ ତଦ୍ରୁପ ପଟୀୟସୀ । ପୁରାଣ ସାହିତ୍ୟରେ ତ ଅନେକ ଗନ୍ଧର୍ବଙ୍କ ନାମ ଓ ବୃତ୍ତାନ୍ତ ମିଳେ । ଦେବରାଜ ଇନ୍ଦ୍ରଙ୍କ ସ୍ୱର୍ଗୀୟ ସଭା ଓ ମଜ୍‌ଲିସ୍‌ରେ ଗନ୍ଧର୍ବମାନେ ତୌର୍ୟତ୍ରିକର ଆଚାର୍ଯ, ଓସ୍ତାଜ୍‌ ବା କଳାକାର । ମନୋରଞ୍ଜନ କଳା ଗନ୍ଧର୍ବ ଓ ଅପ୍‌ସରାଙ୍କ ଜାତିଗତ ଓ ସମ୍ଭବତଃ ଏକାଧିପତ୍ୟମୁଳକ ବିଦ୍ୟା । ସେଥିପାଇଁ ଗୀତବାଦ୍ୟ କଳାକୁ ‘ଗାନ୍ଧର୍ବ’ କୁହା ଯାଉଥିଲା ।

 

ଗନ୍ଧର୍ବମାନଙ୍କୁ ଦେବଲୋକର ଅଧିବାସୀ ଓ ଦେବଗାୟକ ବୋଲି ପୁରାଣ-ସାହିତ୍ୟରେ କୁହା ହୋଇଛି କିନ୍ତୁ ‘ଦେବ’ କିଏ ଓ ‘ଦେବଲୋକ’ କୌଣସି କାଳ୍ପନିକ ବିଷୟ କିମ୍ବା କୌଣସି ପାର୍ଥିବ ଭୁଖଣ୍ତ ବିଶେଷ ତାହା ଅନୁସନ୍ଧେୟ ।

 

ରାମାୟଣ ଉତ୍ତରକାଣ୍ତରେ ଗନ୍ଧର୍ବମାନଙ୍କ ସମ୍ପର୍କରେ ଗୋଟିଏ ବିବରଣ ଅଛି । ତଦନୁସାରେ, କେକୟ ଦେଶର ରାଜା ଯୁଧାଜିତ୍‌ ଅଯୋଧ୍ୟାରାଜ ରାମଚନ୍ଦ୍ରଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପଠାଇଥିଲେ, ଯାହା ଏଠାରେ ରାମାୟଣର ଭାଷାରେ ତଳେ ଉଦ୍ଧାର କରାଯାଉଛି-

 

 

‘‘ଅୟଂ ଗନ୍ଧର୍ବବିଷୟଃ ଫଳମୂଳୋପଶୋଭିତଃ ।।୧୦।।

ସିଦ୍ଧୋରୁଭୟତଃ ପାର୍ଶ୍ୱେ ଦେଶଃ ପରମଶୋଭନଃ ।

ତଂ ଚ ରକ୍ଷନ୍ତି ଗନ୍ଧର୍ବାଃ ସାୟୁଧା ଯୁଦ୍ଧକୋବିଦାଃ ।।୧୧।।

ଶୈଳୂଷସ୍ୟ ସୁତା ବୀର ତିସ୍ରଃ କୋଟ୍ୟୋ ମହାବଳାଃ ।

ତାନ୍‌ ବିନିର୍ଜିତ୍ୟ କାକୁତ୍‌ସ୍ଥ ଗନ୍ଧର୍ବନଗରଂ ଶୁଭମ୍‌।।୧୨।।

ନିବେଶୟ ମହାବାହୋ ସ୍ୱେ ପୁରେ ସୁସମାହିତେ ।

ଅନ୍ୟସ୍ୟ ନ ଗତିସ୍ତତ୍ର ଦେଶଃ ପରମଶୋଭନଃ ।।

ରୋଚତାଂ ତେ ମହାବାହୋ ନାହଂ ତ୍ୱାମହିତଂ ବଦେ ।।୧୩।।

ବାଲ୍ମୀକି ରାମାୟଣ (ଗୀତା ପ୍ରେସ୍‌) ଶତତମ ସର୍ଗ ।।

 

ମହାରାଜ ରାମଚନ୍ଦ୍ର କେକୟରାଜଙ୍କ ପରାମର୍ଶ ଗ୍ରହଣ କଲେ । ଭରତପୁତ୍ର ତକ୍ଷ ଓ ପୁଷ୍ମଳଙ୍କ ସହିତ ଯଥେଷ୍ଟ ସୈନ୍ୟବଳ ଦେଇ ଭରତଙ୍କୁ ସେନାପତି କରି କେକୟ ଦେଶକୁ ପଠାଇଲେ ସେଠାରୁ ଯୁଧାଜିତ୍‌ ରାଜାଙ୍କୁ ନେଇ ରାମଙ୍କ ସୈନ୍ୟବାହିନୀ କେକୟ ପ୍ରତିବେଶୀ ଗନ୍ଧର୍ବ ଦେଶକୁ ଅଭିଯାନ ଚଳାଇ ଗନ୍ଧର୍ବନଗର ଆକ୍ରମଣ କଲେ । ଘୋର ଯୁଦ୍ଧ ହେଲା ମାତ୍ର ଗନ୍ଧର୍ବମାନେ ପରାସ୍ତ ହେଲେ । ତା’ପରେ ଭରତ ଯାହା କଲେ ତାହା ରାମାୟଣର ଭାଷାରେ ହେଉଚି-

 

‘‘ହତେଷୁ ତେଷ ସର୍ବେଷୁ ଭରତଃ କେକୟୀସୁତଃ ।

ନିବେଶୟା ମାସ ତଦା ସମୃଦ୍ଧେ ଦ୍ୱେ ପୁରୋତ୍ତମେ ।।୧୦।।

ତକ୍ଷଂ ତକ୍ଷଶିଳାୟାଂ ତୁ ପୁଷ୍କଳଂ ପୁଷ୍କଳାବତେ ।

ଗନ୍ଧର୍ବଦେଶେ ରୁଚିରେ ଗାନ୍ଧାର ବିଷୟେ ଚ ସଃ ।।୧୧।।

ଏଜନ- ଏକାଧିକ ଶତତମ ସର୍ଗ ।।

 

ପୌରାଣିକ-ଆବରଣ ପରିହିତ ରାମାୟଣର ଏଇ ବିବରଣ ଭିତରେ ନିଶ୍ଚୟ କିଛି ବାସ୍ତବ, ଐତିହାସିକ ତଥ୍ୟ ଅଛି । ଗାନ୍ଧାର ଦେଶ ଓ ତକ୍ଷଶୀଳା ନଗରୀ ଭାରତ-ଇତିହାସରେ ଅବିସ୍ମରଣୀୟ । ବିଶେଷତଃ ଗ୍ରୀକ୍‌ମାନଙ୍କର ଭାରତ ଆକ୍ରମଣ ଓ ଭାରତର ତତ୍‌କାଳୀନ ଗାନ୍ଧାରଦେଶର ବସବାସ କରିବା ପରେ ତକ୍ଷଶୀଳା ଗୋଟିଏ ବିଦ୍ୟାନଗରୀ ରୂପେ ପ୍ରସିଦ୍ଧିଲାଭ କରିଥିଲା । ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତ ସେହି ଗାନ୍ଧାର ଅଞ୍ଚଳକୁ ଅଭିଯାନ ଚଳାଇ ଗ୍ରୀକ୍‌ମାନଙ୍କୁ ପରାସ୍ତ କରିଥିଲେ ମାତ୍ର ଗ୍ରୀକ୍‌ମାନଙ୍କ ସହିତ ପରେ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ପ୍ରଶ୍ରୟ ଦେଇଥିଲେ । ଗାନ୍ଧାର ଅଞ୍ଚଳ ଓ ତକ୍ଷଶୀଳା ନଗରୀ ଗ୍ରୀକ୍‌ଭାରତୀୟ ସଭ୍ୟତା ଓ ସଂସ୍କୃତିର ମିଳନପୀଠରେ ପରିଣତ ହୋଇଥିଲା । ଉଭୟ ଦେଶର ଜ୍ଞାନପ୍ରବାହ ମିଳିତ ହୋଇ ଭାରତଭୂମିରେ ଯେଉଁ ପ୍ଲାବନ ଘଟାଇଥିଲା ଓ ଭାରତୀୟ ସଭ୍ୟତାକୁ ଯେପରି ଉର୍ବର ଓ ଫଳପ୍ରସୂ କରାଇ ଥିଲା ତାହା ଆଜି ହୁଏତ ପ୍ରମାଣପୁଷ୍ଟ ଭାବରେ ପ୍ରତିପାଦନ କରିବା ସହଜସାଧ୍ୟ ନୁହେଁ; ତଥାପି, ଗାନ୍ଧାରକଳା ତାହାର ଗୋଟିଏ ଜୀବନ୍ତ ନିଦର୍ଶନ । ଗ୍ରୀସ୍‌ଭାରତକୁ କଅଣ ଦେଇଥିଲା, କଅଣ ବା ଭାରତରୁ ନେଇଥିଲା ସେଇ ଦିଆନିଆର ହିସାବ କରି ବସିବା ଅବାନ୍ତର, ହୁଏତ ଅସମ୍ଭବ । ତେବେ, ପୁରାଣ-ସାହିତ୍ୟରେ ଯାହାଙ୍କୁ ଗନ୍ଧର୍ବ କୁହାଯାଇଛି ସେମାନେ ଗ୍ରୀସ୍‌ଦେଶୀୟ ସଙ୍ଗୀତକଳାର ଭାରତୀୟ ପ୍ରତିନିଧି, ଧାରକ ଓ ବାହକ ବୋଲି ଅନୁମାନ କରିବା ବୋଧହୁଏ ଏକାନ୍ତ ଭିତ୍ତିହୀନ, ଉଦ୍‌ଭଟ କଳ୍ପନା ନୁହେ ।

 

ଯାହାହେଉ, ରାମାୟଣର ପ୍ରୋକ୍ତ ବୃତ୍ତାନ୍ତରୁ ବିଶ୍ୱାସ ଜାତ ହୁଏ ଯେ ଗନ୍ଧର୍ବମାନେ ସିନ୍ଧୁ ନଦୀର ଉଭୟ ପାଖରେ ଓ କେକୟଦେଶର ପଶ୍ଚିମରେ ଥିବା ଗାନ୍ଧାର ଦେଶର ଅଧିବାସୀ ଥିଲେ-। ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ହିନ୍ଦୁକୁଶ୍‌ ପର୍ବତମାଳା ବ୍ୟାପିଥିବା ଭୂଖଣ୍ତକୁ ଯଦି ପୁରାଣମାନଙ୍କରରେ ସ୍ୱର୍ଗ ବୋଲି କୁହାଯାଇଥାଏ ତେବେ ଗନ୍ଧର୍ବମାନଙ୍କୁ ସ୍ୱର୍ଗଲୋକର ଅଧିବାସୀ ବୋଲି ପୁରାଣମାନଙ୍କରେ ଚିହ୍ନିତ କରା ହୋଇଥିଲେ ସୁଦ୍ଧା ସେମାନଙ୍କୁ ଜମ୍ବୁଦ୍ୱୀପାନ୍ତର୍ଗତ ଭାରତବର୍ଷର ଅଧିବାସୀ ବୋଲି ମନେ କରାଯାଇ ପାରେ; କାରଣ ସେମାନେ କ୍ରମଶଃ ସିନ୍ଧୁନଦୀର ସମସ୍ତ ପଶ୍ଚିମତଟ ଓ ପୂର୍ବତଟବର୍ତ୍ତୀ କେତେକାଂଶ ମାଡ଼ି ଯାଇଥିବେ ।

 

ଗନ୍ଧର୍ବମାନଙ୍କ ଦେଶ ସମ୍ପର୍କରେ ରାମାୟଣର ପ୍ରୋକ୍ତ ବୃତ୍ତାନ୍ତ ଛଡ଼ା ଭରତନାଟ୍ୟଶାସ୍ତ୍ରର ୧୪ଶ ଅଧ୍ୟାୟରେ ପ୍ରେକ୍ଷାଗୃହର କକ୍ଷାବିଭାଗ ପ୍ରସଙ୍ଗରେ ଭାରତବର୍ଷବାସୀ ମନୁଷ୍ୟମାନଙ୍କ ସମ୍ପର୍କରେ ବକ୍ତବ୍ୟ ଶେଷ କରାଯାଇ ‘ଦିବ୍ୟ’ମାନଙ୍କ ସମ୍ପର୍କରେ ମଧ୍ୟ କିଛି କୁହାଯାଇଛି ଯଥା-

 

ଏବନ୍ତୁ ଭାରତେ ବର୍ଷେ କକ୍ଷା କାର୍ୟା ପ୍ରୟୋଗତଃ ।

ମାନୁଷଣାଂ ଗତୌ ଯେଷାଂ ଦିବ୍ୟାନାନ୍ତୁ ନିବୋଧତ ।।୨୬।।

ହିମବତ୍‌ ପୃଷ୍ଠସଂସ୍ଥେ ତୁ କୈଳାସେ ପର୍ବତୋତ୍ତମେ ।

ଯକ୍ଷାଶ୍ଚ ଗୃହ୍ୟକା ଶ୍ଚୈବ ଧନଦାନୁଚରାଶ୍ଚ ଯେ ।।୨୭।।

ରକ୍ଷଃ ପିଶାଚଭୂତାଶ୍ଚ ସର୍ବେ ହୈମବତାଃ ସ୍ମୃତାଃ ।

ହେମକୂଟେ ଚ ଗନ୍ଧର୍ବା ବିଜ୍ଞେୟାଃ ସାପ୍‌ସରୋଗଣାଃ ।।୨୮।।

ଭ:ନା:ଶା: (ଚଉଖମ୍ବା) -୧୪ ପ୍ରଭୃତି ।।

 

(୧) ହେମକୁଟ,(୨) ନିଷଧ, (୩) ମେରୁ, (୪) ନୀଳ, (୫) ଶ୍ୱେତ, (୬) ଶୃଙ୍ଗବତ୍‌ ପର୍ବତମାନ ଯଥାକ୍ରମେ (୧) ଗନ୍ଧର୍ବ, ଅପ୍‌ସରାଗଣ, (୨) ଶେଷ, ବାସୁକି, ତକ୍ଷକ ନାଗ (୩) ତେତିଶ ପ୍ରକାର ଦେବଗଣ (୪) ସିଦ୍ଧ, ବ୍ରହ୍ମର୍ଷି (୫) ଦୈତ୍ୟ ଦାନବ (୬) ପିତୃବର୍ଗମାନଙ୍କର ଆବାସ ହୋଇଥିବା ଓ ଏଇ ପର୍ବତଗୁଡ଼ିକ ଶ୍ରେଷ୍ଠ ଦିବ୍ୟବାସ ଅର୍ଥାତ୍‌ଦେବ ଓ ଉପଦେବମାନଙ୍କ ବାସସ୍ଥାନ ହୋଇଥିବା କଥା କୁହା ହୋଇଚି । ଏଇ ସବୁ ସ୍ଥାନକୁ ଭାରତବର୍ଷର ବାହାରେ କିନ୍ତୁ ଜମ୍ବୁଦ୍ୱୀପ ମଧ୍ୟରେ ଅବସ୍ଥିତ ବୋଲି କୁହା ହୋଇଛି । ଅନ୍ୟପର୍ବତ କଥା ଯାହା ହେଉ ହେମକୂଟ ପର୍ବତ ସହିତ ଭାରତବର୍ଷର ସାହିତ୍ୟ ଓ ସଂସ୍କୃତିର ପ୍ରାଚୀନ ସମ୍ପର୍କ ରହିଥିଲା ।

 

ସେଇ ଗନ୍ଧର୍ବମାନଙ୍କର ବିଦ୍ୟା ଅର୍ଥାତ୍‌ ଗ୍ରୀକ୍‌-ଭାରତୀୟ ସମନ୍ୱିତ ତୌର୍ୟତ୍ରିକ କୌଶଳ ଓ ଧ୍ୱନି ବିଜ୍ଞାନକୁ ‘ଗନ୍ଧର୍ବବେଦ’ ଆଖ୍ୟାରେ ଗୌରବାନ୍ୱିତ କରାଯାଇ ଭାରତରେ ତାହାର ପ୍ରବର୍ତ୍ତନ କରାଯାଇଥିଲା ବୋଲି ମଧ୍ୟ କୁହାଯାଇ ପାରେ ।

 

ବୈଦିକ ଯୁଗର ଅନ୍ତିମ ପର୍ବରେ ବେଦତତ୍ତ୍ୱମାନଙ୍କର ସରଳୀକରଣ ତଥା ବିବର୍ତ୍ତିତ ଓ ଆହୃତ ନୂତନ ତତ୍ତ୍ୱଗୁଡ଼ିକର ଆତ୍ମୀକରଣ ପାଇଁ ଯେଉଁ ସାହିତ୍ୟର ସୃଷ୍ଟ ହେଲା ତାକୁ ଶିକ୍ଷା, କଳ୍ପ, ନିରୁକ୍ତ ପ୍ରଭୃତି ଷଡ଼୍‌ବିଧ‘ ବେଦାଂଗ’ ଓ ଆଉ କେତେକ ସାହିତ୍ୟକୁ ‘ଉପବେଦ’ ଆଖ୍ୟା ଦିଆ ଯାଇଥିଲା । ଧନୁର୍ବେଦାଦି ଉପବେଦମାନଙ୍କ ପରି ଗାନ୍ଧର୍ବବେଦ ବୋଲି ଗୋଟିଏ ଉପବେଦର ଉତ୍ପତ୍ତି ଏହି ସମୟରେ ହୋଇଥିଲା । ବେଦର ଆକ୍ଷରିକ ଅର୍ଥ ଜ୍ଞାନ; ମାତ୍ର ରୂଢ଼ାର୍ଥରେ ବ୍ରହ୍ମମୁଖନିଗତ ଧର୍ମଜ୍ଞାପକ ଶାସ୍ତ୍ର ଭାବରେ ତାହା ଭାରତୀୟ ଜନସାଧାରଣର ଗଭୀର ବିଶ୍ୱାସ ଓ ମାନ୍ୟତାର ପ୍ରାଚୀନତମ ଓ ପାରମ୍ପରିକ ଆଧାର । ତେଣୁ ଜ୍ଞାନର ସଂଗ୍ରହ ଭାବରେ ହେଉ କିମ୍ବା ଜନତାର ଅଗାଧ ବିଶ୍ୱାସଭୂମି ଚତୁର୍ବେଦ ସହିତ ଅନ୍ତତଃ ନାମତଃ ସଂପୃକ୍ତ କରି ମର୍ୟାଦା ଓ ଗ୍ରାହ୍ୟତା ବୃଦ୍ଧି ବେଦ ଆଖ୍ୟାରେ ଅଳଙ୍କୃତ କରା ହୋଇଥିଲା । ଆହୁରି, ଚତୁର୍ବେଦର କର୍ତ୍ତୃତ୍ୱ ଚତୁରାନନ ବ୍ରହ୍ମାଙ୍କ ଉପରେ ଆରୋପିତ ହେଲା ପରି ‘ବେଦ’ ନାମଯୁକ୍ତ ପରବତୀ କେତେକ ବିଦ୍ୟା ଓ ଶାସ୍ତ୍ରକୁ ମଧ୍ୟ ଚତୁରତା ପ୍ରଚୋଦିତ ପ୍ରଣେତାମାନେ ‘ବ୍ରହ୍ମାପ୍ରଣୀତ’ ବୋଲି ପ୍ରଚାର କରିଥିଲେ । ଏହା ଠିକ୍‌ ସେହିପରି ଯେପରି ଅନ୍ୟପ୍ରଣୀତ ଅନେକ ପୃରାଣର କର୍ତ୍ତୃତ୍ୱ ମହାଭାରତ ପ୍ରଣେତା ମହାମାନ୍ୟ ବ୍ୟାସଙ୍କ ନାମରେ ଆରୋପିତ ହୋଇଛି ଓ ପ୍ରଚାରିତ ହୋଇଛି । ତେବେ ପ୍ରକୃତ ଗ୍ରନ୍ଥାକାର ଆତ୍ମବିସର୍ଜନ ଓ ଆତ୍ମଗୋପନ କରି ଅନ୍ୟଜଣେ ଖ୍ୟାତନାମା ବ୍ୟକ୍ତିଙ୍କ ନାମରେ ସ୍ୱୋପାର୍ଜିତ ଜ୍ଞାନଧନକୁ ଉତ୍ସର୍ଗ କରିଦେବା ଉଦାର ମନୋବୃତ୍ତିର ପରିଚାୟକ ହୋଇପାରେ ।

 

ଯାହାହେଉ, ସଂଗୀତକଳାର ବିଭିନ୍ନ ବିଭାବ ସଂପୃକ୍ତ ଜ୍ଞାନର ସଞ୍ଚୟନ ହିଁ ଗାନ୍ଧର୍ବ-ବେଦ-। ସ୍ପଷ୍ଟଭାବରେ ‘ଗାନ୍ଧର୍ବବେଦ’ ନାମ ଧାରଣ କରି କେତେକ ଶାସ୍ତ୍ର ଓ ଗ୍ରନ୍ଥର ଉଲ୍ଲେଖ ଓ ଆବିଭାବ ମଧ୍ୟ ଦେଖାଯାଏ । ମାତ୍ର ସେଗୁଡ଼ିକରୁ ଅଧିକାଂଶ, ବୋଧହୁଏ ପ୍ରାୟ ପ୍ରତ୍ୟେକଟି, ଗାନ୍ଧର୍ବ-ଯୁଗର ଶହ ଶହ ବର୍ଷର ପରକାଳୀନ ଅର୍ବାଚୀନ ରଚନା । ତଥାପି, ଭରତନାଟ୍ୟଶାସ୍ତ୍ର, ବରୋଦା ସଂସ୍କରଣର ପ୍ରଥମ ସମ୍ପାଦକ ସ୍ୱର୍ଗତ ବିଦ୍ୱାନ୍‌ ଅଧ୍ୟାପକ ରାମକୃଷ୍ଣ କବି ମହାଶୟ ‘‘ଯାମଳାଷ୍ଟକ ତନ୍ତ୍ର’’ ନିମ୍ନୋଦ୍ଧୃତ ଯେଉଁ ଶ୍ଳୋକାବଳୀ ଉଦ୍ଧାର କରିଛନ୍ତି, ତହିଁରେ ଗୋଟିଏ ବିରାଟ ଗାନ୍ଧର୍ବବେଦର ବିବରଣ ଦେଖିବାକୁ ମିଳେ । ଉକ୍ତ ଶ୍ଳୋକ କେତୋଟି ହେଉଚି-

 

ଗାନ୍ଧର୍ବବେଦ ଷଟ୍‌ତ୍ରିଂଶତ୍‌ ସହସ୍ର ଗ୍ରନ୍ଥ ସଂମିତଃ ।

ଯତ୍ର ସପ୍ତସ୍ୱରୋତ୍ପତ୍ତିକଥନଂ ପରିକୀର୍ତ୍ତ୍ୟତେ ।।

ବୀଣାତନ୍ତ୍ରଂ କଳାତନ୍ତ୍ରଂ ରାଗତନ୍ତ୍ରମନୁତ୍ତମମ୍‌।

ମିଶ୍ରତନ୍ତ୍ରଂ ତାଳତନ୍ତ୍ରଂ- ଗୀତିକାତନ୍ତ୍ରମେବ ଚ ।।

ଲାସିକୋଲ୍ଲାସିକାନ୍ତ୍ରଂ ମେଳତନ୍ତ୍ରଂ ମହତ୍ତରମ୍‌।

ଜାତିଗ୍ରହଲୟସ୍ଥାନଂ ମାର୍ଗାଙ୍ଗପ୍ରକ୍ରିୟା କ୍ରିୟା ।।

କାଳଜ୍ଞାନଂ ବାଦ୍ୟବଲ୍ଲୀ ତ୍ରିଭନ୍ନାଧ୍ୟାୟ ଏବ ଚ ।

*ତୁରଙ୍ଗରତିସାରଙ୍ଗ ସିଂହଲୀଳା ବିଜୃମ୍ଭଣମ୍‌।।

ଅଙ୍ଗହାର ପ୍ରବିକ୍ଷେପଧ୍ୟାୟଃ ସଂକ୍ଷୋଭଣକ୍ରୟା

ଏବମାଦିନି ଗାନ୍ଧର୍ବ ବେଦେ ସନ୍ତି ସହସ୍ରସଃ ।।

Natya Sastra of Bharatamuni-

(II Edition) O.I Baroda, Introduction

Page-58

 

ମାତ୍ର ଶଂସିତ ‘ଯାମଳାଷ୍ଟକ ତନ୍ତ୍ର’ର ପ୍ରାମାଣିକତା ଓ ପ୍ରାଚୀନତା ସନ୍ଦେହାତୀତ ନୁହେଁ; କାରଣ, ଉଦ୍ଧୃତ ଶ୍ଳୋକାବଳୀର ୫ମ ପାଦରେ ‘ମେଳତନ୍ତ୍ର’ ପଦଟି ରହିଚି ଓ ଭାରତୀୟ ସଙ୍ଗୀତର ଇତିହାସରେ ମେଳ ଶବ୍ଦଟିର ବ୍ୟବହାର ଖ୍ରୀ: ୧୩ଶ-୧୪ଶ ଶତାବ୍ଦୀରୁ ପ୍ରାଚୀନତର ନୁହେ ।

 

‘ଗାନ୍ଧର୍ବବେଦ’ ବଦଳରେ ‘ଗନ୍ଧର୍ବଶାସ୍ତ୍ର’ ପଦ ବ୍ୟବହାର କରି ଦତ୍ତିଳ ନାମକ ଜଣେ ଗାନ୍ଧର୍ବଯୁଗୀୟ ସଙ୍ଗୀତ ଶାସ୍ତ୍ରକାର କହିଛନ୍ତି –

 

(ପ୍ରଣମ୍ୟ ପରମେଶାନଂ) ବ୍ରହ୍ମାଦ୍ୟାଂଶ୍ଚ ଗୁରୁଂସ୍ତଥା ।

ଗାନ୍ଧର୍ବ୍ୟଶାସ୍ତ୍ରସଂକ୍ଷେପଃ ସାରତୋଽୟଂ ମୟୋଚ୍ୟତେ ।। ୧ ।।

-ଦତ୍ତିଳମ୍‌ତ୍ରିବେନ୍ଦ୍ରମ୍‌୧୯୩୦

-ଦତ୍ତିଳମ୍‌ ସଙ୍ଗୀତ କାୟାଳୟ, ହାଥରସ (ଉ:ପ୍ର:)୧୯୬୦

 

*ସମ୍ଭବତଃ ‘ତୁରଙ୍ଗରତି’ ପଦଟି ‘ତୁରଙ୍ଗଗତି’ ହେବ ।

 

ଦତ୍ତିଳ କେଉଁ ଗାନ୍ଧର୍ବଶାସ୍ତ୍ରର ସଂକ୍ଷେପ କରିଛନ୍ତି ତାହାର ଉଲ୍ଲେଖ କରି ନାହାନ୍ତି । ନାରଦ, କୋହଳ, ବିଶାଖିଳ- ଏ ତିନିଜଣ ପୂର୍ବଜ ଗାନ୍ଧର୍ବ ବିଶାରଦ ତଥା ‘ଗୁରବଃ’, ‘ଋଷୟଃ’ ‘ପୂର୍ବାଚାର୍ୟାଃ’- ଏଇ ତିନୋଟି ପଦ ମାଧ୍ୟମରେ ଅନ୍ୟ କେତେକ ଗୁଣୀଙ୍କୁ ସ୍ମରଣ କରିଥିଲେ ସୁଦ୍ଧା ଓ ଭରତ ନାଟ୍ୟାଶାସ୍ତ୍ରର ବିଷୟବସ୍ତୁ ଗ୍ରହଣ ଓ ଅନୁସରଣପୂର୍ବକ ଗାନ୍ଧର୍ବଶାସ୍ତ୍ର ସଂକ୍ଷେପ କରିଥିଲେ ସୁଦ୍ଧା ‘ଭରତ’ ନାମକ କୌଣସି ବ୍ୟକ୍ତିଙ୍କୁ ସ୍ମରଣ କରି ନାହାନ୍ତି । ତେଣେ କିନ୍ତୁ ଭରତ ନାଟ୍ୟଶାସ୍ତ୍ରରେ ସ୍ୱୟଂ ଭରତମୁନିଙ୍କ ମୁଖପ୍ରସୂତି ଉକ୍ତିରେ ‘ଦତ୍ତିଳ’ଙ୍କ ନାମ ଭରତଙ୍କ ଶତପୁତ୍ର ନାମ ତାଲିକାରେ ଥୁଆ ହୋଇଥିବା ଦେଖାଯାଏ ।

 

ଗାନ୍ଧର୍ବରେ ମନୋଜ୍ଞ ସଂଜ୍ଞାଟିଏ ମଧ୍ୟ ଦତ୍ତିଳ ଦେଇଛନ୍ତି । ତାହା ହେଉଚି-

ପଦସ୍ଥସ୍ୱର ସଂଘାତସ୍ତାଳେନ ସୁମିତସ୍ତଥା ।

ପ୍ରଯୁକ୍ତଶ୍ଚାବଧାନେନ ଗାନ୍ଧର୍ବମଭିଧୀୟତେ ।। ୩ ।।

ଲୋକାଦ୍‌ ବିଦ୍ୟାତ୍‌ ପଦାନୀହ ଶବ୍ଦଶସ୍ତ୍ରାଦ୍ୟନୁଗ୍ରହାତ୍‌।

ପ୍ରସିଦ୍ଧ ମବଧାନଂ ତୁ ସମ୍ୟଗ୍‌ ବୁଦ୍ଧ୍ୟାଦି ଯୋଜନମ୍‌ ।। ୪ ।।

-ଦତ୍ତିଳମ୍‌-ଏଜନ ।

 

ଏହା କହି ଦତ୍ତିଳ କେବଳ ସ୍ୱର ଓ ତାଳ ନାମରେ ସୁପରିଚିତ ଗାନ୍ଧର୍ବ ଉପାଦାନଦ୍ୱୟର ସଂକ୍ଷିପ୍ତ ଆଲୋଚନା କରିଛନ୍ତି ।

‘ନାରଦୀ ଶିକ୍ଷା’ ନାମକ ଆଉ ଏକ ଶାସ୍ତ୍ରରେ ଗାନ୍ଧର୍ବର ଅନ୍ୟ ଏକ ସଂଜ୍ଞା ଦେଖିବାକୁ ମିଳେ । ତଦନୁସାରେ ଗାନ୍ଧର୍ବ ଶବ୍ଦର ଗା=ଗେୟ, ଧ=କଳାମୟ ବାଦ୍ୟବାଦନ ଓ ରେଫଯୁକ୍ତ ବ=ବାଦ୍ୟସାମଗ୍ରୀ । ତେବେ ମାଣ୍ଡୁକୀ ଶିକ୍ଷା, ନାରଦୀଶିକ୍ଷା ପ୍ରଭୃତି ଗ୍ରନ୍ଥ ହୋଇଥିଲେ ହେଁ ଗାନ୍ଧର୍ବର ନିର୍ଭରଯୋଗ୍ୟ ପ୍ରତିପାଦକ ଶାସ୍ତ୍ରରୂପେ ଗୃହୀତ ହେବାରେ ନାନାପ୍ରକାର ବାଧା ଅଛି । ନାରଦୀଶିକ୍ଷା ଅଧ୍ୟୟନ କଲେ ଜଣାପଡ଼େ, ସତେ ଯେପରି ତାହା ବୈଦିକ ସଙ୍ଗୀତରୁ ବହୁଭାବରେ ପୃଥକ୍‌ ଗାନ୍ଧର୍ବ ଓ ବୈଦିକ ସଙ୍ଗୀତ ମଧ୍ୟରେ ବଳପୂର୍ବକ ସଂଯୋଗସ୍ଥାପନର ଏକ ଅସଫଳ ଓ ଅତିଦୁର୍ବଳ ସେତୁ । ଅବଶ୍ୟ, ତାହା ଏକ ଅମୂଲ୍ୟ ରଚନା ।

ତେବେ, ଗୋଟିଏମାତ୍ର ଗ୍ରନ୍ଥର ଅଧ୍ୟୟନ ଓ ତଦନ୍ତର୍ଗତ ବିଦ୍ୟାର ଅଭ୍ୟାସ କରି ଗାନ୍ଧର୍ବବେଦବୁଧତ୍ୱ ଲାଭ କରାଯାଇ ପାରିବା ସମ୍ଭାବନାକୁ ସ୍ୱୀକୃତି ଦିଆଯାଏ, ତେବେ ତାହା ହେଉଚି ‘ଭରତ ନାଟ୍ୟଶାସ୍ତ୍ର’ ।

ଅବଶ୍ୟ, ଅଧୁନା ଉପଲବ୍‌ଧ ହେଉଥିବା ଭରତ ନାଟ୍ୟଶାସ୍ତ୍ରର ଆଖ୍ୟା ‘ଗାନ୍ଧର୍ବ ବେଦ’ ନୁହେ, ତଥାପି ତାହା ଏକ ‘ଗାନ୍ଧର୍ବ ଶାସ୍ତ୍ର’ ଓ ‘ପଞ୍ଚମବେଦ’ ! ଭରତନାଟ୍ୟଶାସ୍ତ୍ରର କର୍ତ୍ତୃତ୍ୱ ଭରତମୁନିଙ୍କ ଉପରେ ଆରୋପିତ ହେଉଥିଲେ ହେଁ ଓ ଅଭିନବଗୁପ୍ତଙ୍କ ପରି ଜଣେ ଅନନ୍ୟସାଧାରଣ ଆଚାର୍ଯ୍ୟ ଭରତ ମୁନିଙ୍କ ହିଁ ତାହାର ପ୍ରଣେତା ବୋଲି ଅଭିନବ ଭାରତୀ ନାମ୍ନୀ ନାଟ୍ୟଶାସ୍ତ୍ର ବିବୃତ (ବ୍ୟାଖ୍ୟା) ମଧ୍ୟରେ ସ୍ୱୀକୃତି ହେଇଥିଲେ ହେଁ ଭରତନାଟ୍ୟଶାସ୍ତ୍ର ଏକ ସଂକଳନ ବା ସଂଗ୍ରହ ବୋଲି ଅନେକ ଗଣ୍ୟମାନ ବିଦ୍ୱାନ୍‌ କହନ୍ତି । ସ୍ୱୟଂ ଅଭିନବଗୁପ୍ତ ତାଙ୍କ ଟୀକାରେ ଏପରି ଜଣେ ଆଚାର୍ଯ୍ୟଙ୍କୁ ‘ନାସ୍ତିକଧୂର୍ୟୋପାଧ୍ୟାୟ’ ବୋଲି ନିନ୍ଦିତ କରିଛନ୍ତି ଯେ ଭରତନାଟ୍ୟଶାସ୍ତ୍ରକୁ ମୁନିପ୍ରଣୀତ ବୋଲି ମାନୁ ନ ଥିଲେ ଓ ତହିଁରେ କେତେକାଂଶକୁ ଯେ ଭରତନାଟ୍ୟାଶାସ୍ତ୍ରକୁ ମୁନିପ୍ରଣୀତ ବୋଲି ମାନୁ ନ ଥିଲେ ଓ ତହିଁର କେତେକାଂଶକୁ ପ୍ରକ୍ଷିପ୍ତ ବୋଲି କହୁଥିଲେ । * ଉପଲବ୍‌ଧ ଭରତନାଟ୍ୟଶାସ୍ତ୍ରଟି କୌଣସି ବ୍ୟକ୍ତିବିଶେଷଙ୍କ ଏକକାଳୀନ ବର ନିରବଚ୍ଛିନ୍ନ ପ୍ରଚେଷ୍ଟା ପ୍ରସୂତ ରଚନା ନ ହୋଇ ଏକ କ୍ରମବର୍ଦ୍ଧମାନ ସଂଗ୍ରହଗ୍ରନ୍ଥ ହୋଇଥିବା ଅନୁମାନ ଅଧିକ ଯୁକ୍ତିସମ୍ମତ ମନେହୁଏ । ଶହ ଶହ ବର୍ଷବ୍ୟାପୀ ବ୍ୟବିଚ୍ଛିନ୍ନ ସଂସ୍କରଣ, ପରିବର୍ତ୍ତନ ଓ ପରିବର୍ଦ୍ଧନ ପ୍ରକ୍ରିୟାର ପରିଣାମ ରୂପେ ତାହା ଏକାଧିକ ରୂପରେ ବର୍ତ୍ତମାନ ଉପଲବ୍‌ଧ ହେଉଅଛି । * ତେବେ, ସୁଦୀର୍ଘ ସଂଗ୍ରହ ଓ ସମ୍ମାର୍ଜନ ପ୍ରକ୍ରିୟା ଭିତରେ ପାଣିନୀ ଉଲ୍ଲିଖିତ କୃଶାଶ୍ୱ ଓ ଶିଳାଳୀ ପ୍ରଣୀତ ‘ନଟସୂତ୍ର’, ଆଦିଭରତ, ବ୍ରହ୍ମପ୍ରଣୀତ ନାଟ୍ୟବେଦ ପ୍ରଭୃତି ନାମରେ ଶୁଣାଯାଉଥିବା ଶାସ୍ତ୍ର; ନାରଦ, କୋହଳ ପ୍ରଭୃତି କେତେକ ସୁପ୍ରାଚୀନ ଶାସ୍ତ୍ରକାରଙ୍କ ରଚନାର ନିର୍ଯ୍ୟାସ ପ୍ରଭୃତି ଭରତନାଟ୍ୟଶାସ୍ତ୍ର ଦ୍ୱାରା କବଳିତ ହୋଇ ଯାଇଥିବା ଖୁବ୍‌ ସମ୍ଭବପର ।

*

‘‘ଏତେନ ସଦାଶିବ ବ୍ରହ୍ମଭରତମତତ୍ରୟବିବେଚନେନ ବ୍ରହ୍ମମତସାରତା ପ୍ରତିପାଦନାୟ

 

ମତତ୍ରୟୀ ସାରାସାରବିବେଚନଂ ତଦ୍‌ଗ୍ରନ୍ଥଖଣ୍ଡପ୍ରକ୍ଷେପେତୀ ବିଦିତମିଦଂଶାସ୍ତ୍ରମ ।

 

ନ ତୁ ମୁନିବିରଚିତମିତି ଯଦାହୁର୍ନାସ୍ତିକ ଧୁର୍ଯୋପାଧ୍ୟାୟସ୍ତତ୍‌ପ୍ରତ୍ୟୁକମ୍‌।’’

 

ଭ: ନା: ଶା: (ବରୋଦା) ୨ୟ ସଂସ୍କରଣ, ୧ମ ଖଣ୍ଡ, ପୃ. ୯ ସ୍ଥିତ ଅଭିନବ ଭାରତୀ ବିବୃତ୍ତି ।

 

*

ଏ ସମ୍ପର୍କରେ ବିଶଦ ଆଲୋଚନା ମହାମହୋପାଧ୍ୟାୟ କାଣେଙ୍କ History of Sanskrit Poetics (Third revised edition) ର ବିଶେଷତଃ Page 28 ଦ୍ରଷ୍ଟବ୍ୟ ।

 

ଗାର୍ଦ୍ଧବ୍ୟ ସମ୍ପର୍କରେ ସମ୍ୟକ୍‌ଆଲୋଚନା ମତ୍‌ପ୍ରଣୀତ ‘ଭାରତୀୟ ସଙ୍ଗୀତ’ ଉଦ୍‌ଗ୍ରାହ ଖଣ୍ଡ ପୃ ୪୩ରୁ ପୃ ୬୦ ଯାଏ ଦେଖାଯାଇପାରେ ।

 

ଯାହାହେଉ ଅନ୍ୟ ସେପରି ପ୍ରମାଣିକ ଶାସ୍ତ୍ର ଅନୁପଲଭ୍ୟତା ଦୃଷ୍ଟିରୁ ଭରତ ନାଟ୍ୟଶାସ୍ତ୍ରକୁ ଭିତ୍ତିକରି ପ୍ରଥମେ ଗାନ୍ଧର୍ବର ଉତ୍ପତ୍ତି ଓ ତା’ର ତାହାର ପ୍ରକୃତିର ଆଲୋଚନା କରାଯାଉ ।

ଗାନ୍ଧର୍ବର ଉତ୍ପତ୍ତି ସମ୍ପର୍କରେ ଅନ୍ୟ ମୁନିମାନଙ୍କ ଜିଜ୍ଞାସାର ଉତ୍ତର ରୂପେ ଭରତ ମୁନିଙ୍କ ମୁହଁରେ ଯେଉଁସବୁ କଥା ଖଞ୍ଜା ଯାଇଛି ତାହାର ସାରମର୍ମ ହେଉଛି-

ସତ୍ୟଯୁଗ ଶେଷହେଲା ପରେ ତ୍ରେତାଯୁଗରେ ଜମ୍ବୁଦ୍ୱୀପ ଦେବଦାନବ ଗନ୍ଧର୍ବାଦିଙ୍କ ଦ୍ୱାରା ସମାକ୍ରାନ୍ତ ହେଲା । ଲୋକେ ଈର୍ଷାକ୍ରୋଧାଦିବଶତଃ ଦୁଃଖପୀଡ଼ିତ ହେଲେ । ତହୁଁ ମହେନ୍ଦ୍ର ପ୍ରମୁଖ ଦେବଗଣ ପିତାମହଙ୍କୁ ପ୍ରାର୍ଥନା ଜଣାଇଲେ ଯେ ଶୁଦ୍ରଜାତିଙ୍କୁ ବେଦୋପଦେଶ ଦିଆଯାଇପାରୁ ନ ଥିବା ଦୃଷ୍ଟିରୁ ସେ ଗୋଟିଏ ସାର୍ବର୍ଣିଜ ପଞ୍ଜମବେଦ ସହିତ ଉଭୟ ଦୃଶ୍ୟ ଓ ଶ୍ରବ୍ୟ ଗୋଟିଏ କ୍ରୀଡ଼ନୀୟକ ସୃଷ୍ଟି କରନ୍ତୁ । ତଦନୁସାରେ ପିତାମହ ବ୍ରହ୍ମା ଚତୁର୍ବେଦରୁ ସାର ଗ୍ରହଣ କରି ‘ନାଟ୍ୟବେଦ’ ସୃଷ୍ଟି କଲେ ଓ ଦେବତାମାନଙ୍କ ଦ୍ୱାରା ତାହାକୁ ପ୍ରୟୋଗ କରାଇବା ପାଇଁ ଇନ୍ଦ୍ରଙ୍କୁ ପରାମର୍ଶ ଦେଲେ । ମାତ୍ର ଦେବତାମାନେ ସେଇ ପ୍ରୟୋଗ ବିଷୟରେ ଅଜ୍ଞ ବୋଲି ଇନ୍ଦ୍ର ଜଣାଇବାରୁ ଭରତଙ୍କୁ ସେଇ ଭାର ଦିଆଗଲା । ଭରତ ବ୍ରହ୍ମାଙ୍କଠାରୁ ତାହାର କୌଶଳ ଶିକ୍ଷାକାରି ଭାରତୀ, ସାତ୍ତ୍ୱତୀ ଓ ଆରଭଟୀ ବୃତ୍ତିମାନଙ୍କୁ ଭିତ୍ତିକରି ନାଟ୍ୟର ପ୍ରୟୋଗ ପ୍ରସ୍ତୁତି ସରିଥିବା କଥା କହିବାରୁ ବ୍ରହ୍ମା ତହିଁରେ କୌଶିକବୃତ୍ତିର ମଧ୍ୟ ବିନିଯୋଗ କରିବାକୁ ଉପଦେଶ ଦେଲେ ଓ ଭରତଙ୍କ ଅନୁରୋଧକ୍ରମେ ସେଇ ଶୃଙ୍ଗାର ରସସମ୍ଭବ କୌଶିକୀବୃତ୍ତିର ସୁଚାରୁ ଅଭିବ୍ୟକ୍ତ ପାଇଁ ନାଟ୍ୟାଳଙ୍କାରଚତୁରା ଅପ୍‌ସରାମାନଙ୍କୁ ନିଜ ମାନସରୁ ସୃଷ୍ଟି କଲେ । ପୁଣି ଥରେ ପ୍ରୟୋଗ ଆରମ୍ଭ ହେଲା । ଏଥର ବ୍ରହ୍ମା ନାରଦ ପ୍ରଭୃତି ଗନ୍ଧର୍ବମାନଙ୍କୁ ଗାନଯୋଗରେ ଓ ଶିଷ୍ୟମାନଙ୍କ ସମେତ ସ୍ୱାତିଙ୍କୁ ଭାଣ୍ଡବାଦ୍ୟରେ ନିଯୁକ୍ତ କଲେ ।

ଏହିପରି ଭାବରେ ନାରଦ ପ୍ରଭୃତି ଗନ୍ଧର୍ବମାନଙ୍କଠାରୁ ଗାର୍ବନ୍ଧର ଉତ୍ପତ୍ତି ହେଲା ଏଇ ନାରଦ ଜଣକ କିଏ କହି ହୁଏ ନାହିଁ । ଭାଗବତ ଓ ବାୟୁ ପୁରାଣରେ ନାରଦ ଜଣେ ସଙ୍ଗୀତଜ୍ଞ ରୂପେ ବର୍ଣ୍ଣିତ । ସେ ପୁଣି ବ୍ରହ୍ମାଙ୍କ ପୁତ୍ର । ନାରଦଙ୍କ ହାତ ସହିତ ବୀଣାର ଅବିଚ୍ଛେଦ୍ୟ ସମ୍ପର୍କ । ସମ୍ଭବତଃ ସେଥିପାଇଁ ଉପରେ କୁହାଯାଇଥିବା ‘ଗାନ୍‌ଯୋଗ’ରେ ନାରଦଙ୍କ ନିଯୁକ୍ତି ଉପରେ ନାଟ୍ୟଶାସ୍ତ୍ର ଟୀକାକାର ଅଭିନବ ଗୁପ୍ତ ମନ୍ତବ୍ୟ ଦେଇଛନ୍ତି ଯେ, ‘ଗାନ’ ଶବ୍ଦଟି ଏଠାରେ ବୀଣାଦି ତନ୍ତ୍ରବାଦ୍ୟ ଓ ବଂଶାଦି ସୃଷ୍ଟିରକାବ୍ୟର ମଧ୍ୟ ଅର୍ଥଦ୍ୟୋତକ ।

ଗନ୍ଧର୍ବର ଉତ୍ପତ୍ତି ସମ୍ପର୍କରେ ଭରତନାଟ୍ୟଶାସ୍ତ୍ରର ଯେଉଁ ବୃତ୍ତାନ୍ତ ଉପରେ ଦିଆଗଲା ତାହା ସ୍ୱର୍ଗଲୋକର ନା ମର୍ତ୍ତ୍ୟଲୋକର ସେ ବିଷୟ ଉକ୍ତ ଶାସ୍ତ୍ରରେ ସ୍ପଷ୍ଟ ଭାବରେ କୁହା ହୋଇନାହିଁ । ତଥାପି ବ୍ରହ୍ମା, ଇନ୍ଦ୍ର, ନାରଦ, ଦେବବୃନ୍ଦଙ୍କୁ ଘେନି ଘଟନାଟି ଘଟିଥିବାରୁ ତାହା ଦେବଲୋକର ବୋଲି ଧରିବାକୁ ହେବ । ଏ ସମ୍ପର୍କରେ ପୂର୍ବୋକ୍ତ ଶାସ୍ତ୍ରକାର ଦତ୍ତିଳ ସ୍ପଷ୍ଟଭାବରେ ଲେଖିଛନ୍ତି –

ଗାନ୍ଧର୍ବଂ ନାରଦାଦିଭ୍ୟଃ ପ୍ରୋକ୍ତମାଦୌ ସ୍ୱୟମ୍ଭୁବା ।

ବିଧିବନ୍ନାରଦେନାଥ ପୃଥିବ୍ୟାମବାତାରିତମ ।।

-ଦତ୍ତିଳମ୍‌, ଏଜନ-୨ ।

 

ମନେ ରଖିବା କଥା, ଦେବତାମାନେ ମଧ୍ୟ ନାଟ୍ୟ ପ୍ରୟୋଗରେ ଅଜ୍ଞ ଥିଲେ ‘ଭରତ’ ତାହା ବ୍ରହ୍ମା ଓ ନାରଦାଙ୍କିଠାରୁ ଶିକ୍ଷା କଲେ । ତା’ ପରେ ବିଦ୍ୟାଟି ପୃଥିବୀକୁ ଆସିଲା ସେଇ ନାରଦାଦି ଗନ୍ଧର୍ବମାନଙ୍କ ମାଧ୍ୟମରେ । ଏଥିରୁ ଯଦି ଅନୁମାନ କରାଯାଇ ଯେ ଭାରତରେ ସେଇ ନାରଦାଦି ଗନ୍ଧର୍ବମାନଙ୍କ ମାଧ୍ୟମରେ । ଏଥିରୁ ଯଦି ଅନୁମାନ କରାଯାଏ ଯେ ଭାରତରେ ନାଟ୍ୟକଳା ଖୁବ୍‌ ଅନୁନ୍ନତ ଅବସ୍ଥାରେ ଥିଲା ଓ ଗ୍ରୀକ୍‌ମାନଙ୍କଠାରୁ ସେଇକଳାର ଉନ୍ନତ କୌଶଳମାନ ଆଦୃତ ହେଲା ତେବେ ସେଇ ଅଯୌକ୍ତିକ ହେବ କି ? ସେହିପରି, ବୈଦିକ ସଙ୍ଗୀତ ମଧ୍ୟ ଖୁବ୍‌ ଉନ୍ନତ ସ୍ତରକୁ ଛୁଇଁ ନଥିଲା ଓ ଗ୍ରୀକ୍‌ ସସର୍ଗ ପରେ ତାହା ଗାନ୍ଧର୍ବ ନାମରେ ନୂତନ ଭାବରେ ରୂପାୟିତ ହେଲା ବୋଲି ଅନୁମାନ କଲେ ଅଯୌକ୍ତିକ ହେବ କି ?

 

ଭରତନାଟ୍ୟଶାସ୍ତ୍ରରେ ଯେଉଁ ଗାନ୍ଧର୍ବର ଆଲୋଚନା କରାହୋଇଛି ତାହା ପୂର୍ବେ ‘ନାରଦ’ କହି ସାରିଥିଲେ- ଏକଥା ଧ୍ରୁବାବିଧାନର ଅନ୍ତିମ ଶ୍ଳୋକରେ ସ୍ୱୀକୃତ ହୋଇଛି ।*

 

ଗାନ୍ଧର୍ବର ଉତ୍ପତ୍ତି ସମ୍ପର୍କରେ ଆଉ ଅଧିକ କିଛି ଜଣା ପଡ଼େ ନାହିଁ । ତାହାର ପ୍ରକୃତି ସମ୍ପର୍କରେ ଭରତନାଟ୍ୟଶାସ୍ତ୍ରରେ ଅଛି-

 

(କ)

ଯତ୍ତୁ ତନ୍ତ୍ରୀକୃତଂ ପ୍ରାକ୍ତଂ ନାନାତୋଦ୍ୟସମାଶ୍ରିୟମ୍‌।

ଗାନ୍ଧର୍ବମିତି ତଜ୍‌ଜ୍ଞେୟଂ ସ୍ୱରତାଳପଦାତ୍ମକମ୍‌।। ୮ ।।

ଭା:ନା:ଶା: (ବରୋଦା)-୨୮

 

 

(ଖ)

ଅତ୍ୟର୍ଥମିଷ୍ଟଂ ଦେବାନାଂ ତଥା ପ୍ରୀତିକରଂ ପୁନଃ

ଗନ୍ଧର୍ବାଣାଂ ଚ ଯସ୍ମାଦ୍ଧି ତସ୍ମାଦ୍‌ଗାନ୍ଧର୍ବମୁଚ୍ୟତେ ।। ୯ ।।

 

 

(ଗ)

ଗାନ୍ଧର୍ବଂ ତ୍ରିବିଧଂ ବିଦ୍ୟାତ୍‌ ସ୍ୱରତାଳପଦାତ୍ମକମ୍‌।

ଏଜନ-୨୮

 

 

(ଘ)

ଗାନ୍ଧର୍ବଂ ଯନ୍‌ ମୟା ପ୍ରୋକ୍ତଂ ସ୍ୱରତାଳପଦାତ୍ମକମ୍‌।

ପଦଂ ତସ୍ୟ ଭବେଦ୍‌ ବସ୍ତୁ ସ୍ୱରତାଳାନୁ ଭାବକମ୍‌।। ୨୭ ।।

ଏଜନ-୩୨

 

ଏ ସବୁରୁ ବୁଝାପଡ଼େ ଯେ ମନୁଷ୍ୟକଣ୍ଠର ଗାନ ଯେତେବେଳେ ବୀଣା, ବେଣୁ ପ୍ରଭୃତି ସ୍ୱରବାଦ୍ୟ ତଥା ମୃଦଙ୍ଗ, ପଣବାଦି ଅବନଦ୍ଧ ଓ ଘନ ତାଳବାଦ୍ୟ ସହଯୋଗରେ ତାଳନିୟନ୍ତ୍ରିତ ଭାବରେ ଅବଧାନପୂର୍ବକ ପ୍ରକାଶିତ ହୁଏ, ତାହା ‘ଗାନ୍ଧର୍ବ’ ଆଖ୍ୟା ପାଏ ।

 

ଗାନ୍ଧର୍ବମେତତ୍‌କଥିତଂ ମୟା ହି

ପୂର୍ବଂ ଯଦୁକ୍ତଂ ତ୍ୱିହ ନାରଦେନ

କୁର୍ୟାଦ୍ୟ ଏବଂ ମନୁଜଃ ପ୍ରୟୋଗଂ

ସମ୍ମାନମଗ୍ର୍ୟଂ ଲଭତେ ସ ଲୋକେ । ୫୨୫ ।

ଭ: ମା: ଶା: (ମ: ମୋ: ଘୋଷ)-୩୨

 

ଗାନ୍ଧର୍ବ ବେଦବୁଧ ଖାରବେଳଙ୍କ ସହିତ ଭରତନାଟ୍ୟଶାସ୍ତ୍ରର ସମ୍ପର୍କ ନିର୍ଣ୍ଣୟ କରିବାକୁ ହେଲେ ରଚନାକାଳ ଓ ଖାରବେଳଙ୍କ ଆବିର୍ଭାବକାଳ ବିଚାର୍ଯ୍ୟ; ମାତ୍ର ଦୁଇଟିଯାକ ବିବାଦଗ୍ରସ୍ତ । ଯେ କୌଣସି ସଂଗ୍ରହଗ୍ରନ୍ଥର କାଳନିର୍ଣ୍ଣୟ କଷ୍ଟକର । ମହାମହୋପାଧ୍ୟାୟ କାଣେଙ୍କ ମତାନୁସାରେ ତାହା ଖ୍ରୀ: ୧ମ ଶତାବ୍ଦୀର ଅଧିକ ପ୍ରାକ୍‌କାଳୀନ ନୁହେଁ କିମ୍ବା ଖ୍ରୀ: ୩ୟ ଶତାବ୍ଦୀର ଉତ୍ତରକାଳୀନ ମଧ୍ୟ ନୁହେଁ । ଅନ୍ୟ ଜଣେ ତଦ୍‌ବିତ୍ ଓ ଭ: ନା: ଶାସ୍ତ୍ରର ୧ମରୁ ୨୭ଶ ଅଧ୍ୟାୟମାନଙ୍କର ଇଂରାଜୀ ଅନୁବାଦକ ଡଃ ମନୋମୋହନ ଘୋଷ କହନ୍ତି ଯେ ନାଟ୍ୟଶାସ୍ତ୍ର ଅଧୁନୋପଲବ୍‌ଧ ରୂପରେ ଖ୍ରୀ: ୨ୟ ଶତାବ୍ଦୀରେ ଉପଲବ୍‌ଧ ହୋଇଥିଲା ମାତ୍ର ତଦନ୍ତର୍ଗତ ପରମ୍ପରା ଖ୍ରୀ:ପୂ: ୧ମ ଶତାବ୍ଦୀ ପର୍ଯ୍ୟନ୍ତ ପଛେଇ ଯାଇ ପାରେ । (The Natyasastra R.A.S., Bengal, 1950, Edition-Page LXXXI)

ଖାରବେଳଙ୍କ ଆବିର୍ଭାବ କାଳ ସମ୍ପର୍କରେ ବିଭିନ୍ନ ଐତିହାସିକ ବିଭିନ୍ନ ମତ ଦିଅନ୍ତି । ଭି: ଏ: ସ୍ମିଥ୍‌ ମହାଶୟଙ୍କ ମତରେ ତାହା ଖ୍ରୀ.ପୂ. ୨୨୩, କେ: ପି: ଜୟସବାଲ୍‌ଙ୍କ ମତରେ ଖ୍ରୀ:ପୂ: ୧୮୩ ଆର୍‌.ଡ଼ି ବେନିର୍ଜିଙ୍କ ମତରେ ଖ୍ରୀ.ପୂ. ୧୭୪; ମାତ୍ର ଡଃ ରାୟଚୌଧୁରୀ ଓ ଡ: ବଡ଼ୁଆଙ୍କ ଅନୁସାରେ ତାହା ଖ୍ରୀ: ପୂ: ୧ମ ଶତାବ୍ଦୀର ମଧ୍ୟବର୍ତ୍ତୀ । ଆମ ଶ୍ରଦ୍ଧେୟ ଐତିହାସିକ ଡ: ନବୀନ କୁମାର ସାହୁ ବହୁ ବିଚାର ପରେ କହନ୍ତି ଯେ ଖାରବେଳ ଖ୍ରୀ: ପୂ: ୪୦ ଅବ୍ଦରେ ସିଂହାସନରୋହଣ କରିଥିଲେ । ଡ: ସାହୁଙ୍କ ମତହିଁ ଗ୍ରହଣୀୟ ମନେହୁଏ । ଯେଉଁ ପଦଗୁଡ଼ିକର ଅର୍ଥ ‘ତିନିଶହ’ ହେବା କଥା ତାକୁ ତଦନୁରୂପ ଅର୍ଥଯୁକ୍ତ ବହୁ ପ୍ରୟୋଗ ଥାଉଁ ଥାଉଁ ‘ଶହେ ତିନି’ ଅର୍ଥରେ ଗ୍ରହଣ କରିବା ହେତୁ ଖାରବେଳଙ୍କ କାଳନିର୍ଣ୍ଣୟରେ ବିଭ୍ରାଟ ଘଟିଚି । ଯାହାହେଉ, ଖାରବେଳଙ୍କ ଅଭ୍ୟୁଦୟ କାଳରେ ଗାନ୍ଧର୍ବର ମଧ୍ୟ ପ୍ରଭୃତ ଉନ୍ନତି ହୋଇଥିଲା । ଗାନ୍ଧର୍ବର ସେହି ବିକଶିତ ରୂପରେ ପରିଚାୟକ ଶାସ୍ତ୍ର ହେଉଚି ଭରତନାଟ୍ୟଶାସ୍ତ୍ର । ଦେଶର ବିଭିନ୍ନ ପ୍ରେକ୍ଷାଗୃହମାନଙ୍କରେ ଗୀତ, ବାଦ୍ୟ, ନୃତ୍ୟ ଓ ନାଟ୍ୟ ଯେଉଁ ଭାବରେ ପ୍ରଚଳିତ ଥିଲା, ସେହିସବୁ କଳାର ଯେଉଁ ସବୁ ଲକ୍ଷଣ ପରିଦୃଷ୍ଟ ହେଉଥିଲା ତାହାହିଁ ମୁଖ୍ୟତଃ ଲିପିବଦ୍ଧ କରାହୋଇଚି ଭରତ ନାଟ୍ୟଶାସ୍ତ୍ରରେ ।      

ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ ହେଉ, ଭରତନାଟ୍ୟଶାସ୍ତ୍ର ଓ ଖାରବେଳଙ୍କ ଗାନ୍ଧର୍ବ ବେଦବୁଧତ୍ୱ ମଧ୍ୟରେ ସମ୍ପର୍କ ରହିଥିଲା । ସେ ସମ୍ପର୍କରେ ସ୍ୱରୂପ ନିର୍ଣ୍ଣୟ ଅଧିକ ଗବେଷଣା ସାପେକ୍ଷ ।

 

ଗୁଲୁଣ୍ଡା

ପୋ: ମାନେଶ୍ୱର, ଜି. ସମ୍ବଲପୁର

 

***

 

Unknown

ଥିରୁକୁରଲ ଓ ସନ୍ଥ ଭାଲୁଏର

ଶ୍ରୀ ବଳରାମ ରାଉତ

 

ପୁଣ୍ୟଭୂମି ଆମର ଏଇ ଭାରତବର୍ଷ । ଯୁଗେ ଯୁଗେ ଏ ଦେଶର ପବିତ୍ର କୋଳରେ ଜନ୍ମଲାଭ କରିଛନ୍ତି ମହର୍ଷି, ତପସ୍ୱୀ, ସାଧୁସନ୍ଥ, ମହାପୁରୁଷ ଆଉ କବିମନୀଷୀ ଯେଉଁମାନଙ୍କ ଶ୍ରୀମୁଖ-ନିଃସୃତ ବାଣୀ କେବଳ ଭାରତରେ ନୁହେଁ ସାରା ପୃଥିବୀର ଗଗନ ପବନ ମୁଖରିତ କରି ପବିତ୍ରତାର ଅପୂର୍ବ ମୂର୍ଚ୍ଛନା ଖେଳାଇ ଦେଇଛି । ଏଇ ଦେଶର ମହାପୁରୁଷମାନେ ସୃଷ୍ଟି କରି ଯାଇଛନ୍ତି ବେଦ, ଉପନିଷଦ, ପୁରାଣ, କବିମାନଙ୍କ ଅମର ଲେଖନୀରୁ ସୃଷ୍ଟି ହୋଇଛି ଶ୍ରୀମଦ୍ ଭାଗବତ, ଶ୍ରୀମଦ୍‌ଭାଗବତ ଗୀତା, ମହାକାବ୍ୟ ରାମାୟଣ, ମହାଭାରତ ପୁରାଣ ଯାହାର ପ୍ରତି ପଙ୍‌କ୍ତିରେ ମଙ୍ଗଳମୟ ଅମୂଲ୍ୟ ଉପଦେଶ । ଆଶା ଆଉ ଆଶ୍ୱାସନାର ଅଭୟ ବାଣୀ । ଏହି ମହାନ୍‌ ପବିତ୍ର ଦେଶରେ ଜନ୍ମ ନେଇଛନ୍ତି ମହର୍ଷି ବାଲ୍ମୀକି, ବ୍ୟାସଦେବ, କବି କାଳିଦାସ, ଭକ୍ତକବି ତୁଳସୀ ଦାସ । ଭକ୍ତ କବୀର ଓ ଆହୁରି ଅନେକ ଯାହାଙ୍କ ଅମର ଲେଖନୀରୁ ଝରିପଡ଼ୁଛି ଭକ୍ତିଧର୍ମର ଅମୃତ ଧାରା ପାପ-ତାପଦଗ୍‌ଧ ଏଇ ମଣିଷ ପାଇଁ ଶାନ୍ତି ଆଉ ସନ୍ତୋଷର ବାର୍ତ୍ତା ପ୍ରଚାର କରି ଆଜି ସେଇ ମହର୍ଷି ବାଲ୍ମିକୀ ନାହାନ୍ତି ଯାହାଙ୍କର ହୃଦୟ ଦିନେ ଶରବିଦ୍ଧ କ୍ରୌଞ୍ଚର ଦର୍ଶନରେ ବିଗଳିତ ହୋଇ ମୁଖରୁ ନିଃସୃତ ହୋଇଥିଲା କବିତାର ଆଦ୍ୟ ଝଙ୍କାର :

 

ମା ନିଷାଦ ତ୍ୱମଗମ ଶାଶ୍ୱତୀଃ ସମାଃ

ଯତ୍‌ତ୍ରୋଞ୍ଚ ମଥୁନାଦେକମବଧୀ କାମମୋହିତଂ

 

ଆଜି ବ୍ୟାସଦେବ ନାହାନ୍ତି । କବି କାଳିଦାସ, ସନ୍ଥ ତୁଳସୀ ଦାସ ନାହାନ୍ତି; କିନ୍ତୁ ଅମର ରହିଛି ତାଙ୍କର ଅକ୍ଷୟ କୃତି ଓ କୀର୍ତ୍ତି ।

ଦକ୍ଷିଣ ଭାରତରେ ଯେତେଜଣ ସନ୍ଥକବି ପ୍ରାତଃସ୍ମରଣୀୟ ସେମାନଙ୍କ ଭିତରେ ସନ୍ଥ ଥିରୁ ଭାଲୁଏର ଅନ୍ୟତମ । ତାଙ୍କର ଅକ୍ଷୟ କୀର୍ତ୍ତି ଥିରୁ କୁରଲର ଅମର ଜ୍ୟୋତି ଶତାବ୍ଦୀର ସମୟ ଅନ୍ଧକାର ଭିତରେ ଅବଲୁପ୍ତ ହୋଇଯାଇ ନାହିଁ ବରଂ ଶତାବ୍ଦୀ ଲଙ୍ଘନ କରି ଚିର ଭାସ୍ୱର ହୋଇ ଉଠିଛି ।

ପବିତ୍ର ଥିରୁ କୁରଲ ତାମିଲନାଡ଼ୁର ଏକ ମହାନ୍‌ଗ୍ରନ୍ଥ । ଶ୍ରୀମଦ୍‌ଭାଗବତ ପରି ଏହା ତାମିଲ୍‌ନାଡ଼ୁର ଘରେ ଘରେ ପଠତ ହୁଏ । ଥିରୁ କୁରଲର ବିଷୟବସ୍ତୁ, ରଚନା ଶୈଳୀ, ଅନ୍ତର୍ନିହିତ ଭାବଧାରା ସର୍ବୋପରି କ୍ଷଣସ୍ଥାୟୀ ମାନବଜୀବନକୁ ସତ୍‌ମାର୍ଗରେ ପରିଚାଳିତ କରି ଆନନ୍ଦମୟ କରିବାପାଇଁ କୁରଲର ପ୍ରଣେତା ସନ୍ଥ ଭାଲୁଏରଙ୍କର ଅମରବାଣୀର କିଞ୍ଚିତ୍‌ ଆଲୋଚନା କରିବା ସଙ୍ଗେ ସଙ୍ଗେ ଏଥିରେ ସନ୍ନିବେଶିତ ପ୍ରତ୍ୟେକ ପଙ୍‌କ୍ତି କେମିତି ମଣିଷ ପାଇଁ ସୁସ୍ଥ ପବିତ୍ର ଆନନ୍ଦମୟ ଜୀବନଯାପନର ବାର୍ତ୍ତା ବହନ କରିଛି ତା’ର କେତୋଟି ଦୃଷ୍ଟାନ୍ତ ଦିଆଯାଉଅଛି ।

ପବିତ୍ର କୁରଲ ବିଷୟରେ କିଛି ଆଲୋଚନା କରିବା ପୂର୍ବରୁ ତା’ର ପ୍ରଣେତା ସନ୍ଥ ଭାଲୁଏରଙ୍କ ବିଷୟରେ କିଛି ଆଲୋଚନା କରିବା ଆବଶ୍ୟକ । Rev G.U. pope ଯେ କି କୁରଲର ଇଂରାଜୀ କବିତାରେ ଅନୁବାଦ କରିଛନ୍ତି ଭାଲୁଏର ଖ୍ରୀଷ୍ଟପର ଅଷ୍ଟମ ଓ ଦଶମ ଶତାବ୍ଦୀ ମଧ୍ୟରେ ଜନ୍ମଗ୍ରହଣ କରିଥିଲେ ବୋଲି ତାଙ୍କ ଅନୁବାଦ ପୁସ୍ତକରେ ମତବ୍ୟକ୍ତ କରିଛନ୍ତି । ପୁନଶ୍ଚ ତାଙ୍କ ମତରେ ଭାଲୁଏର ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ଭାରତକୁ ଆସିଥିବା ଧର୍ମଯାଜକମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । ମାତ୍ର ଭାଲୁଏରଙ୍କ ଜନ୍ମକାଳ ବିଷୟରେ ଏ ମତକୁ ଖଣ୍ଡନ କରାଯାଇ ସେ ଖ୍ରୀଷ୍ଟପୂର୍ବ ଦୁଇଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ ବୋଲି ଆଲୋଚକମାନେ ବଳିଷ୍ଠ ମତ ଦିଅନ୍ତି-। କୁରଲର ୨୬ ପରିଚ୍ଛେଦରେ ଭାଲୁଏର ମାଂସ ଭକ୍ଷଣ ବିରୁଦ୍ଧରେ ମତ ଦେଇଥିବାରୁ ଅନୁମାନ କରାଯାଏ ସେ ଖ୍ରୀଷ୍ଟିୟାନ୍‌ମାନଙ୍କ ଭାରତ ଆଗମନ ପୂର୍ବରୁ ଜନ୍ମଗ୍ରହଣ କରିଥିଲେ କାରଣ ଖ୍ରୀଷ୍ଟିୟାନ୍‌ଧର୍ମ ମାଂସ ଭକ୍ଷଣର ବିରୋଧ କରେନା, ଆହୁରି ମଧ୍ୟ କଥିତ ଅଛି କୁରଲ ରଚନା ପୂର୍ବରୁ ଦକ୍ଷିଣ ଭାରତ ପାଇଁ ବେଦପରି ଏକ ଗ୍ରନ୍ଥ ରଚନା କରିବାକୁ ଜନସାଧାରଣଙ୍କ ଅନୁରୋଧକ୍ରମେ ଭାଲୁଏର କୁରଲ ରଚନା କରିଥିଲେ । ଖ୍ରୀଷ୍ଟପର ଅଷ୍ଟମ ଓ ଦଶମ ଶତାବ୍ଦୀ ମଧ୍ୟରେ ଜନସାଧାରଣ କେବେ ଦକ୍ଷିଣ ଭାରତ ପାଇଁ ବେଦ ରଚନା କରିବା ଚିନ୍ତା କରିବା ପ୍ରାସଙ୍ଗିକ ନୁହେଁ । ଯାହାହେଉ କୁରଲର ରଚନା ଶୈଳୀ, ନିର୍ବାଚିତ ବିଷୟବସ୍ତୁ ଓ ଭାବଧାରା ବିଚାରକୁ ନେଲେ କୁରଲ ଯେ ଏକ ପ୍ରାଚୀନତମ ଗ୍ରନ୍ଥ ଏବଂ ଏହାର ରଚନା କାଳ ଖ୍ରୀଷ୍ଟପୂର୍ବ ପ୍ରଥମ କିମ୍ବା ଦ୍ୱିତୀୟ ଶତାବ୍ଦୀ ହୋଇପାରେ ଏହା ବିଶ୍ୱାସଯୋଗ୍ୟ ଓ ଗ୍ରହଣୀୟ ।

ଥିରୁ ଭାଲୁଏରଙ୍କ ଜନ୍ମସ୍ଥାନ, ବାଲ୍ୟଜୀବନ ଶିକ୍ଷା କିମ୍ବା ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ବିଷୟରେ ସମ୍ୟକ୍‌ ଜ୍ଞାନଲାଭ କରିବା ପାଇଁ କୌଣସି ବିଧିବଦ୍ଧ ଇତିହାସ ଲିପିବଦ୍ଧ ହୋଇନାହିଁ । କିମ୍ବଦନ୍ତୀ, ପ୍ରବନ୍ଧ ଓ ଆଲୋଚକମାନଙ୍କ ଆଲୋଚନାରୁ ଯାହା କିଛି ଜଣାଯାଏ, ଥିରୁ ଭାଲୁଏର ନୟାର ମାନ୍ଦ୍ରାଜ ସହରର ଉପକଣ୍ଠରେ ମାୟିଲାପୁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଆଢ଼ୀ, ପିତାଙ୍କ ନାମ ଭଗବାନମ୍‌ ଓ ପତ୍ନୀଙ୍କ ନାମ ବାସୁକୀ । ସେ ଜାତିରେ ତନ୍ତୁବାୟ ଅର୍ଥାତ୍‌ ବୁଣାକାର ଥିଲେ । ସମୁଦ୍ର କୂଳସ୍ଥିତ ଏ ମାୟିଲାପୁର ଗ୍ରାମରେ ତାଙ୍କ ସାରା ଜୀବନ ଅତିବାହିତ ହୋଇଥିଲା । ମାୟିଲାପୁରର ପ୍ରାକୃତିକ ସୌନ୍ଦର୍ଯ୍ୟ, ବାୟୁ ହିଲ୍ଲୋଳରେ ନାରିକେଳ ଉଦ୍ୟାନରେ ପତ୍ରମର୍ମର ଏହି ଗ୍ରାମର ପଦଧୌତ କରୁଥିବା ସୁନୀଳ ସାଗରର ବିଶାଳତା, ଉତ୍ତାଳ ତରଙ୍ଗର ଗୁରୁଗମ୍ଭୀର ଧ୍ୱନି, ସାମୁଦ୍ରିକ ପକ୍ଷୀର ମଧୁର କାକଳୀ ଭାଲୁଏରଙ୍କ କିଶୋର ମନରେ ଗଭୀର ରେଖାପାତ କରିଥିଲା । ବୈରାଗୀ ଗ୍ରହଣ କରିବାର ପକ୍ଷପାତୀ ସେ ନଥିଲେ । ଯଦିଓ ସେ ସରଳ ସନ୍ଥ ଜୀବନ ଯାପନ କରୁଥିଲେ ସେ ଥିଲେ ସଂସାରୀ । ଏଇ ସଂସାର ଭିତରେ ରହି ବି ସେ ସୁସ୍ଥ-ସୁନ୍ଦର ଜୀବନ ଯାପନ କରୁଥିଲେ ଏବଂ ଏହି ଆଦର୍ଶ ହିଁ ପ୍ରଚାର କରିଯାଇଛନ୍ତି ତାଙ୍କ ପବିତ୍ର ଗ୍ରନ୍ଥରେ ‘କୁରଲ’ରେ ।

ତାମିଲ ଭାଷାରେ କୁରଲ ଶବ୍ଦର ଅର୍ଥ ହେଲା ଯାହା ସଂକ୍ଷିପ୍ତ (Anything short) କୁରଲର ପ୍ରତ୍ୟେକ ପଦ ଅତି ସଂକ୍ଷିପ୍ତ ଯଦିଓ ତା’ର ଅନ୍ତରର୍ନିହିତ ଭାବଧାରା ଅତୀବ ମହାନ୍‌ଓ ତା’ର ଭାବ ସୁଦୂରପ୍ରସାରୀ । କୁରଲ ଶବ୍ଦର ଅର୍ଥ ମଧ୍ୟ ବାମନ ବା ଯାହାକୁ ଇଂରାଜୀରେ କୁହନ୍ତି Dwarf. ବାମନାବତାରରେ ବିଷ୍ଣୁ ଯେପରି ତାଙ୍କର ଛୋଟ ଛୋଟ ଦୁଇଟି ପାଦରେ ସ୍ୱର୍ଗ ଆଉ ମର୍ତ୍ତ୍ୟ ମାପି ଥିଲେ କୁରଲର ଦୁଇଟି ପାଦବିଶିଷ୍ଟ ଗୋଟିଏ ପଦ ଆକାରରେ କ୍ଷୁଦ୍ର ହେଲେହେଁ ଏଇ ପଦରେ ଭାଲୁଏର ବିଶ୍ୱବ୍ରହ୍ମାଣ୍ଡକୁ ମାପି ପାରିଛନ୍ତି । ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲାଣି କିନ୍ତୁ କୁରଲରେ ପ୍ରଚାରିତ ଅନ୍ତର୍ନିହିତ ଭାବଧାରା, ପ୍ରତିପାଦିତ ଆଦର୍ଶ, ସରଳ ସୁସ୍ଥ ଆଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ଉପଦେଶ ବାଣୀ ନିତ୍ୟ-ନୂତନ ହୋଇ ରହିଛି ଏବଂ ବାଳସୂର୍ଯ୍ୟର ଆଭା ବିକୀରଣ କରି ଅନ୍ଧକାରଚ୍ଛନ୍ନ ମାନବଜୀବନ ଆକାଶକୁ ଅପୂର୍ବ ଜ୍ୟୋତିରେ ଉଦ୍ଭାସିତ କରୁଛି ।

କୁରଲରେ ୧୩୩ଟି ପରିଚ୍ଛେଦ ଅଛି ଏବଂ ପ୍ରତ୍ୟେକ ପରିଚ୍ଛେଦରେ ୧୦ଟି ପଦ ଅର୍ଥାତ୍‌୨୦ଟି ପାଦ ଅଛି । ତେଣୁ ସମଗ୍ର କୁରଲରେ ୨୬୬୦ଟି ପାଦ ବା ଧାଡ଼ି ଅଛି । କୁରଲର ତିନି ଭାଗରେ ବିଭକ୍ତ କରାଯାଏ । ସଦ୍‌ଗୁଣ (Virute) ସମ୍ପଦ (Wealth) ଓ ପ୍ରେମ (Love)-। ହିତୋପଦେଶ ୨୬ ଶ୍ଳୋକରେ ଧର୍ମ ଅର୍ଥ କାମ ମୋକ୍ଷ ବର୍ଣ୍ଣିତ ହୋଇଛି । ତେଣୁ କୁରଲର ସଦ୍‌ଗୁଣ, ସମ୍ପଦ ଓ ପ୍ରେମକୁ ଧର୍ମ ଅର୍ଥ କାମ ସହିତ ତୁଳନା କରାଯାଇ ପାରେ । ଏଇଠି ସନ୍ଦେହ ହୁଏ ଭାଲୁଏରଙ୍କ ଭଳି ଜଣେ ସନ୍ଥ ଜ୍ଞାନୀ ଧର୍ମାତ୍ମା କେମିତି ମୋକ୍ଷ ବିଷୟରେ କିଛି ଲେଖିଲେ ନାହିଁ ଏବଂ ମୋକ୍ଷ ଅଭାବରେ କୁରଲକୁ ଏକ ଅସଂପୂର୍ଣ୍ଣ ଗ୍ରନ୍ଥ କୁହାଯାଇ ପାରିବ କି ? ଏ ବିଷୟରେ ଅନେକ ବାଦାନୁବାଦ ତ ରହିଛି, ତେବେ ଧର୍ମପାଳନକାରୀ ଯେ ନିଶ୍ଚିତ ମୋକ୍ଷଲାଭ କରିବ ଏଥିରେ ସନ୍ଦେହ ନାହିଁ । ମୋକ୍ଷକୁ ପ୍ରଥମ ତିନୋଟି ମାର୍ଗର ଫଳ କୁହାଯାଇ ପାରେ । ପ୍ରଥମ ତିନୋଟି କର୍ମ ନିଷ୍ଠାପର ଭାବରେ ପାଳନ କଲେ ମୋକ୍ଷ ଆପେ ଆପେ ମିଳିବ । ଭାଲୁଏର ଫଳପ୍ରତି ଆସକ୍ତି ନ ରଖି କର୍ମ କରିଯିବାରେ ବିଶ୍ୱାସ କରୁଥିଲେ । ଯେମିତି ଗୀତାରେ ଭଗବାନ କହିଛନ୍ତି’ ମା ଫଳେଷୁ କଦାଚନ’ । ଏ ଦୃଷ୍ଟିରୁ କୁରଲ ଯେ ମୋକ୍ଷପ୍ରାପ୍ତିର ମାର୍ଗ ପ୍ରଦର୍ଶନ କରିଛି ଏବଂ ଏ ମାର୍ଗ ଗୁଡ଼ିକ ବିଶ୍ୱସ୍ତ ଭାବରେ ଅନୁସରଣ କଲେ ମୋକ୍ଷ ମିଳିବ ଏଥିରେ ସନ୍ଦେହ ନାହିଁ ।

କୁରଲର ପ୍ରଥମ ବିଭାଗରେ ଚାରିପ୍ରକାର ସଦ୍‌ଜ୍ଞାନର ଅବତାରଣା କରାଯାଇଛି । ସାଧାରଣ ସଦ୍‌ଜ୍ଞାନ (Introduction) ଗୃହସ୍ଥାଶ୍ରମର ସଦ୍‌ଜ୍ଞାନ (Domestic Virute) ସନ୍ଥମାର୍ଗର ସଦଜ୍ଞାନ (Ascetic Virute) ଏବଂ ଭାଗ୍ୟ (Fate) ଦ୍ୱିତୀୟ ବିଭାଗ ସମ୍ପଦ ବା ଅର୍ଥରେ ରାଜକୀୟ ଅର୍ଥ (Royality) ରାଷ୍ଟ୍ରର ମନ୍ତ୍ରୀ ପରିଷଦ (Minister of State) ରାଷ୍ଟ୍ରର ଅତ୍ୟାବଶ୍ୟକତା (Essentiality of State) ଏବଂ ଅତିରିକ୍ତ ପତ୍ର (Appendix)ର ଅବତାରଣା କରାଯାଇଛି । ପ୍ରେମ ବା କାମରେ ଗାନ୍ଧର୍ବ ବିବାହ (The Gandharb Marriage) ଏବଂ ବିବାହିତ ପ୍ରେମ (Wedded Love) ଆଧାରିତ ପରିଚ୍ଛେଦମାନ ଅଛି ।

ତାମିଲ୍‌ଭାଷାରେ ଭାଲୁଏର ଶବ୍ଦର ଅର୍ଥ ହେଉଛି ଭକ୍ତ ପୂଜାରୀ ଏବଂ ଆଶ୍ୱାସକ ଏବଂ ଥିରୁର ଅର୍ଥ ହେଉଛି ଶ୍ରୀ । ତେଣୁ ଭାଲୁଏର ଶବ୍ଦର ଆକ୍ଷରିକ ଅର୍ଥ ଅନୁଧ୍ୟାନ କଲେ ଜଣାଯାଏ ସେ ଜଣେ ସନ୍ଥ, ଈଶ୍ୱରଙ୍କଭକ୍ତ ଏବଂ ମାନବ ସମାଜର କଲ୍ୟାଣକାରୀ ଥିବାରୁ ତାଙ୍କୁ ଭାଲୁଏର କୁହାଯାଏ । କବିଙ୍କର ନାମ ଏବଂ କୁରଲର ଆକ୍ଷରିକ ଅର୍ଥରୁ ଜଣାଯାଏ, କବି ଯାହା ଲେଖିଛନ୍ତି ସେଥିରେ ଈଶ୍ୱର ଭକ୍ତି, ସାଧୁସନ୍ଥ ଜନର ଉପଦେଶ ବାଣୀ ଏବଂ ମାନବ କଲ୍ୟାଣ ସାଧନ ପାଇଁ ଆହ୍ୱାନ ରହିଛି । ମାନବର ଚରିତ୍ର ଗଠନ, ସୁସନ୍ତାନ ହେବାର ଯୋଗ୍ୟତା, ପତିବ୍ରତା ଓ ସୁଗୃହିଣୀ ହେବାର ଗୁଣାବଳୀ ଏସବୁ ବିଷୟରେ ବର୍ଣ୍ଣନା କରିଛନ୍ତି; ଅର୍ଥାତ୍‌ ସଂସାରରେ ଯାହା ସତ୍‌ଚିତ୍ ଆନନ୍ଦ ଯାହାର ପ୍ରଭାବ ସୂଦୁରପ୍ରସାରୀ, ଯେ ମଣିଷ ମନର ବିକାଶ କରି ସୁଖ ଶାନ୍ତିର ମାର୍ଗ ପ୍ରଦର୍ଶନ କରେ ସେ ଭକ୍ତିମାନ ନିହିତ ରହିଛି ଏ ପବିତ୍ର ଗ୍ରନ୍ଥ କୁରଲରେ । ମଣିଷ ତାର ସ୍ୱପନେ ଜାଗରଣେ କଅଣ ଚିନ୍ତା କରିବାର କଥା, କେଉଁ ଆଦର୍ଶ ଅନୁସରଣ କରି ସେ ପୃଥିବୀରେ ଜୀବନ ଯାପନ କରିବାର କଥା, ସେ ସବୁର ଉପଦେଶ ଦିଏ ଏଇ ପବିତ୍ର ଗ୍ରନ୍ଥ । ଏଇ ପ୍ରସଙ୍ଗରେ ଇଂରାଜୀରୁ ଗୋଟିଏ ଉକ୍ତି କିନ୍ତୁ ଉଦ୍ଧାର କରାଯାଇ ପାରେ :

Whatever things are Pure

Whatever things are honourable

Whatever things are just

Whatever things are of good report

If there be any virute and

If there be any praise

Think on those things.

 

କୁରଲରେ ସନ୍ଥ ଭାଲୁଏର କେବଳ ଏମିତି ଭାବ-ଆଧାରିତ ବାଣୀ ପ୍ରଚାର କରିଛନ୍ତି ଯାହା ମାନବ ସମାଜ ପାଇଁ ମଙ୍ଗଳକାରୀ ।

ଏଥିରୁ ସହଜରେ ଅନୁମେୟ, କୁରେଲ ଅଧ୍ୟୟନ, ଆଲୋଚନା, ଶ୍ରବଣ ଖାଲି ତାମିଲ୍‌ନାଡ଼ୁ କାହିଁକି ସାରା ଜଗତର ମାନବ ସମାଜ ପକ୍ଷରେ ହିତକର । ତେଣୁ କୁରଲ ପରି ପବିତ୍ର ଗ୍ରନ୍ଥର ପଦ୍ୟାବଳୀ ଆମ ଶ୍ରୁତି ପଥରେ ପଢ଼ିଲେ ହୃଦୟରେ ଯେ ପବିତ୍ର ଫଲ୍‌ଗୁଧାରା ଉଚ୍ଛ୍ୱସିତ ହେବ ଏଥିରେ ସନ୍ଦେହ ନାହିଁ ।

ଓଡ଼ିଆ ଭାଷାରେ ଏ ଯାବତ୍ କୁରଲପରି ଏକ ପବିତ୍ର ଓ ମହାନ ଗ୍ରନ୍ଥ ଉପରେ ବିଶେଷ କିଛି ଆଲୋକପାତ ହୋଇ ପାରିନାହିଁ । ମୁଁ ଏକ ଦୁଃସାହସିକ ଉଦ୍ୟମ କରି କୁରଲର କେତେଗୁଡ଼ିଏ ପରିଚ୍ଛେଦର ଓଡ଼ିଆ କବିତାରେ ଅନୁବାଦ କରିଛି । ଆକ୍ଷରିକ ଅନୁବାଦ କହିଲେ ଠିକ୍ ହେବନାହିଁ, କାରଣ କୁରଲର ଦୁଇଟି ପାଦକୁ ଦୁଇଧାଡ଼ି କବିତା ଭିତରେ ସୀମାବଦ୍ଧ କରି ଓଡ଼ିଆ କବିତାରେ ଅନୁବାଦ କରିବା ଏକ ଦୁରୁହ ବ୍ୟାପାର । ଆଗରୁ କହିଛି ବାମନାବତାରରେ ବିଷ୍ଣୁଙ୍କର ପାଦ ପରି କୁରଲର ଗୋଟିଏ ପଦର ଦୁଇଟି ପାଦ ସ୍ୱର୍ଗ ଆଉ ମର୍ତ୍ତ୍ୟକୁ ମାପିପାରେ । ତେଣୁ ଦୁଇପାଦ ବିଶିଷ୍ଟ ପଦର କ୍ଷୁଦ୍ରଗଣ୍ଡି ଭିତରେ ମୁଁ ଏହାର ଅନ୍ତର୍ନିହିତ ଭାବଧାରାକୁ ସୀମାବଦ୍ଧ କରିପାର ନାହିଁ । କେତେକ କ୍ଷେତ୍ରରେ ସେଇ ଭାବଧାରା ଉପରେ ଆଧାରିତ କରି ଯଥାସମ୍ଭବ ଅନୁବାଦ କରିଛି । ତାମିଲ ଭାଷାରେ ମୋର ଅବଗାହନ ନ ଥିବାରୁ ଇଂରାଜୀ ଅନୁବାଦର ଅବଲମ୍ବନରେ ଓଡ଼ିଆ କବିତାରେ ରୂପାନ୍ତରିତ କରିଅଛି ।

ମୁଁ ଏହାର କେତେଗୁଡ଼ିଏ ଉଦାହରଣ ଦେବି । କେତୋଟି ପଦର ଇଂରାଜୀ ଅନୁବାଦ ସହିତ ମୋ ଓଡ଼ିଆ ଅନୁବାଦ ପ୍ରଥମେ ଦେବି । ତା’ପରେ ମୋ ଅନୁବାଦର କେତେଗୁଡ଼ିଏ ପଦ ଉଦ୍ଧାର କରିବି । କୁରଲର ପ୍ରଥମ ପରିଚ୍ଛେଦ The Praise of God ଅର୍ଥାତ୍ ଇଶ୍ୱର ମହିମା ପ୍ରଥମ ପଙ୍‌କ୍ତି ।

A as the first of letters

every speech maintains

The ‘Primal Duty is first through

all the World’s domalns

 

ଓଡ଼ିଆ ଅନୁବାଦ-

ଭାଷାର ପ୍ରଥମ ବର୍ଣ୍ଣ ‘ଅ’ ସମ

ଇଶ୍ୱର ହିଁ ଜଗତରେ ସର୍ବୋତ୍ତମ

ଆଦିମୂଳ ଅନନ୍ତ ପ୍ରଥମ ।

 

ସେମିତି ୭ମ ପରିଚ୍ଛେଦ ‘‘The obtaining of sons ଅର୍ଥାତ୍ ‘ସୁଯୋଗ୍ୟ ସନ୍ତାନ’ର ଗୋଟିଏ ପଙ୍‌କ୍ତି-

 

Than God’s ambosia sweeter

for the food before men laid

In which the little hands of children

of their own have play'd.

 

ଓଡ଼ିଆ ଅନୁବାଦ-

ଅବୋଧ ଚପଳ ଶିଶୁ

ବେଢ଼ି ଯାଇଁ ଅନ୍ନଥାଳୀ ଧାରେ

ଘାଣ୍ଟୁଥିଲେ ଛୋଟ ଛୋଟ

କୋମଳ ହାତରେ

ସେ ଅନ୍ନର ସ୍ୱାଦୁ ଯେତେ

ପିତା ମାତା ପାଇଁ

ଅମୃତଭାଣ୍ଡରୁ ତାହା

ମିଳିପାରେ ନାହିଁ ।

 

ସେଇ ପରିଚ୍ଛେଦରେ ଆଉ ଗୋଟିଏ ପଙ୍‌କ୍ତି :-

 

‘The pipes is sweet’, ‘the lute is sweet’

by there it will be averred

Who music of their infant’s lisping

lips have never heard,

 

ଓଡ଼ିଆ ଅନୁବାଦ-

ଯିଏ କହେ ସୁମଧୁର ମହୁରୀର ସ୍ୱର

ସୁମଧୁର ବଂଇଶୀର ସଙ୍ଗୀତ ମୁର୍ଚ୍ଛନା

ସେ ହୁଏତ ଶୁଣିନାହିଁ ନିବିଷ୍ଟ ଚିତ୍ତରେ

ତା ଶିଶୁର ଦୋରୋଟି ବ୍ୟଞ୍ଜନା ।

 

ଜୀବନରେ ଯାହା ସୁନ୍ଦର, ଯାହା ସତ୍ ଚିତ୍ ଆନନ୍ଦ, ଯେଉଁ ଗୁଣରେ ଭୂଷିତ ହେଲେ ମାନବ ଜଗତରେ ସୁଖ ସମୃଦ୍ଧି ଆଉ ଶାନ୍ତି ସନ୍ତୋଷ ଲାଭ କରିବ, ସେମିତି ସଦ୍‌ଗୁଣାବଳୀର ଅଧିକାରୀ ହୋଇ ସୁସ୍ଥ ନିର୍ମଳ ଜୀବନ ଯାପନ କରିବା ପାଇଁ ଭାଲୁଏର ମାନବକୁ ଉପଦେଶ ଦେଇଛନ୍ତି ପବିତ୍ର କୁରଲର ପ୍ରତି ପରିଚ୍ଛେଦରେ । ଦେଶର ଶାସନ କେମିତି ନୀତିପୂର୍ଣ୍ଣ ଓ ନ୍ୟାୟୋଚିତ ହେବା କଥା, ମନ୍ତ୍ରୀପରିଷଦ ଓ ଶାସକ ଚରିତ୍ରବତ୍ତା, ଆଦର୍ଶ କର୍ମନିପୁଣତା ଆଚାର ବ୍ୟବହାରରେ ସଂଯମ, ପ୍ରତ୍ୟେକ ବିଷୟରେ ଉପଦେଶ ଅଛି ଏଇ କୁରଲରେ । କ୍ରୋଧ ବର୍ଜନ କରିବା, ମଦ୍ୟପାନ ତ୍ୟାଗକରିବା, ପରଦାର ପ୍ରତି ଲୋଲୁପ ଦୃଷ୍ଟି ନ ଦେବାକୁ ଉପଦେଶ ଦେଇଛନ୍ତି ଥିରୁ ଭାଲୁଏର । କେତୋଟି ଉଦାହରଣ ଦେଉଛି ପରିଚ୍ଛେଦ ୫୬ର ପ୍ରଥମ ପଙ୍‌କ୍ତି ନୀତିହୀନ ଶାସନ ବିଷୟରେ ଲେଖିଛନ୍ତି-

 

Than one who piles the murder’s trade

more cruel in the king

Who all injustice works,

his subjects harrasing,

 

ଓଡ଼ିଆ ଅନୁବାଦ-

ନୀତିହୀନ ଅତ୍ୟାଚାରୀ ନରପତି

ହତ୍ୟାକାରୀଠାରୁ ଅଟେ ଆହୁରି ନୃଶଂସ

ରାଜଦଣ୍ଡ ସୁଯୋଗରେ ଯେଉଁ ରାଜା

 

ପ୍ରଜାଠାରୁ ଅର୍ଥ ଦାବୀ କରେ

ଅସ୍ତ୍ରଧାରୀ ଡ଼କାୟତଠାରୁ ହୀନ ସେ ଅବଶ୍ୟ

 

ପରକୀୟ ପ୍ରୀତି ପ୍ରତି ଆସକ୍ତ ମଣିଷମାନଙ୍କୁ ଦେଖି ସେ ବ୍ୟଥିତ ହୋଇଛନ୍ତି । ତାଙ୍କର ସେ କଥା ରୂପ ନେଇଛି ଏଇ ତାଙ୍କର ପଦରେ-

 

How great Soeer they be what gain have they of life,

Who, not a white reflecting, seek a neighours wife.

 

ଓଡ଼ିଆ ଅନୁବାଦ-

ମଣାଷ ସମାଜ ଯେତେ ସଭ୍ୟ ହେଉ

ହେଉ ବା ଉନ୍ନତ, କି ଲାଭ ତହିଁରେ,

ନିର୍ବୋଧ ମଣିଷ ପୁତ୍ର ଏ ମହୀରେ,

ହିତାହିତ ଜ୍ଞାନ ଭୁଲି, ନ ବିଚାରି ଭଲ ଆଉ ମନ୍ଦ

ପର ନାରୀ ସମ୍ଭୋଗରେ ଖୋଜଇ ଆନନ୍ଦ ।

 

ପ୍ରକୃତିରେ ଯାହା ମଙ୍ଗଳକାରୀ ମୁକ୍ତ କଣ୍ଠରେ ତା’ର ପ୍ରଶଂସା କରିଛନ୍ତି ଭାଲୁଏର, ବର୍ଷାର ମହାତ୍ମ୍ୟ ବର୍ଣ୍ଣନା କରି ସେ ଲେଖିଛନ୍ତି-

 

The world its course maintains

through life that rain unfalling gives

Thus the rain is know the true ambrosial

food of all that lives

 

ଓଡ଼ିଆ ଅନୁବାଦ-

ବର୍ଷା ଅଛି ବୋଲି ସିନା ଅଛି ଏଇ ଧରା,

ବର୍ଶା ତେଣୁ ଆମ ଜୀବନର ସୁଧାମୟ ଧାରା ।

 

ଜ୍ଞାନ ଆହରଣ କରିବା ଦ୍ୱାରା ମଣିଷ ମନର ବିକାଶ ହୋଇଥାଏ । ଯେମିତି ଉତ୍ତାପ ଆଉ ଶିଶିର ସ୍ପର୍ଶରେ କଳି ମୁକୁଳିତ ହୁଏ । ଆଉ ତା’ର ସୌରଭରେ ଚତୁର୍ଦ୍ଦିଗ ଆମୋଦିତ କରେ ସେମିତି ଜ୍ଞାନ ଆହରଣ କଲେ ମଣିଷର ମନପୁଷ୍ପ ବିକଶିତ ହୋଇ ସାରା ମାନବ ସମାଜକୁ ତା’ର ସୁବାସ ବିତରଣ କରେ । ଜ୍ଞାନ ଆହରଣ କରିବା ପାଇଁ ଆହ୍ୱାନ ଦେଇ ସେ କହିଛନ୍ତି-

 

ପରିଚ୍ଛେଦ ୪୦ରେ ଜ୍ଞାନର ମହିମା ବିଷୟରେ ସେ ଲେଖିଛନ୍ତି-

 

ଜଗତର ଉଦ୍ୟାନରେ ଯେତେ ଜ୍ଞାନଫୁଲ

ଅନ୍ତରରେ ସ୍ନେହ ଢାଳି କର ତୁ ଚୟନ

ଜ୍ଞାନର ପରଶ ଲଭି ଶୁଦ୍ଧ ହେଉ

ହେଉରେ ପବିତ୍ର ତୋର ଆଚରଣ ।

ମନାରଖ ଅକ୍ଷର ଓ ଅଙ୍କ

ଏ ଦୁଇଟି ମାନବର ଦୁଇଟି ନୟନ ।।

 

So learn that you may and faultless learning gain

Then in obdieance meet to lessons, learnt remain

The Jwain that lore of Numbers and of letters give

Are eyes, the wise declare to all on earth that live

 

ଆଉ ଗୋଟିଏ ପଦ :-

 

In sandy soil when deep you delve you reach

the springs below,

The more you learn, the frees streams

of wisdom flow.

 

ଗଭୀର କୂପରୁ ସିନା ବାହାରଇ ଜୀବନର ଅସରନ୍ତି ଧାରା

ଅଗଭୀର କୂପତଳୁ କୁହ କେବେ ଉଠିଛି କି ଜଳର ଜୁଆର

ସାଧନାର ଗଭୀରତା ଥିଲେ ସିନା ସୃଷ୍ଟି ହୁଏ ଜ୍ଞାନର ଆଧାର ।

 

ନିରବିଚ୍ଛିନ୍ନ ସାଧନା କରି ଜ୍ଞାନ ଆହରଣ କରିବା ମଣିଷ ପକ୍ଷରେ ଅପରିହାର୍ଯ୍ୟ- ଏ ବାଣୀ ପ୍ରଚାର କରିଛନ୍ତି ଭାଲୁଏର । ଅଜ୍ଞାନ ଅନ୍ଧକାର ଭିତରେ ବୁଡ଼ି ରହି କୌଣସି ଜାତି, କୌଣସି ଦେଶ କେବେ ଉନ୍ନତି କରି ନାହିଁ ।

 

ସନ୍ଥ ଭାଲୁଏର ଆଜି ନାହାଁନ୍ତି କିନ୍ତୁ ତାଙ୍କର ଏକମାତ୍ର ରଚନା କୁରଲ ତାଙ୍କୁ ଅମର କରି ରଖିଛି । ଆଜି ଯେତେବେଳେ ମନୁଷ୍ୟ ନୀତିପଥରୁ ବିଚ୍ୟୁତ ହୋଇ କାମ, କ୍ରୋଧ, ମୋହ ପ୍ରଭୃତି ରିପୁମାନଙ୍କର ଶୀକାର ହୋଇ ପାପ-ତାପ-କ୍ଳିଷ୍ଟ ଯନ୍ତ୍ରଣା ଜର୍ଜରିତ ଜୀବନ ନେଇ ନିରନ୍ଧ୍ର ଅନ୍ଧକାର ଭିତରେ ମୁକ୍ତିର ପଥ ଖୋଜି ବୁଲୁଛି ସେତିକିବେଳେ ପବିତ୍ର କୁରଲର ଉପଦେଶ ବାଣୀ ଅଧ୍ୟୟନ ଆଉ ଶ୍ରବଣ ତା ମନକୁ ପବିତ୍ର କରୁ, ସେ ପବିତ୍ରତାର ଉଷ୍ମ ସ୍ପର୍ଶରେ ତା ହୃଦୟର ଶତଦଳ ପ୍ରସ୍ଫୁଟିତ ହୋଇ ସୌରଭରେ ସାରା ମାନବ ସମାଜକୁ ଆଣିଦେଉ ସୁଖ- ସମୃଦ୍ଧି ଓ କଲ୍ୟାଣ ।

 

(ଆକାଶବାଣୀ କଟକଙ୍କ ସୌଜନ୍ୟରୁ)

***

 

ନୀଳକଣ୍ଠ କାବ୍ୟକୃତି-ଦାସନାଏକ

ଶ୍ରୀ ପ୍ରମୋଦ କୁମାର ଦ୍ୱିବେଦୀ

 

କବି ନୀଳକଣ୍ଠ ୧୯୨୨ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହଜାରିବାଗ ଜେଲରେ ରାଜନୈତିକ ବନ୍ଦୀ ଥିବାବେଳେ ଟେନିସନ୍‌ଙ୍କ ‘ଏନୋକ୍‌ଆଡ଼େନ୍’ କାବ୍ୟ ପାଠ କରନ୍ତି ଏବଂ ଗଭୀର ରାତ୍ରିର ନିସ୍ତବ୍‌ଧତା ମଧ୍ୟରେ ତାହାରି ଅବଲମ୍ବନରେ କରନ୍ତି ‘ଦାସନାଏକ’ କାବ୍ୟର ପରିକଳ୍ପନା । ଏହି ପ୍ରସଙ୍ଗରେ ସେ କହନ୍ତି ‘ସ୍ତ୍ରୀର ସତୀତ୍ୱ- ଆଦର୍ଶ’ ଘେନି ଏ ଦେଶରେ ବହୁତ ଲେଖାଯାଇଛି ଓ ଯିବ । ପୃଥିବୀର ସଭ୍ୟ ସାଧାରଣଙ୍କର ଏହା ହିଁ ଏବେ ମଧ୍ୟ ଆଦର୍ଶ । ମାତ୍ର ଏ କାବ୍ୟରେ ନାରୀର ସ୍ୱଭାବସୁନ୍ଦର ସତୀତ୍ୱ ପାଖେ ପୁରୁଷର ସାଧୁ ଓ ସୁକଠୋର ପ୍ରୀତିସାଧନ ସାହିତ୍ୟ ରାଜ୍ୟରେ ଗୋଟିଏ ନୂତନ ବିଭବ । ଏ ବିଭବ ମଧ୍ୟ ମୋର ଏ କାବ୍ୟ ପ୍ରତି ଆଦର ବଢ଼ାଇଥିଲା । (୧)

 

(୧)

‘ଦାସନାୟକ’ର ମୁଖବନ୍ଧ- ପଣ୍ଡିତ ନୀଳକଣ୍ଠ ଦାସ

 

ବିଷୟବସ୍ତୁ :

ସମୁଦ୍ରତଟସ୍ଥ ଏକ କ୍ଷୁଦ୍ରପଲ୍ଲୀର ଗ୍ରାମ ବେହେରାଙ୍କ ପୁଅ ଲଇକ୍ଷଣ । ବାଳୁତକାଳୁ ମାତୃହରା । ସେହି ଗ୍ରାମରେ ଥାନ୍ତି ଦାସ ନାମରେ ଏକ ଅନାଥ ପିଲା ଓ ମେଲା ନାମକ ଝିଅ । ତିନିହେଁ ମିଳି ସମୁଦ୍ରକୂଳରେ ଖେଳିଲା ବେଳେ ସେମାନଙ୍କ ଗଢ଼ା ବାଲିଘରକୁ ସମୁଦ୍ର ଯେତେ ଭସାଇ ନେଲେ ମଧ୍ୟ ସେମାନେ ପୁଣି ଗଢ଼ିବାରେ ଲାଗିପଡ଼ନ୍ତି । ମେଲା ହୁଏ ବୋହୁ । ତା’ର ସ୍ୱାମୀ ହେବା ପାଇଁ ଦାସ ଓ ଲଇକ୍ଷଣଙ୍କ ମଧ୍ୟରେ ଲାଗେ କଳି । ମାତ୍ର ମେଲା ଉଭୟଙ୍କର ଟିକି ବୋହୁ ହେବ ବୋଲି ଆଶ୍ୱାସନା ଦେଇ କଳି ଭାଙ୍ଗିଦିଏ ।

 

ଯୌବନ ଛୁଇଁବା ପରେ ବୈଶାଖର ଏକ ଶେଷ ଅପରାହ୍ନରେ ସାଙ୍ଗମେଳରେ ମେଲା ବନସ୍ତକୁ ଯାଏ । ପଛରେ କିଛି ଦୂରରେ ଥାଏ ଦାସ । ପାଦରେ କଣ୍ଟା ଲାଗିବାର ଛଳନା କରି ମେଲା ଟିକିଏ ପଛରେ ରହିଯାଏ । ଦାସ ଏତିକିବେଳେ ଆସି ତା’ର କଣ୍ଟା କାଢ଼ିଦିଏ । ଉଭୟେ ପୁଣି ଚାଲିବାରେ ଲାଗନ୍ତି । ଲଇକ୍ଷଣ ଲୁଚିରହି ସବୁ ଦେଖୁଥାଏ । ତା’ ମନରେ ଧକ୍‌କା ଲାଗେ । କିଛିଦିନ ପରେ ଲଇକ୍ଷଣର ବାପା ମୃତ୍ୟୁ ମୁଖରେ ପଡ଼ନ୍ତି । ମେଲା ଓ ଦାସଙ୍କର ବିବାହ ହୁଏ । ମନକଥା ମନରେ ମାରି ଲଇକ୍ଷଣ ସେହି ବିବାହ ଉତ୍ସବ କାମରେ ଲାଗେ । ସମୟ ଗଡ଼ିଚାଲେ- ମେଲାକୋଳରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଦେଖାଦିଅନ୍ତି ।

 

ଥରେ ଜାହାଜରୁ ଖସିପଡ଼ି ଦାସର ଡାହାଣ ଗୋଡ଼ ଭାଙ୍ଗିଯାଏ । ଦୁଇ ପିଲାଙ୍କୁ ଧରି ମେଲା ଦାସର ସେବାରେ ଲାଗିଥାଏ । କିଛିଦିନ ପରେ ଦାସ ସୁସ୍ଥ ହୁଏ । ମେଲାକୋଳରେ ଆଉ ଗୋଟିଏ ପୁଅ ଦେଖାଦିଏ । ରୋଜଗାରର ପନ୍ଥା ବିଷୟରେ ଚିନ୍ତା କଲାବେଳେ ଦାସ ସମ୍ବାଦ ପାଏ ଯେ, ଚୀନ ଦେଶକୁ ବର୍ଷକ ପାଇଁ ଏକ ଜାହାଜ ଯାଉଛି । ସେ ସେଥିରେ ଖଲାସୀ ସର୍ଦାର ହେବା ପାଇଁ ମନସ୍ଥ କରେ । ମେଲା କିନ୍ତୁ ଏତିରେ ସମ୍ମତ ହୁଏ ନାହିଁ । ଦାସ ନିଜ କଥାରେ ଅଟଳ । ନିଜର ପାଲଟଣା ତରୀକୁ ବିକିଦେଇ ତହିଁରେ ସେ ଛୋଟିଆ ଦୋକାନଟିଏ କିରିଦିଏ ଏବଂ ସେଥିରେ କାରବାର କରି ଚଳିବା ପାଇଁ ମେଲାକୁ ବୁଝାଏ । ମେଲା ନୀରବ ରହେ । ତାକୁ ଏସବୁ ଅଶୁଭ ଲକ୍ଷଣ ପରି ଜଣା ଯାଉଥାଏ । ଜଗନ୍ନାଥଙ୍କ ନାମ ଧରି ଦାସ ତାକୁ ଆଶ୍ୱସନା ଦେଇ ବିଦାୟ ନେବାବେଳକୁ ସାନପୁଅଟିକୁ ମନେରଖିବା ପାଇଁ ମେଲା ତା’ ବେକରୁ ଡେଉଁରିଆଟିଏ କାଢ଼ି ଦାସକୁ ଦିଏ ।

 

ଦାସର କଥା ଅନୁସାରେ ମେଲା ଦୋକାନ ସଜାଡ଼ି ବସେ । ମାତ୍ର ଅଭିଜ୍ଞତା ଅଭାବରୁ ଲାଭ ପରିବର୍ତ୍ତେ କ୍ଷତି ସହେ । ନିଜର ଆବଶ୍ୟକ ସାମଗ୍ରୀମାନ ସେ ଦୋକାନରୁ ଆଣି ବ୍ୟୟ କରୁଥାଏ । ଦିନ ଆସେ, ଦୋକାନ ଉଜୁଡ଼ିଯାଏ । ସାନପୁଅଟିକୁ ରୋଗ ହେବାରୁ ବଇଦ ଡାକିବାକୁ ପଇସା ପାଏନି । ପୁଅ ମରିଯାଏ । ଦାସ ଯିବାଦିନ ଠାରୁ ଲଇକ୍ଷଣ ମେଲାକୁ ମୁହଁ ଦେଖାଉ ନ ଥାଏ । ମାତ୍ର ମେଲାର ସାନପୁଅ ମରିଯିବା ଖବର ପାଇ ସେ ତା’ର ଦୁଃଖ ଉପଲବ୍‌ଧି କରେ । ମେଲା ଘରକୁ ଆସି ଦେଖେ ଯେ ତା’ ଆଖିରୁ ଧାର ଧାର ଲୁହ ବହିବାରେ ଲାଗିଛି । ଦାସର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ତା’ ଅନୁପସ୍ଥିତିରେ ତା’ ପିଲାମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିବା କଥା ଲଇକ୍ଷଣ ବର୍ଣ୍ଣନା କରେ ଏବଂ ସେମାନଙ୍କର ତତ୍ୱାବଧାନ ନେବା ପାଇଁ ସେ ପିଲାମାନଙ୍କୁ ନିଜ ଘରକୁ ନେବାକୁ ମେଲାର ଅନୁମତି ମାଗେ । ଦାସ ଫେରିଲେ ତା’ଠାରୁ ଏହି ବାବଦ ଖର୍ଚ୍ଚ ରଖିବ ବୋଲି ମଧ୍ୟ କହେ । ଲଇକ୍ଷଣର କଥାରେ ମେଲା ଦୁଃଖ ଅନୁଭବ କରେ । ମାତ୍ର ଅନନ୍ୟୋପାୟ ହୋଇ ସେ ଲଇକ୍ଷଣର କଥାରେ ସମ୍ମତ ହୁଏ । ଲଇକ୍ଷଣର ଆନନ୍ଦ କହିଲେ ନ ସରେ । ପିଲାମାନଙ୍କୁ ନେଇ ସେ ସୁଖରେ କାଳାତିପାତ କରେ । ପିଲାମାନେ ମଧ୍ୟ ଲଇକ୍ଷଣକୁ ଲଇକ୍ଷଣ- ବାପା ବୋଲି ଡାକିବାକୁ ଲାଗନ୍ତି । ସମୟ ପାଇଲେ ଲଇକ୍ଷଣ ବିଭିନ୍ନ ଫଳଫୁଲ ପିଲାଙ୍କ ହାତରେ ମେଲା ପାଖକୁ ପଠାଏ । ମାତ୍ର ଲୋକ- ଅପବାଦ ଭୟରେ ମେଲା ନିକଟକୁ ନିଜେ ଯାଏ ନାହିଁ ।

 

ବୈଶାଖ ମାସ ପୁଣି ଆସେ । ମେଲାର ପିଲାମାନେ ବଣକୁ କୋଳି ଖାଇ ଯିବାପାଇଁ ମା’କୁ ସାଙ୍ଗରେ ନେଇଯା’ନ୍ତି ଏବଂ ବାଟରେ ଲଇକ୍ଷଣ- ବାପାକୁ ଡାକନ୍ତି । ବନରେ ମେଲାର ଚିନ୍ତା ସମ୍ପର୍କରେ ଲଇକ୍ଷଣ ଅନେକ ପ୍ରଶ୍ନ କରେ । କିନ୍ତୁ ମେଲା ନିରୁତ୍ତର । ସମୁଦ୍ରରେ ଜାହାଜ ନିଶ୍ଚୟ ବୁଡ଼ି ଯାଇଛି ବୋଲି ଲଇକ୍ଷଣ କହେ ଏବଂ ମେଲାକୁ ଜୀବନର ସାଥୀ ରୂପେ ଗ୍ରହଣ କରିବା ପାଇଁ ଏକ ପ୍ରସ୍ତାବ ବାଢ଼ିବସେ । ଦାସ ପାଇଁ ଆଉ ଗୋଟିଏ ବର୍ଷ ଅପେକ୍ଷା କରି ମେଲା ନିଜର ମତ ଦେବ ବୋଲି କହେ । ବରଷଟି ବିତିଯାଏ । ଦାସର ମୃତ୍ୟୁ ସମ୍ବନ୍ଧୀୟ ଏକ ଦୁଃସ୍ୱପ୍ନ ମେଲା ଦେଖେ-। ଶେଷରେ ଲଇକ୍ଷଣର ପ୍ରସ୍ତାବରେ ସେ ରାଜି ହୋଇଯାଏ । ବିବାହର ଦଶମାସ ପରେ ମେଲା ପୁଣି ଝିଅଟିଏ ଜନ୍ମ ଦିଏ ।

 

ଜାହାଜରେ ଫେରିବା ବାଟରେ ଦାସ ଏକ ଝଡ଼ର ସମ୍ମୁଖୀନ ହୁଏ । ଜାହାଜ ଭାଙ୍ଗି ଚୂରମାର ହୋଇଯାଏ । ଦାସ ଭାସି ଭାସି ଏକ ନିର୍ଜନ ଦ୍ୱୀପରେ ଲାଗେ । ପ୍ରଥମତଃ ନିର୍ଜନତା, ଦ୍ୱିତୀୟତଃ ମେଲା ଓ ପିଲାମାନଙ୍କ କଥା ସ୍ମରଣ କରି ସେ ଅଧିର ହୋଇ ଉଠୁଥାଏ । ଅନେକ ଦିନ ପରେ ସେହି ବାଟ ଦେଇ ଏକ ଜାହାଜ ଆସେ । ଦାସର ଅନୁରୋଧରେ ଜାହାଜର ଲୋକମାନେ ତାକୁ ନେଇ ଆସନ୍ତି ଏବଂ ସେମାନଙ୍କ ଦେଶରେ ପହଞ୍ଚିବା ପରେ ନିଜ ନିଜ ଭିତରେ ଚାନ୍ଦା କରି ଦାସକୁ ତା’ ଦେଶକୁ ଯାଉଥିବା ଏକ ଜାହାଜରେ ବସାଇ ଦିଅନ୍ତି । ଦାସର ପରିଚିତ ଦେଶ ପାଖେଇ ଆସେ । ତା’ର ଆନନ୍ଦର ସୀମା ନାହିଁ । ମାତ୍ର ଜାହାଜରୁ ଓହ୍ଲାଇ ଦେଖେ ଯେ ତା’ର ପରିଚିତ ସ୍ଥାନଗୁଡ଼ିକରେ ଘୋର ପରିବର୍ତ୍ତନ ।

 

ନିଜ ଘରର ସନ୍ଧାନ ନେଉ ନେଉ ସେ ରାହାସ ବେହେରା ଘରେ ପହଞ୍ଚେ । ରାହାସର ମୃତ୍ୟୁ ପରେ ତା’ ସ୍ତ୍ରୀ ମରୁଆ ଘର ଭଡ଼ା ଦେଇ ପେଟ ପୋଷୁଚି । ସେହିଠାରେ ଦାସ ଘରଟିଏ ଭଡ଼ାନିଏ । ସମୟ ଉଣ୍ଡି ସେ ମରୁଆକୁ ମେଲା ବିଷୟରେ ପଚାରେ ଏବଂ ମେଲା ଓ ଲଇକ୍ଷଣର ବିବାହ କଥା ଜାଣିବାକୁ ପାଏ । ଦାସର ମୁଣ୍ଡ ଘୁରାଇ ଦିଏ । ତଥାପି ନିଜର ପରିଚୟ ନ ଦେଇ ସେ କେବଳ ନୀରବ ରହେ ।

 

ଥରେ ମେଲାକୁ ଦେଖିବା ପାଇଁ ଦାସର ମନ ବ୍ୟାକୁଳ ହୋଇ ଉଠେ । ଦିନେ ସଞ୍ଜରେ ସେ ଯନ୍ତ୍ରବତ୍ ଲଇକ୍ଷଣ ଘର ନିକଟରେ ପହଞ୍ଚେ ଏବଂ ଘରର ଜଳାକବାଟି ଦେଇ ଦେଖେ, ଲଇକ୍ଷଣ ତା’ର ପିଲାକୁ ଧରି ଗେଲ କରୁଛି । ମେଲା ଓ ତା’ର ଅନ୍ୟ ପିଲାମାନେ ମଧ୍ୟ ହସ କୌତୁକରେ ଲାଗିଛନ୍ତି । ନିଜର ପିଲାମାନଙ୍କୁ ବଡ଼ ହୋଇଥିବାର ଦେଖି ଦାସର ମନ ଅସ୍ଥିର ହୋଇ ଉଠୁଥାଏ । ତଥାପି ଧୈର୍ଯ୍ୟ ଧରି ସେ ସେଠାରୁ ଫେରେ । ଦୁଃଖ ମନରେ ଫେରୁଥିବା ବେଳେ ସେ ମୁହଁମାଡ଼ି ପଡ଼େ । ନିଜର ପରିଚୟ ସେ କେବେ କାହାରିକୁ ଦେବ ନାହିଁ ବୋଲି ସ୍ଥିରକରେ । ସ୍ତ୍ରୀ ଓ ପିଲାମାନଙ୍କୁ ଆଲିଙ୍ଗନ କରିବା ପାଇଁ ତା’ର ପ୍ରବଳ ଇଚ୍ଛା ହେଉଥାଏ । ପୁଣି ଏହାଦ୍ୱାରା ସେମାନଙ୍କର ସୁଖର ସଂସାର ଚୂନା ହୋଇଯିବାର ଆଶଙ୍କା ତା’ ମନରେ ଭାବାନ୍ତର ଆଣେ । ହୃଦୟକୁ ପଥର କରି ଦେବା ପାଇଁ ସେ ବାରମ୍ବାର ଜଗନ୍ନାଥଙ୍କୁ ସ୍ମରଣ କରୁଥାଏ ।

 

ମେଲା ଓ ତା’ର ପିଲାମାନଙ୍କ କଥା ଭାଳିଭାଳି ଦାସ ବେମାର ପଡ଼େ । ମୃତ୍ୟୁ ସମୟ ନିକଟ ହୋଇ ଆସିବାରୁ ମରୁଆବୁଢ଼ୀକୁ ଡାକି ସେ ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ତା’ ଜୀବନରେ ଘଟିଥିବା ସମସ୍ତ ଘଟଣା କହିଯାଏ । ଦାସର କଥାଶୁଣି ବୁଢ଼ୀ ଆଖିରୁ ଧାର ଧାର ଲୋତକ ବହିଯାଏ । ମୃତ୍ୟୁ ପୂର୍ବରୁ ସେ ଥରେ ଦାସକୁ ତା’ର ପୁଅକୁ ଆଣି ଦେଖାଇବାକୁ କହେ । ମାତ୍ର ସବୁକଥା ଜଣାପଡ଼ିଯିବା ଆଶଙ୍କାରେ ଦାସ ତାହା ବାରଣ କରେ । ଲଇକ୍ଷଣ, ମେଲା ଏବଂ ତ’ର ପିଲାମାନଙ୍କ ଶୁଭମନାସ କରି ଦାସ ମରିଥିବା ବିଷୟ ସେମାନଙ୍କୁ ପରବର୍ତ୍ତୀ ସମୟରେ ଜଣାଇ ଦେବାପାଇଁ ବୁଢ଼ୀକୁ ଅନୁରୋଧ କରେ । ଶେଷରେ ମେଲା ତାକୁ ଦେଇଥିବା ସାନପୁଅର ଡେଉଁରିଆଟିକୁ ତା’ର ମୃତ୍ୟୁ ପରେ ମେଲାକୁ ଦେବାପାଇଁ କହେ । କାରଣ ଏହାକୁ ଦେଖିବା ପରେ ଦାସର ମୃତ୍ୟୁ ସମ୍ବନ୍ଧରେ ମେଲାର ଆଉ ସନ୍ଦାହ ରହିବ ନାହିଁ । ବୁଢ଼ୀର ମନେ ରହିବା ପାଇଁ କଥାଗୁଡ଼ିକୁ ଦାସ ବାରମ୍ବାର କହୁଥାଏ ।

 

ଦୁଇ ତିନିଦିନ ବିତିଯାଇଛି । ସମୟ ରାତ୍ରି । ବତାଶ ପରି ସମୁଦ୍ରରେ ପବନ ଗର୍ଜି ଉଠୁଥାଏ । ସେହି ଶବ୍ଦରେ ଘର ନିକଟସ୍ଥ ବନଭୂମି ଝଙ୍କୃତ ହୋଇଉଠେ । ଜଗନ୍ନାଥଙ୍କ ନାମ ଧରି ଦାସ ଦୁଇହାତ ପ୍ରସାରିତ କରି ତା’ ପାଇଁ ଜାହାଜ ଆସିଗଲା ବୋଲି ଉଚ୍ଚସ୍ୱରରେ କହେ । ପରଦିନ ପ୍ରତ୍ୟୁଷରେ ସେଠାରେ ବହୁ ଜନ ସମାବେଶ ହୁଏ । ସମସ୍ତଙ୍କ ମୁଖରେ ଦାସର ପ୍ରଶଂସା । ଶେଷରେ ସମସ୍ତେ ମିଳି ଦାସର ଅନ୍ତେଷ୍ଟିକ୍ରିୟା କରନ୍ତି ।

 

ଆଲୋଚନା :

ଟେନିସ୍‌ଙ୍କ ‘ଏନୋକ୍‌ଆଡ଼େନ୍’ ଅବଲମ୍ବନରେ ରଚିତ ହୋଇଥିଲେ ମଧ୍ୟ ‘ଦାସ ନାଏକ’ ପାଠକ ସମ୍ମୁଖରେ ଏକ ନୂତନ କାବ୍ୟର ଧାରଣା ଜନ୍ମାଇଥାଏ ଓ ଏହାର ସ୍ୱତନ୍ତ୍ରତା ପାଠକକୁ ବିମୁଗ୍‌ଧ କରେ । ଦୁଇଟି ସର୍ଗରେ ବିଭକ୍ତ ଏହି କାବ୍ୟଟି କାହାଣୀଭିତ୍ତିକ ଅଟେ । ପ୍ରେମ ଓ ରୋମାଞ୍ଚକର କାହାଣୀଟିକୁ କବି ଏପରି ଆବେଗସ୍ପର୍ଶୀ ଭାବରେ ବର୍ଣ୍ଣନା କରିଛନ୍ତି, ଯାହା ପାଠକରି ପାଠକର ହୃଦୟ ସ୍ୱତଃ ବିଗଳିତ ହୋଇଉଠେ । କାହାଣୀ-ବିନ୍ୟାସରୀତି ଏକାନ୍ତ ଜୀବନ୍ତ ।

 

କବି ନୀଳକଣ୍ଠ କାବ୍ୟସ୍ଥ ପାତ୍ରପାତ୍ରୀଙ୍କର ନାମକରଣରେ ମୂଳ କାବ୍ୟରେ ପରିବର୍ତ୍ତନ ଆଣିଛନ୍ତି । ‘ଏନୋକ୍‌ଆଡ଼େନ୍’ର ‘ଏନୋକ୍’କୁ ଦାସନାଏକ, ‘ଫିଲିପ୍’କୁ ଲଇକ୍ଷଣ ଏବଂ ‘ଏନି’କୁ ‘ମେଲା’ର ନୂତନ ରୂପରେ କବି ଅନୁବାଦ କାବ୍ୟଟିରେ ସ୍ଥାନ ଦେଇଛନ୍ତି ଓ ମୂଳକାବ୍ୟର ‘ମେରିଆମ୍‌ଲେନ୍’କୁ ମରୁଆବୁଢ଼ୀର ରୂପ ଦେଇଛନ୍ତି । ଏହିପରି ଚରିତ୍ରମାନଙ୍କ ସୃଷ୍ଟି ମାଧ୍ୟମରେ କବି ପାଠକମନରେ ଏହାର ଓଡ଼ିଆତ୍ୱ ଦାବୀକରି ବସନ୍ତି । ପୁଣି ଏହାର ଓଡ଼ିଆତ୍ୱ ଦର୍ଶାଇବାକୁ ଯାଇ କବି ଓଡ଼ିଶାର ପଶୁପକ୍ଷୀ, ଫୁଲଫଳ, ଦେବଦେବୀ, ମାସ, ଋତୁଆଦିର ଚିତ୍ର ଦେଇ ଯାଇଛନ୍ତି-। ଯେଉଁ ନିର୍ଜନ ଦ୍ୱୀପରେ ଦାସ ପହଞ୍ଚିଲା, ସେଠାରେ ତାଳ, ନଡ଼ିଆା ପଣସ, କଦଳୀ, କମଳା ଆଦି ଫଳମାନ ପାଚିଥିଲା । ଫୁଲଗଛମାନଙ୍କରେ ପ୍ରଜାପତି, ହଳଦୀ ବସନ୍ତ ଆଦି ଉଡ଼ି ବୁଲୁଥିଲେ । ମିରିଗ, ମୟୁର, ଛେଳି, ଶୁଆ ଶାରୀ ଆଦି ପଶୁପକ୍ଷୀ ସେଠାରେ ନିର୍ଭୟରେ ବାସ କରୁଥିଲେ ।

 

ବୈଶାଖ ପରି ମାସର ନାମ ଏହି ଅନୁବାଦ କାବ୍ୟଟିରେ ସ୍ଥାନ ପାଇଛି । ଦିନରାତି କରୁଥିବା ସୂର୍ଯ୍ୟଦେବ ଓ ଉତ୍କଳୀୟ ସଂସ୍କୃତିର ଆରାଧ୍ୟଦେବ ଶ୍ରୀ ଜଗନ୍ନାଥଙ୍କ ପ୍ରସଙ୍ଗ କାବ୍ୟଟିରେ ଲିପିବଦ୍ଧ ହୋଇଛି । କବି ଏହି କାବ୍ୟରେ ଜଗନ୍ନାଥ ଚେତନାର ବଶବର୍ତ୍ତି ହୋଇ ଜଗନ୍ନାଥଙ୍କ ପ୍ରସଙ୍ଗ ଅନେକ ଥର ଉଠାଇ ସମସ୍ତ ଆପଦବିପଦରେ ଏହି ଜଗନ୍ନାଥ ହିଁ ଏକମାତ୍ର ସାହାଭରସା ବୋଲି ଆଶ୍ୱାସବାଣୀ ଶୁଣାଇଛନ୍ତି । ବସ୍ତୁତଃ କବି ନୀଳକଣ୍ଠ ‘ଦାସନାଏକ’ ଅନୁବାଦ କାବ୍ୟକୁ ଓଡ଼ିଶାର ଏକ ମୌଳିକକାବ୍ୟର ଧାରଣା ଜନ୍ମାଇବାରେ ସମର୍ଥ ହୋଇ ପାରିଛନ୍ତି ।

 

ଦାସ, ଲଇକ୍ଷଣ ଓ ମେଲାର ପିଲାଦିନର ଖେଳ, ଯୌବନର ପ୍ରାରମ୍ଭରେ ଦାସ ଓ ମେଲାର ପ୍ରଥମ ପ୍ରେମ, ଦାସ ଜାହାଜରେ ଚୀନଦେଶକୁ ଯାତ୍ରା ସମୟରେ ମେଲାର ବିଦାୟକାଳୀନ ମନୋଭାବ, ନିର୍ଜନ ଦ୍ୱୀପରେ ଦାସ ମନରେ ଜାଗି ଉଠିଥିବା ପୂର୍ବ ସ୍ମୃତି, ଲଇକ୍ଷଣର ପ୍ରେମପାଇଁ ଅପେକ୍ଷା ଆଦିର ବର୍ଣ୍ଣନା ଗଭୀରଭାବେ ଭାବୋଦ୍ରେକକାରୀ ହୋଇଅଛି । ସାଧାରଣ ପାଠକର କୋମଳ ମନରେ ପ୍ରଭାବ ସୃଷ୍ଟି କରିବା ପାଇଁ କାବ୍ୟଟିର ଯଥେଷ୍ଟ ମୂଲ୍ୟ ରହିଅଛି ।

 

‘ଦାସନାଏକ’ କାବ୍ୟର ମୁଖ୍ୟ ବିଭବ ହେଉଛି ପ୍ରେମ । କାବ୍ୟର ଆଦ୍ୟନ୍ତ ପ୍ରେମର ଫୁଲ୍‌ଗୁଧାରାରେ ପ୍ରବାହମାନ । ମିଳନ ଅପେକ୍ଷା ବିଚ୍ଛେଦରେ ପ୍ରେମର ମହତ୍ତ୍ୱ ଫୁଟି ଉଠେ । ପ୍ରେମର ସାର୍ଥକତା ଭୋଗରେ ନୁହେଁ, ତ୍ୟାଗରେ । ଏହି ଆଦର୍ଶ ହିଁ କାବ୍ୟର ଦୁଇଟି ଚରିତ୍ର ଦାସ ଓ ଲଇକ୍ଷଣଙ୍କ ମାଧ୍ୟମରେ ସ୍ୱଚ୍ଛ ଭାବରେ ଉପସ୍ଥାପନା କରାଯାଇଅଛି । ପ୍ରେମ ପାଇଁ ଅପେକ୍ଷା କିପରି ସୀମାତୀତ ହୋଇପାରେ, ତାହା ମଧ୍ୟ ଦାସ ଓ ଲଇକ୍ଷଣର ଚରିତ୍ରରୁ ପ୍ରତିପାଦିତ ହୁଏ । ଅନ୍ୟ କିଛି ଉତ୍କର୍ଷତା ବାଦ୍ ଦେଲେ ମଧ୍ୟ କେବଳ ଏଥିପାଇଁ ହିଁ କାବ୍ୟଟି ବିଶେଷ ଆକର୍ଷଣୀୟ ଓ ମୁଲ୍ୟବାନ ହୋଇ ପାରିଛି ।

 

ଦାସ- ଚରିତ୍ର କାବ୍ୟର ପ୍ରାଣକେନ୍ଦ୍ର ଅଟେ । କାବ୍ୟର ପ୍ରାରମ୍ଭରେ ଦେଖାଯାଇଛି ନିଜର ଶକ୍ତି ଅନୁସାରେ ଲଇକ୍ଷଣକୁ ଜବତ କରି ଦାସ ବାଲିଖେଳରେ ମେଲାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛି । ମାତ୍ର ପରିଣତିରେ ଦାସର ପରିଣୀତା ସ୍ତ୍ରୀକୁ ନେଇ ଲଇକ୍ଷଣ ସୁଖରେ ଘରସଂସାର କରିଛି ଏବଂ ଏହାକୁ ଦେଖିଦେଖି ଓ ଶୁଣିଶୁଣି ହିଁ ଦାସର ମୃତ୍ୟୁ ହୋଇଛି । ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ଦେଇ ସେ ଉନ୍ନତି ପଥରେ ଅଗ୍ରସର ହୋଇଛି । ମାତ୍ର ଶେଷରେ ପ୍ରେମହିଁ ତା’ ଜୀବନରେ ଶେଷରେଖା ଟାଣିଦେଇଛି ।

 

ଏହି କାବ୍ୟର ଭାଷାରେ ଏକ ସ୍ୱଚ୍ଛନ୍ଦ ପ୍ରବାହ ନିରବିଚ୍ଛିନ୍ନ ଥିବାରୁ ଏହାର ପାଠ ସମୟରେ ପାଠକକୁ କୌଣସି ପ୍ରକାର ଜଟିଳତାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ । ଟେନିସନ୍‌ଙ୍କ ‘ଦି ପ୍ରିନ୍‌ସେସ୍’ କାବ୍ୟ ଅବଲମ୍ବନରେ ରଚିତ କବିଙ୍କର ‘ପ୍ରଣୟିନୀ’ କାବ୍ୟ ତୁଳନାରେ ଏହା ଏକ ବ୍ୟତିକ୍ରମ । ଉଭୟ ମଧ୍ୟରେ ଯେପରି ଆକାଶ ପାତାଳରେ ପ୍ରଭେଦ । କାରଣ ପୂର୍ବୋକ୍ତ କାବ୍ୟଟି ଗୁରୁଗମ୍ଭୀର ଶବ୍ଦ, ଜଟିଳ ପଦ-ବିନ୍ୟାସ-ରୀତି ଏବଂ ଉପମାର ବ୍ୟାପକତା ଆଦିରେ ଭାବାନ୍ତର ହୋଇଥିବା ସ୍ଥଳେ ଆଲୋଚ୍ୟ କାବ୍ୟଟି ଗ୍ରାମୀଣଶବ୍ଦ, ରୂପକ ଓ ଉପମା ଆଦିରେ ଭରପୁର ହୋଇଛି । ଏହାର ଭାଷା, ଭାବ ଓ ଶୈଳୀ ଏପରି ସରଳ, ତରଳ ତଥା ସାବଲୀଳ ଭାବରେ ଗ୍ରଥିତ ଯେ ମନେହୁଏ ସତେଅବା ଏହା କବିଙ୍କର ଲେଖନୀରୁ ଅନାୟାସରେ ନିଃସୃତ ହୋଇଛି । ‘ଦାସନାଏକ’ର ଭାଷାରେ ଯେଉଁ ଗ୍ରାମ୍ୟ ଅନିନ୍ଦ୍ୟମାଧୁରୀ ରହିଛି, ପଣ୍ଡିତ ଗୋଦାବରୀଶଙ୍କ କବିତା ପରି ତାହା ଏ ଦେଶର ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କ ଉପଭୋଗ୍ୟ । କଥିତ ଭାଷାରେ କାବ୍ୟଲେଖିବା ଅସମ୍ଭବ ବୋଲି ପ୍ରଚଳିତ ଧାରଣାକୁ କବି ନୀଳକଣ୍ଠଙ୍କ ‘ଦାସନାଏକ’ ଏକ ଆହ୍ୱାନ ସ୍ୱରୂପ ।

 

ବର୍ତ୍ତମାନ ପ୍ରଶ୍ନ ହୋଇପାରେ ‘ପ୍ରଣୟିନୀ’ ଓ ‘ଦାସନାଏକ’ କାବ୍ୟ ଦୁଇଟିରେ କବି ଆକ୍ଷରିକ ଅନୁବାଦ ରୀତି ଅବଲମ୍ବନ କରି ନାହାନ୍ତି କାହିଁକି ? ପଣ୍ଡିତ ନୀଳକଣ୍ଠ ଯେ ପ୍ରକୃତରେ ପଣ୍ଡିତ ଥିଲେ, ଏ ବିଷୟରେ ଅଧିକ କହିବା ହୁଏତ ନିରର୍ଥକ ହୋଇପାରେ । ତେଣୁ ତାଙ୍କପକ୍ଷେ ଆକ୍ଷରିକ ଅନୁବାଦ କରିବା ଯେ କଷ୍ଟସାଧ୍ୟ ହୁଅନ୍ତି, ତାହା ନୁହେଁ । ବରଂ ଆକ୍ଷରିକ ଅନୁବାଦ ପାଠକମାନଙ୍କ ପାଇଁ ସମଧିକ ପ୍ରିୟ ହୋଇ ପାରି ନଥାନ୍ତା । କାରଣ ଏ ଧରଣର ରଚନାରେ ମୂଳ ଗ୍ରନ୍ଥର ପ୍ରଭାବ ପ୍ରତିକ୍ଷଣରେ ଅନୁଭବ କରି ହୁଅନ୍ତା ଏବଂ ବୈଦେଶିକ ପରିବେଶ ଏ ଦେଶର ସାହିତ୍ୟ ଓ ସମାଜରେ ଭିନ୍ନ ରୂପ ଧାରଣ କରିଥାନ୍ତା । ଅନ୍ୟଦେଶର ସାହିତ୍ୟ ବା ତହିଁରୁ ଆହୃତ ପୁରାତନ ଆଖ୍ୟାୟିକ ମଧ୍ୟ ସାଧାରଣ ପାଠକ ମନରେ ଆଗ୍ରହ ସୃଷ୍ଟି କରନ୍ତା ନାହିଁ । ଏହି ଉଦ୍ଦେଶ୍ୟରେ କବି କାବ୍ୟଦ୍ୱୟକୁ ମୁକ୍ତ ଅନୁବାଦ (ଭାବ ନୁବାଦ) କରିଛନ୍ତି । ଫଳରେ ଏହି କବ୍ୟଦ୍ୱୟ ପାଠକ ସମ୍ମୁଖରେ ଏହି ଦେଶର ପୁଣି ନୂତନ କାବ୍ୟର ଧାରଣା ଜନ୍ମାଇବାକୁ ସମର୍ଥ ହୋଇପାରିଛି । କବି ମଧ୍ୟ ଏହି କାବ୍ୟର ମୁଖବନ୍ଧରେ ସୁଚାଇ ଦେଇଛନ୍ତି ଯେ ପ୍ରେମର ଯେଉଁ ମହନୀୟ ବିଭବକୁ ସେ ଏହି କାବ୍ୟରେ ଦେଖିବାକୁ ପାଇଛନ୍ତି, ସାଧାରଣ ଜନତାକୁ ସେ ବିଷୟରେ ଅବଗତ କରାଇବା ହିଁ ତାଙ୍କର ଉଦ୍ଦେଶ୍ୟ । ଅନ୍ୟ ପକ୍ଷରେ ଏହି କାବ୍ୟଟି ରଚନାରେ କବିଙ୍କର ସଂସ୍କାରମନୋବୃତ୍ତି ପ୍ରଚ୍ଛନ୍ନ । ଯେଉଁ ସମୟରେ ଓଡ଼ିଶା ବାଲ୍ୟବିବାହ, ବାଲ୍ୟବିଧବା ଆଦି ବିଭିନ୍ନ କୁସଂସ୍କାରଗ୍ରସ୍ତ, ସେତେବେଳେ କବି ଲଇକ୍ଷଣ ଚରିତ୍ର ମାଧ୍ୟମରେ ସଂସ୍କାରର ବାର୍ତ୍ତା ପ୍ରଚାର କରିଛନ୍ତି । ଦାସର ପରିଣୀତା ସ୍ତ୍ରୀ ପୁଣି ମାତୃତ୍ୱର ଅଧିକାରିଣୀ ହୋଇଥିଲେ ସୁଦ୍ଧା ମେଲାର ଦୁର୍ଦ୍ଦଶା କାଳରେ ସେ ଉଭା ହୋଇଛି ଏବଂ ମେଲାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛି । କାରଣ ସେ ବୁଝିଛି ପ୍ରେମର ମହତ୍ତ୍ୱ । ଦୈହିକ କାମନାବାସନା ଠାରୁ ବହୁ ଉର୍ଦ୍ଧରେ ଏକ ମାନସିକ ସ୍ତରରେ ଏହି ପ୍ରେମର ସ୍ଥିତି । ଏହି ମନସ୍ତତ୍ତ୍ୱକୁ ଆଧାର କରି ବିଧବା ବିବାହ ଆଦିର ପ୍ରଚଳନ ଉଦ୍ଦେଶ୍ୟରେ ହୁଏତ ନୀଳକଣ୍ଠ ସଚେତନ ହୋଇ ଉଠିଛନ୍ତି । ବସ୍ତୁତଃ ଏହା ଓଡ଼ିଶାର ଅନ୍ଧବିଶ୍ୱାସୀ ଜନସାଧାରଣଙ୍କ ମାନସ ରାଜ୍ୟରେ ସଂସ୍କାରର ପ୍ରାୟସ ନିଶ୍ଚୟ ।

 

ପୁଣି ପ୍ରଶ୍ନ ଉଠିପାରେ, ରାଧାନାଥ ଅନ୍ୟଦେଶର ସାହିତ୍ୟରୁ ବିଷୟବସ୍ତୁ ଆଣି ସ୍ୱଦେଶୀୟ ସାହିତ୍ୟ ଛାଞ୍ଚ ଭିତରେ ପକାଇଥିବାରୁ ଯେଉଁ ନୀଳକଣ୍ଠ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି, ସେ ପୁଣି ନିଜେ ସେହିପରି ରୀତି ଅବଲମ୍ବନ କଲେ କିପରି ? ସେ ନିଜେ ତ ପୁଣି ବିଦେଶୀ ସାହିତ୍ୟକୁ ସ୍ୱଦେଶୀ କରିବାର ପ୍ରୟାସ କରିଯାଇଛନ୍ତି । ମାତ୍ର ଏଠାରେ କୁହାଯାଇପାରେ, କବିବର ରାଧାନାଥ ନିଜ କାବ୍ୟର ଉତ୍ସ ବିଷୟ ଗୋପନ ରଖି ତାହାକୁ ଆପଣାର ସ୍ୱକୀୟକଳ୍ପନା ବୋଲି ପ୍ରଚାର କରୁଥିବା ବେଳେ କବି ନୀଳକଣ୍ଠ ତାହାକୁ ନିଜେ ସ୍ୱୀକାର କରିଯାଇଛନ୍ତି । ପକ୍ଷାନ୍ତରେ ଏହି ଅନୁକରଣ ବା ଅନୁସରଣ ମାଧ୍ୟମରେ କବିବର ରାଧାନାଥ ଯେପରି ସ୍ୱଦେଶୀୟ ସଂସ୍କୃତି ପ୍ରତି ଆଖି ବୁଜି ଦେଇଥିଲେ, କବି ନୀଳକଣ୍ଠ ସେହିପରି କରି ନାହାନ୍ତି । ସେ ବରଂ ସ୍ୱଦେଶୀୟ ସଂସ୍କୃତିର ଅନୁପ୍ରବେଶ କରାଇବା ପାଇଁ ମୂଳଗ୍ରନ୍ଥରେ ପରିବର୍ତ୍ତନ ଆଣିବାକୁ କୁଣ୍ଠାବୋଧ କରି ନାହାନ୍ତି । ଏହିଠାରେ ହିଁ କବି ନୀଳକଣ୍ଠଙ୍କର ବିଶେଷତ୍ୱ ଲକ୍ଷ୍ୟ କରିହୁଏ ।

 

ଅନୁବାଦ ବିଚାର :

ଟାନିସନ୍‌ଙ୍କ ‘ଏନୋକ୍‌ଆଡ଼େନ୍’ର ପାଦସଂଖ୍ୟା ୯୧୦ । ମାତ୍ର କବି ନୀଳକଣ୍ଠ ଏଥିରେ କିଛି କଳ୍ପନା ସଂଯୋଗ କରି ‘ଦାସନାଏକ’ କାବ୍ୟକୁ ୧୪୯୬ ପାଦବିଶିଷ୍ଟ କରିଛନ୍ତି ।

 

ଅନୁବାଦଟିର ସଫଳତା ଆନୟନ ପାଇଁ କବି ମୂଳକାବ୍ୟର କେତେକ ଅଂଶ ପରିହାର, କେତେକ ଅଂଶର ସଂକ୍ଷିପ୍ତିକରଣ, ପୁଣି କେତେକ ସଂକ୍ଷିପ୍ତ ଅଂଶର ବିସ୍ତୃତି କରିଛନ୍ତି । ତନ୍ମଧ୍ୟରୁ କେତୋଟି ଦୃଷ୍ଟାନ୍ତ ଉଲ୍ଲେଖ କରାଯାଇପାରେ ।

 

‘ଦାସନାଏକ’ କାବ୍ୟର କେତେକ ସ୍ଥାନ ଆକ୍ଷରିକ ଅନୁବାଦ ହୋଇଥିବାର ଲକ୍ଷ୍ୟ କରାଯାଇପାରେ । କାବ୍ୟର ପ୍ରାରମ୍ଭରେ ସାଗରତଟରେ ଦାସ, ଲଇକ୍ଷଣ ଏବଂ ମେଲାର ବାଲ୍ୟଚପଳକ୍ରୀଡ଼ା ଏବଂ ତନ୍ମଧ୍ୟରୁ ପ୍ରେମର ଯେଉଁ ସୁକ୍ଷ୍ମ ରୂପଟିର ପରିଚୟ ମିଳିଥାଏ, ତାହା ମୂଳକାବ୍ୟର ଅନୁରୂପ ଅଟେ । (୨) ଟେନିସନ୍‌ଙ୍କ ‘ଏନୋକ୍‌ଆଡ଼େନ୍’ କାବ୍ୟରେ ଆମେ ଏହାର ଆକ୍ଷରିକ ମୂଳରୂପର ସନ୍ଧାନ ନେଇପାରୁ । (୩) କବି ନୀଳକଣ୍ଠ କେତେଗୁଡ଼ିଏ ଇଂରାଜୀ ଶବ୍ଦର ଯଥାଯଥ ଓଡ଼ିଆ ଶବ୍ଦ ଚୟନ କରି ‘ଦାସନାଏକ’ରେ ବ୍ୟବହାର କରିଛନ୍ତି । ମାତ୍ର ଏପରି ଅନେକ ଶବ୍ଦ ଅଛି, ଯାହାକି ଗୋଟିଏ ଗୋଟିଏ ଭାଷାର ନିଜସ୍ୱ । ତେଣୁ କବି ସେଭଳି ଶବ୍ଦର ଆକ୍ଷରିକ ଅନୁବାଦ ନ କରି ବରଂ ସେସବୁକୁ ବାଦ୍‌ଦେଇ ସହଜସୁଲଭ ଗ୍ରାମ୍ୟଭାଷାରେ ଯାହା ଶୋଭନୀୟ ହୋଇପାରେ, ତାହାର ସଂଯୋଜନା କରିଛନ୍ତି । ଏହି ପ୍ରସଙ୍ଗରେ ଏକ ସୁନ୍ଦର ଉଦାହରଣର ଅବତାରଣ କରାଯାଇପାରେ । ‘ଏନୋକ୍‌ଆଡ଼େନ୍’ରେ ବର୍ଣ୍ଣିତ ଯେ, ଥରେ ଏକ ସୁନେଲି ଶରତରେ ଜଙ୍ଗଲକୁ ଫଳ ତୋଳିବାପାଇଁ ତରଚଣ ତରୁଣୀମାନଙ୍କର ଯାତାୟତ ଚାଲିଥାଏ । ଫିଲିପ୍‌ର ବାପା ଅସୁସ୍ଥ ଥିବାରୁ ସେ କିଛି ବିଳମ୍ବରେ ଜଙ୍ଗଲକୁ ଗଲା । ମାତ୍ର ପାର୍ବତ୍ୟଶଯ୍ୟା ଅତିକ୍ରମ କରି ଜଙ୍ଗଲର ଅନତିଦୂରରେ ସେ ଦେଖିଲା ଆନୀ ଏବଂ ଏନୋକ୍ ହାତ ଧରାଧରି ହୋଇ ବସିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବା ପରେ ଫିଲିପ୍‌ର ଯେଉଁ ମର୍ମାନ୍ତିକ ଅବସ୍ଥା ହୋଇଥିଲା, ଟେନିସ୍‌ଙ୍କ ଲେଖନୀରେ ତାହା ରୂପାୟିତ । (୪) କବି ନୀଳକଣ୍ଠ ଟେନିସ୍‌ଙ୍କ ଫିଲିପ୍‌ପରି ‘ଦାସନାଏକ’ କାବ୍ୟର ଲଇକ୍ଷଣର ତତ୍ତୁଲ୍ୟ ନୈରାଶ୍ୟ ଭାବମୂର୍ତ୍ତିର ବର୍ଣ୍ଣନା କଲାବେଳେ ଘଟଣାଟିକୁ ସାମାନ୍ୟ ବିସ୍ତୃତ ଅଥଚ କଳାତ୍ମକ ଭାବରେ ଉପସ୍ଥାପନ କରିଛନ୍ତି । କବି ଟେନିସନ୍‌ଙ୍କ ବର୍ଣ୍ଣନାରେ ଏନୋକ୍‌ଏବଂ ଆନୀ ଏକତ୍ର ବସିଥିବା ଦୃଶ୍ୟଟି ଫିଲିପ୍‌ ପ୍ରାଣରେ ବ୍ୟର୍ଥପ୍ରେମ ଜନିତ ବେଦନାବୋଧ ଜାଗ୍ରତ କଲା । ମାତ୍ର ଏନୋକ୍ ଏବଂ ଆନୀ କିଭଳି ଭାବରେ ସେଠାରେ ପ୍ରଥମେ ମିଳିତ ହୋଇଥିଲେ, ମୂଳକାବ୍ୟରେ ତାହାର ବର୍ଣ୍ଣନା ନାହିଁ । କବି ନୀଳକଣ୍ଠ ଏହି ଦୃଶ୍ୟଟିକୁ ବିସ୍ତୃତଭାବେ ବର୍ଣ୍ଣନା କରି ତହିଁରେ ଯେଉଁପରି କାଳିଦାସୀୟ ଉପମାର ସଂଯୋଗ କରିଛନ୍ତି, ତାହା ମୂଳକାବ୍ୟ ଠାରୁ ଭିନ୍ନ ଏବଂ ବର୍ଣ୍ଣନାଶୈଳୀ ଯଥେଷ୍ଟ ଉଚ୍ଚକୋଟୀର ଓ ସାବଲୀଳ । (୫)

 

 

(୨)

ସେହିକୂଳେ ପୁଣି ପଥରର ଖୋଲ

 

ଲମ୍ବିଯାଇଥିଲା ନାସି ତଳେ

 

ପଶି କେବେ ତହିଁ; ଘର ବୋଲି କହି

 

ତିନି ପିଲାଯାକ ଖେଳୁଥିଲେ

 

ଦାସ ହୁଏ ଆଜି ଗିରସ୍ତ ସେ ଘରେ

 

ଲଇକ୍ଷଣ ହୁଏ ଆରଦିନ

 

ଟିକି ମେଲା ସେ ଛଳ ଛଳ ଆଖି

 

କରି କହେ ‘କିଆଁ କଳି କର ?’

 

ଦୁହିଁଙ୍କର ମୁହିଁ ଟିକି ବୋହୁ ହେବି

 

ଦୁହେଁଯାକ ତୁମେ ମୋର ବର ।୮୦।

(ଦାସନାଏକ- ପୃ ୪୭୨)

 

 

(୩)

‘‘A narrow cave ran in beneath the cliff

In this the children play’d at keeping house.

Enoch was host oneday, Phillip the next

While Annie still was mistress.

 

 

 

The little wife would for company

And pray them not to quarrel for her sake

And say she would be little wife to both.’’

(Enoch Arden- Page 2)

 

 

(୪)

‘‘Then on a golden Automn eventide

The younger people making holiday

saw the pair,

Encho and Annie, sitting hand-in-hand

His large grey eyes and weather-beaten face

All kindled by a still and sacred fire,

 

That burn’d as on an altar, Phillip looked

And in their eyes and faces read his doom;

Then, as their faces grew together, groan’d

And slipt aside, and like a wounded life

 

Creptdown into the hollows of the wood,

There, while the rest were loud in merrymaking

Had his darkhour unseen, and rose and past

Bearing a lifelong hunger in his heart.’’

(Enoch Arden- Page 3)

 

(୫)

ଗଲା କେତେଦିନ ଏସନେ ଆସିଲା

ମଧୂଶେଷେ ମାସ ବାଇଶାଖ;

ପେଡ଼ିଲୁଗା ପିନ୍ଧି ମୁଣ୍ଡ ପୋତି ପୋତି

ଚାଲିଲା ସେ ମେଲା ସାଙ୍ଗ ମେଳେ,

ସାଙ୍ଗ ଛାଡ଼ି କିବା ଭାଳି ଭାଳି ଦାସ

ଯାଉଥାଏ ପଛେ କିଛି ଦୂରେ ।

କେତେ ଅଳିକରି ପଛେ ଫେରି ଫେରି

ଯାଉଥାଏ ମେଲା ଚାହିଁ ଚାହିଁ

‘ପାଦେ କଣ୍ଟା’ ବୋଲି ସାଙ୍ଗ ଛାଡ଼ି କେବେ

ଅଳପ ପଛକୁ ଯାଏ ରହି ।

ଛଟକ ଚାହାଣୀ ଦରହାସ ଦେଖି

ଦାସ ଆସି ପାଖେ ଯାଏ ମିଳି

ନ ଜାଣିଲା ପରି କଥା କହି, ମେଲା

ବାହାନା ଦେଖାଏ କେତେ ପରି ।

ଥରେ ପାଦେ କଣ୍ଟା ବଡ଼ ଦାଉ କଲା

ଯେତେ ଓଟାରିଲେ ନ ବାହାରେ

ମୁହ ପୋତି କେତେ ପାଦେ ହାତ ଦେଇ

ଚାହେଁ ମେଲା ଦାସେ ଥରେ ଥରେ ।

ବୀର ସେହୁ ଦାସ ନ ଜାଣିଲା ପରି

ଯାଇ, ମେଲା ପାଖେ ମିଳିଗଲା

ହାତ ଦେଲା କ୍ଷଣି କାହିଁ ଗଲା କଣ୍ଟା

ଚାଲିଲେ ସଙ୍ଗତେ ଦାସମେଲା ।

ଆଗେ ଯାଇଛନ୍ତି ଗ୍ରାମଯାକ ଲୋକ

ପଛରେ ତ ଆଉ ନାହିଁ କେହି

ଲଇଖଣ କିମ୍ପା ପଛେ ଏତେ ଦୂରେ

ରହିଯାଏ, କିବା ଚାହିଁ ଚାହିଁ ।

ମରମେ ତାହାର କି ହେଲାଟି ଏବେ ?

ବସିଗଲା ସେହୁ ଥକ୍‌କା ମାରି

କି ପିୟାସ ତାର ସାରା ଜୀବନକୁ

ରହିଗଲା ବୁକେ ଦକ୍‌କା ପରି ?

ଆହା ବାଲିପାଟେ ପାଣି ପରି ଯେବେ

ଖରାରେ ଝଲସେ ଦିଶେ ଦୂରେ,

ଧାଇଁ ଧାଇଁ ମୃଗ, ନିରାଶେ ଯେସନ

ପଡ଼ିଯାଏ ଶୋକ ବିକଳରେ ।

ତେସନ କି ଶୋଷେ ପଡ଼େ ଲଇଖଣ

ମରମ ତାହାର ଜାଣିବ କେ ?

କି ଶୋଷରେ ଧାଇଁ କିପାଇଁ ନିରାଶ

କେହି ନ ଜାଣିଲେ ଗ୍ରାମ ଲୋକେ ।

(ଦାସନାଏକ- ପୃ୪୭୪)

 

କବି ନୀଳକଣ୍ଠ ଏହି ଅନୂଦିତ କାବ୍ୟଟିକୁ ସ୍ୱଦେଶୀ ବାତାବରଣରେ ପରିବେଷଣ କରିବା ନିମନ୍ତେ ମୂଳକାବ୍ୟର ଅନୁବାଦ କାଳରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି-। ମୂଳକାବ୍ୟରେ ଏନୋକ୍ ବିଦେଶରେ ଥାଇ ଗ୍ରାମରୁ ଦୀର୍ଘଦିନ ଅନୁପସ୍ଥିତ ରହିବା ଯୋଗୁଁ ଏବଂ ଫିଲିପ୍‌ ମୁଖରେ ଏନୋକ୍‌ର ମୃତ୍ୟୁ ସମ୍ବାଦ ଶୁଣିବା ଫଳରେ ଆନୀ ମନରେ ଭାବାନ୍ତର ଆସିଛି । ତାଙ୍କ ଦେଶର ସଂସ୍କୃତି ଅନୁସାରେ ପବିତ୍ର ଧର୍ମପୁସ୍ତକ ବାଇବେଲ୍‌କୁ ହସ୍ତରେ ଧରି ଏନୋକ୍ ସମ୍ବନ୍ଧୀୟ କୌଣସି ସୁଚନା ପାଇବାପାଇଁ ଆନୀ ପୁସ୍ତକ ମଧ୍ୟରେ ଆଙ୍ଗୁଳି ଚାଳନା କରିଛି ଏବଂ Under the Palmtree ଉଲ୍ଲିଖିତ ପର୍ଯ୍ୟାୟରେ ହିଁ ତାହାର ଆଙ୍ଗୁଳି ଅଟକି ରହିଛି । ବହିଟିକୁ ବନ୍ଦ କରିଦେଇ ସେ ନିଦ୍ରାଭିଭୁତ ହୋଇଛି । ସ୍ୱପ୍ନରେ ମଧ୍ୟ ଦେଖିଛି, ଏନୋକ୍ ଏକ ତାଳଗଛ ମୂଳରେ ବସିଛି । ତା’ ମୁଣ୍ଡ ଉପରେ ସୂର୍ଯ୍ୟ ଅବସ୍ଥାନ କରିଛନ୍ତି । ଏଭଳି ସ୍ୱପ୍ନ ଦେଖିବା ପରେ ଆନୀର ହୃଦ୍‌ବୋଧ ହୋଇଛି ଯେ ଏନୋକ୍‌ ନିଶ୍ଚିତ ମୃତ୍ୟୁବରଣ କରିଛି । ତେଣୁ ସେ ଫିଲିପ୍‌କୁ ଆପଣାର ବିବାହ ପ୍ରସ୍ତାବ ଦେଇଛି (୬) । କବି ନୀଳକଣ୍ଠ କିନ୍ତୁ ମୂଳକାବ୍ୟର ଏହି ବାଇବେଲ ପ୍ରସଙ୍ଗକୁ ବାଦ୍‌ ଦେଇଛନ୍ତି । ‘ଦାସନାଏକ’ କାବ୍ୟରେ ବିଦେଶରେ ଦାସର ଦୀର୍ଘ ଅନୁପସ୍ଥିତିର ରହସ୍ୟ ଜାଣିବା ପାଇଁ ସେ ମେଲାମୁଖରେ ଜଗନ୍ନାଥଙ୍କ ପ୍ରତି ଆକୁଳ ବିନତି ପ୍ରକାଶ କରିଛନ୍ତି । ସତେ ଅବା ସେହି ଜଗନ୍ନାଥଙ୍କ କୃପା ଯୋଗୁଁ ମେଲା ସ୍ୱପ୍ନ ଦେଖିଛି । ‘ଦାସ’ ଆକାଶକୁ ଚାହିଁ ନୀରବରେ ବସିଅଛି । ମୁଣ୍ଡ ଉପରେ ତା’ର ସୂର୍ଯ୍ୟଙ୍କ ପ୍ରଚଣ୍ଡ ମୂର୍ତ୍ତି । ସହସା ଜଣେ ବୃଦ୍ଧ ଆସି ଦାସକୁ ତା’ ସହିତ କେଉଁଆଡ଼େ ନେଇଯାଇଛି । ଏହି ସ୍ୱପ୍ନ ଦେଖି ମେଲାର ହୃଦ୍‌ବୋଧ ହୋଇଛି ଯେ ଦାସ ନିଶ୍ଚିତଭାବରେ ମୃତ୍ୟୁବରଣ କରିଛି । ତେଣୁ ନିଜ ମନରେ ଆଉ ଦାସର ଚିନ୍ତା ନ ରଖି ସେ ଲଇକ୍ଷଣକୁ ବିବାହ କରିବା ପାଇଁ ସ୍ୱୀକୃତି ଦେଇଛି । (୭)

 

(୬)

At last one night it chanced

That Annie could not sleep, but earnrstly

Pray’d for a sign ‘My Encho is he gone

Then compass’d round by the blind wall of night

Brook’d not the expectant terror of the heart,

Started from bed, and struck herself a light

Then desperately seized the holy book

Suddenly set it wide to find a sing

‘Under the palmtree’ That was nothing to her,

No meaning there : She closed the Book and Slept

When lo ! her Encho sitting on a height

Under a palm tree, Over him the sun :

He is gone, She thought, he is happy, he is singing

Hosanna in the highest : yonder shines

The sun of righteouness and these be palms

Where of the happy people strowing cried

‘Hosanna in the highest !’ Here she woke

Resolved, sent for him and said wildly to him

There is no reason why we should not wed;

‘Then for god’s sake, he answered, both our sakes

So you will wed me, let it be at once’’

(Enoch Arden-Page 15)

 

 

(୭)

‘‘ଜଗନ୍ନାଥଙ୍କୁ ସେ ଡାକୁଥାଏ ଖାଲି

ଦାସ କଥା ଭାଳୁଥାଏ ନିତି,

ଜଗନ୍ନାଥ ସତେ କଲେ ଅନୁଗ୍ରହ

ସପନେ ଦେଖିଲା ତିନିରାତି ।

ବସିଅଛି ଦାସ ଆକାଶକୁ ଚାହିଁ

ଆଖେପାଖେ ଆଉ କେହି ନାହିଁ,

ରହି ରୁଦ୍ର ଖରା ପଡ଼ୁଛି ମୁଣ୍ଡରେ

ଉପରକୁ ସେହୁ ଅଛି ଚାହିଁ ।

ବୁଢ଼ା ଜଣେ ଆସି ଡାକି କହେ ତାକୁ

ଚାହିଁ ଆଉ କିମ୍ପା ଅଛ ବସି ?

ଘେନିଯିବି ମୁହିଁ ଆସ ମୋର ସଙ୍ଗେ

ନେବାପାଇଁ ମୁହିଁ ଅଛି ଆସି ।’’

‘‘ବୁଢ଼ା ସଙ୍ଗେ ଦାସ ଉଠି ଚାଲିଯାଏ

ଭାଙ୍ଗଇ ମେଲାର ସପନ ସେ,

ବୁଝିଲା ସେ ମେଲା ଦେବତାଏ ଆସି

ସ୍ୱର୍ଗେ ନେଇଛନ୍ତି ସେହୁ ଦାସେ ।

ମରିଛି ତ ଦାସ ତେବେ କାହିଁ ପାଇଁ

ପିଲାଙ୍କୁ କରିବି ଅରକ୍ଷିତ ?

ଲକ୍ଷଣେ ଡକାଇ କହିଲା ଏବେ ସେ

କର ବିଭାଘର ହେ ତୁରିତ ।’’

ସରଗର ଚାନ୍ଦ ହାତେ ପାଇଲା କି

ଲକ୍ଷଣକୁ ଲାଗେ ସେହିପରି

କହିଲା ସେ ଯେ ପ୍ରଭୁ ଏହା

କରିନେବା ଆସ ବେଗ କରି ।’’

(ଦାସନାଏକ-ପୃ ୪୮୬)

 

ଅନ୍ୟତ୍ର ‘ଏନୋକ୍‌ଆଡ଼େନ୍’ କାବ୍ୟରେ ମେରିଆମ୍ ମୁଖରେ ଏନୋକ୍‌ର ନିଖୋଜ ହେବା ଖବର ଦେବାବେଳେ ସଂଯତ ତଥା ଗମ୍ଭୀର ଭାଷା ମାଧ୍ୟମରେ ଭାବର ଗୁରୁତ୍ୱକୁ କବି ଟେନିସନ୍‌ ଯେଭଳି ଉପସ୍ଥାପିତ କରିଛନ୍ତି, ତାହା ବାସ୍ତବିକ୍‌ ତାତ୍ପର୍ଯ୍ୟପୂର୍ଣ୍ଣ । ଗୋଟିଏ ଗୋଟିଏ ଶବ୍ଦର ବାରମ୍ବାର ଉଚ୍ଚାରଣ ଫଳରେ ଭାବଗତ ମହତ୍ତ୍ୱ ପ୍ରକଟିତ କରିବାରେ କବିଙ୍କର ସିଦ୍ଧହସ୍ତତା ପ୍ରକାଶିତ । (୮) । ମାତ୍ର ଏତାଦୃଶ ପଙ୍‌କ୍ତି ସମୂହର ଅନୁବାଦ ସମୟରେ କବି ନୀଳକଣ୍ଠ ଟେନିସନ୍‌ଙ୍କ ସୂଚନାଧର୍ମୀ ଭାଷା ବ୍ୟବହାର ପଦ୍ଧତି ପରିବର୍ତ୍ତେ ଗ୍ରାମ୍ୟ ସହଜ ସରଳ ଭାଷାର ସଂଯୋଜନା କରିଛନ୍ତି । (୯)

 

(୮)

Only when she closed

Enoch, Poor man, was castaway and lost’’,

He, shaking his grey head pathetically

Repeated muttering castaway and lost !

 

Again in deeper inward whispers ‘lost’.

(Enoch Arden- Page-22)

 

(୯)

‘‘କହିସାରି ବୁଢ଼ୀ କହିଲା ବିଚରା

ସେ ଦାସନାଏକ କେଡ଼େ ଦୁଃଖେ

ସମୁଦ୍ରରେ ପଡ଼ି କାହିଁ ମରିଥିବ

ରହନ୍ତୁ ପିଲାଏ ତା’ର ସୁଖେ !

ଶୁଣୁଥିଲା ଦାସ ପଥରଟିଏ ପରି

ମୁହଁ ହେଲେ ତା’ର ହଲି ନାହିଁ

କିଏ କାହା କଥା ଶୁଣିଲା ପରି ସେ

ଶୁଣୁଛି, କିଛି ବା ନ ଜାଣଇ ।

ସମୁଦ୍ରେ ବିଚରା ମରିଥିବ କାହିଁ

ବୋଲି ବୁଢ଼ୀ ଯେବେ ଦେଲା କହି

କହିଲା ସେ ଦାସେ ଲେଉଟି ବିଚରା

ସମୁଦ୍ରରେ ମରିଥିବ କାହିଁ ।’’

ପୁଣି ରହି ରହି ନିଶ୍ୱାସ ପକାଇ

କହିଲା, ‘‘ସେ କାହିଁ ମରିଥିବ ?’’

 

 

ପୁଣି ଧୀରେ କହେ ମନେ ମନେ ଦୁଃଖେ

କାହିଁ ମରିଥିବ କେ ଜାଣିବ ?

(ଦାସନାଏକ— ପୃ—୪୯୩)

 

ଉପର୍ଯ୍ୟୁକ୍ତ ଦୃଷ୍ଟାନ୍ତଗୁଡ଼ିକୁ ବିବେଚନା କଲେ କବି ନୀଳକଣ୍ଠଙ୍କ ଅନୁବାଦ—କୁଶଳତା ବେଶ୍ ପରିସ୍ଫୁଟ । ତାଙ୍କର ଏହି ସରସ ଅନୁବାଦ—ଚାତୁରୀ ଯୋଗୁଁ ହିଁ ଅନ୍ୟ ଭାଷାର କାବ୍ୟ ‘ଏନୋକ୍‌ଆଡ଼େନ୍’ଟି ‘ଦାସନାଏକ’ ରୂପରେ ଏକ ମୌଳିକ କାବ୍ୟର ଭାବମୂର୍ତ୍ତି ନେଇ ଫୁଟିଉଠିଛି । ବାସ୍ତବିକ୍‌ ‘କୋଣାର୍କ’ରେ କବି ନୀଳକଣ୍ଠ ଆପଣାର କାବ୍ୟପ୍ରତିଭା ପାଇଁ ଯେଭଳି ସ୍ମରଣୀୟ, ‘ଦାସନାଏକ’ ପରି ଅନୁବାଦ କାବ୍ୟ ରଚନା କରିବାରେ ମଧ୍ୟ ସେ ସେହିଭଳି ସମଆସନର ଅଧିକାରୀ ଏବଂ ପ୍ରଶଂସାର୍ହ ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ

ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ

 

***

 

ଏକାଡେମୀ ସମାଚାର

 

ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଥିବା ସାଂସ୍କୃତିକ ସମାରୋହ ପାଇଁ ବିଭିନ୍ନ ଆୟୋଜନ ଆଗେଇ ଚାଲିଛି । ଇତିମଧ୍ୟରେ ଏହି ଆୟୋଜନର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତା ୨୨/୦୮/୧୯୮୨ରିଖ ଦିନ ଏହି ସାଂସ୍କୃତିକ ମହୋତ୍ସବ ପରିକଳ୍ପନା ଓ ପରିଚାଳନା ପାଇଁ ସରକାରୀ ସ୍ତରରେ ଗଠିତ ତୁଙ୍ଗ କମିଟିର ଏକ ବୈଠକ ବସିଥିଲା । ଏହି ବୈଠକର ବିବରଣୀ ଏକାଡେମୀ ପକ୍ଷରୁ ନଂ ୩୧୪୫ (୨୨) ତା ୨୩/୮/୮୨ ରିଖ ପତ୍ରରେ ପ୍ରେରିତ ହୋଇଛି । ସରକାରଙ୍କ ପକ୍ଷରୁ ମଧ୍ୟ ଏହା ସ୍ୱତନ୍ତ୍ର ଭାବରେ ପ୍ରେରିତ ହୋଇଅଛି । ଅନ୍ୟାନ୍ୟ ମଧ୍ୟରେ, ତୁଙ୍ଗ କମିଟି ବୈଠକରେ ନିମ୍ନଲିଖିତ ସିଦ୍ଧାନ୍ତ ନିଆଯାଇଥିଲା ।

 

କ.

ଏହି ଉତ୍ସବ କେବଳ ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଉତ୍ସବ ଭାବରେ ପାଳନ କରାଯିବ ।

 

 

ଖ.

ଓଡ଼ିଶା ସାହିତ୍ୟ ଏକାଡେମୀ ତୁଙ୍ଗ କମିଟି ଦ୍ୱାରା ଅନୁମୋଦିତ କାର୍ଯ୍ୟକ୍ରମ ଅନୁଯାୟୀ ସମସ୍ତ ଆୟୋଜନ କରିବେ ।

 

 

ଗ.

‘‘ଉତ୍କଳ ଭାରତୀ’’ ଉତ୍ସବର ଆୟୋଜନ ଲାଗି ଏକ କ୍ଷୁଦ୍ର ତୁଙ୍ଗ କମିଟି ଗଢ଼ାଗଲା ଓ ସଂସ୍କୃତି ବିଭାଗ, ନିର୍ଦ୍ଦେଶକ ଏହାର ଯୋଗସୂତ୍ର ଅଧିକାରୀ ଭାବରେ କାର୍ଯ୍ୟ କରିବା ପାଇଁ ସ୍ଥିର ହେଲା ।

 

 

ଘ.

‘‘ରୌପ୍ୟ ଜୟନ୍ତୀ’’ ଉତ୍ସବର ଆୟୋଜନ ଉପଲକ୍ଷେ ତଥ୍ୟ ଓ ଉପକରଣମାନ ସଂଗ୍ରହ ଏବଂ ବିଶେଷଜ୍ଞମାନଙ୍କର ପରାମର୍ଶ ପାଇଁ ଆବଶ୍ୟକତା ଅନୁଯାୟୀ ଏକାଡେମୀ ଉପ-ସମିତି ଓ ବିଶେଷଜ୍ଞମାନଙ୍କର ବୈଠକ ଡାକିବେ ଏବଂ ଏ ସଂକ୍ରାନ୍ତରେ ସମସ୍ତ ଖର୍ଚ୍ଚ ବହନ କରିବେ ।

 

ଏହାପରେ ଗତ ତା ୩୦/୮/୮୨ରିଖରେ ସଂସ୍କୃତି ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିମ୍ନଲିଖିତ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।

 

କ.

ପ୍ରଦର୍ଶନୀ ଉପକରଣଗୁଡ଼ିକର ଚିହ୍ନଟ ଓ ମଣ୍ଡପଗୁଡ଼ିକର ସାଜସଜ୍ଜା ସାହିତ୍ୟ ଏକାଡେମୀଙ୍କ ଦାୟିତ୍ୱରେ କରାଯିବ ।

 

 

ଖ.

ପ୍ରଦର୍ଶନୀ ପଡ଼ିଆରେ ନିର୍ମିତ ହେବାକୁ ଥିବା ‘‘ଶିଶୁ ଉଦ୍ୟାନ’’ ନିକଟରେ ଏକ କଫି ସେବନ କେନ୍ଦ୍ର ଓଡ଼ିଶା ପର୍ଯ୍ୟଟନ ନିଗମଙ୍କ ଦ୍ୱାରା ଆୟୋଜନ କରାଯିବା ସ୍ଥିର ହେଲା ।

 

 

ଗ.

ଶିଶୁମାନଙ୍କ ପାଇଁ କେତେକ ମନୋରଞ୍ଜନ ବ୍ୟବସ୍ଥା ଓ କ୍ରୀଡ଼ା ଉପକରଣ ଓଡ଼ିଶା ପର୍ଯ୍ୟଟନ ନିଗମଙ୍କ ଦ୍ୱାରା ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯିବା ସ୍ଥିର ହେଲା ।

 

 

ଘ.

ସାହିତ୍ୟ ଏକାଡେମୀ ଆଲୋଚନା ଚକ୍ର ଓ ସଭାଗୁଡ଼ିକର ଆୟୋଜନ କରିବେ ।

 

 

ଙ.

ସାତ ଦିନ ବ୍ୟାବୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ସଙ୍ଗୀତ ଏକାଡେମୀଙ୍କ ଆନୁକୂଲ୍ୟରେ କରାଯିବା ପାଇଁ ସ୍ଥିର ହେଲା ।

 

 

ଚ.

ସ୍ମରଣିକା ଓ ‘‘କୋଣାର୍କ’’ ପତ୍ରିକାର ବିଶେଷ ସଂଖ୍ୟା ନିମନ୍ତେ ବିଜ୍ଞାପନ ସଂଗ୍ରହ କରାଯିବା ପାଇଁ ସ୍ଥିର କରାଗଲା ।

 

 

ଛ.

‘‘ଉତ୍କଳ ଭାରତୀ’’ ଉତ୍ସବର ପ୍ରଚାର ବ୍ୟବସ୍ଥା ଲାଗି ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯିବା ସ୍ଥିର ହେଲା । ରେଡ଼ିଓ ମାଧ୍ୟମରେ ଓ ସିନେମା ଗୃହରେ ଏହି ଉତ୍ସବ ସମ୍ପର୍କୀୟ ସୂଚନା ପ୍ରଚାରର ବ୍ୟବସ୍ଥା କରାଯିବା ସ୍ଥିର ହେଲା । ତା’ଛଡ଼ା ଏ ସଂକ୍ରାନ୍ତରେ ଅନ୍ୟାନ୍ୟ କେତେକ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମଧ୍ୟ ସ୍ଥିର ହେଲା ।

 

 

ଜ.

ପ୍ରଦର୍ଶନୀ ଦେଖିବା ପାଇଁ ପ୍ରବେଶ ମୂଲ୍ୟ ପ୍ରାପ୍ତ ବୟସ୍କଙ୍କ ପାଇଁ ୫୦ ପଇସା ଓ ୧୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ୨୫ ପଇସା ଧାର୍ଯ୍ୟ କରାଯିବା ସ୍ଥିର ହେଲା

 

ସରକାର ତାଙ୍କର ୨୫/୯/୮୨ ତାରିଖର ୮୫୫୧ ନମ୍ୱର ପତ୍ରରେ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ପ୍ରାଥମିକ ବ୍ୟୟ ବହନ ପାଇଁ ଏକାଡେମୀକୁ ଦୁଇଲକ୍ଷ ଟଙ୍କା ମଂଜୁର କରିଛନ୍ତି ।

 

ତା ୧/୧୦/୮୨ ରିଖ କାର୍ଯ୍ୟକାରୀ ସମିତି ବୈଠକରେ ରୌପ୍ୟ ଜୟନ୍ତୀ ଉତ୍ସବ ଲାଗି ଏକାଡେମୀ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ବିଶଦ ଆଲୋଚନା ହୋଇଥିଲା ଓ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକୁ ସମିତି ଅନୁମୋଦନ କଲେ ।

 

ଗତ ତା ୧୯/୮/୮୨ ରିଖ କାର୍ଯ୍ୟକାରୀ ସମିତିଙ୍କ ନିଷ୍ପତ୍ତି କ୍ରମେ ସାହିତ୍ୟିକ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସୁ-ପ୍ରତିଷ୍ଠିତ ଲେଖକ/ଲେଖିକା (୩ଜଣଙ୍କୁ) ପଠାଯିବା ପାଇଁ ସ୍ଥିର ହୋଇଛି । ଶ୍ରୀ ପ୍ରସନ୍ନ କୁମାର ପାଟଶାଣୀଙ୍କୁ ତାମିଲନାଡ଼ୁ, ଶ୍ରୀ ଶଙ୍କରଲାଲ ପୁରୋହିତଙ୍କୁ ବିହାର ପ୍ରଦେଶ ଓ ଶ୍ରୀମତୀ ମନୋରମା ମହାପାତ୍ରଙ୍କୁ (ବିଶ୍ୱାଳ) ଆନ୍ଧ୍ର ପ୍ରଦେଶ ପଠାଯିବା ପାଇଁ ସ୍ଥିର ହେଲା ।

 

ଏମାନଙ୍କ ମଧ୍ୟରୁ ଶ୍ରୀମତୀ ମନୋରମା ମହାପାତ୍ର (ବିଶ୍ୱାଳ) ଆସନ୍ତା ତା୨୮/୧୦/୮୨ ରିଖରେ ସାହିତ୍ୟିକ ବିନିମୟ ଯୋଜନା କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଯାତ୍ରା କରୁଛନ୍ତି ।

 

***

 

ସଂପାଦକୀୟ

ଓଡ଼ିଶାରେ ଏ ବର୍ଷ ଦଶହରା ପର୍ବ

 

ଋତୁଚକ୍ରରେ ଆବର୍ତ୍ତିତ ହୋଇ ଆଜି ଦେଖା ଦେଇଚି ସ୍ୱଚ୍ଛ ଶୁଭ୍ର ଶରତ ଋତୁ । ଆକାଶର ଚକ୍ରବାଳରେ ପିଚ୍ଛିଳ ନୀଳିମା ପରିସ୍ଫୁଟ । ରାତିରେ ଚନ୍ଦ୍ରମାର ନିର୍ମଳ ଜ୍ୟୋତ୍ସ୍ନା ଜଳ ସ୍ଥଳ ପ୍ଲାବିତ କରୁଚି, ନଦୀର ତୀରେ ତୀରେ କାଉଁଶି ଫୁଲ ଧବଳିମା, ମାତ୍ର ଓଡ଼ିଶା ପକ୍ଷରେ ସେ ସମସ୍ତ ଏକ ଉପହାସ ପରି ପ୍ରତୀୟମାନ ହେଉଚି ।

 

ଏଇ କେତେ ମାସ ଧରି ପର୍ଯ୍ୟାୟକ୍ରମରେ ଆମ ଦେଶ ବକ୍ଷରେ ପ୍ରଳୟ ତାଣ୍ଡବ ଲୀଳା ଘଟାଇ ଦେଇଚି ବାତ୍ୟା, ଅନାବୃଷ୍ଟି ଆଉ ଅତି ବୃଷ୍ଟି; ଯାହାର ଫଳସ୍ୱରୂପ ବହୁ ନଗର, ଗ୍ରାମ ଜଳ-ଗର୍ଭସାତ ହୋଇଚି, କେତେ ମଧ୍ୟ ନିଶ୍ଚିହ୍ନ ହୋଇଚି । ମଣିଷ ଜୀବଜନ୍ତୁ ମୃତ୍ୟୁର କରାଳ କବଳରେ ପଡ଼ିଚନ୍ତି । ଦେଶର ମେରୁଦଣ୍ଡ ଭାଙ୍ଗି ଯାଇଚି । ରେଣୁ ଏଇ ଶରତ ଋତୁରେ ମା ହୈମବତୀ ଊମା, ମା ଦୁର୍ଗତିନାଶିନୀ ଦୁର୍ଗାଙ୍କର ଆରାଧନା ଏକ ବିଡ଼ମ୍ୱନାରେ ପରିଣତ ହୋଇଚି । ଉଲ୍ଲାସ ନାହିଁ, ଉଚ୍ଛ୍ୱାସ ନାହିଁ, ଉତ୍ସବର ଆଟୋପ ନାହିଁ, ସହସ୍ର ସହସ୍ର କଣ୍ଠରୁ ଫୁଟି ଉଠୁଚି କରୁଣ କାତର ଆବାହନ –

 

ମହିଷାସୁର ନିର୍ଣ୍ଣାଶି ଭକ୍ତାନାଂ ସୁଖଦେ ନମଃ ।

ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ୱିଷୋ ଜହି ।।

 

ବିଧେହି ଦେବୀ କଲ୍ୟାଣଂ ବିଧେହି ବିପୁଳାଂଶ୍ରିୟମ୍‍ ।

ରୂପଂ ଦେହି ଜୟଂ ଦେହି ଯଶୋ ଦେହି ଦ୍ୱିଷୋ ଜହି ।।

 

ଆଜିର ଏହି ପରିପ୍ରେକ୍ଷୀରେ ‘କେନ’ ଉପନିଷଦର ହୈମବତୀ ଉମାଙ୍କର କଥା ସ୍ୱତଃ ଜାଗି ଉଠେ ।

 

କେଉଁ ଦୂର ଅତୀତର, କେଉଁ ପୁରା କାଳର ସେ ଏକ ଶରତ ଋତୁ । ଦେବାସୁର ଯୁଦ୍ଧରେ ଦେବତାମାନେ ବିଜୟୀ ହୋଇ ବିଜୟୋତ୍ସବ ପାଳନ କରୁଛନ୍ତି । ସେମାନଙ୍କର ମନରେ ଅଭୁତପୂର୍ବ ଓ ସ୍ଫୀତି । ଯେହେତୁ ଅସୁରମାନଙ୍କୁ ଏଇଥର ହଟାଇ ଦେଇଛନ୍ତି ସେମାନେ ।

 

ଦେବାସୁରମାନଙ୍କ ମଧ୍ୟରେ ଚିରଦିନ ବୈରଭାବ, ଚିରଦିନ ସଂଗ୍ରାମ । କେତେବେଳେ ଅସୁରମାନେ ଜୟଏେଭ କରୁଥିଲେ, ଦେବତାମାନଙ୍କୁ ସ୍ୱର୍ଗବାସରୁ ତଡ଼ିଦେଇ ସେମାନଙ୍କ ଉପରେ, ମଣିଷ ଜାତି ଉପରେ ଭୀଷଣ ଅତ୍ୟାଚାର କରୁଥିଲେ । ଅସୁରମାନେ ତ ସ୍ୱଭାବତଃ ଉନ୍ମାର୍ଷଗାମୀ । ଜଗତର ସ୍ରଷ୍ଟା, ପାଳକ ପରମେଶ୍ୱରଙ୍କ ନୀତି ନିୟମ ଓ ଶୃଙ୍ଖଳା ଲଂଘନ କରିବା ସେମାନଙ୍କର ଧର୍ମ । ମାତ୍ର ଦେବତାମାନେ ଥିଲେ ପରମେଶ୍ୱର ଧର୍ମ ପାଳିବାରେ ଖୁବ୍‍ ଅନୁରକ୍ତ ଓ ନିଷ୍ଠାପର ।

 

ମାତ୍ର ଏଇଥର ଯୁଦ୍ଧରେ ବିଜୟୀ ହୋଇଛନ୍ତି – ତେଣୁ ଆତ୍ମଗର୍ବୀ ହୋଇ ମନେ ମନେ ଭାବୁଛନ୍ତି – ନିଜ ନିଜ ଶକ୍ତି ବଳରେ ସେମାନେ ଅସୁରମାନଙ୍କୁ ହଟାଇ ଦେଇଛନ୍ତି । ଆନନ୍ଦ ଓ ଆତ୍ମଶ୍ଲାଘାର ଉଦ୍‍ବେଳନ ଭିତରେ ଅଭିଭୂତ ହେଉଥିବା ବେଳେ ହଠାତ୍‍ ସେମାନଙ୍କ ଦୃଷ୍ଟିପଥରେ ଆବିର୍ଭୂତ ହେଲେ ଏକ ଉର୍ଜ୍ଜସ୍ୱଳ ଦିବ୍ୟପୁରୁଷ । ସେମାନେ ବିସ୍ମିତ ହୋଇ ସେଇଆଡ଼କୁ ଅନାଇ ରହିଲେ – ‘‘ଏ ଦିବ୍ୟ ପୁରୁଷ କିଏ ?’’ ସେମାନଙ୍କର ମନରେ ଉଠିଲା ସେଇ ପ୍ରଶ୍ନ – ‘‘ଏ ଦିବ୍ୟ ପୁରୁଷ କିଏ ?’’

 

ଦେବତାମାନଙ୍କ ମଧ୍ୟରୁ ତାହା ଜାଣିବା ପାଇଁ ଅଗ୍ନି ସେଇ ପୁରୁଷଙ୍କର ସମ୍ମୁଖୀନ ହେଲେ-

 

ଦିବ୍ୟପୁରୁଷ ପଚାରିଲେ – ‘‘କିଏ ତୁମେ, କଅଣ ତୁମେ କରିପାର ?’’

 

‘‘ଆମ୍ଭେ ଅଗ୍ନି, ସୃଷ୍ଟି ଭିତରେ ଯେତେ ଯେତେ ପଦାର୍ଥ ରହିଚି ଆମ୍ଭେ ସମସ୍ତ ପୋଡ଼ି ଦେଇପାରୁ, ଜାଳି ଦେଇପାରୁ ।’’

 

ଖଣ୍ଡିଏ ଘାସ ସମ୍ମୁଖରେ ପକାଇ ଦେଇ ଦିବ୍ୟ ପୁରୁଷ ନିର୍ଦ୍ଦେଶ ଦେଲେ – ‘‘ୟାକୁ ପୋଡ଼ ତ !’’

 

ଅଗ୍ନି ବହୁତ ଚେଷ୍ଟା, ବହୁତ ସାଧନା କଲେ ମାତ୍ର ଘାସ ଖଣ୍ଡିକ ପୋଡ଼ି ପାରିଲେ ନାହିଁ ।

 

ଅଗ୍ନିଙ୍କ ପକ୍ଷରେ ଅତ୍ୟନ୍ତ ଲାଂଛନାର ବିଷୟରେ ଅଧୋବଦନରେ ସେ ଫେରିଗଲେ ତାଙ୍କରି ଦଳର ଉତ୍ସବକୁ । ସବୁ ଖୋଲାଖୋଲି କହିଦେଲେ ।

 

ବାୟୁ ଦମ୍ଭର ସହିତ କହିଲେ – ‘‘ମୁଁ ଯାଉଚି ।’’

 

ତାଙ୍କୁ ଦେଖୁ ଦେଖୁ ଦିବ୍ୟପୁରୁଷ ପ୍ରଶ୍ନ କଲେ –

 

‘‘କିଏ ତୁମେ, କଅଣ ତୁମେ କରିପାର ?’’

 

‘‘ଆମ୍ଭେ ବାୟୁ, ସୃଷ୍ଟିରେ ଯାହା କିଛି ପଦାର୍ଥ ରହିଚି, ଆମ୍ଭେ ସେ ସମସ୍ତ ଉଡ଼ାଇ ନେଇପାରୁ ।’’

 

ସମ୍ମୁଖରେ ଖଣ୍ଡିଏ ଘାସ ପକାଇ ଦେଇ ଦିବ୍ୟପୁରୁଷ ନିର୍ଦ୍ଦେଶ ଦେଲେ – ‘‘ଉଡ଼ାଅ ଦେଖି-!’’

 

ଚଳଚଞ୍ଚଳ ବାୟୁ ପ୍ରବଳ ଭାବରେ ପ୍ରବହମାନ ହେଲେ କିନ୍ତୁ ବ୍ୟର୍ଥ ଚେଷ୍ଟା, ବିଫଳ ପ୍ରୟାସ ତାଙ୍କର । ଘାସ ଖଣ୍ଡିକ ସେଇଠି ସେଇପରି ରହିଥିଲା, ସେ ମଧ୍ୟ ଲାଂଛିତ ହୋଇ ଅଗ୍ନିଙ୍କ ପରି ଫେରିଗଲେ ଦେବତାମାନଙ୍କ ପାଖକୁ, ଲାଂଛନାର ବିବରଣୀ ଶୁଣାଇଲେ ।

 

ଦେବତାମାନଙ୍କ ମଧ୍ୟରେ ଘୋର ଭାଳେଣି ପଡ଼ିଗଲା, ସମସ୍ତେ ଏକ ସ୍ୱରରେ ଇନ୍ଦ୍ରଙ୍କୁ ନିବେଦନ କଲେ, ‘‘ଆପଣ ଆମମାନଙ୍କର ରାଜା, ପ୍ରବଳ ଶକ୍ତିମାନ, ବଜ୍ର ବିଦ୍ୟୁତ୍‍ଧାରୀ, ଆପଣ ଯାଆନ୍ତୁ ତ ।’’

 

ଶଙ୍କାକୁଳ ହୃଦୟରେ ଇନ୍ଦ୍ର ଦିବ୍ୟପୁରୁଷଙ୍କ ଆଡ଼କୁ ପଦକ୍ଷେପ କଲେ, ଲକ୍ଷ୍ୟ କଲେ, ଦିବ୍ୟପୁରୁଷ ରୁପାନ୍ତରିତ ହୋଇଗଲେ ଏକ ରମଣୀ ମୂର୍ତ୍ତିରେ, ଅଗ୍ନି ପରି, ବାୟୁ ପରି ସେ ଚାଲିଗଲେ ନାହିଁ । ସେଇଠି ସେଇପରି ଛିଡ଼ା ହୋଇ ରହିଲେ ।

 

ଶରତର ସନ୍ଧ୍ୟା, ଉଦୟମାନ ଚନ୍ଦ୍ର ଶୁଭ୍ର ସୁନ୍ଦର ଜ୍ୟୋତ୍ସ୍ନା ବିକୀରଣ କରୁଚନ୍ତି, ଇନ୍ଦ୍ର ଦେଖିଲେ ସେଇ ରମଣୀୟ ରମଣୀ ମୂର୍ତ୍ତି କଲ୍ୟାଣମୟୀ ଜନନୀ ପରି ଢାଳି ଦେଉଛନ୍ତି ମମତା ଓ ଅଭୟର ଧାରା । ଇନ୍ଦ୍ର ସାହାସ ବାନ୍ଧି ପଚାରିଲେ – ‘‘କିଏ ମା ତୁମେ, ଯେଉଁ ଦିବ୍ୟ ପୁରୁଷ ଏଇ ଅବ୍ୟବହିତ ପୂର୍ବରେ ଏଇଠି ଛିଡ଼ା ହୋଇଥିଲେ ସେ କିଏ ? କୁଆଡ଼ିକି ଉଭେଇ ଗଲେ ସେ ?’’

 

ରମଣୀ ମୂର୍ତ୍ତି ସସ୍ନେହ ଭାଷାରେ ପ୍ରକାଶ କଲେ – ‘‘ସେ ଯେଉଁ ଦିବ୍ୟ ମୂର୍ତ୍ତି ଛିଡ଼ା ହୋଇଥିଲେ ସେ ବ୍ରହ୍ମ, ସେ ନିଖିଳ ସୃଷ୍ଟିର ଈଶ୍ୱର । ତାଙ୍କର ଶକ୍ତି ବଳରେ ତୁମେମାନେ ଅସୁରମାନଙ୍କୁ ଜୟ କରିଚ ମାତ୍ର ସେଇ ବ୍ରହ୍ମଙ୍କର ଶକ୍ତିସତ୍ତା ଭୁଲିଯାଇ ଆତ୍ମଗର୍ବରେ ଅଭିଭୂତ ହୋଇଛ ।

 

ମୁଁ ହୈମବତୀ ଊମା, ବ୍ରହ୍ମବିଦ୍ୟା, ବ୍ରହ୍ମସତ୍ତା, ସେ ବ୍ରହ୍ମ, ମୁଁ ଶକ୍ତି । ହୈମବତୀ ଊମାଙ୍କଠାରୁ ଇନ୍ଦ୍ର ପ୍ରଥମ କରି ଲାଭକଲେ ନୂତନ ଜ୍ଞାନାଲୋକ, ସେ ନବଜନ୍ମ ଲାଭକଲା ପରି ଦେଖାଗଲେ । ସେଠାରୁ ବିଦାୟ ନେଇ ଦେବତାମାନଙ୍କୁ ତାହା ଜଣାଇ ଦେଇଥିଲେ । ସମସ୍ତେ ବୁଝିପାରିଥିଲେ ବ୍ରହ୍ମା ବ୍ରହ୍ମସତ୍ତା, ବ୍ରହ୍ମଶକ୍ତି ହେତୁ ସେମାନେ ବିଜୟ ଲାଭ କରିଥିଲେ ।

 

ଏଇ ବର୍ଷ ଭିତରେ କେତେମାସ ତଳେ ଆମ ଓଡ଼ିଶାକୁ ଆସିଥିଲା ବାତ୍ୟା – ବାୟୁର ପ୍ରଳୟଙ୍କର ରୂପ – ତହିଁରେ ଓଡ଼ିଶାର ଓ ଓଡ଼ିଶାବାସୀ ଲୋକଙ୍କର କି ଦୁଃଖ ଦୁର୍ଦ୍ଦଶା ହୋଇଚି ତାହା ଅପରିମେୟ ।

 

ସୂର୍ଯ୍ୟ ଓ ଅଗ୍ନି, ସୂର୍ଯ୍ୟ ବା ଅଗ୍ନି ଅଭିନ୍ନ । ଏକ ତେଜଶକ୍ତିର ଭିନ୍ନ ପ୍ରକାଶ ମାତ୍ର – ଋଗ୍‍ବେଦରେ ଅଛି –

 

ମୂର୍ଦ୍ଧା ଭୁବୋ ଭବତି ନକ୍ତମଗ୍ନିସ୍ତତଃ

ସୂର୍ଯ୍ୟୋ ଜାୟତେ ପ୍ରାତରୁଦୀନ୍‍ ।

ଋଗ୍‍ବେଦ ୧୦/୮/୮୮

 

ଅର୍ଥାତ୍‍ ରାତ୍ରିରେ ଅଗ୍ନି ସଂସାରର ମସ୍ତକ ସ୍ୱରୂପ ହୁଅନ୍ତି, ପରେ ପ୍ରଭାତ କାଳରେ ସୂର୍ଯ୍ୟ ରୂପେ ଉଦିତ ହୁଅନ୍ତି ।

 

ଶତପଥ ବ୍ରାହ୍ମଣରେ ଅଗ୍ନି ଓ ସୂର୍ଯ୍ୟଙ୍କର ଏକାତ୍ମତା ପ୍ରତିପାଦିତ ହୋଇଚି –

 

‘‘ଅଗ୍ନାବେବୈତତ୍‍ ସାୟଂ ସୂର୍ଯ୍ୟଂ ଜୁହୋତି । ସୂର୍ଯ୍ୟେ ପ୍ରାତର ଅଗ୍ନିମିତି ତଦୈବ ତଦୁଦିତ ହୋମାନାମେବ ତଦା ହ୍ୟେବ ସୂର୍ଯ୍ୟୋଽସ୍ତମେତ୍ୟଥାଗ୍ନିର୍ଜ୍ୟୋତିର୍ଯଦା ସୂର୍ଯ୍ୟ ଉଦେତ୍ୟଥ ସୂର୍ଯ୍ୟୋ ଜ୍ୟୋତିଃ ।’’

ଶତପଥ ବ୍ରାହ୍ମଣ ୨/୩୧

 

ଅର୍ଥାତ୍‍ ସନ୍ଧ୍ୟାବେଳରେ ସୂର୍ଯ୍ୟଙ୍କୁ ଅଗ୍ନିରେ ଆହୂତି ଦେବାକୁ ହୁଏ । ପ୍ରଭାତ ସମୟରେ ସୂର୍ଯ୍ୟରେ ଅଗ୍ନିକୁ ଆହୁତି ଦେବାକୁ ହୁଏ । ଉଦିତ ହୋମର ଏହାହିଁ ରୀତି । ସୂର୍ଯ୍ୟ ଯେତେବେଳେ ଅସ୍ତ ଯାଆନ୍ତି ଅଗ୍ନି ହିଁ ସେତେବେଳେ ଜ୍ୟୋତି । ସୂର୍ଯ୍ୟ ଯେତେବେଳେ ଉଦିତ ହୁଅନ୍ତି ସୂର୍ଯ୍ୟ ହିଁ ସେତେବେଳେ ଜ୍ୟୋତି ।

 

ସେଇ ଅଗ୍ନି ଓ ସୂର୍ଯ୍ୟ, ଅଗ୍ନି ବା ସୂର୍ଯ୍ୟ ଅନ୍ନଦାତା –

 

‘‘ ଅଗ୍ନିରତ୍ନା ଦୋହନ୍ନ ପତିଃ ।’’

 

ତୈତ୍ତରୀୟ ବ୍ରାହ୍ମଣ ୨/୫/୭/୩

 

ଅର୍ଥାତ୍‍ ଅଗ୍ନି ଅନ୍ନଦାତା ଓ ଅନ୍ନପତି ।

 

‘‘ଅନ୍ନଦୋ ବା ଏସୋହନ୍ନ ପତି ଯଦଗ୍ନିଃ ।’’

 

ଐତରେୟ ବ୍ରାହ୍ମଣ ୧/୮

 

ସୂର୍ଯ୍ୟ ମଧ୍ୟ ଅନ୍ନଦାତା –

 

‘‘ଅଗ୍ନୌ ପ୍ରାସ୍ତାହୂତିଃ ସମ୍ୟଗାଦିତ୍ୟମୁପତିଷ୍ଠତେ ।

ଆଦିତ୍ୟାଜ୍ୱାୟତେ ବୃଷ୍ଟି ର୍ବୃଷ୍ଟେରନ୍ନଂ ତତଃ ପ୍ରଜାଃ ।’’

ଭବିଷ୍ୟ ପୁରାଣ ୫୪/୨-୬

 

ଅର୍ଥାତ୍‍ ଅଗ୍ନିରେ ପ୍ରଦତ୍ତ ଆହୂତି ସୂର୍ଯ୍ୟ ପ୍ରାପ୍ତ ହୁଅନ୍ତି । ଆଦିତ୍ୟଙ୍କଠାରୁ ବର୍ଷା, ବର୍ଷାରୁ ଅନ୍ନ ଓ ଅନ୍ନରୁ ପ୍ରଜାସୃଷ୍ଟି ।

 

ଅଗ୍ନି ଓ ସୂର୍ଯ୍ୟ ଉଭୟେ ଅନ୍ନଦାତା ।

 

ଉଭୟେ ଆଜି ସମ୍ମଳିତ ହୋଇ ବର୍ଷା ନ ଦେଇ ଶସ୍ୟାବଳୀ ଧ୍ୱଂସ କରି ଦେଇଛନ୍ତି ।

 

ଅନାବୃଷ୍ଟି ପରେ ଅତିବୃଷ୍ଟି – ଇନ୍ଦ୍ରଙ୍କର ଅତିରିକ୍ତ ବର୍ଷା, ଦେଶସାରା ବନ୍ୟାରେ ଉତ୍ପ୍ଲାବିତ-

 

ଜଳବିହୁନେ ସୃଷ୍ଟି ନାଶ,

ଜଳ ବହୁଳେ ସୃଷ୍ଟି ନାଶ ।’’

 

ବାୟୁ, ସୂର୍ଯ୍ୟ ବା ଅଗ୍ନି ଓ ଇନ୍ଦ୍ର ସମସ୍ତେ ଉନ୍ନତ୍ତ ହୋଇ ଉଦ୍‍ଭ୍ରାନ୍ତ ହୋଇ ସୃଷ୍ଟିର ଅକଲ୍ୟାଣ ସାଧନ କରିଛନ୍ତି । ଅସୁରମାନଙ୍କୁ ଜୟ କଲାବେଳେ ସେମାନେ ଯେପରି ଗର୍ବିତ ଓ ସ୍ଫୀତ ହୋଇଥିଲେ ବର୍ତ୍ତମାନ ସେଇପରି ଆତ୍ମଶ୍ଲାଘାରେ ପ୍ରମତ୍ତ । ସେତେବେଳେ ହୈମବତୀ ଊମା ବ୍ରହ୍ମସତ୍ତା ଉପଲବ୍‍ଧି କରାଇ ସେମାନଙ୍କୁ ବାଟକୁ ଆଣିଥିଲେ । ବର୍ତ୍ତମାନ ଆମର ଦୁର୍ଗତି-ନାଶିନୀ ମା ଦୁର୍ଗା, ମା ହୈମବତୀ ଊମା ସେଇ ଉନ୍ନତ୍ତ ଦେବତାମାନଙ୍କର ହୃଦୟ ବ୍ରହ୍ମ-ବିଭା ଜାଗ୍ରତ କରାନ୍ତୁ-। ସେମାନେ ସୃଷ୍ଟିର କଲ୍ୟାଣ କରିବାରେ ପରମେଶ୍ୱରଙ୍କ ନୀତି ନିୟମ ପାଳନ କରିବାରେ ପ୍ରବୃତ୍ତ ହୁଅନ୍ତୁ । ଆମର ଏଇ ଓଡ଼ିଶା ପୁନଶ୍ଚ ଶସ୍ୟଶ୍ୟାମଳା, ରୁଦ୍ଧମତୀ ହେଉ – ଓଡ଼ିଶାବାସୀ ଲୋକଙ୍କ କଣ୍ଠରୁ ଆର୍ତ୍ତବାଣୀ ନିଃସୃତ ହେଉଛି ।

 

‘‘ବିଧେହି ଦେବି କଲ୍ୟାଣଂ ବିଧେହି ବିପୁଳାଂ ଶ୍ରିୟମ୍‍ ।

ରୂପଂ ଦେହି ଜୟଂଦେହି ଯଶୋଦେହି ଦ୍ୱିଷୋ ଜହି ।’’

 

ରାଧାମୋହନ ଗଡ଼ନାୟକ

ସମ୍ପାଦକ

***